Unknown

 

 

 

 

 

 

 

 

 

ଭାରତବର୍ଷର ଇତିହାସ

(ଦ୍ୱିତୀୟ ଭାଗ)

ମଧୁସୂଦନ ଦାସ

 

ଅବତରଣିକା

 

କାହିଁକି ଲୋକେ ଇତିହାସ ପଢ଼ନ୍ତି ଏବଂ ଇତିହାସରେ କଣ ଲେଖା ଥାଏ ଏହି ଦୁଇ ବିଷୟ ତୁମ୍ଭମାନଙ୍କୁ ବର୍ତ୍ତମାନ ସଂକ୍ଷେପରେ ବୁଝାଇବା ।

 

ଜଣେ ଗୋଟିଏ ମଞ୍ଜି ମାଟିରେ ପୋତିଲେ ଗୋଟିଏ ଗଛ ହୁଏ ଏବଂ ତହିଁରେ ଫଳ ଫଳେ । ମାତ୍ର ମଞ୍ଜିଟି ନ ପୋତିଲେ ଗଛ ହେବ ନାହିଁ, କି ଫଳ ଫଳିବ ନାହିଁ । ଏଠାରେ ମଞ୍ଜିକି ମାଟିରେ ପୋତିବା ହେଲା କାରଣ, ଗଛ ହୋଇ ଫଳ ଫଳିବା ହେଲା ତାହାର କାର୍ଯ୍ୟ । ଯେତେ କାର୍ଯ୍ୟ ପୃଥିବୀରେ ହେଉଥିବାର ଦେଖୁଅଛ ଅର୍ଥାତ୍ ଯେତେ ଘଟନା ଘଟୁଅଛି ସମସ୍ତଙ୍କର ଏକ ଏକ କାରଣ ଅଛି । କାରଣ ନ ଥାଇ କାର୍ଯ୍ୟ ନାହିଁ, ଏହା ଭଲରୂପେ ଜାଣିଥିବ ।

 

କି କାରଣରୁ କି କାର୍ଯ୍ୟ ହୁଏ ଏହା ଜାଣୁଥିବାରୁ ମନୁଷ୍ୟ ଅନ୍ୟାନ୍ୟ ଜୀବଠାରୁ ଶ୍ରେଷ୍ଠ । ମନୁଷ୍ୟ କାର୍ଯ୍ୟର କାରଣ ଜାଣି ମନେରଖେ ବା ଲେଖି ରଖେ । ଯେଉଁ କାରଣର କାର୍ଯ୍ୟ ମନ୍ଦ ହୋଇଥିବାର ତାହାକୁ ଜଣାଥାଏ ସେ କେବେହେଁ ତାହା ସହଜେ କରିବାକୁ ଯାଏ ନାହିଁ । ପ୍ରତ୍ୟେକ ମନୁଷ୍ୟର ଜୀବନରେ ଯେଉଁ ଭଲ ବା ମନ୍ଦ କାର୍ଯ୍ୟ ଘଟେ ତାହାର ଯେପରି କାରଣ ଅଛି, ପ୍ରତି ଦେଶରେ ଯେତେବେଳେ ଯାହା ଘଟେ ତାହାର ସେହିପରି କାରଣ ଅଛି । ଦେଶମଧ୍ୟରେ ଯେତେବେଳେ ଯାହା ଘଟିଥିଲେ ତାହା ଏବଂ ତାହାର କାରଣ ଇତିହାସରେ ଲେଖାଥାଏ । ସେଗୁଡ଼ିକ ଜାଣିଲେ ଲୋକେ ଦେଶପ୍ରତି ଯେଉଁଗୁଡ଼ିକ ଭଲ ତାହା କରି ମନ୍ଦଗୁଡ଼ିକ ପରିତ୍ୟାଗ କରନ୍ତି । ଆହୁରି ମଧ୍ୟ ଯେଉଁ କାରଣ ଘଟିଥିବାରୁ ଯେଉଁ କାର୍ଯ୍ୟଗୁଡ଼ିକ ପୂର୍ବେ ଘଟିଥିଲା ତାହା ଜାଣିପାରିଲେ, ବର୍ତ୍ତମାନର ଘଟନାମାନ ଦେଖି ଭବିଷ୍ୟତରେ କଣ ଘଟିବ ତାହା ମଧ୍ୟ ଲୋକେ ଅନେକ ପରିମାଣରେ ଅନୁମାନ କରିପାରନ୍ତି ।

 

ଆମ୍ଭମାନଙ୍କୁ ଘେନି ଦେଶ । ଯହିଁରେ ଦେଶର ମଙ୍ଗଳ ହୁଏ, ତହିଁରେ ଆମ୍ଭମାନଙ୍କ ମଙ୍ଗଳ; ଯହିଁରେ ଦେଶର କ୍ଷତି, ତହିଁରେ ଆମ୍ଭମାନଙ୍କର କ୍ଷତି । ସେହି କାରଣରୁ ଆମ୍ଭମାନଙ୍କର ଇତିହାସ ପଢ଼ିବା ଭାରୀ ଆବଶ୍ୟକ ।

 

ଆମ୍ଭମାନେ କିଏ ? ଦେଶର ଲୋକସମୂହ ବା ସଂକ୍ଷେପରେ କହିଲେ ଏକ ସମାଜ । ମନୁଷ୍ୟମାନେ ସମାଜ ଛଡ଼ା ରହିପାରନ୍ତି ନାହିଁ । ଏହାର କାରଣ ଏହି ଯେ, ଜୀବନରକ୍ଷା କରିବା ଲାଗି ମନୁଷ୍ୟର ଯାହା ଯାହା ପ୍ରୟୋଜନ, ମନୁଷ୍ୟ ଏକାକୀ ରହିଲେ ସେ ସମସ୍ତ ନିଜ ବଳରେ ସଂଗ୍ରହ କରିପାରେ ନାହିଁ । ମନେକର ଜଣେ ଲୋକ କୃଷକ । ସେ ଲୁଗା ଦରକାର କରେ, ସୁତରାଂ ତାହାର ଜଣେ ତନ୍ତୀ ଆବଶ୍ୟକ । ସେ ରୋଗନିବାରଣ ନିମନ୍ତେ ଔଷଧ ଦରକାର କରେ, ତାହାର ଜଣେ ବୈଦ୍ୟ ଆବଶ୍ୟକ । ନିଜ କୃଷିକାର୍ଯ୍ୟ ଚଳାଇବା ନିମନ୍ତେ ସୁଦ୍ଧା ତାହାର ଲଙ୍ଗଳ ପ୍ରସ୍ତୁତ କରିବା ଲାଗି ବଢ଼େଇ, ହାତ ହତିଆର ଲାଗି କମାର, କୃଷିଜାତ ଦ୍ରବ୍ୟ ବିଭିନ୍ନ ସ୍ଥାନକୁ ପଠାଇବା ଲାଗି ଗାଡ଼ିବାଲା, ନାଉରି ଇତ୍ୟାଦି ଦରକାର । ସେ ଜଣେ ଲୋକ, ଏହି ସମସ୍ତେ କାର୍ଯ୍ୟ ସେ ନିଜ ହାତରେ କଲେ ତାହାର ଅନେକ ସମୟ ଯିବ ଏବଂ କୌଣସି ଗୋଟିଏ କାର୍ଯ୍ୟ, ମଧ୍ୟ ଭଲରୂପେ ନିର୍ବାହ କରି ପାରିବ ନାହିଁ । ସେହି ହେତୁରୁ ସେ ଅନ୍ୟମାନଙ୍କର ସାହାଯ୍ୟ ପାଇବା ଲାଗି ସମାଜ ଭିତରେ ବାସ କରେ ଏବଂ ନିଜ କୃଷିଜାତ ଦ୍ରବ୍ୟ ଦେଇ ଅନ୍ୟମାନଙ୍କର ସାହାଯ୍ୟ ଲାଭକରେ । କୃଷକ ପରି ପ୍ରତ୍ୟେକ ଲୋକ ସମାଜର ଅନ୍ୟାନ୍ୟ ଲୋକମାନଙ୍କଠାରୁ ସାହାଯ୍ୟ ପାଏ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ ଦେବା ଲାଗି ବାଧ୍ୟ ହୁଏ । ମାତ୍ର ସବୁ ମନୁଷ୍ୟଙ୍କ ସ୍ୱଭାବ ଏକାପରି ନୁହେଁ । କେହି କେହି ସାହାଯ୍ୟ ଲୋଡ଼ନ୍ତି ମାତ୍ର ସାହାଯ୍ୟ ଦେବାକୁ ଭଲ ପାନ୍ତି ନାହିଁ, ବରଂ ଅନ୍ୟର ଅନିଷ୍ଟ କରିବାକୁ ଚେଷ୍ଟା କରନ୍ତି । ସେହି ହେତୁରୁ ଏହି ସମସ୍ତ ଅକାର୍ଯ୍ୟରୁ ଲୋକମାନଙ୍କୁ ରକ୍ଷା କରିବା ନିମନ୍ତେ ସମାଜରେ ଜଣେ ରାଜା ଦରକାର ହୁଏ । ତାହାଙ୍କର ସମସ୍ତଙ୍କ ଉପରେ କ୍ଷମତା ରହେ । ଯେ କେହି ଦୋଷ କରେ ରାଜା ତାହାକୁ ଦଣ୍ଡ ଦିଅନ୍ତି । ଦଣ୍ଡ ଦେବାର ଉଦ୍ଦେଶ୍ୟ ଏହି ଯେ, ଦଣ୍ଡିତ ବ୍ୟକ୍ତି ଆଉ ପରର ଅନିଷ୍ଟ କରିବାକୁ ଯିବେ ନାହିଁ । ଏହାକୁ ରାଜାଙ୍କର ଶାସନକାର୍ଯ୍ୟ ବୋଲାଯାଏ-। ଲୋକ ଅଳ୍ପ ଥିଲେ ରାଜା ଏହି ଶାସନକାର୍ଯ୍ୟ ନିଜେ ଚଳାନ୍ତି । ଲୋକ ବେଶି ହେଲେ ରାଜା ଅନ୍ୟ ଲୋକ ନିଯୁକ୍ତ କରି ଏହି ଶାସନକାର୍ଯ୍ୟ ଚଳାଇଥାନ୍ତି । ଶାସନକାର୍ଯ୍ୟର ନିର୍ବାହ ନିମନ୍ତେ ରାଜାଙ୍କ ଦ୍ୱାରା ନିଯୁକ୍ତ ଲୋକମାନଙ୍କୁ ରାଜପୁରୁଷ ବୋଲାଯାଏ । ତେଣୁ କି ରାଜା କି ରାଜପୁରୁଷ ସମସ୍ତଙ୍କୁ ମାନି ଆମ୍ଭମାନଙ୍କର ଚଳିବା ଉଚିତ ।

 

ରାଜାଙ୍କର କାର୍ଯ୍ୟ ଦୁଇ ପ୍ରକାର– (୧) ସମାଜର ଲୋକମାନଙ୍କୁ ଶାସନ କରିବା, (୨) ଅନ୍ୟ ସମାଜର ଲୋକ ନିଜ ଅଧୀନସ୍ଥ ସମାଜର ଲୋକମାନଙ୍କର ଅନିଷ୍ଟ କଲେ ସେମାନଙ୍କୁ ଦମନ କରିବା ।

 

ପୂର୍ବେ ଯାହା କୁହାଗଲା ତହିଁରୁ ତୁମ୍ଭେମାନେ ବୁଝିପାରିବ ଯେ, ପ୍ରତ୍ୟେକ ସମାଜର ଯୋଡ଼ିଏ ଅଙ୍ଗ ଅଛି-ଏକ ଅଙ୍ଗ ରାଜା ଏବଂ ରାଜପୁରୁଷମାନେ ଏବଂ ଦ୍ୱିତୀୟ ଅଙ୍ଗ ସମାଜର ଅନ୍ୟାନ୍ୟ ଲୋକ ବା ପ୍ରଜାମାନେ । ରାଜା ସ୍ୱୟଂ ସମାଜର ଅନ୍ତର୍ଗତ । ସେ ସମାଜର ପ୍ରତ୍ୟେକ ଲୋକପରି ପରକୁ ସାହାଯ୍ୟ ଦିଅନ୍ତି ଓ ତାହାଠାରୁ ସାହାଯ୍ୟ ପ୍ରାପ୍ତ ହୁଅନ୍ତି । ନିଜ ପ୍ରଜାମାନଙ୍କ ସହିତ ଏହି ସମ୍ବନ୍ଧ ଛଡ଼ା ତାଙ୍କର ଅନ୍ୟ ସମାଜ ବା ତହିଁର ରାଜାଙ୍କ ସହିତ ମଧ୍ୟ ଗୋଟିଏ ବିଶେଷ ସମ୍ବନ୍ଧ ଅଛି । ଏହି ଶେଷୋକ୍ତ ସମ୍ବନ୍ଧ ଥିବାରୁ ରାଜା ଅନ୍ୟ ସମାଜ ବା ତାହାର ରାଜାଙ୍କ ସହିତ ସନ୍ଧି ବା ଯୁଦ୍ଧ କରିପାରନ୍ତି । କୌଣସି ପ୍ରଜାର ଏପ୍ରକାର ସନ୍ଧି ବିଗ୍ରହ କରିବାର ଅଧିକାର ନାହିଁ ।

 

କୌଣସି ଲୋକର ଅବସ୍ଥା କହିଲେ ସେହି ଲୋକର ଜୀବନରେ ଯାହା ଘଟିଥିଲା, ଘଟୁଅଛି ବା ଘଟିବ ଏହାହିଁ ବୁଝାଯାଏ । ପ୍ରତ୍ୟେକ ଲୋକପରି ସମାଜର ମଧ୍ୟ ଅବସ୍ଥା ଅଛି, ଏହି ଅବସ୍ଥା ସମାଜର କୌଣସି ବିଶେଷ ଲୋକର ନୁହେଁ, ଲୋକ ସମୂହର । ଏହି ଅବସ୍ଥାର ବିବରଣ ଇତିହାସରେ ଲେଖାଥାଏ । ସମାଜର ବା ଦେଶର ଅବସ୍ଥା ଦୁଇ ଭାଗରେ ବିଭକ୍ତ :– (୧) ରାଜନୈତିକ, (୨) ସାମାଜିକ । ଦେଶରେ ସୁଶାସନ ଚଳାଇବା ଏବଂ ପ୍ରଜାମାନଙ୍କୁ ସୁଖ ଶାନ୍ତିରେ ରଖିବା ଲାଗି ରାଜା ଯେ ସମସ୍ତ କାର୍ଯ୍ୟ କରନ୍ତି ସେ ସମସ୍ତ ଦେଶର ରାଜନୈତିକ ଅବସ୍ଥାରେ ବର୍ଣ୍ଣିତ ହୁଏ । ସମାଜର ଲୋକମାନେ ପରସ୍ପରକୁ କିପରି ସାହାଯ୍ୟ ଦିଅନ୍ତି ତାହାର ବିବରଣ ଏବଂ ସେମାନଙ୍କର ଶାରୀରିକ, ମାନସିକ ଓ ନୈତିକ ବିବରଣମାନ ଦେଶର ସାମାଜିକ ଅବସ୍ଥାରେ ବର୍ଣ୍ଣିତ ହୁଏ ।

 

ସମଗ୍ର ଭାରତବର୍ଷ ଇଂରେଜ-ରାଜତ୍ୱ ପର୍ଯ୍ୟନ୍ତ ଜଣେ ରାଜାଙ୍କର ଅଧୀନ ନ ଥିଲା । ତେଣୁ ଇଂରେଜ-ରାଜତ୍ୱ ପର୍ଯ୍ୟନ୍ତ ଭାରତବର୍ଷର ବିଭିନ୍ନ ଅଂଶର ଲୋକମାନେ କୌଣସି ଏକ ସମାଜର ଅନ୍ତର୍ଗତ ନ ହୋଇ ଅନେକ ସମାଜର ଅନ୍ତର୍ଗତ ଥିଲେ । ସୁତରାଂ ଏ ଦେଶର କୌଣସି ସମୟର ଇତିହାସ ଏକ ସମାଜର ବିବରଣ ନୁହେଁ, ଅନେକ ସମାଜର । ପରିଲିଖିତ ବିବରଣଗୁଡ଼ିକ ପଢ଼ିଲାବେଳେ ପାଠକମାନଙ୍କର ଏହି କଥାତକ ବିଶେଷରୂପେ ସ୍ମରଣ ରଖିବା ଉଚିତ ।

 

ହିନ୍ଦୁ-ରାଜତ୍ୱକାଳରେ ଭାରତର ଅବସ୍ଥା । ଅନେକ ବିଖ୍ୟାତ ଇତିହାସବେତ୍ତା ହିନ୍ଦୁ-ରାଜତ୍ୱକାଳକୁ ସ୍ଥୂଳତଃ ତିନି ପ୍ରଧାନ ଐତିହାସିକ ଯୁଗରେ ବିଭକ୍ତ କରି ଅଛନ୍ତି; ଯଥା :–

 

୧.

ବୈଦିକ ଯୁଗ–ଏହା ଖ୍ରୀଷ୍ଟ ପୂର୍ବ ୬ଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ବିସ୍ତୃତ ।

୨.

ବୌଦ୍ଧ ଯୁଗ–ଏହା ଖ୍ରୀ: ପୂ: ୬ଷ୍ଠ ଶତାବ୍ଦୀଠାରୁ ୬୪୮ ଖ୍ରୀ: ଅ:ରେ ରାଜା ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିସ୍ତୃତ ।

୩.

ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍ଥାନ ଯୁଗ-ଏହା ହର୍ଷବର୍ଦ୍ଧନଙ୍କ ମୃତ୍ୟୁଠାରୁ ମୁସଲମାନ-ରାଜତ୍ୱ ପର୍ଯ୍ୟନ୍ତ ବିସ୍ତୃତ ।

 

ଉପରଲିଖିତ ପ୍ରତ୍ୟେକ ଯୁଗରେ ଭାରତର ଅବସ୍ଥା କିପରି ଥିଲା ତାହାକୁ ଏହି ପୁସ୍ତକରେ ଦୁଇ ଭାଗରେ ବିଭକ୍ତ କରାଯାଇଅଛି; ଯଥା :– (କ) ରାଜନୈତିକ ଅବସ୍ଥା, (ଖ) ସାମାଜିକ ଅବସ୍ଥା । ଏଥିପୂର୍ବରୁ ତୁମ୍ଭେମାନେ ଏହି ଦୁଇ ଅବସ୍ଥାର ବିଷୟ କେତେକ ପରିମାଣରେ ପାଠ କରିଅଛ । ପରବର୍ତ୍ତୀ ପୃଷ୍ଠାମାନଙ୍କରେ ତାହା ବିଶେଷ ଭାବରେ ବର୍ଣ୍ଣିତ ହେବ ।

Image

 

ବୈଦିକ ଯୁଗରେ ରାଜନୈତିକ ଅବସ୍ଥା

 

ଏହି ଯୁଗରେ ଭାରତର ରାଜନୈତିକ ଅବସ୍ଥା କିପରି ଥିଲା ତାହାର ସବିଶେଷ ବିବରଣ କୌଣସି ଇତିହାସରେ ଦିଆଯାଇନାହିଁ । କେବଳ ଭାରତୀୟ ଆର୍ଯ୍ୟମାନଙ୍କ ରଚିତ ବେଦ, ରାମାୟଣ, ମହାଭାରତ ଏବଂ ମନୁସଂହିତା ପ୍ରଭୃତି ଗ୍ରନ୍ଥମାନଙ୍କରୁ ସେ ସମୟର ବିବରଣ ଯାହା ମିଳେ ତାହାହିଁ ତଳେ ଲେଖାଗଲା ।

 

ଋଗ୍‌ବେଦରୁ ଜଣାଯାଏ, ଆର୍ଯ୍ୟମାନେ ପ୍ରଥମେ ଭାରତକୁ ଆସି ସରସ୍ୱତୀ ଓ ଦୃଶଦ୍ୱତୀ ନଦୀଦ୍ୱୟର ମଧ୍ୟବର୍ତ୍ତୀ ପ୍ରଦେଶ ଅର୍ଥାତ୍ ଆଧୁନିକ ପଞ୍ଜାବରେ ବାସ କରିଥିଲେ । ଏହାକୁ ସେତେବେଳେ ବ୍ରହ୍ମାବର୍ତ୍ତ କୁହାଯାଉଥିଲା । କୁରୁକ୍ଷେତ୍ର, ପଞ୍ଚାଳ ଏବଂ ସୁରସେନ ପ୍ରଭୃତି ବ୍ରହ୍ମାବର୍ତ୍ତର ପୂର୍ବକୁ ଥିବା ସ୍ଥାନମାନ ତତ୍‌ପରେ ଆର୍ଯ୍ୟବସତିର ସ୍ଥଳ ହେଲେ, ତାହାକୁ ବ୍ରହ୍ମର୍ଷି ପ୍ରଦେଶ କୁହାଯାଉଥିଲା । ଉତ୍ତରେ ହିମାଳୟ, ଦକ୍ଷିଣେ ବିନ୍ଧ୍ୟ ପର୍ବତ, ପୂର୍ବେ ପ୍ରୟାଗ ନଦୀ ଏବଂ ପଶ୍ଚିମେ ସରସ୍ୱତୀ ଏହି ପ୍ରଦେଶକୁ ମଧ୍ୟଦେଶ କୁହାଯାଉଥିଲା ବୋଲି ମନୁସଂହିତାରେ ଲିଖିତ ଅଛି । ବ୍ରହ୍ମର୍ଷି ପ୍ରଦେଶ ଉତ୍ତାରୁ ମଧ୍ୟପ୍ରଦେଶରେ ଆର୍ଯ୍ୟମାନେ ବସତି ସ୍ଥାପନ କରିଥିଲେ । ଏହି ସମୟରେ ଅନ୍ୟାନ୍ୟ ସମସ୍ତ ପ୍ରଦେଶକୁ ମ୍ଲେଚ୍ଛଦେଶ ବୋଲି କୁହାଯାଉଥିଲା; ଏବଂ ତହିଁରେ ଅନେକ ଅନାର୍ଯ୍ୟ ବାସ କରୁଥିଲେ । କାଳକ୍ରମେ ସମସ୍ତ ଉତ୍ତର-ଭାରତ ଅର୍ଥାତ୍ ହିମାଳୟ ଓ ବିନ୍ଧ୍ୟ ଏହି ଦୁଇ ପର୍ବତର ମଧ୍ୟବର୍ତ୍ତୀ ସ୍ଥାନ ଆର୍ଯ୍ୟାବର୍ତ୍ତ ନାମରେ ଅଭିହିତ ହୋଇ ତହିଁରେ ଆର୍ଯ୍ୟମାନେ ବାସ କଲେ-। ସେତେବେଳକୁ ମନୁସଂହିତା ତାହାର ଆଧୁନିକ ଅବୟବ ପ୍ରାପ୍ତ ହୋଇ ନ ଥିଲା, ଅର୍ଥାତ୍ ସମ୍ପୂର୍ଣ୍ଣରୂପେ ଲେଖା ସରି ନ ଥିଲା ।

 

ଆର୍ଯ୍ୟମାନଙ୍କର ଦାକ୍ଷିଣାତ୍ୟାଗମନ-କଥିତ ଅଛି ଆର୍ଯ୍ୟୠଷି ଅଗସ୍ତି ସର୍ବପ୍ରଥମେ ଦାକ୍ଷିଣାତ୍ୟକୁ ଆଗମନ କରିଥିଲେ । ବ୍ରାହ୍ମଣବୀର ପରଶୁରାମ ମାଳବର ଉପକୂଳରେ ବସତି ସ୍ଥାପନ କରିଥିବାର ମଧ୍ୟ ରାମାୟଣରୁ ଜଣାଯାଏ । ରାମାୟଣ ଓ ମହାଭାରତ ମଧ୍ୟରୁ ବିଶେଷତଃ ରାମାୟଣରେ ଆର୍ଯ୍ୟମାନଙ୍କର ଦାକ୍ଷିଣାତ୍ୟଗମନର ବିଷୟ ବିଶେଷଭାବରେ ବର୍ଣ୍ଣିତ ଅଛି । ବିଦର୍ଭ, ଯାହାକୁ ବର୍ତ୍ତମାନ ବେରାର କହନ୍ତି ତାହା ଦାକ୍ଷିଣାତ୍ୟରେ ଆର୍ଯ୍ୟମାନଙ୍କର ପ୍ରଥମ ବସତି-ସ୍ଥଳ ଥିଲା-। ଦଣ୍ଡକାରଣ୍ୟ ବା ମହାରାଷ୍ଟ୍ର ପ୍ରଦେଶ ତତ୍‌ପରବର୍ତ୍ତୀ ଆର୍ଯ୍ୟୋପନିବେଶ ।

 

ବେଦପରେ ବ୍ରାହ୍ମଣ ବୋଲି ଏକ ଗ୍ରନ୍ଥ ଆର୍ଯ୍ୟମାନେ ଲେଖିଥିଲେ । ତହିଁରୁ ଜଣାପଡ଼େ ଯେ, ଆର୍ଯ୍ୟମାନେ ସରସ୍ୱତୀ ନଦୀର କୂଳରୁ ଦକ୍ଷିଣ ପୂର୍ବ ଆଡ଼କୁ ଯାଇଥିଲେ, ଏବଂ ଅବଶେଷରେ ସମସ୍ତ ଆର୍ଯ୍ୟାବର୍ତ୍ତରେ ସେମାନେ ବସତି କରିଥିଲେ । ସେତେବେଳେ ଉତ୍ତର-ଭାରତ ଅନେକ କ୍ଷୁଦ୍ର କ୍ଷୁଦ୍ର ଉପନିବେଶ ବା ରାଜ୍ୟରେ ବିଭକ୍ତ ହୋଇଥିଲା । ସେମାନଙ୍କର ନାମ ଯଥା :– କୁରୁକ୍ଷେତ୍ର, ପଞ୍ଚାଳ, ସୁରସେନ, ମତ୍ସ୍ୟ, କୋଶଳ, କାଶୀ ବିଦେହ, ମଗଧ, ଅଙ୍ଗ, ବଙ୍ଗ ଓ କଳିଙ୍ଗ । କୌଣସି କୌଣସି ଇତିହାସବେତ୍ତା ଏହି ରାଜ୍ୟମାନଙ୍କର ଆଧୁନିକ ନାମ ନିମ୍ନଲିଖିତରୂପେ ଯଥାକ୍ରମେ ନିର୍ଦ୍ଦେଶ କରିଅଛନ୍ତି; ଯଥା-କର୍ଣ୍ଣଲ, ରୋହିଲାଖଣ୍ଡ, ମଥୁରା, ଜୟପୁର, ଅଯୋଧ୍ୟା, ବନାରସ, ଉତ୍ତର ବିହାର, ଦକ୍ଷିଣ ବିହାର, ପୂର୍ବ ବିହାର, ବଙ୍ଗଳା ଏବଂ ଉତ୍କଳ । ମାତ୍ର ଆଧୁନିକ ନାମବିଶିଷ୍ଟ ସ୍ଥାନମାନଙ୍କର ଆୟତନ ଯେତେ, ପୂର୍ବକାଳୀନ ରାଜ୍ୟଗୁଡ଼ିକର ଆୟତନ ଯେ ସେତିକି ଥିଲା ଏହା କେହି ଠିକ୍‌ରୂପେ କହି ପାରିବେ ନାହିଁ ।

Image

 

ବୈଦିକ ଯୁଗରେ ସାମାଜିକ ଅବସ୍ଥା

 

ପଞ୍ଜାବ ପ୍ରଦେଶରେ ବସତି କରିବା ସମୟରେ ଆର୍ଯ୍ୟମାନଙ୍କର ମନର ବଳ ଅତ୍ୟନ୍ତ ପ୍ରଖର ଥିଲା । ଏହି ସମୟରେ ଆର୍ଯ୍ୟୠଷିମାନଙ୍କ ମୁଖରୁ ୠଗ୍‌ବେଦ ନିଃସ୍ତୃତ ହୋଇଥିଲା । ଏହି ବେଦ ଈଶ୍ୱର-ସ୍ରୋତ୍ରର ସମଷ୍ଟି । ୠଗ୍‌ବେଦ ଛଡ଼ା ସାମ, ଯଜୁଃ ଏବଂ ଅଥର୍ବ ନାମରେ ଆଉ ତିନିଗୋଟି ବେଦ ଅଛି । ବେଦପରେ ବ୍ରାହ୍ମଣ ରଚିତ ହୋଇଥିଲା । ବ୍ରାହ୍ମଣମାନଙ୍କରେ ବେଦର ସମାଲୋଚନା ଗଦ୍ୟରେ ଲେଖାଅଛି । ବୈଦିକ କାଳରେ ଆର୍ଯ୍ୟମାନେ ଲିଖନରୀତି ଜାଣି ନ ଥିଲେ-। ସେହି ହେତୁରୁ ବେଦକୁ ଶୁଣି ଶୁଣି କଣ୍ଠସ୍ଥ କରିବାକୁ ପଡ଼ୁଥିଲା । ମାତ୍ର ସେତେବେଳେ ଆର୍ଯ୍ୟମାନଙ୍କର ସ୍ମରଣଶକ୍ତି ଏତେ ଅଧିକ ଥିଲା ଯେ ଅନେକ ହଜାର ବର୍ଷପରେ ବେଦ ଲିଖିତ ହେଲେହେଁ ତାହାର ପୂର୍ବ ବିଶୁଦ୍ଧତା ବିଲୁପ୍ତ ହୋଇ ନ ଥିଲା । ଶୁଣି ଶୁଣି କରିବାକୁ ହେଉଥିଲା ବୋଲି ବେଦର ଅନ୍ୟ ନାମ ଶ୍ରୁତି ।

 

ଭାରତୀୟ ଆର୍ଯ୍ୟ ବା ହିନ୍ଦୁମାନେ ଆଦ୍ୟରୁ ବିଦ୍ୟାଚର୍ଚ୍ଚା କରିଥିଲେ । ସେମାନଙ୍କର ବ୍ୟବସ୍ଥା, ଧର୍ମ, ଦର୍ଶନ, ଜ୍ୟୋତିଷ, ବ୍ୟାକରଣ ଏବଂ ଭାଷାତତ୍ତ୍ୱର ଗ୍ରନ୍ଥମାନ ପଢ଼ିଲେ ସେମାନଙ୍କ ବିଦ୍ୟୋନ୍ନତିର ବିଶେଷ ପରିଚୟ ମିଳେ । ଉପନିଷଦ୍‌ ସେମାନଙ୍କ ଧର୍ମ୍ମର ବୈଜ୍ଞାନିକ ଆଲୋଚନା । ବେଦାଗ ମାନଙ୍କରେ ବ୍ୟବସ୍ଥା, ବ୍ୟାକରଣ, ଭାଷାତତ୍ତ୍ୱ ଏବଂ ଜ୍ୟୋତିଃଶାସ୍ତ୍ରର ଆଲୋଚନା ଅଛି । କଳ୍ପସୂତ୍ରରେ ବ୍ୟବସ୍ଥାର ବିଷୟ, ପାଣିନିଙ୍କ ଗ୍ରନ୍ଥାବଳୀରେ ବ୍ୟାକରଣ, ଯାକ୍ଷପ୍ରଣୀତ ନିରୁକ୍ତଗ୍ରନ୍ଥରେ ଭାଷାତତ୍ତ୍ୱ ବିଶେଷରୂପେ ଆଲୋଚିତ ହୋଇଅଛି । ପରାଶର ନାମକ ଏକ ଜ୍ୟୋତିର୍ବିଦ ପଣ୍ଡିତ ଜ୍ୟୋତିଶାସ୍ତ୍ର ସମ୍ବନ୍ଧରେ ଗ୍ରନ୍ଥମାନ ଲେଖିଯାଇଅଛନ୍ତି ।

 

ହିନ୍ଦୁମାନେ ଅଙ୍କଶାସ୍ତ୍ରରେ ବିଶେଷ ଖ୍ୟାତି ଲଭିଥିଲେ । ଦଶମିକ ଭିତରେ ଅଙ୍କ-ଲିଖନପ୍ରଣାଳୀ ଏମାନଙ୍କ ଦ୍ୱାରା ଉଭାବିତ ହୋଇଥିଲା । ପ୍ରାଚୀନ କାଳରୁ ଭାରତରେ ଜ୍ୟାମିତି ଓ ବୀଜଗଣିତର ଆଲୋଚନା ଚଳି ଆସୁଅଛି । ସଙ୍ଗୀତଶାସ୍ତ୍ର ମଧ୍ୟ ହିନ୍ଦୁମାନଙ୍କ ଦ୍ୱାରା ଆଲୋଚିତ ହୋଇଥିଲା । ହିନ୍ଦୁମାନେ ଚିକିତ୍ସାବିଦ୍ୟାରେ ଅସାଧାରଣ ପାରିଦର୍ଶିତ ଲାଭ କରିଥିଲେ । ଧାତୁଦ୍ରବ୍ୟ ସେବନ କରାଇ ପୀଡ଼ା ଆରାଗ୍ୟ କରିବା ହିନ୍ଦୁମାନଙ୍କର ଆବିଷ୍କୃତ ଅଟେ । ବସନ୍ତରୋଗ ନିବାରଣ ସକାଶେ ଟିକା ପ୍ରଦାନ କରିବା ପ୍ରଥା ମଧ୍ୟ ପୂର୍ବକାଳରୁ ଭାରତବର୍ଷରେ ପ୍ରଚଳିତ ଅଛି । ଗୋବୀଜଟିକା ବସନ୍ତ ରୋଗ ନିବାରକ ବୋଲି ସେମାନେ ମଧ୍ୟ ଜାଣିଥିଲେ ।

 

ଆର୍ଯ୍ୟମାନେ ସିନ୍ଧୁକୂଳରେ ବାସ କରୁଥିଲାବେଳେ ନାନା ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ । ସେମାନେ କେତେବେଳେ ଆପଣା ମଧ୍ୟରେ, କେତେବେଳେ ଅବା ଏକତ୍ରିତ ହୋଇ ଆଦିମ ନିବାସୀଙ୍କ ସଙ୍ଗେ ଯୁଦ୍ଧରେ ବ୍ୟାପୃତ ହେଉଥିଲେ । ସେ ସମୟରେ ଜାତିବିଭାଗ ନ ଥିଲା । ପିତା ନିଜ ପରିବାର ନିମନ୍ତେ ପୁରୋହିତର କାର୍ଯ୍ୟ କରୁଥିଲେ । ଦଳପତି ନିଜ ଜାତିର ପୁରୋହିତ ଥିଲେ । ରମଣୀମାନେ ଅତ୍ୟନ୍ତ ସମ୍ମାନ ପାଉଥିଲେ ।

 

ଏହି ଯୁଗର ମଧ୍ୟଭାଗରେ ମନୁସଂହିତା ଏବଂ ରାମାୟଣ ଓ ମହାଭାରତ ନାମକ ମହାକାବ୍ୟଦ୍ୱୟ ରଚିତ ହୋଇଥିଲା । ମନୁସଂହିତାରେ ହିନ୍ଦୁମାନଙ୍କର ସାମାଜିକ ଓ ରାଜନୈତିକ ବ୍ୟବସ୍ଥାମାନ ଅଛି । ବାଲ୍ମୀକି ରାମାୟଣ ଓ ବ୍ୟାସଦେବ ମହାଭାରତ ଲେଖିଥିଲେ । ଏହି ଦୁଇ ମହାବାକ୍ୟରେ ସେ ସମୟର ଇତିହାସ ଓ ହିନ୍ଦୁମାନଙ୍କର ସାମାଜିକ ଓ ରାଜନୈତିକ ଅବସ୍ଥା ବିସ୍ତୃତଭାବେ ବର୍ଣ୍ଣିତ ହୋଇଅଛି ।

 

ସାମାଜିକ ଓ ରାଜନୈତିକ ଜୀବନ :– ଋଗ୍‌ବେଦ ରଚିତ ହେବା ସମୟରେ ଆର୍ଯ୍ୟମାନଙ୍କ ମଧ୍ୟରେ ଜାତିବିଭାଗ ନ ଥିଲା । ସ୍ତ୍ରୀଲୋକମାନେ ଶିକ୍ଷାପ୍ରାପ୍ତ ହୋଇ ବିଶେଷ ମର୍ଯ୍ୟାଦା ଲଭୁଥିଲେ । ଲୋକେ ସରଳ ଭାବରେ ଜୀବନ ଯାପନ କରୁଥିଲେ । କୃଷି ସେମାନଙ୍କର ପ୍ରଧାନ ବ୍ୟବସାୟ ଥିଲା, ଆଉ ଗୋଜାତି ସେମାନଙ୍କର ପ୍ରଧାନ ସମ୍ପତ୍ତିରୂପେ ଗଣ୍ୟ ହେଉଥିଲା । ୠଗ୍‌ବେଦରେ କମାର, କୁମ୍ଭାର, ଥଟାରି, ସୁନାରି, ବଢ଼ାଇ, ଭଣ୍ଡାରୀ, ତନ୍ତୀ, ବୈଦ୍ୟ, କବି ପ୍ରଭୃତି ବ୍ୟବସାୟିକମାନଙ୍କର ଉଲ୍ଲେଖ ଅଛି । ଆର୍ଯ୍ୟମାନେ ସୋମରସ ନାମକ ମାଦକଦ୍ରବ୍ୟ ପ୍ରସ୍ତୁତ କରି ପାନ କରୁଥିଲେ ଏବଂ ତାହା ଦେବତାମାନଙ୍କୁ ମଧ୍ୟ ଅର୍ପଣ କରୁଥିଲେ । ଆର୍ଯ୍ୟମାନେ ଗ୍ରାମ ନିର୍ମାଣ କରି ବାସ କରୁଥିଲେ । ଆଜିକାଲି ଯେପରି ନଗରମାନେ ଦେଖାଯାଏ ସେପରି ନଗରମାନ ସେ ସମୟରେ ନ ଥିଲା; କିନ୍ତୁ ପ୍ରାଚୀରବେଷ୍ଟିତ ଦୁର୍ଗମାନଙ୍କର ଅଭାବ ନ ଥିଲା । ପ୍ରତ୍ୟେକ ପରିବାରର ଗୋଟିଏ ଲେଖାଏଁ ଘର ଥିଲା; ଏବଂ ଗ୍ରାମମଧ୍ୟରେ ଅନେକଗୁଡ଼ିଏ ପରିବାର ବାସ କରୁଥିଲେ । କେତେଗୁଡ଼ିଏ ଗ୍ରାମ ମିଳି ଗୋଟିଏ ଗୋଷ୍ଠୀ ଗଠିତ ହେଉଥିଲା; ଏବଂ ପ୍ରତ୍ୟେକ ଗୋଷ୍ଠୀ ଜଣେ ଜଣେ ରାଜାଙ୍କ ଦ୍ୱାରା ଶାସିତ ହେଉଥିଲା । ରାଜାମାନେ ସ୍ୱର୍ଣ୍ଣଭୂଷିତ ପରିଚ୍ଛଦ ଓ ଅଳଙ୍କାର ପରିଧାନ କରି ମନ୍ତ୍ରି-ବେଷ୍ଟିତ ହୋଇ ରାଜକାର୍ଯ୍ୟ ନିର୍ବାହ କରୁଥିଲେ । ନଗର ଓ ଗ୍ରାମମାନଙ୍କର ରକ୍ଷାନିମନ୍ତେ ରାଜାଙ୍କ ଅଧୀନରେ ରକ୍ଷକମାନେ ନିଯୁକ୍ତ ହେଉଥିଲେ । ଯୋଦ୍ଧାମାନେ ବର୍ମ୍ମ ଧାରଣ କରି ଧନୁର୍ବାଣହସ୍ତରେ ଯୁଦ୍ଧକୁ ଯାଉଥିଲେ । ଯୁଦ୍ଧରେ ପତାକା ବ୍ୟବହୃତ ହେଉଥିଲା । ରାଜାମାନେ ସ୍ୱୟଂ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ଥାଇ ଯୁଦ୍ଧ କରୁଥିଲେ ।

 

ଧର୍ମ୍ମପ୍ରଣାଳୀ :– ‘‘ଈଶ୍ୱର ଏକ’’, ଏହି ଭାବ ଯେ ଆର୍ଯ୍ୟମାନଙ୍କର ମନରେ ସ୍ଥାନ ପାଇଥିଲା ଏହା ୠଗ୍‌ବେଦରୁ ସ୍ପଷ୍ଟ ଜଣାଯାଏ; କାରଣ ୠଗ୍‌ବେଦର କେତେକ ଶ୍ଲୋକ ଏକଈଶ୍ୱର ଉଦ୍ଦେଶ୍ୟରେ ଲିଖିତ ହୋଇଅଛି । ପ୍ରକୃତିର ସୁନ୍ଦର ସୁନ୍ଦର ବସ୍ତ୍ର, ଆଉ ଇନ୍ଦ୍ର, ଅଗ୍ନି, ମରୁତ୍‌, ବରୁଣ, ବ୍ରହ୍ମା, ବିଷ୍ଣୁ ପ୍ରଭୃତି ଦେବମାନଙ୍କର ସ୍ତୋତ୍ର ବେଦରେ ଅଛି । ଆର୍ଯ୍ୟମାନଙ୍କର ପୂଜାପଦ୍ଧତି ଅତ୍ୟନ୍ତ ସରଳ ଥିଲା । ସ୍ତୃତି-ପାଠ ଓ ସୋମରସ-ଅର୍ପଣ ଆଉ ବଳିଦାନ ସେମାନଙ୍କ ପୂଜାର ପ୍ରଧାନ ଅଙ୍ଗ ଥିଲା କିନ୍ତୁ ପରବର୍ତ୍ତୀ କାଳରେ ଏହି ପୂଜାର ସରଳତା କ୍ରମଶଃ ଲୁପ୍ତ ହୋଇ ତାହା ଆଡ଼ମ୍ବରରେ ପରିଣତ ହୋଇଥିଲା । ଆର୍ଯ୍ୟମାନେ ପରଲୋକରେ ସଦ୍‍ଗତି ଲାଭ କରିବା ଏବଂ ଦେବତାମାନଙ୍କର ପ୍ରୀତି ଲାଭ କରିବା ଅଭିପ୍ରାୟରେ ନାନାପ୍ରକାର ଯଜ୍ଞ କରୁଥିଲେ । ଏହି କାଳରେ ଦୁଇପ୍ରକାରେ ଯଜ୍ଞକାର୍ଯ୍ୟମାନ ସମାହିତ ହେଉଥିଲା-ଦହି, ଦୁଧ, ଘିଅ, ପିଠା ଆହୁତି ଦେଇ ଏକପ୍ରକାରେ ଏବଂ ସୋମରସ ଆହୁତି ଦେଇ ଅନ୍ୟପ୍ରକାରେ ଯଜ୍ଞ କରାଯାଉଥିଲା । ପ୍ରଥମଶ୍ରେଣୀୟ ଯଜ୍ଞର ନାମ ହବି-ଯଜ୍ଞ ଓ ଦ୍ୱିତୀୟ ଶ୍ରେଣୀ ଯଜ୍ଞର ନାମ ସୋମଯଜ୍ଞ ଅଟେ ।

 

ଜୀବନଯାପନର ଆଦର୍ଶ :– ପୁରାକାଳରେ ହିନ୍ଦୁମାନେ ସତ୍ୟପରାୟଣତା ଓ କର୍ତ୍ତବ୍ୟପରାୟଣତାକୁ ବହୁମୂଲ୍ୟ ବସ୍ତ୍ର ବୋଲି ଜ୍ଞାନ କରୁଥିଲେ । ସେମାନେ ଅତିଥି-ସତ୍କାରରେ ବିଶେଷ ତତ୍‌ପର ଥିଲେ ଏବଂ ଅଙ୍ଗୀକାରରକ୍ଷା ଓ ଚୁକ୍ତି-ପାଳନକୁ ବିଶେଷ ଧର୍ମ୍ମ ବୋଲି ମଣୁଥିଲେ-। ଆଜିକାଲିର ଟୋଲପଦ୍ଧତି ଅନୁସାରେ ଛାତ୍ରମାନଙ୍କୁ ଅତ୍ୟନ୍ତ ଯତ୍ନସହ ଶିକ୍ଷା ଦିଆଯାଉଥିଲା । ଲୋକେ ସରଳ, ସତ୍ୟବାଦୀ ଓ ନିୟମାବଦ୍ଧ ଥିଲେ । ବ୍ରାହ୍ମଣର ସମସ୍ତ ଜୀବନ କଠୋର ନିୟମାବଦ୍ଧ ଥିଲା । କଳ୍ପସୁତ୍ର ଅନୁସାରେ ବ୍ରାହ୍ମଣଜୀବନ ଚାରିଭାଗରେ ବିଭକ୍ତ ଥିଲା :– (୧) ବ୍ରହ୍ମଚର୍ଯ୍ୟ, (୨) ଗାର୍ହସ୍ଥ୍ୟ, (୩) ବାନପ୍ରସ୍ଥ ଓ (୪) ଯତିବ୍ରତ । ବ୍ରହ୍ମଚର୍ଯ୍ୟାବସ୍ଥାରେ ବ୍ରାହ୍ମଣମାନେ ସଂସାରର ସୁଖଭୋଗରୁ ବିରତ ହୋଇ କଠୋର ନିୟମମାନ ପାଳନ କରି ଗୁରୁପାଖରୁ ଶିକ୍ଷା ପ୍ରାପ୍ତ ହେଉଥିଲେ । ଦ୍ୱିତୀୟାବସ୍ଥାରେ ସେମାନେ ବିବାହ କରୁଥିଲେ; କିନ୍ତୁ ସଂସାରର ଆମୋଦ ପ୍ରମୋଦରେ ରତ ହେଉ ନ ଥିଲେ; ସେମାନେ ଧର୍ମ୍ମକାର୍ଯ୍ୟ ଓ ବେଦପାଠରେ ସମୟ କଟାଉଥିଲେ । ତୃତୀୟାବସ୍ଥାରେ ସେମାନେ ସଂସାର ପରିତ୍ୟାଗ କରି ବନକୁ ଗମନ କରୁଥିଲେ ଏବଂ ସେଠାରେ ଫଳମୂଳ ଖାଇ ଅତ୍ୟନ୍ତ କଷ୍ଟ ସ୍ୱୀକାର କରି ଧର୍ମ୍ମସାଧନ କରୁଥିଲେ । ଶେଷାବସ୍ଥାରେ ସେମାନେ ଧର୍ମ୍ମଚିନ୍ତା ଓ ତପସ୍ୟାରେ ମଗ୍ନ ହେଉଥିଲେ ।

 

ଜାତିବିଭାଗ :– ମନୁସଂହିତା ଯେଉଁ ସମୟରେ ଲେଖାଯାଇଥିଲା ସେ ସମୟକୁ ହିନ୍ଦୁମାନଙ୍କ ମଧ୍ୟରେ ଜାତିବିଭାଗ ପ୍ରଚଳିତ ହୋଇଥିଲା । ମହାକାବ୍ୟଦ୍ୱୟ ଯେଉଁ ସମୟରେ ପ୍ରଣୀତ ହୋଇଥିଲା, ସେହି ସମୟରେ ହିନ୍ଦୁମାନଙ୍କର ସାମାଜିକ ଅବସ୍ଥାରେ ବିଶେଷ ପରିବର୍ତ୍ତନ ଘଟିଥିଲା । ହିନ୍ଦୁମାନଙ୍କର ବଂଶବୃଦ୍ଧି ହେବା ସଙ୍ଗେ ସଙ୍ଗେ ବ୍ୟବସାୟର ବିଭାଗ ଆରମ୍ଭ ହୋଇଥିଲା । ଏହି ବ୍ୟବସାୟ ବିଭାଗରୁ ଜାତି ବିଭାଗର ସୃଷ୍ଟି । ସର୍ବପ୍ରଥମେ ଭାରତବାସୀମାନଙ୍କ ମଧ୍ୟରେ ଦୁଇଗୋଟି ବିଭାଗ ଥିଲା । ଯଥା :– ଆର୍ଯ୍ୟ ଓ ଅନାର୍ଯ୍ୟ । କ୍ରମେ ଏହି ଦୁଇ ବିଭାଗ ଚାରିବିଭାଗରେ ପରିଣତ ହୋଇଥିଲା, ଯଥା-ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର । ଯେଉଁ ଆର୍ଯ୍ୟମାନଙ୍କର ମାନସିକ ବୃତ୍ତି ଅତ୍ୟନ୍ତ ପ୍ରଖର ଥିଲା ଏବଂ ଯେଉଁମାନେ ବେଦ ଓ ସ୍ତୋତ୍ରମାନ କଣ୍ଠସ୍ଥ କରିପାରୁଥିଲେ ସେମାନେ ଧର୍ମ୍ମକାର୍ଯ୍ୟରେ ନିଯୁକ୍ତ ହେଲେ ଏବଂ ସେମାନଙ୍କୁ ବ୍ରାହ୍ମଣ ବୋଲାଗଲା । ଯେଉଁ ଆର୍ଯ୍ୟମାନେ ବଳବାନ୍ ଏବଂ ଅସ୍ତ୍ରଶସ୍ତ୍ର-ଚାଳନାରେ ନିପୁଣ ହୋଇ ଯୁଦ୍ଧକାର୍ଯ୍ୟରେ ନିଯୁକ୍ତ ହେଲେ, ସେମାନେ କ୍ଷତ୍ରିୟ ବୋଲାଇଲେ । ଅନ୍ୟାନ୍ୟ ଯେଉଁ ଆର୍ଯ୍ୟମାନେ କୃଷିବାଣିଜ୍ୟରେ ପ୍ରବୃତ୍ତି ହୋଇଥିଲେ ସେମାନଙ୍କୁ ବୈଶ୍ୟ କୁହାଗଲା । ଯେଉଁ ଅନାର୍ଯ୍ୟମାନେ ଆର୍ଯ୍ୟମାନଙ୍କର ବଶ୍ୟତା ସ୍ୱୀକାର କଲେ ସେମାନଙ୍କୁ ଶୂଦ୍ର କୁହାଗଲା । ଏହି ଚାରି ଜାତି ମଧ୍ୟରେ ବ୍ରାହ୍ମଣମାନେ ଶୀଘ୍ର ଶ୍ରେଷ୍ଠତ୍ୱ ଲାଭ କଲେ ଏବଂ ସେମାନେ ଧର୍ମ୍ମ, ବ୍ୟବସ୍ଥା ଓ ଶାସନ କାର୍ଯ୍ୟରେ କ୍ଷତ୍ରିୟମାନଙ୍କୁ ପରାମର୍ଶ ଦେଲେ । କ୍ଷତ୍ରିୟମାନେ ଦ୍ୱିତୀୟ ସ୍ଥାନ ଅଧିକାର କରି ଦେଶରକ୍ଷା ଓ ଦେଶ ଶାସନର ଭାର ଗ୍ରହଣ କଲେ । ଶୂଦ୍ରମାନେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟମାନଙ୍କର ସେବା କରି ଜୀବନଧାରଣ କଲେ । ପ୍ରଥମେ ଜାତିବିଭାଗ ବ୍ୟକ୍ତିଗତ ଥିଲା । ପଛକୁ ପୁରୁଷାନୁକ୍ରମିକ ହୋଇ ଭିନ୍ନ ଭିନ୍ନ ପରିବାର-ଗତ ହେଲା ।

 

ଅଶ୍ୱମେଧ ଯଜ୍ଞ :– ଏହି ଯଜ୍ଞକୁ ରାଜଚକ୍ରବର୍ତ୍ତୀ ଛଡ଼ା ଆଉ କାହାରି କରିବାର ଅଧିକାର ନ ଥିଲା । ଅଶ୍ୱ ଏହି ଯଜ୍ଞର ପ୍ରଧାନ ପଶୁ । ବେଦ-ମନ୍ତ୍ରରେ ଗୋଟିଏ ଅଶ୍ୱକୁ ସଂସ୍କାର କରି ଯଥେଚ୍ଛାଭ୍ରମଣ ସକାଶେ ଛାଡ଼ି ଦିଆଯାଉଥିଲା । ଅଶ୍ୱରକ୍ଷା ସକାଶେ ରାଜପୁତ୍ରମାନେ ସସୈନ୍ୟରେ ତାହାର ଅନୁଗମନ କରୁଥିଲେ । ପରରାଜ୍ୟର ଅଧିପତି ଅଶ୍ୱକୁ ଧରି ରଖିଲେ ରକ୍ଷକମାନେ ତାହାକୁ ଯୁଦ୍ଧରେ ପରାସ୍ତ କରି ଅଶ୍ୱକୁ ଉଦ୍ଧାର କରୁଥିଲେ । ରାଜପୁତ୍ରମାନେ ଅଶ୍ୱକୁ ନାନା ସ୍ଥାନରେ ବୁଲାଇ ପୁଣି ଯଜ୍ଞସ୍ଥଳକୁ ଘେନି ଆସୁଥିଲେ । ଅଶ୍ୱ ଫେରିଆସିଲେ ତାହାକୁ ପ୍ରୋକ୍ଷଣ କରି ହୋମକାର୍ଯ୍ୟ ସମାପନ କରାଯାଉଥିଲା । ପ୍ରବଳ ପରାକ୍ରାନ୍ତ ରାଜାଧିରାଜ ବ୍ୟତୀତ ଆଉ କେହି ଯଜ୍ଞ କରିପାରୁ ନ ଥିଲେ ।

 

ରାଜସୂୟ ଯଜ୍ଞ–ଗୁଣବାନ୍ ଓ ଧନ୍ୟବାନ କ୍ଷତ୍ରିୟରାଜା ବ୍ୟତୀତ ଅନ୍ୟ କେହି ରାଜସୂୟଯଜ୍ଞ କରିପାରୁ ନ ଥିଲେ । ପ୍ରାଚୀନକାଳରେ ରାଜାମାନେ ଏହି ଯଜ୍ଞ କରି ରାଜଚକ୍ରବର୍ତ୍ତୀ-ଉପାଧି ଧାରଣ କରୁଥିଲେ । ଅଭିଷେକ ଉତ୍ତାରୁ ରାଜାଙ୍କର କୌଣସି ଶତ୍ରୁ ଥିଲେ ସେ ତାଙ୍କ ରାଜ୍ୟକୁ ସସୈନ୍ୟରେ ଗମନ କରୁଥିଲେ; ଏବଂ ଯୁଦ୍ଧରେ ଶତ୍ରୁ ଜୟ କରି ମହାସମାରୋହରେ ନିଜ ରାଜଧାନୀକୁ ଫେରି ଆସୁଥିଲେ । ଏହି ଯଜ୍ଞରେ ବିଜିତ ରାଜାମାନଙ୍କୁ ଅଧୀନତା-ସୂଚକ କୌଣସି ନା କୌଣସି କାର୍ଯ୍ୟ କରିବାକୁ ହେଉଥିଲା ।

Image

 

ବୌଦ୍ଧ ଯୁଗରେ ରାଜନୈତିକ ଅବସ୍ଥା

 

ପୂର୍ବ ଗଳ୍ପରେ କୁହାଯାଇଅଛି, ଯେ ଖ୍ରୀଷ୍ଟୀୟ ଷଷ୍ଠଶତାବ୍ଦୀ ପୂର୍ବେ ଭାରତବର୍ଷ କିପରି ଶାସିତ ହେଉଥିଲା, ତାହାର ଐତିହାସିକ ବିବରଣ ନାହିଁ । ଖ୍ରୀ: ପୂ: ଷଷ୍ଠଶତାବ୍ଦୀ ପରେ ମଧ୍ୟ ଏ ଦେଶରେ ଲିଖିତ କୌଣସି ବିଶ୍ୱାସଯୋଗ୍ୟ ଇତିହାସ ନାହିଁ; ତଥାପି ବୌଦ୍ଧ ଧର୍ମ୍ମଗ୍ରନ୍ଥ, ପାରସ୍ୟ ଦେଶୀୟ ଇତିହାସ, ଗ୍ରୀକମାନଙ୍କ ଲିଖିତ ବିବରଣରୁ ଏ ସମୟରେ ଭାରତର ଅବସ୍ଥା ସମ୍ବନ୍ଧେ ଯାହା ମିଳେ ତାହା ତଳେ ଲେଖାଗଲା ।

 

ମଗଧ ସାମ୍ରାଜ୍ୟ

 

ଅଧୁନା ଭାରତର ଯେଉଁ ପ୍ରଦେଶ ଦକ୍ଷିଣ ବିହାର ନାମରେ ଅଭିହିତ ତାହାର ପୁରାତନ ନାମ ମଗଧ । ଏହାର ପୁରାତନ ଇତିହାସ ମିଳେ ନାହିଁ । ମାତ୍ର ଜଣାଯାଏ ଯେ ଖ୍ରୀ: ପୂ: ଷଷ୍ଠଶତାବ୍ଦୀରେ ମଗଧରେ ଶିଶୁନାଗ କର୍ତ୍ତୃକ ସ୍ଥାପିତ ଏକ ରାଜବଂଶ ରାଜତ୍ୱ କରୁଥିଲେ । ସେମାନଙ୍କର ରାଜଧାନୀ ରାଜଗୃହ ଥିଲା । ବିମ୍ବିସାର ଓ ତାଙ୍କର ପୁତ୍ର ଅଜାତଶତ୍ରୁ ଏହି ବଂଶର ରାଜା ଥିଲେ । ଏହି ଦୁଇ ରାଜାଙ୍କ ଅମଳରେ ବୁଦ୍ଧଦେବ ମଗଧରେ ବୌଦ୍ଧଧର୍ମ୍ମ ପ୍ରଚାର କରିଥିଲେ-। ଖ୍ରୀ: ପୂ: ଷଷ୍ଠଶତାବ୍ଦୀର ଶେଷଭାଗରେ ପାରସ୍ୟର ରାଜା ଡେରାୟସ୍‌ ଏହି ରାଜ୍ୟ ଆକ୍ରମଣ କରିଥିଲେ ।

 

ନନ୍ଦବଂଶ :– ଶିଶୁନାଗବଂଶପରେ ନନ୍ଦବଂଶ ମଗଧରେ ରାଜତ୍ୱ କରିଥିଲେ, (ଖ୍ରୀ: ପୂ: ୪ର୍ଥ ଶତାବ୍ଦୀ)। ଏମାନଙ୍କ ରାଜଧାନୀ ପାଟଳୀପୁତ୍ର ବା ଆଧୁନିକ ପାଟନାନଗର ଥିଲା । ମହାନନ୍ଦ ଏହି ବଂଶର ଶେଷ ରାଜା । ଏହାଙ୍କ ସମୟରେ ଗ୍ରୀକ-ବୀର ଆଲେକଜାଣ୍ଡର ଭାରତ ଆକ୍ରମଣ କରିଥିଲେ । (ଖ୍ରୀ: ପୂ: ୩୨୭) ।

 

ମୌର୍ଯ୍ୟବଂଶ :– ନନ୍ଦବଂଶଅନ୍ତେ ମୌର୍ଯ୍ୟବଂଶ ମଗଧରେ ରାଜପଣ କରିଥିଲେ । ଚନ୍ଦ୍ରଗୁପ୍ତ ଏହି ବଂଶର ସ୍ଥାପୟିତା । ସେ ଅତି ପରାକ୍ରମୀ ହୋଇ ସମସ୍ତ ଉତ୍ତର-ଭାରତବର୍ଷର ନିଜ ରାଜ୍ୟ ବିସ୍ତାର କରିଥିଲେ । ତୁମ୍ଭେମାନେ ଆଗରୁ ପାଠ କରିଅଛ, ଆଲେକ୍‌ଜାଣ୍ଡରଙ୍କ ମୃତ୍ୟୁପରେ ତାଙ୍କ ରାଜ୍ୟ ତାହାଙ୍କ ସେନାପତିମାନଙ୍କ ମଧ୍ୟରେ ବିଭକ୍ତ ହୋଇଥିଲା । ସିଲିଉକସ୍ ନାମକ ଏକ ସେନାପତି ଏସିଆଖଣ୍ଡର ରାଜ୍ୟ ପାଇଥିଲେ । ସେ ବକ୍ରିୟାରେ ଗୋଟିଏ ସାମ୍ରାଜ୍ୟ ସ୍ଥାପନ କରିଥିଲେ, ଏବଂ ତାହାକୁ ସେ ଏହି ସମୟରେ ଭାରତ ଆଡ଼କୁ ବିସ୍ତାର କରିବାର ଚେଷ୍ଟା କରୁଥିଲେ; କିନ୍ତୁ ସେ ଚନ୍ଦ୍ରଗୁପ୍ତଙ୍କ ଦ୍ୱାରା ପରାଜିତ ହୋଇ ପଞ୍ଜାବ ପ୍ରଦେଶ ହରାଇଲେ । ସିଲିଉକସ୍‌ ଚନ୍ଦ୍ରଗୁପ୍ତଙ୍କ ସଙ୍ଗେ ସନ୍ଧି ସ୍ଥାପନ କରି ତାଙ୍କ ସଭାରେ ମେଗାସ୍ଥିନିସ୍ ନାମକ ଏକ ଦୂତ ରଖିଥିଲେ । ଚନ୍ଦ୍ରଗୁପ୍ତଙ୍କ ଅନ୍ତେ ଅଶୋକ ମଗଧର ରାଜା ହେଲେ । ଏହାଙ୍କ ଅମଳରେ ବୌଦ୍ଧଧର୍ମ୍ମ ଭାରତରେ ସର୍ବତ୍ର ପ୍ରଚାରିତ ହେଲା । ଏହାଙ୍କ ରାଜ୍ୟ ସମସ୍ତ ଉତ୍ତର-ଭାରତବର୍ଷ ଆଉ ଦାକ୍ଷିଣାତ୍ୟର ଅନେକ ଅଂଶରେ ବିସ୍ତୃତ ଥିଲା ।

 

ଭାରତରେ ବକ୍ରିୟାର ଗ୍ରୀକ୍ :– ଅଶୋକଙ୍କ ଅନ୍ତେ ଛଅ ସାତ ଜଣ ରାଜା ମଗଧରେ ରାଜତ୍ୱ କରିଥିଲେ । ଏମାନେ ଅତ୍ୟନ୍ତ ଦୁର୍ବଳ ଥିବାରୁ ବକ୍ରିୟାର ଗ୍ରୀକ୍‌ମାନେ ଭାରତକୁ ଆସି କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ସ୍ଥାପନ କରିଥିଲେ । କିନ୍ତୁ ଏହି ସମୟରେ ମଗଧରେ ପୁଷ୍ପମିତ୍ର ନାମକ ଏକ ରାଜା ପରାକ୍ରମୀ ହୋଇ ଏମାନଙ୍କର ରାଜ୍ୟବିସ୍ତାରରେ ବାଧା ଦେଇଥିଲେ ।

 

ମିତ୍ରବଂଶ ଓ କାନ୍ୱବଂଶ :– ପୁଷ୍ପମିତ୍ର ମୌର୍ଯ୍ୟବଂଶର ଶେଷ ରଜାଙ୍କୁ ହତ୍ୟାକରି ମଗଧରେ ମିତ୍ରବଂଶ ସ୍ଥାପନ କଲେ । ଏମାନେ ୧୧୨ ବର୍ଷ ରାଜତ୍ୱ କଲାପରେ କାନ୍ୱବଂଶ ମଗଧରେ ରାଜତ୍ୱ କଲେ । ଏମାନେ ୪୫ ବର୍ଷ ରାଜତ୍ୱ କଲାପରେ ଆନ୍ଧ୍ରବଂଶ ମଗଧ ଅଧିକାର କରିନେଲେ ।

 

ଆନ୍ଧ୍ରବଂଶ :– ଆନ୍ଧ୍ରବଂଶ ଦାକ୍ଷିଣାତ୍ୟର ମହାରାଷ୍ଟ୍ର ପ୍ରଦେଶରେ ରାଜତ୍ୱ କରୁଥିଲେ । ଦାକ୍ଷିଣାତ୍ୟରେ ମଧ୍ୟ ଉତ୍ତର-ଭାରତବର୍ଷର ପରି ଅନେକ ରାଜ୍ୟ ଥିଲା । ଦାକ୍ଷିଣାତ୍ୟର ଦକ୍ଷିଣ ଭାଗରେ ଅତି ପୁରାକାଳରୁ ଚେର, ଚୋଳ, ଏବଂ ପାଣ୍ଡ୍ୟ ନାମକ ତିନିଗୋଟି ରାଜ୍ୟ ଥିଲା । ଚେର ଓ ଚୋଳ ଯଥାକ୍ରମେ ପଶ୍ଚିମ ଓ ପୂର୍ବ ପାଖର ସମୁଦ୍ରକୂଳରେ, ଆଉ ପାଣ୍ଡ୍ୟ ଏ ଦୁହିଁଙ୍କର ମଧ୍ୟଭାଗରେ ଥିଲା । ତତ୍‌ପରେ ପଲ୍ଲବନାମକ ଏକ ରାଜ୍ୟ ଦାକ୍ଷିଣାତ୍ୟରେ ପରାକ୍ରମଶାଳୀ ହୋଇଥିଲା । ଏହାର ରାଜଧାନୀ କାଞ୍ଚି ଥିଲା । ଖ୍ରୀ: ପୂ: ୨ୟ ଶତାବ୍ଦୀର ପ୍ରଥମ ଭାଗରେ ମହାରାଷ୍ଟ୍ର ପ୍ରଦେଶରେ ଆନ୍ଧ୍ରମାନେ ଅତ୍ୟନ୍ତ ପରାକ୍ରମୀ ହୋଇ ଦାକ୍ଷିଣାତ୍ୟରେ ଏକ ସାମ୍ରାଜ୍ୟ ସ୍ଥାପନ କରିଥିଲେ । ଏମାନେ ଉତ୍ତର-ଭାରତ ଆଡ଼କୁ ରାଜ୍ୟ ବିସ୍ତାର କରି ମଗଧର କାନ୍ୱବଂଶକୁ ତଡ଼ିଦେଇ ମଗଧ ଅଧିକାର କରିଥିଲେ । (୬୬ ଖ୍ରୀ: ପୂ:) ।

 

ସିଦୀୟ ବା ଶକ :– ଯେତେବେଳେ ଆନ୍ଧ୍ରମାନେ ଉତ୍ତର-ଭାରତ ବର୍ଷର ପୂର୍ବପାଖ ଜୟ କରୁଥିଲେ, ସେତେବେଳେ ପଶ୍ଚିମପାଖ ସିଦୀୟମାନଙ୍କ ଦ୍ୱାରା ଶାସିତ ହେଉଥିଲା । ସିଦୀୟମାନେ ମଧ୍ୟ ଏସିଆର ଲୋକ । ସେତେବେଳେ ହିନ୍ଦୁମାନେ ମଧ୍ୟ ଏସିଆକୁ ଶକଦ୍ୱୀପ କହୁଥିଲେ । ସେମାନେ ବକ୍ରିୟା ରାଜ୍ୟ ଧ୍ୱଂସ କରି ଭାରତକୁ ଆସିଥିଲେ ଏବଂ ନାନାସ୍ଥାନରେ ଗୋଟିଏ ଗୋଟିଏ ରାଜ୍ୟ ସ୍ଥାପନ କରି ବାସ କରୁଥିଲେ । ସେମାନେ ଅତ୍ୟନ୍ତ ପରାକ୍ରମୀ ହୋଇ ମହାରାଷ୍ଟ୍ରଦେଶ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲେ । କନିଷ୍କ ଶକରାଜାମାନଙ୍କ ମଧ୍ୟରେ ପ୍ରଧାନ ଥିଲେ । ତାହାଙ୍କର ରାଜଧାନୀ ପେଶବାର ଥିଲା । ସେ ୭୮ ଖ୍ରୀ: ଅବ୍ଦରେ ସିଂହାସନରେ ବସିବା ଦିନଠାରୁ ଶକାବ୍ଦ ଆରମ୍ଭ ହେଲା । ଏହାଙ୍କ ରାଜ୍ୟ ଆଫଗାନିସ୍ଥାନଠାରୁ ଭାରତରେ ମଥୁରା ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା, ଏବଂ ଏ ବୌଦ୍ଧଧର୍ମ୍ମାବଲମ୍ବୀ ଥିଲେ ।

 

ଗୁପ୍ତ ସାମ୍ରାଜ୍ୟ :– ଆନ୍ଧ୍ରମାନେ ପ୍ରାୟ ୩୦୦ ବର୍ଷ ପର୍ଯ୍ୟନ୍ତ ନିଜ ପ୍ରାଧାନ୍ୟ ଅକ୍ଷୁର୍ଣ୍ଣଭାବରେ ରଖିଥିଲେ ଏବଂ ଅନେକ ସମୟରେ ସିଦୀୟମାନଙ୍କ ସଙ୍ଗେ ଯୁଦ୍ଧରେ ବ୍ୟାପୃତ ହେଉଥିଲେ । ଅବଶେଷରେ ସେମାନଙ୍କର କ୍ଷମତା ହ୍ରାସ ଲଭି ତୃତୀୟ ଶତାବ୍ଦୀର ଆରମ୍ଭରେ ଉତ୍ତର ଓ ଦକ୍ଷିଣ ଭାରତରୁ ବିଲୁପ୍ତ ହୋଇଥିଲା । ଏହି ଶତାବ୍ଦୀର ଶେଷଭାଗରେ ଗୁପ୍ତବଂଶ କ୍ଷମତାଶାଳୀ ହେଲା । ଗୁପ୍ତନାମକ ଏକ ବ୍ୟକ୍ତି ଏହି ବଂଶର ସ୍ଥାପୟିତା । ସେ ଏକ ସିଦୀୟ ରାଜାଙ୍କର କରଦ ରାଜା ଥିଲେ । ଏହି ବଂଶ ଚନ୍ଦ୍ରଗୁପ୍ତଙ୍କ ସମୟରେ ଅତ୍ୟନ୍ତ ପରାକ୍ରମଶାଳୀ ହୋଇଥିଲା, (୩୧୯) । ସମୁଦ୍ରଗୁପ୍ତ ଏହି ବଂଶର ପ୍ରଧାନ ରାଜା । ଉତ୍ତର ଓ ଦକ୍ଷିଣ ଭାରତର ଅନେକ ରାଜା ଏହାଙ୍କର ବଶ୍ୟତା ସ୍ୱୀକାର କରିଥିଲେ । ପାଟଳୀପୁତ୍ର ଗୁପ୍ତସାମ୍ରାଜ୍ୟର ରାଜଧାନୀ ଥିଲା ।

Image

 

ହୁନ୍‌ମାନଙ୍କ ଆକ୍ରମଣ

 

ପଞ୍ଚମ ଶତାବ୍ଦୀର ଶେଷଭାଗରେ ଗୁପ୍ତବଂଶର କ୍ଷମତା ହ୍ରାସ ଲଭିଲା ଏହି ସମୟରେ ମଧ୍ୟ ଏସିଆରୁ ହୁନ୍‌ ନାମକ ଆଉ ଏକ ଶକଜାତି ଭାରତକୁ ଆସିଥିଲେ । ଏମାନଙ୍କର ଏକ ସର୍ଦ୍ଦାର ଟୋରମାନ ପଞ୍ଜାବ ଅଧିକାର କରି ତହିଁରେ ରାଜ୍ୟ ସ୍ଥାପନ କରିଥିଲେ । ଟୋରମାନଙ୍କ ପୁତ୍ର ମିହିରକୁଳ ଅତ୍ୟନ୍ତ ପରାକ୍ରମୀ ହୋଇ ଗୁପ୍ତମାନଙ୍କୁ ପରାସ୍ତ କରିଥିଲେ, କିନ୍ତୁ ନିଜେ ଯଶୋଧର୍ମ୍ମ ଦେବ ବା ବିକ୍ରମାଦିତ୍ୟଙ୍କ ଦ୍ୱାରା ପରାଜିତ ହୋଇ କାଶ୍ମୀରକୁ ପଳାଇଯାଇଥିଲେ ଏବଂ ହୁନ୍‌ମାନଙ୍କର କ୍ଷମତା ବିଚୂର୍ଣ୍ଣ ହୋଇଥିଲା ।

 

ଯଶୋଧର୍ମ୍ମଦେବ ବା ବିକ୍ରମାଦିତ୍ୟ :– ଯଶୋଧର୍ମ୍ମଦେବ ମାଳବର ରାଜା ଥିଲେ । ସେ ମିହିର କୁଳଙ୍କୁ ପରାସ୍ତ କରି ଅତ୍ୟନ୍ତ ପରାକ୍ରମୀ ହୋଇଥିଲେ । ତତ୍‌ପରେ ସେ କ୍ରମଶଃ ରାଜ୍ୟ ବିସ୍ତାର କରି ସମସ୍ତ ଉତ୍ତର-ଭାରତରେ ସାମ୍ରାଜ୍ୟ ସ୍ଥାପନ କରିଥିଲେ । ଉଜ୍ଜୟିନୀ ତାହାଙ୍କ ରାଜଧାନୀ ଥିଲା । ସେ ଖ୍ରୀ: ପୂ: ୫୬ ଅବ୍ଦରେ ବିକ୍ରମସମ୍ବତ୍ ନାମକ ଏକ ଅବ୍ଦ ପ୍ରଚଳନ କରିଥିଲେ-। ସେ ଶକମାନଙ୍କୁ ପରାସ୍ତ କରିଥିବାରୁ ଶକାରି-ଉପାଧି ପ୍ରାପ୍ତ ହୋଇଥିଲେ । ତାହାଙ୍କ ଅନ୍ତେ ତାହାଙ୍କ ବଂଶଧରମାନେ ଅତ୍ୟନ୍ତ ଦୁର୍ବଳ ହେବାରୁ ସେମାନଙ୍କ ଅଧୀନସ୍ଥ ଅନେକଗୁଡ଼ିଏ ରାଜ୍ୟ ସ୍ୱାଧୀନ ହୋଇଥିଲା ।

 

ଉତ୍ତର-ଭାରତର ଶେଷ ହିନ୍ଦୁ ସମ୍ରାଟ୍ ହର୍ଷବର୍ଦ୍ଧନ :– ଉପରୋକ୍ତ ସ୍ୱାଧୀନ ରାଜ୍ୟମାନଙ୍କ ଥାନେଶ୍ୱର ଏକତମ । ହର୍ଷବର୍ଦ୍ଧନଙ୍କ ସମୟରେ ଏହା ଅତ୍ୟନ୍ତ ପରାକ୍ରମଶାଳୀ ହୋଇଥିଲା । ହର୍ଷବର୍ଦ୍ଧନ ଥାନେଶ୍ୱରଠାରୁ କନୌଜକୁ ନିଜ ରାଜଧାନୀ ଉଠାଇ ନେଇଥିଲେ । ସେ ବୌଦ୍ଧଧର୍ମ୍ମାବଲମ୍ବୀ ଥିଲେ । ତାହାଙ୍କ ସମୟରେ ଚୀନପରିବ୍ରାଜକ ହୁୟେନ୍‌ସାଂ ଭାରତକୁ ଆସିଥିଲେ । ହର୍ଷବର୍ଦ୍ଧନଙ୍କ ସାମ୍ରାଜ୍ୟ କାଶ୍ମୀରଠାରୁ ଆସାମ ପର୍ଯ୍ୟନ୍ତ, ଆଉ ନେପାଳଠାରୁ ନର୍ମ୍ମଦା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ଦାକ୍ଷିଣାତ୍ୟରେ ନିଜ ପ୍ରାଧାନ୍ୟ ସ୍ଥାପନ କରିବାଲାଗି ଚେଷ୍ଟା କରିଥିଲେ-। କିନ୍ତୁ ଚାଲୁକ୍ୟମାନେ ତହିଁରେ ବାଧା ଦେଇଥିଲେ ।

 

ଦାକ୍ଷିଣାତ୍ୟରେ ଚାଲୁକ୍ୟ ସାମ୍ରାଜ୍ୟ :– ଚାଲୁକ୍ୟମାନେ କ୍ଷତ୍ରିୟ ଜାତି ଅଟନ୍ତି । ଲୋକେ କହନ୍ତି ସେମାନେ ଅଯୋଧ୍ୟ୍ୟାରୁ ଦାକ୍ଷିଣାତ୍ୟକୁ ଯାଇଥିଲେ । ଷଷ୍ଠଶତାବ୍ଦୀର ଆରମ୍ଭରେ ଅର୍ଥାତ୍ ଆନ୍ଧ୍ରବଂଶ ଧ୍ୱଂସର ୩୦୦ ବର୍ଷପରେ ସେମାନେ ଦାକ୍ଷିଣାତ୍ୟରେ ମହାରାଷ୍ଟ୍ରଦେଶୀୟ ରାଜାମାନଙ୍କୁ ଦମନ କରି ଏକ ସାମ୍ରାଜ୍ୟ ସ୍ଥାପନ କରିଥିଲେ । ଏହି ଶେଷୋକ୍ତ ରାଜାମାନେ ରାଷ୍ଟ୍ରକୂଟ ବା ରାଠୋରବଂଶର ଲୋକ । ଏମାନେ ଆନ୍ଧ୍ରବଂଶର ପତନରେ ସ୍ୱାଧୀନ ହୋଇଥିଲେ । ଜୟସିଂହ ଚାଲୁକ୍ୟ ବଂଶର ପ୍ରଥମ ରାଜା ଥିଲେ । ଜୟସିଂହଙ୍କ ନାତି ୧ମ ପୁଲକେଶୀ ଅଶ୍ୱମେଧଯଜ୍ଞ କରିଥିଲେ । ତାହାଙ୍କର ନାତି ଦ୍ୱିତୀୟ ପୁଲକେଶୀ ହର୍ଷବର୍ଦ୍ଧନଙ୍କର ଆକ୍ରମଣରେ ବାଧା ଦେଇଥିଲେ ଏବଂ ସେ ଏହି ବଂଶର ସର୍ବପ୍ରଧାନ ନରପତି ଥିଲେ ।

Image

 

ବୌଦ୍ଧ ଯୁଗରେ ସାମାଜିକ ଅବସ୍ଥା

 

ଆଦିମବାସୀଙ୍କ ସଙ୍ଗେ ଯୁଦ୍ଧକାର୍ଯ୍ୟ ଶେଷ ହେବାରୁ ଏବଂ ଆର୍ଯ୍ୟମାନଙ୍କ ମଧ୍ୟରେ ପ୍ରଧାନ୍ୟଲାଭର ଇଚ୍ଛା କ୍ରମେ ହ୍ରାସ ଲଭିବାରୁ ଏହି ସମୟର ପ୍ରଜାମାନେ ଏକ ଏକ ପରାକ୍ରମଶାଳୀ ରାଜାଙ୍କ ଅଧୀନ ରହି ଶାନ୍ତି ଭୋଗ କରୁଥିଲେ । ଏହି ଯୁଗର ପ୍ରଥମ ଭାଗରେ ଦର୍ଶନଶାସ୍ତ୍ରର ବିଶେଷ ଉନ୍ନତି ହୋଇଥିଲା, ଏବଂ ବୌଦ୍ଧ ଓ ଜୈନଧର୍ମ୍ମର ଆବିର୍ଭାବ ହୋଇଥିଲା ।

 

ଦର୍ଶନଶାସ୍ତ୍ର :– ବୈଦିକ କାଳରୁ ଭାରତର ଦର୍ଶନଶାସ୍ତ୍ରର ଆଲୋଚନା ଆରମ୍ଭ ହୋଇଥିଲା । ଉପନିଷଦକୁ ଜଗତର ଆଦି ଦର୍ଶନଶାସ୍ତ୍ର ବୋଲାଯାଇପାରେ, ମାତ୍ର ତହିଁରେ ଦର୍ଶନଶାସ୍ତ୍ରର ବିଷୟମାନ ଆଖ୍ୟାୟିକାରୂପରେ ନିହିତ ଅଛି । ଏଥିଉତ୍ତାରୁ ମହାକାବ୍ୟଦ୍ୱୟ ରଚିତହେବା ସମୟରେ ହିଁ ପ୍ରକୃତ ଦର୍ଶନଶାସ୍ତ୍ରର ସୃଷ୍ଟି ହୋଇଥିଲା । ବୌଦ୍ଧଧର୍ମ୍ମର ଉନ୍ନତି ସଙ୍ଗେ ସଙ୍ଗେ ହିନ୍ଦୁଦର୍ଶନ ପ୍ରକୃତ ଉନ୍ନତି ଲାଭ କରିଥିଲା । ଦର୍ଶନଶାସ୍ତ୍ର ଛଅ ଭାଗରେ ବିଭକ୍ତ, ଯଥା :– (୧) କପିଳଙ୍କ ସାଂଖ୍ୟ, (୨) ପାତଞ୍ଜଳିଙ୍କ ଯୋଗ, (୩) ଗୌତମଙ୍କ ନ୍ୟାୟ, (୪), କଣାଦଙ୍କ ବୈଶେଷିକ (୫) ଜୈମିନିଙ୍କ ପୂର୍ବ ମୀମାଂସା, (୬) ବ୍ୟାସଦେବଙ୍କ ଉତ୍ତର ମୀମାଂସା ବା ବେଦାନ୍ତ-

 

ଦାର୍ଶନିକମାନେ ବେଦ ଓ ଉପନିଷଦକୁ ମାନନ୍ତି । ଲୋକେ କିପରି ମୁକ୍ତି ଲଭିବେ ଅର୍ଥାତ୍ ସାଂସାରିକ କ୍ଲେଶରୁ ପରିତ୍ରାଣ ପାଇବେ ଏହା ସବୁ ଦର୍ଶନର ପ୍ରଧାନ ଲକ୍ଷ୍ୟସ୍ଥଳ । ସର୍ବପ୍ରକାର କ୍ଲେଶ ମନୁଷ୍ୟମାନଙ୍କର ଇହଜନ୍ମ ଓ ପୂର୍ବଜନ୍ମର କର୍ମ୍ମଫଳ । ମନୁଷ୍ୟର ବର୍ତ୍ତମାନ ଜୀବନରେ କ୍ଲେଶ ମନୁଷ୍ୟକୁ ସମସ୍ତ ପାପରୁ ପରିତ୍ରାଣ କରିପାରେ ନାହିଁ ବୋଲି ମନୁଷ୍ୟମାନେ ପୁନଃ ପୁନଃ ଜନ୍ମଗ୍ରହଣ କରନ୍ତି । ତତ୍ତ୍ୱଜ୍ଞାନ ଲାଭ କଲେ ମନୁଷ୍ୟମାନେ ପୁଣି ଜନ୍ମଗ୍ରହଣ କରନ୍ତି ନାହିଁ । ଏଗୁଡ଼ିକ ଦର୍ଶନଶାସ୍ତ୍ରମାନଙ୍କର ମତ । ଦର୍ଶନଶାସ୍ତ୍ରଗୁଡ଼ିକ ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରଣୀତ ।

 

ବୌଦ୍ଧଧର୍ମ୍ମ ଓ ଜୈନଧର୍ମ୍ମ :– ଏହି ସମୟରେ ଅନେକ ସନ୍ନ୍ୟାସୀ ଧର୍ମ୍ମପ୍ରଚାରକ ଆବିର୍ଭୁତ ହୋଇଥିଲେ । ସେମାନଙ୍କର ଉପଦେଶାବଳୀ ସ୍ଥାନୀୟ ପ୍ରଚଳିତ ଭାଷାରେ ପ୍ରଚାରିତ ହେଉଥିବାରୁ ସର୍ବସାଧାରଣ ସେଗୁଡ଼ିକ ବୁଝିପାରୁ ନ ଥିଲେ । ସେମାନଙ୍କ ମତ ଅନେକ ସ୍ଥଳରେ ବ୍ରାହ୍ମଣ୍ୟଧର୍ମ୍ମର ମତଠାରୁ ବିଭିନ୍ନ ଥିଲା । ଏହି ସନ୍ନ୍ୟାସୀ ପ୍ରଚାରକମାନଙ୍କ ମଧ୍ୟରେ ଗୌତମ ବୃଦ୍ଧ ଓ ମହାବୀର ପ୍ରଧାନ ଥିଲେ । ଏହି ଦୁଇ ମହାତ୍ମାଙ୍କ ବିଷୟ ପ୍ରଥମଭାଗରେ ବର୍ଣ୍ଣିତ ହୋଇଅଛି ।

 

ବୁଦ୍ଧଦେବ ଓ ବୌଦ୍ଧଧର୍ମ୍ମ :– ଗୌତମ ବୁଦ୍ଧ ଜଣେ ରାଜପୁତ୍ର ଥିଲେ । ସେ ସଂସାର ତ୍ୟାଗକରି ବହୁକାଳ ତପସ୍ୟା କରିବାପରେ ବୌଦ୍ଧଧର୍ମ୍ମ ନାମକ ଏକ ନୂତନ ଧର୍ମ୍ମ ପ୍ରଚାର କରିଥିଲେ । ସେହି ଧର୍ମ୍ମରେ ଜାତିଭେଦ କିମ୍ବା ଦେବଦେବୀ ମାନିବାର ବିଧି ନ ଥିଲା । କାମ, କ୍ରୋଧ ପ୍ରଭୃତି ରିପୁମାନେ ମନୁଷ୍ୟର ଦୁଃଖର କାରଣ ଅଟନ୍ତି । ସେମାନଙ୍କୁ ନିର୍ମୂଳ କଲେ ଶେଷରେ ନିର୍ବାଣପ୍ରାପ୍ତି ହୁଏ । ବୌଦ୍ଧମାନେ ଜନ୍ମାନ୍ତର ବିଶ୍ୱାସ କରନ୍ତି ଏବଂ କର୍ମ୍ମଫଳ ମାନନ୍ତି । ସର୍ବ ଜୀବରେ ଦୟା ଏହି ଧର୍ମ୍ମର ସାର ନୀତି ଅଟେ ।

 

ବୌଦ୍ଧମାନଙ୍କ ମଧ୍ୟରେ ଧର୍ମ୍ମପ୍ରଚାର ପ୍ରଥା ପ୍ରଚଳିତ ଥିବାରୁ ଆଉ ସେମାନେ ସମସ୍ତ ଲୋକଙ୍କୁ ଶିକ୍ଷା ଦେଉଥିବାରୁ ଅଳ୍ପ ଦିନ ମଧ୍ୟରେ ବୌଦ୍ଧଧର୍ମ୍ମ ବିଶେଷ ଉନ୍ନତି ଲାଭ କରିଥିଲା । ଅଶୋକଙ୍କ ସମୟରେ ସମସ୍ତ ଭାରତବର୍ଷରେ ଏହା ବିସ୍ତାରିତ ହୋଇଥିଲା । ଯେଉଁ କାଳର କଥା ଏହି ଅଧ୍ୟାୟରେ ବର୍ଣ୍ଣିତ ହେଉଅଛି ସେହି କାଳ ଶେଷ ନ ହେବା ପର୍ଯ୍ୟନ୍ତ ଏହି ଧର୍ମ୍ମ ଭାରତରେ ଅକ୍ଷୁର୍ଣ୍ଣଭାବରେ ରହିଥିଲା । ତତ୍‌ପରେ ତାହା ଏଦେଶରୁ କ୍ରମେ ବିଲୁପ୍ତ ହେବାକୁ ବସିଲା । ବର୍ତ୍ତମାନ ପୃଥିବୀର ପ୍ରାୟ ଅର୍ଦ୍ଧାଂଶ ଲୋକ ଏହି ଧର୍ମ୍ମାବଲମ୍ବୀ ।

ମହାବୀର ଓ ଜୈନଧର୍ମ୍ମ :– ମହାବୀର ମଧ୍ୟ ରାଜପୁତ୍ର ଥିଲେ । ସେ ଜୈନଧର୍ମ୍ମ ନାମକ ଏକ ଧର୍ମ୍ମ ପ୍ରଚାର କରିଥିଲେ । ଏହି ଧର୍ମାବଲମ୍ବିମାନେ ବେଦ ମାନୁଥିଲେ । ଜୀବ ପ୍ରତି ଦୟା ଏମାନଙ୍କ ଧର୍ମ୍ମର ପ୍ରଧାନ ନୀତି ଥିଲା । ମାତ୍ର ଜୈନଧର୍ମ୍ମ ବିଶେଷ ଉନ୍ନତି ଲାଭକରି ପାରି ନ ଥିଲା-। ଭାରତଛଡ଼ା ଏହା ଅନ୍ୟତ୍ର ପ୍ରଚାରି ହୋଇ ନ ଥିଲା, ସୁତରାଂ ଭାରତ ବ୍ୟତୀତ ଏହି ଧର୍ମ୍ମାବଲମ୍ବୀ ଅନ୍ୟତ୍ର ଦୃଷ୍ଟିଗୋଚର ହୁଅନ୍ତି ନାହିଁ ।

ଜ୍ୟୋତିଃଶାସ୍ତ୍ର ଓ ବୀଜଗଣିତ :– ଏହି ସମୟରେ ଜ୍ୟୋତିଃଶାସ୍ତ୍ର ବିଶେଷ ଉନ୍ନତି ଲଭିଥିଲା ଏବଂ କେତେଗୁଡ଼ିଏ ସିଦ୍ଧାନ୍ତ ଗ୍ରନ୍ଥ ମଧ୍ୟ ଲିଖିତ ହୋଇଥିଲା । ଏହି ଶାସ୍ତ୍ରମାନଙ୍କ ମଧ୍ୟରେ ସୂର୍ଯ୍ୟସିଦ୍ଧାନ୍ତ ପ୍ରଧାନ । ପ୍ରସିଦ୍ଧ ଜ୍ୟୋତିର୍ବିଦ୍‌ପଣ୍ଡିତ ଆର୍ଯ୍ୟଭଟ୍ଟ ‘‘ପୃଥିବୀ ଗୋଲାକାର ଏବଂ ତାହା ନିଜ ମେରୁଦଣ୍ଡର ଚାରିପାଖରେ ଘୁରୁଅଛି’’ ଏହା ଆବିଷ୍କାର କରିଥିଲେ । ସେ ୪୭୬ ଖ୍ରୀ: ଅ:ରେ କୁସୁମପୁରରେ ଜନ୍ମଗ୍ରହଣ କରିଥିଲେ । ବିକ୍ରମାଦିତ୍ୟଙ୍କ ସଭାରେ ମଧ୍ୟ ବରାହମିହିର ନାମକ ଏକ ପ୍ରସିଦ୍ଧ ଜ୍ୟୋତିର୍ବିଦ୍‌ପଣ୍ଡିତ ଥିଲେ । ବୀଜଗଣିତରେ ହିନ୍ଦୁମାନେ ଅତ୍ୟନ୍ତ ଉନ୍ନତି ଲାଭ କରିଥିଲେ ଏବଂ ଏହି ସମୟରେ ସେ ବିଷୟରେ ଅନେକ ଗ୍ରନ୍ଥ ଲେଖାଯାଇଥିଲା ।

ଚିକିତ୍ସାଶାସ୍ତ୍ର :– ଏହି ସମୟରେ ଚିକିତ୍ସାଶାସ୍ତ୍ରର ମଧ୍ୟ ବିଶେଷ ଉନ୍ନତି ହୋଇଥିଲା । ଅଶୋକ ଓ ଅନ୍ୟାନ୍ୟ ଅନେକ ବୌଦ୍ଧରାଜାମାନେ ମନୁଷ୍ୟ ଓ ପଶୁଲାଗି ଚିକିତ୍ସାଳୟମାନ ସ୍ଥାପନ କରି ଉକ୍ତ ବିଦ୍ୟାର ବିଶେଷ ଉନ୍ନତି କରିଥିଲେ । ଚରକ ଓ ସୁଶ୍ରୁତ ଏହି ଦୁଇ ପ୍ରଧାନ ଚିକିତ୍ସାଗ୍ରନ୍ଥ ଏହି ସମୟରେ ରଚିତ ହୋଇଥିଲା ।

ସଂସ୍କୃତ ସାହିତ୍ୟ :– ଏହିକାଳର ପ୍ରଥମାଂଶରେ ଯେପରି ଧର୍ମ୍ମ ଓ ଦର୍ଶନର ଉନ୍ନତି ହୋଇଥିଲା, ଶେଷାଂଶରେ ମଧ୍ୟ ସେହିପରି ସାହିତ୍ୟର ଉନ୍ନତି ହୋଇଥିଲା । ଏହି ସମୟର କବିମାନଙ୍କ ମଧ୍ୟରେ କାଳିଦାସ ସର୍ବଶେଷ୍ଠ । ଏହାଙ୍କ କୃତ ରଘୁବଂଶ, କୁମାରସମ୍ଭବ ଏବଂ ଶକୁନ୍ତଳା ଭାରତ ବିଖ୍ୟାତ । ବାଣଭଟ୍ଟ ହର୍ଷବଦ୍ଧନଙ୍କ ସମୟର ଲୋକ ଥିଲେ । ସେ ଶ୍ରୀହର୍ଷଚରିତ ନାମକ ହର୍ଷବର୍ଦ୍ଧନଙ୍କ ଜୀବନଚରିତ ଏବଂ କାଦମ୍ବରୀ ନାମକ ଖଣ୍ଡିଏ ବିଖ୍ୟାତ ଉପନ୍ୟାସ ଲେଖିଥିଲେ । ବିକ୍ରମାଦିତ୍ୟଙ୍କ ସଭାର ପଣ୍ଡିତ ଅମରସିଂହ ଅମରକୋଷ ନାମକ ଏକ ସଂସ୍କୃତ ଶବ୍ଦକୋଷ ଲେଖି ଅକ୍ଷୟ କୀର୍ତ୍ତି ରଖିଯାଇଅଛନ୍ତି ।

 

ପ୍ରାଦେଶିକ କଥିତ ଭାଷା :– ଏହି ସମୟର ଧର୍ମ୍ମସଂସ୍କାରକମାନଙ୍କ ଦ୍ୱାରା କଥିତ ଭାଷାର ମଧ୍ୟ ଉନ୍ନତି ସାଧିତ ହୋଇଥିଲା । ବ୍ରାହ୍ମଣମାନେ ସେମାନଙ୍କ ଧର୍ମ୍ମସମ୍ବନ୍ଧୀୟ ଗ୍ରନ୍ଥମାନ ସଂସ୍କୃତରେ ଲେଖୁଥିଲେ । କିନ୍ତୁ ବୌଦ୍ଧ ଓ ଜୈନ ପ୍ରଚାରକମାନେ ପ୍ରାଦେଶିକ କଥିତ ଭାଷାରେ ଧର୍ମ୍ମସମ୍ବନ୍ଧୀୟ ଗଳ୍ପମାନ ଲେଖି ଲୋକମାନଙ୍କୁ ଶିକ୍ଷା ଦେଉଥିଲେ । ଜୈନମାନେ ମହାରାଷ୍ଟ୍ରୀୟ ଭାଷାର ଓ ବୌଦ୍ଧମାନେ ମଗଧରେ ପ୍ରଚଳିତ ପାଲିଭାଷାର ଉନ୍ନତି ସାଧନ କରୁଥିଲେ । ପ୍ରାୟ ସମସ୍ତ ବୌଦ୍ଧଗ୍ରନ୍ଥ ପାଲିଭାଷାରେ ଲିଖିତ ।

 

ଶିଳ୍ପ ଓ ଭାସ୍କର କାର୍ଯ୍ୟ :– ପ୍ରଚୀନ ମନ୍ଦିର ଓ ବୌଦ୍ଧମାନଙ୍କର ଭଗ୍ନ-ସ୍ତୂପମାନଙ୍କରୁ ପୂର୍ବକାଳର ଶିଳ୍ପ ଓ ଭାସ୍କର କାର୍ଯ୍ୟର ପରିଚୟ ମିଳେ । ଏଲୋରା, ଏଲିଫାଣ୍ଟା ଓ ଖଣ୍ଡଗିରି ପ୍ରଭୃତି ଗୁହାମାନ ଆଉ ସେଥିରେ ଥିବା ଖୋଦିତ କାର୍ଯ୍ୟମାନ ସେକାଳର ଶିଳ୍ପର ପରିଚୟ ଦେଉଅଛି ।

 

ବାଣିଜ୍ୟ ଓ ବିଦେଶରେ ଉପନିବେଶ-ସଂସ୍ଥାପନ :– ମନୁସଂହିତା ରଚିତ ହେବାପୂର୍ବରୁ ହିନ୍ଦୁମାନେ ବାଣିଜ୍ୟ କରିବାଲାଗି ଜାହାଜ ଚଢ଼ି ବିଦେଶକୁ ଯାଉଥିଲେ । ଆରବସାଗରରେ ସେମାନେ ବେଶି ବାଣିଜ୍ୟ କରୁ ନ ଥିଲେ । କିନ୍ତୁ ବଙ୍ଗୋପସାଗରରେ ସେମାନେ ଜାହାଜରେ ଚଢ଼ି ମାଳୟ, ଜାଭା, ସୁମାତ୍ରା ଓ ଚୀନ ପର୍ଯ୍ୟନ୍ତ ଗମନାଗମନ କରି ପାରୁଥିଲେ । ଖ୍ରୀ: ପୂ: ପଞ୍ଚାଶତ ବର୍ଷ ପୂର୍ବେ ବଙ୍ଗଳାର ହିନ୍ଦୁମାନେ ସିଂହଳଦ୍ୱୀପ ଜୟ କରି ସେଠାରେ ବସତି କରିଥିଲେ । ଜାଭା ଓ ତାହାର ନିକଟବର୍ତ୍ତୀ ଦ୍ୱୀପମାନଙ୍କରେ ମଧ୍ୟଦେଶୀୟମାନେ ବସତି ସ୍ଥାପନ କରିଥିଲେ । ଚୀନଦେଶର ପରିବ୍ରାଜକ ଫାହିଆନ୍‌ ପଞ୍ଚମ ଶତାବ୍ଦୀରେ ଭାରତବର୍ଷ ଭ୍ରମଣ କରିବା ସମୟରେ ହିନ୍ଦୁମାନଙ୍କ ଦ୍ୱାରା ଚାଳିତ ଜାହାଜରେ ଚଢ଼ି ବଙ୍ଗଳାରୁ ସିଂହଳ ଏବଂ ସିଂହଳରୁ ଜାଭାଦ୍ୱୀପକୁ ଯାଇଥିବାର ଲେଖିଅଛନ୍ତି ।

 

ସାଧାରଣ ଶିକ୍ଷାର ବିସ୍ତାର :– ବୌଦ୍ଧ ସନ୍ନ୍ୟାସୀମାନଙ୍କ ଦ୍ୱାରା ଜନସାଧାରଣଙ୍କ ଶିକ୍ଷାର ବିଶେଷ ଉନ୍ନତି ହୋଇଥିଲା । ଏମାନଙ୍କର ମଠମାନ ଜନଶିକ୍ଷାର ଏକ ଏକ କେନ୍ଦ୍ରସ୍ଥଳୀ ଥିଲା । କୌଣସି କୌଣସି ବୌଦ୍ଧମଠରେ ବହୁସହସ୍ର ଛାତ୍ର ଶିକ୍ଷାପ୍ରାପ୍ତ, ହେଉଥିବାର ଜଣାଯାଏ । ଏହି ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ଚୀନ, ଶ୍ୟାମ ଏବଂ ଅନ୍ୟାନ୍ୟ ଦୂରଦେଶରୁ ଆସିଥିଲେ । ନାଲନ୍ଦାର ମଠ ଏହି ସମୟର ସର୍ବପ୍ରଧାନ ବିଦ୍ୟାଳୟ । ଏହି ବିଦ୍ୟାଳୟର ବିଭିନ୍ନ ବିଭାଗରେ ଶିକ୍ଷା ଦେବାଲାଗି ପ୍ରାୟ ଶଏଗୋଟି ପ୍ରକୋଷ୍ଠ ଥିଲା । ଆଉ ସେଥିରେ ପ୍ରାୟ ଦଶହଜାର ସନ୍ନ୍ୟାସୀ ଶିକ୍ଷକ ଓ ଛାତ୍ର ବାସ କରୁଥିଲେ । ଛାତ୍ରମାନେ ଗ୍ରାସାଚ୍ଛାଦନ ପାଉଥିଲେ ଏବଂ ବିନା ବେତନରେ ପାଠ ପଢ଼ୁଥିଲେ । ଏହାଛଡ଼ା ଅସଂଖ୍ୟ ଟୋଲ ମଧ୍ୟ ଥିଲା । ତହିଁରେ ବ୍ରାହ୍ମଣମାନେ ବିନା ବେତନରେ ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ ।

 

ମୋଗାସ୍ଥିନିସ୍‌ ବର୍ଣ୍ଣିତ ଭାରତର ବିବରଣ :– ମୋଗାସ୍ଥିନିସ୍‌ ହିନ୍ଦୁମାନଙ୍କୁ ସାତ ଜାତିରେ ବିଭକ୍ତ କରିଅଛନ୍ତି । ଯଥା - ବିଦ୍ୟା ଓ ଧର୍ମର ବ୍ୟବସାୟୀ, ରାଜସଭାସଦ୍ ବା ପରାମର୍ଶଦାତା, ଯୋଦ୍ଧା, ରାଜକର୍ମଚାରୀ, କୃଷକ, ବିବିଧ ଶିଳ୍ପ-ବ୍ୟବସାୟୀ, ମେଷରକ୍ଷକ । ମୋଗାସ୍ଥିନିସ୍‌ ବୋଧହୁଏ ବ୍ରାହ୍ମଣ, କ୍ଷତ୍ରିୟ ପ୍ରଭୃତି ଚାରି ଜାତିଙ୍କୁ ବ୍ୟବସାୟ ଭେଦରେ ସାତଜାତି ବୋଲି ବର୍ଣ୍ଣନା କରିଅଛନ୍ତି । ବିଦ୍ୟା ଓ ଧର୍ମର ବ୍ୟବସାୟୀମାନେ ବ୍ରାହ୍ମଣ ଓ ବୌଦ୍ଧସନ୍ୟାସୀ ଅଟନ୍ତି । ପରାମର୍ଶଦାତାମାନେ ବ୍ରାହ୍ମଣ ଓ କ୍ଷତ୍ରିୟ, ଯୋଦ୍ଧା ଓ ରାଜକର୍ମ୍ମଚାରୀମାନେ କ୍ଷତ୍ରିୟ, କୃଷକ ଓ ଶିଳ୍ପ-ବ୍ୟବସାୟୀମାନେ ବୈଶ୍ୟ ଓ ଶଙ୍କରଜାତୀୟ ଲୋକ ଥିବାର ବୋଧହୁଏ । ମେଷ ରକ୍ଷକମାନେ ଶୂଦ୍ର ଓ ପାହାଡ଼ିଆ ଜାତି ଅଟନ୍ତି । ହିନ୍ଦୁମାନଙ୍କର ସ୍ୱଭାବ ସରଳ ଥିଲା । ସେମାନେ ସତ୍ୟବାଦୀ, ମିତବ୍ୟୟୀ, ଶାନ୍ତପ୍ରକୃତି ଓ ଯୁଦ୍ଧନିପୁଣ ଥିଲେ । କ୍ରୀତଦାସପ୍ରଥା ସେ ସମୟରେ ସେମାନଙ୍କ ମଧ୍ୟରେ ପ୍ରଚଳିତ ନ ଥିଲା । କଳନ୍ତର ଗ୍ରହଣ କରି ୠଣଦେବା ପ୍ରଥା ମଧ୍ୟ ନ ଥିଲା । ସେମାନେ ଏପରି ନ୍ୟାୟପରାୟଣ ଥିଲେ ଯେ, କେହି ଚୋରି କରୁ ନ ଥିଲେ କିମ୍ବା ଅଭିଯୋଗ କରିବା ଲାଗି କାହାରିକି ରାଜଦ୍ୱାରକୁ ଯିବାକୁ ପଡ଼ୁ ନ ଥିଲା । ସେମାନଙ୍କ ପରିଚ୍ଛଦରେ ଆଡ଼ମ୍ବର ନ ଥିଲା । ଖଣ୍ଡିଏ ଧୋତି, ଖଣ୍ଡିଏ ଚଦର, ଖଣ୍ଡିଏ ଛତା, ଯୋଡ଼ାଏ ସାମାନ୍ୟ ଯୋତା ମନୁଷ୍ୟର ସାଧାରଣ ପରିଚ୍ଛଦ ଥିଲା । କୃଷି ଉନ୍ନତ ଅବସ୍ଥାରେ ଥିଲା । ଦୁର୍ଭିକ୍ଷ କଣ ତାହା ସେମାନେ ଜାଣୁ ନ ଥିଲେ । ରମଣୀମାନେ ପତିବ୍ରତା ଥିଲେ । ସତୀଦାହ ଅଳ୍ପପରିମାଣରେ ପ୍ରଚଳିତ ଥିଲା । ଚାଉଳର ମଦ୍ୟ ଛଡ଼ା ଆଉ କୌଣସି ପ୍ରକାର ମଦ୍ୟ ବ୍ୟବହୃତ ହେଉ ନ ଥିଲା; ତାହା ସୁଦ୍ଧା ଅତି ଅଳ୍ପପରିମାଣରେ ବ୍ୟବହୃତ ହେଉଥିଲା ।

 

ଫାହିଆନ ବର୍ଣ୍ଣିତ ଭାରତ ବିବରଣ :– ପୂର୍ବେ କୁହାଯାଇଅଛି ଯେ, ଫାହିଆନ ପଞ୍ଚମ ଶତାବ୍ଦୀର ପ୍ରଥମ ଭାଗରେ ଚୀନରୁ ଭାରତକୁ ଆସିଥିଲେ । ସେ ଉତ୍ତର-ଭାରତର ଅନେକ ପ୍ରଦେଶ ବୁଲିଥିଲେ । ତାହାଙ୍କ ଲିଖିତ ବିବରଣରୁ ଜଣାଯାଏ ଯେ ସେକାଳରେ ଭାରତର ଲୋକେ ବଡ଼ ସୁଖୀ ଥିଲେ ଏବଂ ସନ୍ତୋଷରେ ଦିନ କଟାଉଥିଲେ । ସେମାନେ ରାଜାଙ୍କୁ ବିଶେଷ ଖଜଣା ଦେଉ ନ ଥିଲେ । ସେମାନେ ଅତ୍ୟନ୍ତ ମିତାଚାରୀ ଥିଲେ ଏବଂ ଜୀବହତ୍ୟାକୁ ଅତ୍ୟନ୍ତ ଘୃଣା କରୁଥିଲେ । ଫୌଜଦାରି ଆଇନସମୂହ କଠୋର ନ ଥିଲା ଏବଂ କାୟିକ ଦଣ୍ଡ ଦିଆଯାଉ ନ ଥିଲା । ସେକାଳର ହିନ୍ଦୁମାନେ ହିଁ ପ୍ରକୃତ ସ୍ୱାଧୀନତାର ସୁଖ ଭୋଗ କରୁଥିଲେ ।

 

ହୁଏନ୍‌ସାଂ-ବର୍ଣ୍ଣିତ ଭାରତ-ବିବରଣ :– ପ୍ରସିଦ୍ଧ ଚୀନ-ପରିବ୍ରାଜକ ହୁଏନ୍‌ସାଂ ୬୩୦ ଖ୍ରୀ: ଅ:ରେ ଭାରତକୁ ଆସି ଏଠାରେ ୧୫ ବର୍ଷ ରହି ଉତ୍ତର ଓ ଦକ୍ଷିଣ ଭାରତବର୍ଷର ଅନେକ ସ୍ଥାନ ବୁଲି ଯାହା ଲେଖିଯାଇଛନ୍ତି ତାହା ନିମ୍ନରେ ଦିଆଗଲା ।

 

ସେ ନାଲନ୍ଦ-ବିଦ୍ୟାଳୟର ବିଷୟ ବିଶେଷରୂପେ ଲେଖିଯାଇଅଛନ୍ତି । ସେ ଦକ୍ଷିଣ-ଭାରତରେ ଚାଲୁକ୍ୟମାନଙ୍କର ସାହସ ଦେଖି ବିଶେଷ ପ୍ରଶଂସା କରିଅଛନ୍ତି । ସେତେବେଳେ ମଗଧ ଓ ମାଲବ ଦେଶରେ ବିଦ୍ୟାର ଅତ୍ୟନ୍ତ ସମାଦର ଥିଲା । ଧନ ଓ ବାଣିଜ୍ୟରେ ଗୁଜୁରାଟ ବିଖ୍ୟାତ ଥିଲା । ଦେଶର ଶାସନପ୍ରଥା କଠୋର ନ ଥିଲା । ରାଜକର ଅତ୍ୟନ୍ତ ସମାନ୍ୟ ଥିଲା । ରାଜାଙ୍କର ପ୍ରଧାନ କର୍ମ୍ମଚାରୀମାନେ ଜାୟଗିର ପ୍ରାପ୍ତ ହେଉଥିଲେ । ରାଜା ନିଜ ଭୂମି ଚାରିଭାଗରେ ବିଭକ୍ତ କରି ଏକ ଭାଗରୁ ରାଜ୍ୟର ବ୍ୟୟ ନିର୍ବାହ କରୁଥିଲେ, ଦ୍ୱିତୀୟ ଭାଗକୁ ରାଜକର୍ମ୍ମଚାରୀମାନଙ୍କୁ ଜାୟଗିର ସ୍ୱରୂପ ଦେଉଥିଲେ, ତୃତୀୟ ଭାଗ ଶାସ୍ତ୍ରଜ୍ଞ ବ୍ୟକ୍ତିମାନଙ୍କୁ ଦେଇ ଚତୁର୍ଥ ଭାଗକୁ ଧର୍ମ୍ମକାର୍ଯ୍ୟରେ ବ୍ୟୟ କରୁଥିଲେ । ମେଗାସ୍ଥିନିସ୍‌ଙ୍କ ପରି ହୁଏନ୍‌ସାଂ ମଧ୍ୟ ହିନ୍ଦୁମାନଙ୍କର ସରଳତା ଓ ସତ୍ୟବାଦୀତାର ଅତ୍ୟନ୍ତ ପ୍ରଶଂସା କରିଅଛନ୍ତି ।

 

ବ୍ରାହ୍ମଣ୍ୟଧର୍ମର ପୁନରୁଥାନ-ଯୁଗରେ ରାଜନୈତିକ ଅବସ୍ଥା । ହର୍ଷବର୍ଦ୍ଧନଙ୍କ ମୃତ୍ୟୁପରେ ତାହାଙ୍କ ସାମ୍ରାଜ୍ୟ ବିଲୁପ୍ତ ହୋଇଥିଲା । ଅଧୀନସ୍ଥ ରାଜାମାନେ ନିଜ ନିଜ ପ୍ରାଧାନ୍ୟ ସ୍ଥାପନ କରିବାଲାଗି ଚେଷ୍ଟା କଲେ । ସେମାନଙ୍କ ମଧ୍ୟରେ ବହୁକାଳବ୍ୟାପୀ ବିବାଦ ଉପସ୍ଥିତ ହେଲା । ଯେତେବେଳେ ଏହିପରି ବିବାଦ ଲାଗିଥିଲା, ସେତେବେଳେ ଭାରତର ଉତ୍ତର-ପଶ୍ଚିମ ଦିଗରୁ ନୂତନ ଆକ୍ରମଣକାରୀମାନେ ଉପସ୍ଥିତ ହୋଇଥିଲେ । ସେମାନେ ଆରବଦେଶର ମୁସଲମାନ ।

 

ମୁସଲମାନମାନଙ୍କର ଆକ୍ରମଣ ଓ ସିନ୍ଧୁପ୍ରଦେଶର ଜୟ :– ଅନେକ ଦିନରୁ ମୁସଲମାନମାନେ ଭାରତ ଅଧିକାର କରିବାଲାଗି ଚେଷ୍ଟା କରୁଥିଲେ ଏବଂ ମଧ୍ୟେ ମଧ୍ୟେ ଭାରତକୁ ଆସି ଲୁଟିକରି ଚାଲିଯାଉଥିଲେ । ୭୧୧ ଖ୍ରୀ: ଅ:ରେ ଏପରି ଗୋଟିଏ ଘଟନା ଘଟିଥିଲା ଯେ ମୁସଲମାନମାନେ ଭାରତ ଆକ୍ରମଣ କରିବାଲାଗି ନିୟମିତ ରୂପେ ସୈନ୍ୟ ପଠାଇଥିଲେ । ଏହି ବର୍ଷ ସିଂହଳର ରାଜା ପାରସ୍ୟର ମୁସଲମାନଶାସନକର୍ତ୍ତା ହଜ୍ଜାଜଙ୍କ ପାଖକୁ ଉପଢ଼ୌକନ ଓ ଯାତ୍ରୀସହ କେତେଖଣ୍ଡି ଜାହାଜ ପଠାଇଥିଲେ । ସିନ୍ଧୁପ୍ରଦେଶର ଉପକୂଳବର୍ତ୍ତୀ ଜଳଦସ୍ୟୁମାନେ ଏହିସବୁ ଜାହାଜ ଲୁଟି କରି ନେଇଥିଲେ । ଜାହାଜ କ୍ଷତିପୁରଣ ସକାଶେ ସିନ୍ଧୁପ୍ରଦେଶର ରାଜା ଡାହିରଙ୍କ ପାଖରେ ଦାବୀ କଲେ । ଜଳଦସ୍ୟୁମାନଙ୍କ ଉପରେ କିଛି କ୍ଷମତା ନାହିଁ ବୋଲି କହି ଡାହିର କ୍ଷତିପୂରଣ ଦେବା ସକାଶେ ଅସ୍ୱୀକାର କଲେ । ପାରସ୍ୟର ଶାସନକର୍ତ୍ତା ଏହି ଛଳନାରେ ଡାମସ୍‌କସ୍‌ର ଖଲିଫାଙ୍କଠାରୁ ଅନୁମତି ଆଣି ଡିହରଙ୍କ ବିରୁଦ୍ଧେ ସୈନ୍ୟ ପଠାଇଲେ । ମାତ୍ର ମୁସଲମାନମାନେ ପରାଜିତ ହେଲେ । ପାରସ୍ୟର ଶାସନକର୍ତ୍ତା ଆଉ ଥରେ ସୈନ୍ୟ ପଠାଇଥିଲେ; କିନ୍ତୁ ଏଥର ସୁଦ୍ଧା ସେମାନେ ପରାଜିତ ହେଲେ । ତତ୍‌ପରେ ହଜ୍ଜାଜ ତାଙ୍କର ଜାମାତା କାସିମଙ୍କୁ ଅନେକ ସୈନ୍ୟସହ ପଠାଇଥିଲେ । ଏଥର ଡାହିର ଯୁଦ୍ଧରେ ପରାଜିତ ହୋଇ ନିହତ ହେଲେ । ତତ୍‌ପରେ ମୁସଲମାନମାନେ ମୁଲତାନ ଅଧିକାର କଲେ । ଏହିରୂପ ସିନ୍ଧୁପ୍ରଦେଶ ମୁସଲମାନମାନଙ୍କର ହସ୍ତଗତ ହେଲା ।

 

ଉତ୍ତରଭାରତ ବର୍ଷର ଅବସ୍ଥା :– ନବମ ଶତାବ୍ଦୀର ମଧ୍ୟଭାଗରେ ଭାରତର ରାଜନୈତିକ ଅବସ୍ଥା ନୂତନ ଆକାର ଧରିଥିଲା । ଉତ୍ତର ଭାରତରୁ ସାମ୍ରାଜ୍ୟ ଲୋପ ପାଇ ତାହା ସାନ ସାନ ରାଜ୍ୟରେ ବିଭକ୍ତ ହୋଇଥିଲା । ପ୍ରତ୍ୟେକ ରାଜ୍ୟରେ ନବ ଶାସନ ଓ ଧର୍ମ୍ମ ଚଳୁଥିଲା । ଏହି ରାଜ୍ୟମାନଙ୍କ ମଧ୍ୟରେ ଦେବଗିରି ଓ ଦ୍ୱାରସମୁଦ୍ରର ଯାଦବରାଜ୍ୟ, ବାରଙ୍ଗଲର କାକତୀୟରାଜ୍ୟ ଏବଂ ଓଡ଼ିଶାର ଗଙ୍ଗବଂଶୀୟ ରାଜ୍ୟ ପ୍ରଧାନ ଥିଲା । ଉତ୍ତର-ଭାରତର ଅବସ୍ଥା ଏହାଠାରୁ ବଳି ଶୋଚନୀୟ ଥିଲା । କାଶ୍ମୀରରେ ଉତ୍ପଳ ବଂଶର ପତନ ହୋଇଥିଲା । ସେଠାରେ ଲୋହାରାବଂଶ ରାଜତ୍ୱ କରୁଥିଲେ । ପାରମାରବଂଶର ରାଜା ମାଳବ ଏବଂ ଗୁଜୁରାଟରେ ରାଜତ୍ୱ କରୁଥିଲେ । ବଙ୍ଗଳାରେ ଏକାଦଶ ଶତାବ୍ଦୀର ଶେଷଭାଗରେ ସେନବଂଶ ପ୍ରାଧାନ୍ୟ ଲାଭ କରିଥିଲା, ଏବଂ ଦ୍ୱାଦଶ ଶତାବ୍ଦୀର ପ୍ରଥମ ଭାଗରେ ବଲ୍ଲାଲସେନ ପାଳବଂଶଠାରୁ ମଗଧର ଅନେକାଂଶ ଛଡ଼ାଇ ନେଇଥିଲେ । ରାଷ୍ଟ୍ରକୂଟ ବା ରାଠୋରମାନେ କାନ୍ୟକୁବୁରେ ନିଜ ପ୍ରାଧାନ୍ୟ ସ୍ଥାପନ କରିଥିଲେ ଏବଂ ଚୌହାନରାଜା ପୃଥ୍ୱୀରାଜ ଅଜମୀରରେ ଓ ଜୟଚନ୍ଦ୍ର କାନ୍ୟକୁବୁରେ ରାଜପଣ କରୁଥିଲେ ।

 

ପଠାଣାମନଙ୍କ କର୍ତ୍ତୃକ ଉତ୍ତରଭାରତ ବିଜୟ :– ଯେତେବେଳେ ଭାରତର ଏହିପରି ଅବସ୍ଥା, ସେତେବେଳେ ଆଫଗାନିସ୍ଥାନରେ ଗଜନୀରାଜ୍ୟର ପତନ ହୋଇଥିଲା । ଘୋରବଂଶୀୟ ରାଜାମାନେ ପରାକ୍ରମୀ ହୋଇ ଗଜନୀରାଜାଙ୍କଠାରୁ ପଞ୍ଜାବପ୍ରଦେଶ ଅଧିକାର କରିନେଇଥିଲେ । ଅତଏବ ଘୋରରାଜ୍ୟ ଏବଂ ପୃଥ୍ୱୀରାଜଙ୍କ ରାଜ୍ୟ ଲଗାଲଗି ହୋଇଥିଲା । ଏହି ସମୟରେ ଜୟଚନ୍ଦ୍ର ଓ ପୃଥ୍ୱୀରାଜଙ୍କ ମଧ୍ୟରେ କଳହ ଲାଗିବାରୁ ଜୟଚନ୍ଦ୍ର ଘୋରସର୍ଦ୍ଦାର ମହମ୍ମଦଘୋରୀଙ୍କୁ ପୃଥ୍ୱୀରାଜଙ୍କ ରାଜ୍ୟ ଆକ୍ରମଣ କରିବାଲାଗି ଆହ୍ୱାନ କରିଥିଲେ । ତତ୍‌ପରେ ଭାରତ କିପରି ପଠାଣମାନଙ୍କର କରାୟତ୍ତ ହେଲା ତାହା ତୁମ୍ଭେମାନେ ଆଗରୁ ପାଠ କରିଅଛ ।

Image

 

ବ୍ରାହ୍ମଣଧର୍ମ୍ମର ପୁନରୁଥାନ ଯୁଗରେ ସାମାଜିକ ଅବସ୍ଥା

 

ସାହିତ୍ୟ ଓ ବିଜ୍ଞାନର ଉନ୍ନତି :– ଭାରତବର୍ଷ କ୍ଷୁଦ୍ର କ୍ଷୁଦ୍ର ସ୍ୱାଧୀନ ରାଜ୍ୟରେ ବିଭକ୍ତ ହେବାରୁ ସାହିତ୍ୟ ଓ ବିଜ୍ଞାନର ଉନ୍ନତି-ପଥ ସୁଗମ ହୋଇଥିଲା । ଅଷ୍ଟମ ଶତାବ୍ଦୀରେ ପ୍ରସିଦ୍ଧ କବି ଭବଭୂତି ଜନ୍ମଗ୍ରହଣ କରିଥିଲେ । କାଳିଦାସଙ୍କପରି ଏ ଜଣେ ବିଖ୍ୟାତ ନାଟକ-ଲେଖକ ଥିଲେ । ମହାବୀରଚରିତ ଓ ଉତ୍ତରରାମଚରିତ ଏହାଙ୍କ ଦ୍ୱାରା ରଚିତ । ୧୯୪୯ରେ କଲହନ୍‌ ନାମକ ଏକ ବ୍ୟକ୍ତି ରାଜତରଙ୍ଗିଣୀ ନାମକ କାଶ୍ମୀରର ଇତିହାସ ଲେଖିଥିଲେ । ଦ୍ୱାଦଶ ଶତାବ୍ଦୀର ପ୍ରଥମ ଭାଗରେ ପ୍ରସିଦ୍ଧ ଜ୍ୟୋତିର୍ବିଦ୍‌ ପଣ୍ଡିତ ଭାସ୍କରାଚାର୍ଯ୍ୟ ଜନ୍ମଗ୍ରହଣ କରିଥିଲେ । ସେ ଦାକ୍ଷିଣାତ୍ୟର ଲୋକ ଥିଲେ । ତାଙ୍କର ସିଦ୍ଧାନ୍ତ ଶିରୋମଣିରେ ସେ ପ୍ରମାଣ କରିଅଛନ୍ତି ଯେ ପୃଥିବୀ ଗୋଲ ଏବଂ ତାହାର କ୍ଷୁଦ୍ର ପଦାର୍ଥମାନଙ୍କ ଆକର୍ଷଣ କରିବାର ଶକ୍ତି ଅଛି ।

 

ହିନ୍ଦୁ-ଶିଳ୍ପର ପୁନରୁଥାନ :– ବୌଦ୍ଧଧର୍ମ୍ମର ପତନ ସଙ୍ଗେ ସଙ୍ଗେ ବୌଦ୍ଧ ଶିଳ୍ପ ଓ ଭାସ୍କର ବିଦ୍ୟାର ଅବନତି ଘଟିଥିଲା । କିନ୍ତୁ ବ୍ରାହ୍ମଣ ଧର୍ମର ପୁନରୁତ୍ଥାନରେ ହିନ୍ଦୁମାନଙ୍କର ଶିଳ୍ପ ଓ ଭାସ୍କର ବିଦ୍ୟାର ଉନ୍ନତି ହୋଇଥିଲା । ଏଲୋରାର ପର୍ବତଗୁହାର ମନ୍ଦିରମାନ ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିଲା । ସେଗୁଡ଼ିକର ଶିଳ୍ପକର୍ମ ହିନ୍ଦୁମାନଙ୍କର ନୈପୁଣ୍ୟ ପ୍ରକାଶ କରୁଅଛି । ଓଡ଼ିଶାରେ ପୁରୀର ଜଗନ୍ନାଥମନ୍ଦିର ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଏହାର ଶିଳ୍ପ ଓ କାରୁକାର୍ଯ୍ୟ ସେ ସମୟର ଓଡ଼ିଆମାନଙ୍କର କାର୍ଯ୍ୟ-ନୈପୁଣ୍ୟ ଦେଖାଇ ଦେଉଅଛି ।

 

ଆଧୁନିକ ହିନ୍ଦୁଧର୍ମ୍ମର ଉତ୍ପତ୍ତି :– ବୌଦ୍ଧଧର୍ମ୍ମର ପତନ ଓ ନୂତନ ଆକୃତିରେ ବ୍ରାହ୍ମଣ୍ୟ ଧର୍ମ୍ମର ଉଦୟ ଏହି ସମୟର ପ୍ରଧାନ ଘଟନା । ବୌଦ୍ଧଧର୍ମ୍ମ କେବେହେଁ ବ୍ରାହ୍ମଣ୍ୟ ଧର୍ମ୍ମର ଲୋପସାଧନ କରି ପାରି ନଥିଲା । ଦୁଇଧର୍ମ୍ମ ଏକତ୍ର ରହି କାର୍ଯ୍ୟ କରୁଥିଲେ । ଉତ୍ତର-ଭାରତର ରାଜାମାନେ ବୌଦ୍ଧ ହେବାରୁ ପ୍ରଜାମାନେ ମଧ୍ୟ ବୌଦ୍ଧଧର୍ମ୍ମ ଗ୍ରହଣ କରିଥିଲେ । ଏଣୁ ବୌଦ୍ଧଧର୍ମ୍ମ ବ୍ରାହ୍ମଣଧର୍ମ୍ମଠାରୁ ବେଶି ଉନ୍ନତି ଲାଭ କରିଥିଲା । କିନ୍ତୁ ଯେତେବେଳେ ବ୍ରାହ୍ମଣ୍ୟ ଧର୍ମ୍ମାବଲମ୍ବୀ ରାଜାମାନେ କ୍ଷମତାଶାଳୀ ହେଲେ ସେତେବେଳେ ବୌଦ୍ଧଧର୍ମ୍ମର ପତନ ଏବଂ ବ୍ରାହ୍ମଣ୍ୟ ଧର୍ମ୍ମର ଉନ୍ନତି ଆରମ୍ଭ ହେଲା । ଆହୁରି ମଧ୍ୟ ବ୍ରାହ୍ମଣମାନେ ପୁରାତନ ଧର୍ମ୍ମକୁ ଲୋକରଞ୍ଜନ-ଆକୃତିରେ ଅଣିବାଲାଗି ଚେଷ୍ଟା କରିଥିଲେ । ଏଣୁ ଦେବଦେବୀମାନଙ୍କ ବିଷୟରେ କାଳ୍ପନିକ ଗଳ୍ପମାନ ପ୍ରସ୍ତୁତ ହୋଇଥିଲା । ସେମାନଙ୍କର ନାନାପ୍ରକାର ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା । ତୀର୍ଥସ୍ଥାନମାନଙ୍କର ସଂଖ୍ୟା ବର୍ଦ୍ଧିତ ହୋଇଥିଲା । ସେଠାରେ ପୂଜା, ମେଳା, ଦାନାଦିର ସୃଷ୍ଟି ହୋଇଥିଲା । ଏହି ନୂତନ ଆକୃତିର ହିନ୍ଦୁଧର୍ମ୍ମକୁ ପୌରାଣିକ ଧର୍ମ୍ମ କୁହାଯାଏ । ଏହି ସମୟରେ ବ୍ରାହ୍ମଣମାନଙ୍କ ମଧ୍ୟରେ ଯେଉଁ ମହାପୁରୁଷମାନେ ଜନ୍ମଗ୍ରହଣ କରି ଯୁକ୍ତିଦ୍ୱାରା ବୌଦ୍ଧମତ ଖଣ୍ଡନପୂର୍ବକ ହିନ୍ଦୁଧର୍ମ୍ମର ପୁନଃ ପ୍ରଚାର ଆରମ୍ଭ କରିଥିଲେ ତଳେ ସେମାନଙ୍କର ସଂକ୍ଷିପ୍ତ ବିବରଣ ଦିଆଗଲା ।

 

କୁମାରିଲ ଭଟୁ :– ସେ ବିହାର ପ୍ରଦେଶରେ ଅଷ୍ଟମ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ-। ସେଠାରୁ ସେ ଦାକ୍ଷିଣାତ୍ୟକୁ ଯାଇ ହିନ୍ଦୁଧର୍ମ୍ମ ପ୍ରଚାର କରିଥିଲେ । ଏହାଙ୍କ ପ୍ରଚାରରେ ଅନେକ ଲୋକ ବୌଦ୍ଧଧର୍ମ୍ମ ଛାଡ଼ି ହିନ୍ଦୁଧର୍ମ୍ମ ଗ୍ରହଣ କରିଥିଲେ ।

 

ଶଙ୍କରାଚାର୍ଯ୍ୟ :– ମାଳବପ୍ରଦେଶରେ ଏକ ଦରିଦ୍ର ବ୍ରାହ୍ମଣଗୃହରେ ଶଙ୍କରାଚାର୍ଯ୍ୟ ଜନ୍ମଗ୍ରହଣ କରିଥିଲେ (୭୮୮) । ଶଙ୍କରାଚାର୍ଯ୍ୟ ବୌଦ୍ଧଧର୍ମ୍ମର ବଡ଼ ବିରୋଧୀ ଥିଲେ । ସେ ଯୁକ୍ତିବଳରେ ବୌଦ୍ଧ ପଣ୍ଡିମାନଙ୍କୁ ପରାସ୍ତ କରି ବେଦାନ୍ତମତ ସ୍ଥାପନ କରିଥିଲେ । ଏହି ମହାପୁରୁଷ ସ୍ୱମତର ପ୍ରଚାର ନିମନ୍ତେ କୁମାରିକାଠାରୁ ହିମାଳୟ ପର୍ଯ୍ୟନ୍ତ ନାନା ପ୍ରଦେଶ ବୁଲିଥିଲେ । କଥିତ ଅଛି ଅନେକ ବୌଦ୍ଧ ପଣ୍ଡିତ ଏହାଙ୍କ ଯୁକ୍ତିବଳରେ ପରାସ୍ତ ହୋଇ ଆତ୍ମହତ୍ୟା କରିଥିଲେ । ଶଙ୍କରାଚାର୍ଯ୍ୟ ୩୨ ବର୍ଷ ବୟସରେ ହିମାଳୟର କେଦାରନାଥଠାରେ ପ୍ରାଣତ୍ୟାଗ କରିଥିଲେ (୮୨୦) । ଏହି ଅଳ୍ପକାଳମଧ୍ୟରେ ସେ ପ୍ରାୟ ସମୁଦାୟ ହିନ୍ଦୁଶାସ୍ତ୍ର ଉପରେ ଭାଷ୍ୟ ଲେଖିଯାଇଅଛନ୍ତି ।

 

ରାମାନୁଜ :– ଶଙ୍କରାଚାର୍ଯ୍ୟଙ୍କ ଉତ୍ତାରୁ ଶୈବମତର ଉନ୍ନତି ହୋଇଥିଲା । ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟମାନେ ଭାରତର ନାନା ସ୍ଥାନରେ ଶୈବମତ ପ୍ରଚାର କରିଥିଲେ । ଏହି ସମୟରେ ଓଡ଼ିଶାରେ ବୌଦ୍ଧଧର୍ମ୍ମର ପରିବର୍ତ୍ତରେ ଶୈବମତର ବହୁଳ ପ୍ରଚାର ଘଟିଥିଲା । ଓଡ଼ିଶାରେ କେଶରିବଂଶୀୟ ରାଜାମାନେ ଶୈବମତାବଲମ୍ବୀ ଥିଲେ । ଏକାଦଶ ଶତାବ୍ଦୀରେ ବୈଷ୍ଣବମତର ଆଦର ବୃଦ୍ଧି ଲଭିଥିଲା । ରାମାନୁଜ ବୈଷ୍ଣବ ପ୍ରଚାରକମାନଙ୍କ ମଧ୍ୟରେ ପ୍ରଥମ ଅଟନ୍ତି । ସେ ଦ୍ୱାଦଶ ଶତାବ୍ଦୀରେ ଦାକ୍ଷିଣାତ୍ୟରେ ବ୍ରାହ୍ମଣକୁଳରେ ଜନ୍ମଗ୍ରହଣ କରିଥିଲେ । ସେ ଜୀବିତ ଥିବା କାଳରେ ୭୦୦ ବୈଷ୍ଣବମଠ ସ୍ଥାପିତ ହୋଇଥିଲା । ତାହାଙ୍କ ଯତ୍ନରେ ବୈଷ୍ଣବମତ ବହୁଦୂର ବ୍ୟାପ୍ତ ହୋଇଥିଲା । ସେ ସବୁ ଜାତିର ଲୋକଙ୍କୁ ଉକ୍ତ ମତରେ ଦୀକ୍ଷିତ କରୁଥିଲେ ।

 

ସମ୍ବନ୍ଧ ଓ ମାନିକ୍‌ ବାସଗର :– ଏହି ଦୁଇ ବ୍ୟକ୍ତି ତାମିଲ କବି ଥିଲେ । ତାମିଲ ଭାଷାରେ ଏମାନଙ୍କ ରଚିତ ସ୍ତୋତ୍ରମାନଙ୍କ ଦ୍ୱାରା ଦାକ୍ଷିଣାତ୍ୟରୁ ବୌଦ୍ଧଧର୍ମ୍ମର ପ୍ରାର୍ଦୁଭାବ ଅନେକ ପରିମାଣରେ କମିଯାଇଥିଲା ଏବଂ ଶୈବମତ ଉନ୍ନତି ଲାଭ କରିଥିଲା ।

Image

 

ପଠାଣ ରାଜତ୍ୱ

ପଠାଣମାନଙ୍କ ଶାସନରେ ରାଜନୈତିକ ଅବସ୍ଥା

 

କୁତବୁଦ୍ଦିନ ଦିଲ୍ଲୀର ସମ୍ରାଟ୍‌ ହେବା ଦିନଠାରୁ ଭାରତରେ ଏକ ନବଯୁଗର ଆରମ୍ଭ ହୋଇଥିଲା । ପଠାଣମାନେ ଭାରତରେ ବାସ କରିବାକୁ ଲାଗିଲେ । ଏହାଦ୍ୱାରା ଭାରତର ରାଜନୈତିକ ଓ ସାମାଜିକ ଅବସ୍ଥାରେ ଅନେକ ପରିବର୍ତ୍ତନ ଘଟିଥିଲା । ପଠାଣମାନେ ୩୦୦ ବର୍ଷକାଳ ଏହି ଦେଶ ଶାସନ କରିଥିଲେ ।

 

ପୂର୍ବେ କୁହାଯାଇଅଛି ଯେ, ମହମ୍ମଦଘୋରୀ ୧୯୯୩ରେ ପୃଥ୍ୱୀରାଜଙ୍କୁ ପରାସ୍ତ କରି ପଠାଣସାମ୍ରାଜ୍ୟର ପତ୍ତନ ଆରମ୍ଭ କଲେ ଏବଂ ତାଙ୍କ ଅନ୍ତେ ତାଙ୍କ ପ୍ରତିନିଧି କୃତବୁଦ୍ଦିନ ଆପଣାକୁ ଭାରତର ସମ୍ରାଟ ବୋଲି ଘୋଷଣା କଲେ (୧୯୦୬) । ସେ ଯେତେବେଳେ ସମ୍ରାଟ ହେଲେ ସେତେବେଳେ ପଞ୍ଜାବ, ଦିଲ୍ଲୀ, କାଲିଞ୍ଜର, କାନ୍ୟକୁବୁ ମଗଧ ଓ ବଙ୍ଗ ତାହାଙ୍କ ଅଧିକାରରେ ଥିଲା-

 

ଦାସବଂଶୀୟ ରାଜାମାନଙ୍କର ଶାସନ, ୧୨୦୬-୧୨୯୦- କୁତବୁଦ୍ଦିନ ଏହି ବଂଶର ସ୍ଥାପନକର୍ତ୍ତା । ସେ ନିଜେ ଓ ଏହି ବଂଶର ଅନେକ ସମ୍ରାଟ ଦାସ ଥିବାରୁ ଏହି ବଂଶକୁ ଦାସବଂଶ କୁହାଯାଏ । ଆଲଟାମସ୍‌ ଏହି ବଂଶର ପ୍ରସିଦ୍ଧ ରାଜା ଥିଲେ । ସେ ୧୨୨୮ରେ ସିନ୍ଧୁପ୍ରଦେଶକୁ ପଠାଣ ରାଜ୍ୟଭୁକ୍ତ କରିଥିଲେ । ଏହାଙ୍କ ସମୟରୁ ମୋଗଲମାନେ ଭାରତ ଆକ୍ରମଣ କରିବାକୁ ଆରମ୍ଭ କଲେ । ନାସିରୁଦ୍ଦିନଙ୍କ ସମୟରେ ମାଳବ ଦେଶ ବଶ୍ୟତା ସ୍ୱୀକାର କରିଥିଲା, ଏବଂ ମିବାରର ରାଜପୁତମାନେ ବିଦ୍ରୋହୀ ହୋଇ ପରାଜିତ ହୋଇଥିଲେ । ବୁଲ୍‌ବନଙ୍କ ସମୟରେ ବଙ୍ଗଳାର ଶାସନକର୍ତ୍ତା ତୁଗ୍ରଲଖାଁ ବିଦ୍ରୋହୀ ହୋଇ ପରାଜିତ ଓ ନିହତ ହୋଇଥିଲେ । ଏହି ବଂଶର ଶେଷ ସମ୍ରାଟ୍‌ କାଇକୋବାଦଙ୍କୁ ତାଙ୍କର ମନ୍ତ୍ରୀ ଜେଲାଲୁଉଦ୍ଦିନ ଖିଲ୍‌ଜି ହତ୍ୟା କରି ସ୍ୱୟଂ ସମ୍ରାଟ୍‌ ହେଲେ ।

 

ଖିଲଜିବଂଶୀୟ ରାଜାମାନଙ୍କ ଶାସନ, ୧୨୯୦-୧୩୨୦ :– ଜେଲାଲ୍ଉଦ୍ଦିନ ଖିଲ୍‌ଜି ଏହି ବଂଶର ସ୍ଥାପନକର୍ତ୍ତା । ଏହାଙ୍କ ଅମଳରେ ପଠାଣମାନେ ଦାକ୍ଷିଣାତ୍ୟ ଆକ୍ରମଣ କରିବାକୁ ଆରମ୍ଭ କଲେ । ଏହାଙ୍କ ଭାତ୍ରୁପୁତ୍ର ଆଲ୍ଲାଉଦ୍ଦିନ ପୂର୍ବ ମାଳବ ଅଧିକାର କରି ମହାରାଷ୍ଟ୍ର ପ୍ରଦେଶର ଦେବଗିରି ଯାଦବମାନଙ୍କୁ ପରାସ୍ତ କରିଥିଲେ । ସେ ସେମାନଙ୍କଠାରୁ ଏଲିନ୍‌ପୁର ନଗର ଏବଂ ପ୍ରଚୁର ଅର୍ଥ ନେଇଥିଲେ । ଆଲ୍ଲାଉଦ୍ଦିନ ସମ୍ରାଟ୍ ହୋଇ ୧୨୯୭ରେ ଗୁଜୁରାଟକୁ ନିଜ ରାଜ୍ୟଭୁକ୍ତ କଲେ । ସେ ୧୩୦୩ରେ ଚିତୋର ଦୂର୍ଗ ଅଧିକାର କରିଥିଲେ । ମାଳବପ୍ରଦେଶ ମଧ୍ୟ ପଠାଣରାଜ୍ୟଭୁକ୍ତ ହେଲା । ସେ ଏହିରୂପେ ଉତ୍ତର-ଭାରତବର୍ଷ ସମ୍ପୂର୍ଣ୍ଣରୂପେ ଆୟତ୍ତ କରି ଦାକ୍ଷିଣାତ୍ୟ ଜୟ କରିବାକୁ ବାହାରିଲେ । ତାଙ୍କ ସେନାପତି ମାଲିକ୍‌ କାଫୁର ୧୩୦୭ରେ ଦେବଗିରିର ଯାଦବରାଜ୍ୟ ଆକ୍ରମଣ କରିଥିଲେ । ସେଠାର ରାଜା ବଶ୍ୟତା ସ୍ୱୀକାର କରି କରଦରାଜା ହୋଇ ରହିଲେ । ତତ୍‌ପରେ ସେ ବାରଙ୍ଗଲର କାକତୀୟମାନଙ୍କୁ ଏବଂ ଦ୍ୱାର ସମୁଦ୍ରର ହୟଶାଳା ଯାଦବମାନଙ୍କୁ ପରାସ୍ତ କରି ଦିଲ୍ଲୀସମ୍ରାଟଙ୍କ ଅଧୀନ ଆଣିଥିଲେ । ଏହିପରି ବିନ୍ଧ୍ୟପର୍ବତଠାରୁ କୁମାରିକା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଦେଶ ପଠାଣ ସମ୍ରାଟଙ୍କ ବଶ୍ୟତା ସ୍ୱୀକାର କଲା (୧୩୧୧) । ଆଲ୍ଲାଉଦ୍ଦିନଙ୍କ ସମୟରେ ମୋଗଲମାନେ ଭାରତ ଆକ୍ରମଣ କରି ଅକୃତକାର୍ଯ୍ୟ ହୋଇଥିଲେ । ଏହାଙ୍କ ଶେଷାବସ୍ଥାରେ ଗୁଜୁରାଟ ବିଦ୍ରୋହୀ ହୋଇଥିଲା । ରାଜପୁତମାନେ ପୁନର୍ବାର ଚିତୋର ଅଧିକାର କରି ନେଇଥିଲେ । ପଠାଣ ସୈନ୍ୟମାନେ ମହାରାଷ୍ଟ୍ର ରାଜ୍ୟରୁ ବିତାଡ଼ିତ ହୋଇଥିଲେ । ତାଙ୍କ ପୁତ୍ର ମୁବାରକ ଗୁଜୁରାଟ ଓ ମହାରାଷ୍ଟ୍ର ଦେଶର ବିଦ୍ରୋହ ଦମନ କରିଥିଲେ, କିନ୍ତୁ ତାଙ୍କର ଉଜିର ଖସ୍ରୁ ତାହାଙ୍କୁ ହତ୍ୟା କରିବାରୁ ଏହି ବଂଶ ଲୋପ ପାଇଥିଲା ।

 

ଟୋଗଲକ୍‍ବଂଶୀୟ ରାଜାମାନଙ୍କର ଶାସନ, ୧୩୨୦-୧୪୧୨ :– ପଞ୍ଜାବର ଶାସନକର୍ତ୍ତା ଗିୟାସ୍‌ଉଦ୍ଦିନ ଟୋଗଲକ୍‌ ଖସ୍ରୁଙ୍କୁ ହତ୍ୟା କରି ଦିଲ୍ଲୀର ସମ୍ରାଟ୍‌ ହେଲେ । ମହମ୍ମଦ ଟୋଗଲକ୍‌ ଏହି ବଂଶର ପ୍ରସିଦ୍ଧ ସମ୍ରାଟ୍‌ ଥିଲେ । ଏହାଙ୍କ ଅମଳରୁ ପଠାଣ ରାଜ୍ୟର ପତନ ଆରମ୍ଭ ହେଲା । ସେ ଅତ୍ୟନ୍ତ ଅତ୍ୟାଚାରୀ ଓ ଆଡ଼ବାୟା ଲୋକ ଥିଲେ । ଏକ ପ୍ରଦେଶପରେ ଅନ୍ୟ ଏକ ପ୍ରଦେଶ ବିଦ୍ରୋହୀ ହୋଇ ସ୍ୱାଧୀନ ହେବାକୁ ଲାଗିଲା । ପୂର୍ବବଙ୍ଗଳା ୧୩୩୮ରେ ଏବଂ ପଶ୍ଚିମବଙ୍ଗଳା ୧୩୩୯ରେ ସ୍ୱାଧୀନ ହେଲା । ଦାକ୍ଷିଣାତ୍ୟରେ କୃଷ୍ଣାନଦୀର ଦକ୍ଷିଣ ପାର୍ଶ୍ୱର ହିନ୍ଦୁରାଜ୍ୟମାନଙ୍କର ଧ୍ୱଂସାବଶେଷୋପରି ବିଜୟନଗର ନାମକ ଆଉ ଏକ ପରାକ୍ରମଶାଳୀ ହିନ୍ଦୁରାଜ୍ୟ ସ୍ଥାପିତ ହେଲା ଏବଂ କୃଷ୍ଣାନଦୀର ଉତ୍ତରରେ ବାହମନିରାଜ୍ୟ ନାମକ ଏକ ପଠାଣରାଜ୍ୟ ସ୍ଥାପିତ ହୋଇଥିଲା । ( ୧୩୪୭) ।

 

ଏହାଙ୍କ ଅନ୍ତେ ଫିରୋଜ ଟୋଗଲକ୍‌ ସମ୍ରାଟ୍‌ ହୋଇ ପତନଶୀଳ ସାମ୍ରଜ୍ୟକୁ ରକ୍ଷା କରିବାଲାଗି ବିଶେଷ ଚେଷ୍ଟା କଲେ, କିନ୍ତୁ ପାରିଲେ ନାହିଁ । ବଙ୍ଗଳା ଏବଂ ଦାକ୍ଷିଣାତ୍ୟ ସମ୍ପୂର୍ଣ୍ଣ ସ୍ୱାଧୀନ ହେଲା । ବର୍ତ୍ତମାନ ଉତ୍ତର-ଭାରତରେ ବଙ୍ଗଳାର ପଶ୍ଚିମଠାରୁ ପଞ୍ଜାବ ପର୍ଯ୍ୟନ୍ତ ଦେଶମାତ୍ର ପଠାଣ ସମ୍ରାଜ୍ୟର ଅଧିନ ଥିଲା ।

 

ମାମୁଦ ଟୋଗଲକଙ୍କ ଅମଳରେ ପଠାଣ ସାମ୍ରାଜ୍ୟ ଗୋଟିଏ ଛୋଟ ରାଜ୍ୟରେ ପରିଣତ ହୋଇଥିଲା । କାନ୍ୟକୁବୁ, ଅଯୋଧ୍ୟା ଓ ଅନ୍ୟାନ୍ୟ ପୂର୍ବପ୍ରଦେଶୀୟ ଶାସନକର୍ତ୍ତାମାନେ ବିଦ୍ରୋହୀ ହୋଇ ଜୋନପୁରକୁ ରାଜଧାନୀ କରି ଆଉ ଏକ ନୂଆ ରାଜ୍ୟ ସ୍ଥାପନ କଲେ-(୧୩୯୪)-। ୧୩୯୬ରେ ଗୁଜୁରାଟ, ୧୩୯୯ରେ ଖାନ୍ଦେଶ, ୧୪୦୧ରେ ମାଳବ ସ୍ୱାଧୀନ ହେଲା । ଏହିପରି ଅଳ୍ପଦିନ ମଧ୍ୟରେ ପ୍ରକାଣ୍ଡ ପଠାଣ ସାମ୍ରାଜ୍ୟ ଗୋଟିଏ ଅତି ଛୋଟ ରାଜ୍ୟରେ ପରିଣତ ହୋଇ ଦିଲ୍ଲୀ ଓ ତନ୍ନିକଟବର୍ତ୍ତୀ ସ୍ଥାନମାନଙ୍କରେ ଆବଦ୍ଧ ରହିଲା । ଏହି ସମୟରେ ତୈମୁର ନାମକ ଏକ ମୋଗଲ ଭାରତକୁ ଆସି ପଠାଣରାଜ୍ୟର ଆଉ ଯାହା କିଛି ବାକି ଥିଲା ତାହା ଧ୍ୱଂସ କରିଦେଇଥିଲେ (୧୩୯୮) । ତୈମୁରଙ୍କ ଯିବାପରେ ମାମୁଦ କେବଳ ନାମକୁ ମାତ୍ର ସମ୍ରାଟ୍‍ ହୋଇ ଦିଲ୍ଲୀସିଂହାସନରେ ବସି ରହିଥିଲେ ।

 

ଭାରତର ତତ୍‌କାଳୀନ ସ୍ୱାଧୀନ ରାଜ୍ୟସମୂହ :– ପଠାଣସାମ୍ରାଜ୍ୟର ଧ୍ୱଂସ ସମ୍ପୂର୍ଣ୍ଣ ହୋଇଥିଲା । ଦିଲ୍ଲୀଛଡ଼ା ଆଉ କୌଣସି ସ୍ଥାନ ସମ୍ରାଟଙ୍କ ଅଧୀନ ନ ଥିଲା । ଉତ୍ତର ଓ ଦକ୍ଷିଣ ଭାରତରେ ଛୋଟ ବଡ଼ ହିନ୍ଦୁ ଓ ମୁସଲମାନ ରାଜ୍ୟମାନ ସ୍ଥାପିତ ହୋଇଥିଲା । ଉତ୍ତର-ଭାରତର କାଶ୍ମୀର, ସିନ୍ଧୁ, ମାଳବ, ଗୁଜୁରାଟ, ଜୋନପୁର, ବଙ୍ଗଳା ଓ ଅନ୍ୟାନ୍ୟ ପ୍ରଦେଶରେ ରାଜପୁତମାନେ ରାଜତ୍ୱ କରୁଥିଲେ । ଦାକ୍ଷିଣାତ୍ୟରେ ବିଜୟନଗର ଓ ବାହମନି ନାମକ ଦୁଇଗୋଟି ପ୍ରସିଦ୍ଧ ରାଜ୍ୟ ସ୍ଥାପିତ ହୋଇଥିଲା । ବାହମନିରାଜ୍ୟ ହାସାନଙ୍କ ଦ୍ୱାରା ଏବଂ ବିଜୟନଗରରାଜ୍ୟ ବୁକ୍କାନାମକ ଏକ ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ବାହମନିରାଜ୍ୟ ବିନ୍ଧ୍ୟପର୍ବତଠାରୁ କୃଷ୍ଣା ଏବଂ ତୁଙ୍ଗଭଦ୍ରା ନଦୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା ।

 

ଦକ୍ଷିଣାତ୍ୟରେ ଏହା ଛଡ଼ା ଖାନ୍ଦେଣ ନାମକ ଆଉ ଗୋଟିଏ ସ୍ୱାଧୀନ ରାଜ୍ୟ ବିଦ୍ୟମାନ ଥିଲା । ଗଙ୍ଗବଂଶୀୟ ରାଜାମାନେ ଓଡ଼ିଶାରେ ସ୍ୱାଧୀନଭାବରେ ରାଜପଣ କରୁଥିଲେ ଏବଂ ପରାକ୍ରମୀ ହୋଇ ବଙ୍ଗଳା ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲେ ।

 

ପଠାଣ ସାମ୍ରାଜ୍ୟ କ୍ଷୁଦ୍ର କ୍ଷୁଦ୍ର ସ୍ୱାଧୀନ ରାଜ୍ୟରେ ବିଭକ୍ତ ହେବାରୁ ଫଳ ଏହି ହେଲା ଯେ, ଏହି ରାଜ୍ୟମାନଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା ଏବଂ ଉତ୍ତର ଓ ଦକ୍ଷିଣ ଭାରତରେ ଘୋର ପରିବର୍ତ୍ତନ ଘଟିଥିଲା ।

 

ପଠାଣସାମ୍ରାଜ୍ୟର ପତନ ଏବଂ ସୈୟଦ ଓ ଲୋଦୀ-ବଂଶୀୟ ରାଜାମାନଙ୍କ ଶାସନ (୧୯୧୪-୧୫୨୬) :– ମାମୁଦ ଟୋଗଲକଙ୍କ ଅନ୍ତେ ଦୌଲତ ଖାଁ ଲୋଦୀ ନାମକ ଏକ ବ୍ୟକ୍ତି ଦିଲ୍ଲୀ ଅଧିକାର କଲେ । କିନ୍ତୁ ମୁଲତାନର ଶାସନକର୍ତ୍ତା ଖିଜିର ଖାଁ ତାଙ୍କୁ ତଡ଼ିଦେଇ ୧୯୧୪ରେ ଦିଲ୍ଲୀ ଛଡ଼ାଇନେଲେ । ସେ ସୈୟଦବଂଶର ସ୍ଥାପନକର୍ତ୍ତା । ଏହି ବଂଶ ୧୪୨୧ ପର୍ଯ୍ୟନ୍ତ ରାଜତ୍ୱ କରିଥିଲା । ତତ୍‌ପରେ ବିଲୋଲ ଲୋଦୀ ଦିଲ୍ଲୀ ଅଧିକାର କଲେ । ସେ ୨୬ ବର୍ଷ ଯୁଦ୍ଧ କରି ଜୋନପୁର ରାଜ୍ୟ ନିଜ ରାଜ୍ୟର ସାମିଲ କରିଥିଲେ । ଏହାଙ୍କ ପୁତ୍ର ସିକନ୍ଦର ବିହାର ଜୟ କରିଥିଲେ । ସେ ଏହିରୂପେ ଉତ୍ତର-ଭାରତରେ ସାମ୍ରାଜ୍ୟ ସ୍ଥାପନ କରିବାରେ କିୟତ୍‌ ପରିମାଣରେ କୃତକାର୍ଯ୍ୟ ହୋଇଥିଲେ । ତାଙ୍କପରେ ଇବ୍ରାହିମ ଲୋଦୀ ସମ୍ରାଟ୍‌ ହେଲେ । ସେ ଅତ୍ୟନ୍ତ ଅତ୍ୟାଚାରୀ ଓ ଦୁର୍ବଳ ରାଜା ଥିଲେ । ଜୋନପୁର ସ୍ୱାଧୀନ ହେଲା । ପଞ୍ଜାବର ଶାସନକର୍ତ୍ତା ଦୌଲତ୍‌ ଖାଁ ଲୋଦୀ କାବୁଲର ମୋଗଲ ସୁଲତାନ ବାବରଙ୍କୁ ଭାରତ ଆକ୍ରମଣ କରିବାଲାଗି ଡାକିଥିଲେ ।

 

ପାନିପଥ ଏବଂ ଶିକ୍ରି ଯୁଦ୍ଧ :– ବାବର ଓ ଇବ୍ରାହିମ ଲୋଦୀଙ୍କ ମଧ୍ୟରେ ପାନିପଥଠାରେ ଏକ ଯୁଦ୍ଧ ହେଲା (୧୫୨୬) । ଇବ୍ରାହିମ ପରାଜିତ ଓ ହତ ହେଲେ ଏବଂ ମୋଗଲସାମ୍ରାଜ୍ୟର ପତ୍ତନ ଆରମ୍ଭ ହେଲା । ନିବରର ରାଣା ସଂଗ୍ରାମସିଂହ ଏହି ଯୁଦ୍ଧରେ ବାବରଙ୍କୁ ସାହାଯ୍ୟ କରିଥିଲେ । ସେ ଯେତେବେଳେ ଦେଖିଲେ ଯେ, ବାବର ଆଉ ଦିଲ୍ଲୀ ପରିତ୍ୟାଗ କରି ଯାଉନାହାନ୍ତି ସେତେବେଳେ ସେ ବାବରଙ୍କୁ ତଡ଼ିଦେବା ସକାଶେ ଚେଷ୍ଟା କଲେ । ଶିକ୍ରିଠାରେ ଯୁଦ୍ଧ ହେଲା (୧୫୨୭) । ସଂଗ୍ରାମ ସିଂହ ପରାଜିତ ଓ ନିହତ ହେଲେ । ବାବର ନିଶ୍ଚିତ ହୋଇ ଦିଲ୍ଲୀର ସମ୍ରାଟ ହେଲେ ।

 

ଦାକ୍ଷିଣାତ୍ୟରେ ପରିବର୍ତ୍ତନ :– ଉତ୍ତର-ଭାରତରେ ଯେତେବେଳେ ଏହିପରି ପରିବର୍ତ୍ତନ ଘଟୁଥିଲା, ଦାକ୍ଷିଣାତ୍ୟରେ ମଧ୍ୟ ତଦ୍ରୁପ ଘଟିଥିଲା । ବାହମନିରାଜ୍ୟ ସର୍ବଦା ବିଜୟ ନଗର ରାଜ୍ୟସହ ଯୁଦ୍ଧରେ ବ୍ୟାପୃତ ଥିଲା, ମାତ୍ର ଅବଶେଷରେ ଗୃହବିବାଦରେ ଧ୍ୱଂସପ୍ରାପ୍ତ ହେଲା ।

 

ଯେତେବେଳେ ବାବର ଭାରତ ଆକ୍ରମଣ କଲେ, ସେତେବେଳେ ବାହମନିରାଜ୍ୟ ଧଂସପ୍ରାୟ ହୋଇ ସେଥିରୁ ଆଉ ପାଞ୍ଚଗୋଟି ସ୍ୱାଧୀନ ରାଜ୍ୟ ଜାତ ହୋଇଥିଲା, ଯଥା–ଆଦିଲ୍‌ ସାହଙ୍କ ଦ୍ୱାରା ସ୍ଥାପିତ ବିଜାପୁର ରାଜ୍ୟ, ଇମାଦ ସାହଙ୍କ ଦ୍ୱାରା ସ୍ଥାପିତ ବେରାର ରାଜ୍ୟ, ଅହମ୍ମଦ ସାହଙ୍କ ଦ୍ୱାରା ସ୍ଥାପିତ ଅହମ୍ମଦ ନଗର ରାଜ୍ୟ, କୁତବ୍‌ଉଲ୍‌ ମୁଲକ ଦ୍ୱାରା ସ୍ଥାପିତ ଗୋଲକୁଣ୍ଡା ରାଜ୍ୟ, କାସିମ୍‌ ବରିଦ୍‌ ଦ୍ୱାରା ସ୍ଥାପିତ ବିଦର ରାଜ୍ୟ ।

 

ପଠାଣ ସାମ୍ରାଜ୍ୟର ଆରମ୍ଭଠାରୁ ମୋଗଲ ସାମ୍ରାଜ୍ୟ ସ୍ଥାପନ ପର୍ଯ୍ୟନ୍ତ ସାମାଜିକ ଅବସ୍ଥା

 

ପଠାଣମାନେ ଭାରତ ଜୟ କରିବାରୁ ଭାରତରେ ହିନ୍ଦୁମାନଙ୍କର ଜାତୀୟ ଏବଂ ସାମାଜିକ ଘୋର ବିପ୍ଳବ ଘଟିଥିଲା । ମହମ୍ମଦଘୋରୀଙ୍କ ଭାରତବିଜୟ ପୂର୍ବେ ପଠାଣମାନେ ଭାରତକୁ ଆସି କେବଳ ଲୁଟପାଟ କରି ଚାଲି ଯାଉଥିଲେ । କିନ୍ତୁ ତାହାଙ୍କ ବିଜୟ ପରେ ସେମାନେ ଭାରତରେ ବାସ କରି ଭାରତର ଲୋକ ହେଲେ ।

 

ପଠାଣ ରାଜାମାନଙ୍କର ନିଜ ଦେଶ ସଙ୍ଗେ କୌଣସି ପ୍ରକାର ସଂସ୍ରବ ନ ଥିଲା । ସେମାନଙ୍କୁ ଭାରତୀୟ ରାଜା ବୋଲି କୁହାଯାଇପାରେ । ଭାରତ ଜୟକରି ପଠାଣମାନେ ହିନ୍ଦୁମାନଙ୍କୁ ନିଜ ଧର୍ମରେ ଦୀକ୍ଷିତ କରିବାକୁ ଆରମ୍ଭ କରିଥିଲେ ।

 

ପଠାଣ ସାମ୍ରାଜ୍ୟ ସ୍ଥାପିତ ହେଲା ଉତ୍ତାରୁ ହିନ୍ଦୁସମାଜ ଆଉ ମୁସଲମାନସମାଜ ପାଖେ ପାଖେ ରହିଲା ଏବଂ ପ୍ରତ୍ୟେକ ସମାଜ ଅନ୍ୟ ଉପରେ କ୍ଷମତା ବିସ୍ତାର କରିବାକୁ ଲାଗିଲା । ପଠାଣମାନଙ୍କ ହାତରେ ରାଜଶକ୍ତି ଥିବାରୁ ସେମାନେ ହିନ୍ଦୁମାନଙ୍କୁ ନିଜ ଧର୍ମ୍ମରେ ଦୀକ୍ଷିତ କରିବାଲାଗି ଚେଷ୍ଟା କଲେ । ଫଳ ଏହି ହେଲା ଯେ, ଉତ୍ତରପଶ୍ଚିମ ପ୍ରଦେଶ ଓ ବଙ୍ଗଳାର ଅନେକ ନୀଚଜାତୀୟ ଲୋକ ମୁସଲମାନଧର୍ମ୍ମ ଗ୍ରହଣ କଲେ କିନ୍ତୁ ଅଧିକାଂଶ ହିନ୍ଦୁ ନିଜ ଧର୍ମ୍ମ ତ୍ୟାଗ କରି ନ ଥିଲେ । କ୍ରମେ କ୍ରମେ ମୁସଲମାନମାନଙ୍କର ହିନ୍ଦୁମାନଙ୍କ ଧର୍ମ୍ମରେ ଦୀକ୍ଷିତ କରିବାର ଜିଦ୍‌ କିମଗଲା, ଏବଂ ହିନ୍ଦୁ ଓ ମୁସଲମାନ ମିତ୍ର ଭାବରେ ବାସ କରିବାକୁ ଆରମ୍ଭ କଲେ । ଯେତେବେଳେ ପଠାଣସାମ୍ରାଜ୍ୟ ଧ୍ୱଂସପ୍ରାପ୍ତ ହୋଇ ଅନେକ ସ୍ୱାଧୀନ ମୁସଲମାନରାଜ୍ୟ ସ୍ଥାପିତ ହୋଇଥିଲା ଏବଂ ମୁସଲମାନ ରାଜାମାନେ ହିନ୍ଦୁମାନଙ୍କ ଉପରେ ରାଜ୍ୟଶାସନର ଭାର ଦେଇଥିଲେ, ସେତେବେଳେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ବିରୋଧ ଆଦୌ ନ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକ ଅନ୍ୟର ଆଚାର, ବ୍ୟବହାର, ରୀତି, ନୀତି ଅନୁକରଣ କରିବାକୁ ଲାଗିଲା ଏବଂ ସେମାନଙ୍କ ମଧ୍ୟରେ ବିବାହସମ୍ବନ୍ଧ ମଧ୍ୟ ସ୍ଥାପିତ ହୋଇଥିଲା ।

 

ସ୍ମୃତି ଓ ହିନ୍ଦୁ ସନ୍ନ୍ୟାସୀ :– ଯେତେବେଳେ ବ୍ରାହ୍ମଣମାନେ ଦେଖିଲେ ଯେ ମୁଲ୍ଲା, ପୀର ଏବଂ ଫକୀରମାନେ ହିନ୍ଦୁମାନଙ୍କୁ ନବଧର୍ମ୍ମରେ ଦୀକ୍ଷିତ କରିବାରେ ଲାଗିଅଛନ୍ତି କିନ୍ତୁ ସ୍ୱଧର୍ମ ରକ୍ଷା କରିବାଲାଗି ହିନ୍ଦୁମାନଙ୍କ ମଧ୍ୟରେ କେହି କ୍ଷମତାଶାଳୀ ରାଜା ନାହିଁ । ସେତେବେଳେ ସେମାନେ ସମାଜ ପରିଚାଳନା ବିଷୟରେ କଠୋର ନିୟମମାନ ଲିପିବଦ୍ଧ କରି ଗ୍ରନ୍ଥସମୂହ ଲେଖିବାକୁ ବସିଲେ । ଏହି ଗ୍ରନ୍ଥମାନଙ୍କୁ ନବ୍ୟ ସ୍ମୃତି କୁହାଯାଏ । ମାଧବାଚାର୍ଯ୍ୟ, ଶମ୍ଭୁକର, ବାଜପେୟୀ ଏବଂ ରଘୁନନ୍ଦନ ଏହି ଶ୍ରେଣୀୟ ସ୍ମୃତି -ଲେଖକମାନଙ୍କ ମଧ୍ୟରେ ପ୍ରଧାନ ।

 

ଏଥିପୂର୍ବେ ନୀଚଜାତୀୟ ହିନ୍ଦୁମାନେ ବ୍ରାହ୍ମଣମାନଙ୍କର ଧର୍ମ୍ମୋପଦେଶ ପାଇପାରୁ ନ ଥିଲେ । ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ମୁସଲମାନ ହୋଇଗଲେ । ଏହା ଦେଖି କେତେଜଣ ସନ୍ନ୍ୟାସୀସଂସ୍କାରକ ଜାତିଭେଦ ନ ମାନି ସମସ୍ତଙ୍କୁ ଧର୍ମୋପଦେଶ ଦେବାକୁ ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରେ ବିଖ୍ୟାତ କତିପୟ ଧର୍ମ୍ମ ପ୍ରଚାରକ ବିବରଣ ତଳେ ଦିଆଗଲା ।

 

ରାମାନୁଜ :– ବୈଷ୍ଣବ ସଂସ୍କାରକମାନଙ୍କ ମଧ୍ୟରେ ଏହି ମହାତ୍ମା ସର୍ବପ୍ରଥମ । ସେ ଦ୍ୱାଦଶ ଶତାବ୍ଦୀର ମଧ୍ୟଭାଗରେ ଆପଣାର ମତ ଚୋଳ ରାଜ୍ୟରେ ପ୍ରଚାର କରିଥିଲେ । ସେଠାରୁ ସେ ସେଦେଶର ରାଜାଙ୍କ ଭୟରେ ପଳାଇଯାଇ ମହୀଶୁରର ଜୈନ ରାଜାଙ୍କୁ ସ୍ୱମତରେ ଦୀକ୍ଷିତ କରିଥିଲେ । ସେ ତାହାଙ୍କର ମୃତ୍ୟୁ ପୂର୍ବରୁ ୭୦୦ ମଠ ସ୍ଥାପନ କରି ଯାଇଥିଲେ ।

 

ରାମାନନ୍ଦ :– ୧୪ଶ ଶତାବ୍ଦୀର ସନ୍ନ୍ୟାସୀ ପ୍ରଚାରକ ମଧ୍ୟରେ ରମାନନ୍ଦ ପ୍ରଧାନ ଥିଲେ-। ସେ ଉତ୍ତର-ଭାରତର ସମସ୍ତ ସ୍ଥାନରେ ଭ୍ରମଣ କରି ବୈଷ୍ଣବ ମତ ପ୍ରଚାର କରିଥିଲେ । ସେ ନୀଚଜାତୀୟ ହିନ୍ଦୁ ମଧ୍ୟରୁ ଶିଷ୍ୟ ଗ୍ରହଣ କରୁଥିଲେ ।

 

କବୀର :– କବୀର ଜାତିରେ ତନ୍ତୀ ଥିଲେ । ସେ ରାମନନ୍ଦଙ୍କ ଶିଷ୍ୟ । ସେ ପଞ୍ଚଦଶ ଶତାବ୍ଦୀର ସ୍ୱମତ ପ୍ରଚାର ଆରମ୍ଭ କରି ବୈଷ୍ଣବ ମତରେ ଏପରି ଘଟାଇ ଥିଲେ ଯେ, କି ହିନ୍ଦୁ କି ମୁସଲମାନ ସମସ୍ତେ ଏହା ଗ୍ରହଣ କରିପାରିଥିଲେ । ସେ କହୁଥିଲେ ରାମ ଏବଂ ଆଲ୍ଲା ଏକ, କେବଳ ଭାଷାର ବିଭିନ୍ନତାରୁ ଦୁଇ ଶବ୍ଦର ଉତ୍ପତ୍ତି । ତେଣୁ ତାହାଙ୍କ ମୃତ୍ୟୁ ସମୟରେ ତାହାଙ୍କ ମୃତ ଶରୀରକୁ ହିନ୍ଦୁ ଏବଂ ମୁସଲମାନ ଉଭୟ ଦାବୀ କରିଥିଲେ ।

 

ନାନକ :– ପଞ୍ଚଦଶ ଶତାବ୍ଦୀର ଶେଷଭାଗରେ ନାନକ ପଞ୍ଜବାରେ ଧର୍ମ୍ମପ୍ରଚାର କରିଥିଲେ । ତାହାଙ୍କ ପ୍ରଚାରିତ ଧର୍ମ୍ମକୁ ଶିଖଧର୍ମ୍ମ କୁହାଯାଏ ସେ ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ନିଜ ଧର୍ମ୍ମରେ ଦୀକ୍ଷିତ କରିଥିଲେ ।

 

ଚୈତନ୍ୟ ଦେବ :– ସେ ଜଣେ ଉତ୍କଳୀୟ ବ୍ରାହ୍ମଣ ବଙ୍ଗଦେଶର ନବଦ୍ୱୀପରେ ୧୪୧୫ରେ ଜନ୍ମଗ୍ରହଣ କରି ବୈଷ୍ଣବ ମତର ଶ୍ରୀବୃଦ୍ଧି ସାଧନ କରିଥିଲେ । ସେ ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ଧର୍ମୋପଦେଶ ପ୍ରଦାନ କରୁଥିଲେ, କାରଣ ତାହାଙ୍କ ଶିଷ୍ୟମାନଙ୍କୁ ମଧ୍ୟରେ ନେଁଡ଼ା ହରିଦାସ ନାମକ ଜଣେ ମୁସଲମାନ ଥିଲେ । ସେ ପୁରୀ ନଗରରେ ଜୀବନର ଅଧିକାଂଶକାଳ କଟାଇ ସେହିଠାରେ ପ୍ରାଣତ୍ୟାଗ କରିଥିଲେ । ବୈଷ୍ଣବମାନେ ତାହାଙ୍କୁ ଈଶ୍ୱରଙ୍କ ଅବତାର ବୋଲି ଜ୍ଞାନ କରନ୍ତି ।

 

ଜଗନ୍ନାଥ ଦାସ :– ସେ ଜଣେ ଉତ୍କଳୀୟ ବ୍ରାହ୍ମଣ, ଚୈତନ୍ୟଦେବଙ୍କ ସମସାମୟିକ । ଶ୍ରୀମଦ୍‍ଭାଗବତକୁ ଉତ୍କଳଭାଷାରେ ଅନୁବାଦ କରି ସେ ତହିଁର ବୈଷ୍ଣବମତ ଜାତି ନିର୍ବିଶେଷରେ ପ୍ରଚାର କରିଥିଲେ । ସେ ଉତ୍କଳୀୟ ଅତିବଡ଼ୀ ବୈଷ୍ଣବ ମଣ୍ଡଳୀର ସ୍ଥାପୟିତା । ଜୀବନର ଅଧିକାଂଶ ପୁରୀ ନଗରରେ ଯାପନ କରି ସେହିଠାରେ ଇହଲୀଳା ସାଙ୍ଗ କରିଥିଲେ ।

 

ପ୍ରାଦେଶିକ ଭାଷାମାନଙ୍କର ଉନ୍ନତି :– ବୈଷ୍ଣବଧର୍ମର ଉତ୍ଥାନ ହେବାରୁ ପ୍ରାଦେଶିକ ଭାଷାମାନଙ୍କର ବିଶେଷ ଉନ୍ନତି ହୋଇଥିଲା । ବ୍ରାହ୍ମଣମାନେ ସଂସ୍କୃତଭାଷାରେ ସ୍ମୃତି ଲେଖୁଥିଲେ, କିନ୍ତୁ ସନ୍ୟାସୀ ସଂସ୍କାରକମାନେ ପ୍ରକୃତଭାଷାରେ ଗ୍ରନ୍ଥମାନ ଲେଖି ଲୋକମାନଙ୍କୁ ଶିକ୍ଷା ଦେଲେ । ରମାନନ୍ଦ ଓ କବୀରଙ୍କ ଶିଷ୍ୟମାନେ ହିନ୍ଦୀଭାଷାର, ଚୈତନ୍ୟଙ୍କ ଶିଷ୍ୟମାନେ ବଙ୍ଗଭାଷାର, ଆଉ ନାନକଙ୍କ ଶିଷ୍ୟମାନେ ପଞ୍ଜାବୀ ଭାଷାର ଉନ୍ନତି କରିଥିଲେ । ବୈଷ୍ଣବ କବିମାନଙ୍କ ମଧ୍ୟରେ ବଙ୍ଗଳାରେ ବିଦ୍ୟାପତି ଓ ଚଣ୍ଡୀଦାସ ଏବଂ ଓଡ଼ିଶାରେ ଜଗନ୍ନାଥ ଦାସ ଓ ବଳରାମ ଦାସ ପ୍ରସିଦ୍ଧ ଥିଲେ । ଏମାନଙ୍କ ପୂର୍ବରୁ ସାରଳା ଦାସ ନାମକ ଆଉ ଜଣେ କବି ଜନ୍ମଗ୍ରହଣ କରି ଓଡ଼ିଆରେ ମହାଭାରତ ଲେଖିଥିଲେ । ସେ ଜଗନ୍ନାଥ ଦାସଙ୍କ ପୂର୍ବବତ୍ତୀ ଏବଂ ତାହାଙ୍କୁ ଓଡ଼ିଆ ସାହିତ୍ୟର ଜନ୍ମଦାତା ବୋଲାଯାଇପାରେ ।

 

ହିନ୍ଦୁଶାସନ ଓ ହିନ୍ଦୁକ୍ଷମତା :– ମୁସଲମାନମାନେ ରାଜା ହେଲେ ସୁଦ୍ଧା ହିନ୍ଦୁ ରାଜତ୍ୱ କାଳରେ ଦେଶର ଶାସନ ପ୍ରଣାଳୀ ଯେପରି ଥିଲା ବର୍ତ୍ତମାନ ମଧ୍ୟ ସେହିପରି ରହିଲା; ଅତି ସାମାନ୍ୟ ପରିବର୍ତ୍ତନ ଘଟିଥିଲା । ପଠାଣ ସମ୍ରାଟମାନେ ଦେଶକୁ ସୈନ୍ୟ ବଳଦ୍ୱାରା ଅଧୀନ ରଖିଥିଲେ । ଦୁଷ୍ଟ ଲୋକମାନଙ୍କୁ ବହନକରିବା ଲାଗି ସେମାନେ ବଡ଼ ବଡ଼ ସହରରେ ଏବଂ ଯେଉଁଠାରେ ହିନ୍ଦୁଶକ୍ତି ପ୍ରବଳ ଥିଲା ସେଠାରେ ସୈନ୍ୟ ରଖୁଥିଲେ ଦେଶର ଅବଶିଷ୍ଟାଂଶ ହିନ୍ଦୁମାନଙ୍କ ଶାସନରେ ଥିଲା । ଯେତେଦିନ ପର୍ଯ୍ୟନ୍ତ ଏହି ହିନ୍ଦୁଶାସନକର୍ତ୍ତାମାନେ ନିୟମିତ ରୂପେ ରାଜସ୍ୱ ଦାଖଲ କରୁଥିଲେ, ସେତେଦିନ ପର୍ଯ୍ୟନ୍ତ ସେମାନେ ନିଶ୍ଚିନ୍ତ ଭାବରେ ନିଜ ନିଜ ପ୍ରଦେଶ ଶାସନ କରୁଥିଲେ । କିନ୍ତୁ ଯେତେବେଳେ ସେମାନେ ରାଜସ୍ୱ ଦେଇ ପାରୁ ନ ଥିଲେ କିମ୍ବା ସମ୍ରାଟଙ୍କ ବଶ୍ୟତା ସ୍ୱୀକାର କରୁ ନ ଥିଲେ, ସେତେବେଳେ ସମ୍ରାଟମାନେ ସୈନ୍ୟ ପଠାଇ ସେମାନଙ୍କୁ ଦମନ କରୁଥିଲେ । ଯେତେବେଳେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ମୈତ୍ରୀ ଭାବ ଜାତ ହେଲା, ଯେତେବେଳେ ହିନ୍ଦୁମାନେ ଅଧିକ ପରିମାଣରେ ଉଚ୍ଚ ଉଚ୍ଚ ରାଜକୀୟ ପଦରେ ନିଯୁକ୍ତ ହେଲେ । ବିଶେଷତଃ ରାଜସ୍ୱ ଆଦାୟର ଭାର ହିନ୍ଦୁମାନଙ୍କ ଉପରେ ନ୍ୟସ୍ତ ହେଲା ଏବଂ ପଠାଣ ରାଜାମାନଙ୍କର ଅଧିକାଂଶ ମନ୍ତ୍ରୀ ଓ ସେନାପତି ହିନ୍ଦୁ ହେଲେ ।

 

ପଠାଣସୈନ୍ୟ :– ପଠାଣସୈନ୍ୟରେ ଭିନ୍ନ ଭିନ୍ନ ଜାତିର ଲୋକ ଥିଲେ । ଦାସବଂଶୀୟ ରାଜଗଣ ଆଫଗାନଜାତିରୁ ସୈନ୍ୟ ଗ୍ରହଣ କରୁଥିଲେ । ଖିଲଜିବଂଶୀୟ ରାଜଗଣଙ୍କ ସୈନ୍ୟରେ ତାତାରଦେଶୀୟ ଲୋକ, ମୁସଲମାନଧର୍ମ-ଦୀକ୍ଷିତ ମୋଗଲ ଓ ହିନ୍ଦୁମାନେ ଅଧିକ ପରିମାଣରେ ନିଯୁକ୍ତି ଥିଲେ । ପଠାଣରାଜାମାନଙ୍କ ଅମଳରେ ମଧ୍ୟଏସିଆବାସୀ ଭିନ୍ନ ଭିନ୍ନ ଜାତିର ଲୋକମାନେ ଭାରତକୁ ଆସି ପଠାଣସୈନ୍ୟରେ ପ୍ରବେଶ ଲାଭ କରିଥିଲେ । ଏମାନଙ୍କର ରାଜଭକ୍ତି ଆଦୌ ନ ଥିଲା । ଏମାନେ ନିଜ ସ୍ୱାର୍ଥ ପାଇଁ ଯେତେବେଳେ ଇଚ୍ଛା ସେତେବେଳେ ବିଦ୍ରୋହୀ ହେଉଥିଲେ । ଏପରି ବିଭିନ୍ନ ଜାତୀୟ ଲୋକମାନଙ୍କ ଦ୍ୱାରା ଗଠିତ ସୈନ୍ୟକୁ କେବଳ ପରାକ୍ରମୀ ସମ୍ରାଟ୍‌ମାନେ ଦମନକରି ରଖିବାକୁ ସମର୍ଥ ହେଉଥିଲେ, ଦୁର୍ବଳ ସମ୍ରାଟ୍‌ମାନଙ୍କୁ ସେମାନେ ଆଦୌ ଗ୍ରାହ୍ୟ କରୁ ନ ଥିଲେ । ଯେତେବେଳେ ମହମ୍ମଦଟୋଗଲକଙ୍କ ଦୁର୍ବଳତା ଜଣାପଡ଼ିଲା, ପଠାଣସୈନ୍ୟର ନାୟକମାନେ ଉତ୍‌ପାତ ଆରମ୍ଭ କରି ପଠାଣ ସାମ୍ରାଜ୍ୟର ଧ୍ୱଂସସାଧନ କରିଥିଲେ ।

 

ଇଉରୋପୀୟମାନଙ୍କର ଜଳପଥରେ ଭାରତାଗମନ :– ପଠାଣରାଜତ୍ୱର ଶେଷଭାଗରେ ଇଉରୋପର ପର୍ତ୍ତୁଗାଲବାସୀ ପ୍ରସିଦ୍ଧ ନାବିକ ଭାସ୍କୋଡ଼ାଗାମା ଉତ୍ତମାଶା ଅନ୍ତରୀପ ଆବିଷ୍କାର କରି ଜଳପଥରେ ଭାରତକୁ ଆସିବାର ମାର୍ଚ୍ଚ ଇଉରୋପୀୟମାନଙ୍କୁ ଦେଖାଇ ଦେଇଥିଲେ (୧୪୯୮ ଖ୍ରୀ : ଅ:) । ସେପର୍ଯ୍ୟନ୍ତ ସମୁଦ୍ର ପଥରେ କୌଣସି ଇଉରୋପବାସୀ ଭାରତକୁ ଆସି ନ ଥିଲେ । ୧୫୧୦ ଖ୍ରୀ: ଅବ୍ଦରେ ଯେତେବେଳେ ପର୍ତ୍ତୁଗାଲବାସୀମାନେ ଜଳପଥରେ ଯୁଦ୍ଧଜାହାଜ ଘେନି ଆସି ଗୋଆନଗର ଆକ୍ରମଣ କରି ସ୍ୱାଧିକାରଭୁକ୍ତ କଲେ, ସେତେବେଳେ ଦେଖାଗଲା ଯେ, ଯେଉଁ ସମୁଦ୍ର ସେପର୍ଯ୍ୟନ୍ତ ଭାରତକୁ ବାହ୍ୟ ଶତ୍ରୁର ଆକ୍ରମଣରୁ ରକ୍ଷା କରିଆସିଥିଲା ତାହା ମଧ୍ୟ ଏକ ସମୟରେ ନାନା ବିପଦ ଘଟାଇପାରେ ।

Image

 

ମୋଗଲ ରାଜତ୍ୱ

 

ମୋଗଲ ସାମ୍ରାଜ୍ୟ ସ୍ଥାପନଠାରୁ ବ୍ରିଟନୀୟ ଶାସନର ମୂଳଭିତ୍ତି ସ୍ଥାପନ ପର୍ଯ୍ୟନ୍ତ ରାଜନୈତିକ ଅବସ୍ଥା ।

 

ପୂର୍ବେ କୁହାଯାଇଅଛି ଯେ, ବାବର ପଠାଣ ଓ ରାଜପୁତମାନଙ୍କୁ ପରାଜୟକରି ମୋଗଲ ସାମ୍ରାଜ୍ୟର ପତ୍ତନ ଆରମ୍ଭ କରିଥିଲେ । କିନ୍ତୁ ଅଳ୍ପଦିନପରେ ତାଙ୍କର ମୃତ୍ୟୁ ହେବାରୁ ସେ ନବ ପ୍ରତିଷ୍ଠିତ ସାମ୍ରାଜ୍ୟକୁ ଦୃଢ଼ୀଭୂତ କରିପାରି ନ ଥିଲେ । ତାଙ୍କ ଅନ୍ତେ ତାଙ୍କ ପୁତ୍ର ହୁମାୟୁନ୍‍ ସମ୍ରାଟ୍ ହେଲେ । ସେ ସମୟରେ ଗୁଜରାଟର ରାଜା ବାହାଦୁରସାହ ପରକ୍ରମୀ ହୋଇ ମାଳବକୁ ନିଜରାଜ୍ୟରେ ସାମିଲ କଲେ । ଶେର ଖାଁ ନାମକ ଏକ ପଠାଣ ସର୍ଦ୍ଦାର ପୂର୍ବପ୍ରଦେଶମାନଙ୍କରେ ପରାକ୍ରମୀ ହୋଇଥିଲେ । ହୁମାୟୁନ୍‍ ଶେର ଖାଁଙ୍କ ଦ୍ୱାରା କାନ୍ୟକୁରୁ ଯୁଦ୍ଧରେ ସମ୍ପୂର୍ଣ୍ଣରୂପେ ପରାଜିତ ହୋଇ ଭାରତରୁ ପଳାଇଗଲେ (୧୫୪୦) ।

 

ମାତ୍ର ପଠାଣରାଜ୍ୟ ବହୁକାଳ ସ୍ଥାୟୀ ହୋଇ ନ ଥିଲା । ଶେରସାହାଙ୍କ ଅନ୍ତେ ଗୃହବିବାଦ ଉପସ୍ଥିତ ହେଲା । ହିମୁ ନାମକ ସମ୍ରାଟଙ୍କର ଏକ ପ୍ରିୟପାତ୍ର ପରାକ୍ରମୀ ହୋଇ ନାନା ଅତ୍ୟାଚାର କଲେ । ଏହି ସୁବିଧା ପାଇ ହୁମାୟୁନ୍‍ କାବୁଲରୁ ଆସି ସିକନ୍ଦର ସୁରଙ୍କୁ ସିରହିନ୍ଦ୍‍ ଯୁଦ୍ଧରେ ପରାସ୍ତ କରି ଦିଲ୍ଲୀ ଅଧିକାର କରିନେଲେ (୧୫୫୫) । କିନ୍ତୁ ଅଳ୍ପଦିନ ପରେ ହୁମାୟୁନଙ୍କ ମୃତ୍ୟୁ ହେଲା । ହିମୁ ପଠାଣସାମ୍ରଜ୍ୟ ରକ୍ଷା କରିବାଲାଗି ଚେଷ୍ଟା କଲେ । କିନ୍ତୁ ସେ ହୁମାୟୁନଙ୍କ ପୁତ୍ର ଆକବରଙ୍କ କର୍ତ୍ତୁକି ୧୫୫୬ରେ ୨ୟ ପାନିପଥ ଯୁଦ୍ଧରେ ପରାଜିତ ହେବାରୁ ପଠାଣସାମ୍ରାଜ୍ୟ ପୁନର୍ବାର ଲୋପ ପାଇଲା ।

 

ମୋଗଲସାମ୍ରାଜ୍ୟ ଓ ଆକବର :– ଆକବର ଦିଲ୍ଲୀ ଅଧିକାର କରିବା ସମୟରେ ତାଙ୍କୁ ୧୪ ବର୍ଷ ମାତ୍ର ବୟସ ହୋଇଥିଲା । ସେ ଚାରିବର୍ଷ ମଧ୍ୟରେ ଆଫଗାନମାନଙ୍କୁ ଜୋନପୁର ପର୍ଯ୍ୟନ୍ତ ତଡ଼ିଦେଇ ନିଜ କର୍ମ୍ମଚାରୀମାନଙ୍କ ଉପରେ କ୍ଷମତା ଦୃଢ଼ୀଭୁତ କରିବାକୁ ଲାଗିଲେ । ଏହା କରିବାକୁ ତାଙ୍କୁ ସାତବର୍ଷ ଲାଗିଥିଲା । ୨୫ ବର୍ଷ ବୟସ ସମୟରେ ସେ ରାଜ୍ୟ ମଧ୍ୟରେ ସମସ୍ତ ବିଦ୍ରୋହ ଓ ଉତ୍ପାତ ନିବାରଣ କରିଥିଲେ ।

 

ରାଜପୁତ୍ରମାନଙ୍କ ବଶୀକରଣ :– ମିତ୍ରତା ଓ ବିବାହ ସମ୍ବନ୍ଧରେ ସ୍ଥାପନଦ୍ୱାରା ସେ ରାଜପୁତମାନଙ୍କୁ ବଶ କରିଥିଲେ । ଜୟପୁରର ରାଜା ବିହାରୀମଲ୍ଲଙ୍କ କନ୍ୟାଙ୍କୁ ଆକବର ନିଜେ ବିବାହ କଲେ ଏବଂ ତାଙ୍କର ଶ୍ୱଶୁରଙ୍କୁ ଓ ଶଳା ଭଗବାନ ଦାସଙ୍କୁ ଉଚ୍ଚ ରାଜକାର୍ଯ୍ୟ ଦେଲେ । ଅନ୍ୟନ୍ୟ ରାଜପୁତ ସର୍ଦ୍ଦାରମାନେ ଆକବରଙ୍କ ଅଧୀନରେ ଚାକିରି କରିବାକୁ ଲାଗିଲେ ଏବଂ ଅଳ୍ପଦିନ ମଧ୍ୟରେ ରାଜପୁତନାର ଅଧିକାଂଶ ଆକବରଙ୍କ ବଶରେ ଆସିଲା । କିନ୍ତୁ ମିବାରର ରାଜପୁତମାନେ ବଶ୍ୟତା ସ୍ୱୀକାର କରି ନ ଥିଲେ । ଏଣୁ ଆକବର ୧୫୬୮ ଖ୍ରୀଷ୍ଟାବ୍ଦରେ ଚିତୋର ଆକ୍ରମଣ କରି ଅଧିକାର କଲେ ।

 

ଉତ୍ତରଭାରତ-ବିଜୟ ଓ ସାମ୍ରାଜ୍ୟ-ଦୃଢ଼ୀକରଣ :– ଆକବର ୧୫୭୨ ଖ୍ରୀଷ୍ଟାବ୍ଦରେ ଗୁଜୁରାଟ, ୧୫୭୫ରେ ଦାୟଦଙ୍କଠାରୁ ବଙ୍ଗଳା ଅଧିକାର କଲେ । ଆକବରଙ୍କ ଭାଇ ମିର୍ଜା ହାକିମଙ୍କ ଅନ୍ତେ କାବୁଲ ୧୫୮୫ରେ ମୋଗଲ ସାମ୍ରାଜ୍ୟଭୁକ୍ତ ହେଲା । କିଛିକାଳ ଆକବର କାଶ୍ମୀର ଅଧିକାର କରି ତାହାକୁ ନିଜ ରାଜ୍ୟରେ ସାମିଲ କରିଥିଲେ । ୧୫୫୨ରେ ସିନ୍ଧୁପ୍ରଦେଶ ଏବଂ ୧୫୯୪ରେ କାନ୍ଦାହାର ମୋଗଲସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେଲା । ଏହିରୂପେ ୪୦ ବର୍ଷ ମଧ୍ୟରେ ଆକବର ଉତ୍ତର ଭାରତକୁ ଜୟକରି ତହିଁରେ ନିଜ ସାମ୍ରାଜ୍ୟ ଦୃଢ଼ୀଭୂତ କରିଥିଲେ ।

 

ଦାକ୍ଷିଣାତ୍ୟ-ବିଜୟ :– ଆହାମଦନଗରରେ ଗୃହବିବାଦ ଲାଗି ଦୁଇ ଦଳର ସୃଷ୍ଟି ହୋଇଥିଲା, ତନ୍ମଧ୍ୟରୁ ଏକଦଳ ଆକବରଙ୍କ ସାହାଯ୍ୟ ଲୋଡ଼ିଥିଲେ । ଆକବର ତାଙ୍କ ପୁତ୍ର ମୁରାଦଙ୍କୁ ସେଠାକୁ ପଠାଇଥିଲେ । ମୁରାଦ ଚାନ୍ଦାସୁଲୁତାନାଙ୍କ ଦ୍ୱାରା ପରାଜିତ ହେଲେ । ୧୫୯୯ରେ ଆକବର ନିଜେ ସୈନ୍ୟ ଘେନି ସେଠାକୁ ଯାଇଥିଲେ, ଏବଂ ଏହି ସମୟରେ ଚାନ୍ଦାସୁଲୁତାନା ନିହତ ହୋଇଥିବାରୁ ଆହାମଦନଗର ସହଜେ ଅଧିକୃତ ହେଲା । ତତ୍ପରେ ଆକବର ଖାନ୍ଦେଶକୁ ନିଜ ରାଜ୍ୟରେ ସାମିଲ କଲେ । ଏହା ଦେଖି ବିଜାପୁର ଓ ଗୋଲକୁଣ୍ଡାର ରାଜାମାନେ ଆକବରଙ୍କ ସଙ୍ଗେ ମିତ୍ରତା ସ୍ଥାପନ କରିଥିଲେ । ଏହିରୂପେ ଆକବର ଏକ ପ୍ରକାଣ୍ଡ ମୋଗଲ ସାମ୍ରାଜ୍ୟ ସ୍ଥାପନ କରି ତାହାକୁ ଦୃଢ଼ୀଭୂତ କରିବାପରେ ୧୬୦୫ରେ ପ୍ରାଣତ୍ୟାଗ କଲେ-

 

ଜାହାଙ୍ଗିର ଓ ସାହାଜାହାନ; ୧୬୦୫-୧୬୫୮ :– ଉତ୍ତରଭାରତରେ କେବଳ ମିବାରରାଜ୍ୟ ଆକବରଙ୍କ ଅଧୀନତା ସ୍ୱୀକାର କରି ନ ଥିଲା । ଜାହାଙ୍ଗିର ସେଠାକୁ ଅନେକଥର ସୈନ୍ୟ ପଠାଇ ଅକୃତକାର୍ଯ୍ୟ ହୋଇଥିଲେ । ଅବଶେଷରେ ତାହାଙ୍କର ପୁତ୍ର ସାହାଜାହାନ ୧୬୧୪ରେ ତତ୍କାଳୀନ ରାଜା ଅମରସିଂହଙ୍କୁ ସନ୍ଧି କରିବାଲାଗି ବାଧ୍ୟ କରିଥିଲେ । ଅହାମଦନଗର ବିଜିତ ହେଲେ ସୁଦ୍ଧା ଆକବରଙ୍କ ଅଧୀନତା ସ୍ୱୀକାର କରି ନ ଥିଲେ । ମାଲିକ ଆମ୍ବର ଆହାମଦନଗରକୁ ସ୍ୱାଧିନ ରଖିବାଲାଗି ବିଶେଷ ଚେଷ୍ଟା କରୁଥିଲେ, କିନ୍ତୁ ସେ ସାହାଜାହାନଙ୍କ ଦ୍ୱାରା ପରାଜିତ ହୋଇ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ (୧୬୨୧) ।

 

ସାହାଜାହାନଙ୍କ ଅମଳରେ ଆହାମଦନଗର ପୁନର୍ବାର ଯୁଦ୍ଧ କରି ପରାସ୍ତ ହେବାରୁ ୧୬୩୭ରେ ମୋଗଲ ସାମ୍ରାଜ୍ୟ-ଭୁକ୍ତ ହେଲା । ବିଜାପୁର ଓ ଗୋଲକୁଣ୍ଡା ଏହି ଦୁଇ ରାଜ୍ୟ ସାହାଜାହାନଙ୍କ କରଦ ରାଜ୍ୟ ହେଲା ।

 

ଅଉରଙ୍ଗଜେବ :– ସାହାଜାହାନଙ୍କ ଅନ୍ତେ ତାଙ୍କ ୪ର୍ଥ ପୁତ୍ର ଅଉରଙ୍ଗଜେବ ବଳକୌଶଳରେ ଅନ୍ୟାନ୍ୟ ଭାଇମାନଙ୍କୁ ହତ୍ୟାକରି ସମ୍ରାଟ ହେଲେ । ସେ ଅତ୍ୟନ୍ତ ଅତ୍ୟାଚାରୀ ଓ ହିନ୍ଦୁବିଦ୍ୱେଷୀ ଥିଲେ । ଏହାଙ୍କ ଅମଳରେ ମୋଗଲସାମ୍ରାଜ୍ୟ ଉନ୍ନତିର ଚରମ ସୀମାରେ ଉପସ୍ଥିତ ହୋଇଥିଲେ ସୁଦ୍ଧା ତହିଁର ପତନ ଆରମ୍ଭ ହୋଇଥିଲା । ଏହାଙ୍କ ରାଜତ୍ୱର ଆରମ୍ଭକାଳରେ ଦାକ୍ଷିଣାତ୍ୟରେ ବିଖ୍ୟାତ ମରହଟ୍ଟା ଜାତିର ଅଭ୍ୟୁଦୟ ହୋଇଥିଲା । ଶିବାଜୀ ଏହାର ନେତା ଥିଲେ-। କିପରି ଏହି ଜାତି ପରାକ୍ରମୀ ହୋଇଥିଲା ତାହା ପରେ କୁହାଯିବ ।

 

ରାଜପୁତ ବିଦ୍ରୋହ :– ଅଉରଙ୍ଗଜେବ ହିନ୍ଦୁମାନଙ୍କ ଉପରେ ଜିଜିଆ କର ବସାଇବାରୁ ରାଜପୁତମାନେ ମିଳିତ ହୋଇ ବିଦ୍ରୋହୀ ହେଲେ । ମିବାରର ରାଣା ରାଜସିଂହ ଏମାନଙ୍କର ନେତା ହୋଇ ଜିଜିଆ କର ଦେବାକୁ ଅସ୍ୱୀକାର କରି ମୋଗଲମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଲାଗିଲେ । ଅବଶେଷରେ ଅଉରଙ୍ଗଜେବ ବାଧ୍ୟ ହୋଇ ରାଜପୁତମାନଙ୍କ ସଙ୍ଗେ ସନ୍ଧି କରିଥିଲେ ।

 

ବିଜାପୁର ଓ ଗୋଲକୁଣ୍ଡାର ଅଧିକାର :– ମରହଟ୍ଟା ସର୍ଦ୍ଦାର ଶମ୍ଭୁଜିଙ୍କ ମୋଗଲରାଜ୍ୟ ଲୁଣ୍ଠନରେ ଗୋଲକୁଣ୍ଡାର ରାଜା ସହାୟତା କରିଥିବାରୁ ଅଉରଙ୍ଗଜେବ ତାହାଙ୍କ ବିରୁଦ୍ଧରେ ସୈନ୍ୟ ପଠାଇ ତାଙ୍କ ସଙ୍ଗେ ପ୍ରଥମେ ସନ୍ଧିସ୍ଥାପନ କଲେ । ତତ୍ପରେ ସେ ବିଜାପୁର ଆକ୍ରମଣ କରି ୧୬୮୬ରେ ତାହାକୁ ମୋଗଲ ସାମ୍ରାଜ୍ୟଭୁକ୍ତ କରିଥିଲେ । ତଦନନ୍ତର ସେ ଗୋଲକୁଣ୍ଡାରାଜାଙ୍କ ସନ୍ଧି ଭଗ୍ନ କରି ୧୬୮୮ରେ ତାହାଙ୍କୁ ପରାସ୍ତ କଲେ ଏବଂ ତାହାଙ୍କ ରାଜ୍ୟକୁ ନିଜ ସାମ୍ରାଜ୍ୟଭୁକ୍ତ କଲେ ।

 

ଅଉରଙ୍ଗଜେବଙ୍କ ମରହଟ୍ଟା ଦମନ :– ୧୬୮୯ରେ ଅଉରଙ୍ଗଜେବ ଶିବାଜିଙ୍କ ପୁତ୍ର ଶମ୍ଭୁଜିଙ୍କୁ ଧରିନେଇ ବଧ କଲେ, ଏବଂ ଶମ୍ଭୁଜିଙ୍କ ପୁତ୍ର ସାହୁଙ୍କୁ କାରାରୁଦ୍ଧ କରି ଅନେକ ମରହଟ୍ଟାଦୁର୍ଗ ଅଧିକାର କରିନେଲେ । କିନ୍ତୁ ମରହଟ୍ଟାମାନେ ପୁନର୍ବାର କ୍ଷମତାଶାଳୀ ହୋଇ ଏକ ଏକ କରି ସମସ୍ତ ଦୁର୍ଗ ଅଧିକାର କରିନେଲେ ଏବଂ ଅଉରଙ୍ଗଜେବ ବ୍ୟତିବ୍ୟସ୍ତ ହୋଇ ଆହାମଦନଗରକୁ ଫେରିଆସି ସେହିଠାରେ ପଞ୍ଚତ୍ୱପ୍ରାପ୍ତ ହୋଇଥିଲେ (୧୭୦୭) ।

 

ଅଉରଙ୍ଗଜେବଙ୍କ ଅନ୍ତେ ତାଙ୍କ ପୁତ୍ର ବାହାଦୁରସାହା ସମ୍ରାଟ୍ ହୋଇ ସମସ୍ତ ରାଜପୁତନାର ସ୍ୱାଧୀନତା ସ୍ୱୀକାର କଲେ । ତତ୍‌ପରେ ବାହାଦୁରଙ୍କ ଜ୍ୟେଷ୍ଠ ପୁତ୍ର ଜାହାନ୍ଦର ସାହା ସମ୍ରାଟ୍ ହେଲେ । କିନ୍ତୁ କେତେକ ମାସ ଉତ୍ତାରେ ସୟଦ ହାସନଆଲି ଓ ସୟଦ ଅବଦୁଲା ଦୁଇ ପଠାଣ ଭ୍ରାତା ଏହାକୁ ହତ୍ୟା କରି ଏହାଙ୍କ ଭାଲ ଫରକ୍‌ସେୟାରଙ୍କୁ ସିଂହାସନରେ ବସାଇଲେ (୧୭୧୨) । ଏହି ସମୟରୁ ସୟଦ ଭ୍ରାତୃଦ୍ୱୟ ରାଜ୍ୟର ସର୍ବେସର୍ବା ହେଲେ । ଏମାନେ ଇଚ୍ଛାନୁସାରେ ସମ୍ରାଟ୍‌ମାନଙ୍କୁ ସିଂହାସନରେ ବସାଇ ତହିଁରୁ ତଡ଼ି ଦେଇ ପାରୁଥିଲେ । ଏମାନେ ଅତ୍ୟାଚାରୀ ଥିବାରୁ ପ୍ରାଦେଶିକ ଶାସନକର୍ତ୍ତାମାନେ ବିଦ୍ରୋହୀ ହେବାକୁ ଲାଗିଲେ । ଏହିପରି ଅଉରଙ୍ଗଜେବଙ୍କ ମୃତ୍ୟୁର ୪୦ ବର୍ଷ ମଧ୍ୟରେ ମୋଗଲ ସାମ୍ରାଜ୍ୟ ଛାରଖାର ହୋଇଯାଇଥିଲା ।

 

ନାଦୀରସାହାଙ୍କ ଭାରତ-ଆକ୍ରମଣ :– ୧୭୩୮ରେ ପାରସ୍ୟର ରାଜା ନାଦୀରସାହା ଭାରତ ଆକ୍ରମଣ କରି ମୋଗଲ ସାମ୍ରାଜ୍ୟର ଅସ୍ତିତ୍ୱ ଏକାବେଳକେ ଲୋପ କରିଥିଲେ । ସେ ଦିଲ୍ଲୀ ଅଧିକାର କରି ସମସ୍ତ ଧନସମ୍ପତ୍ତି ଲୁଟିକରି ନେଇଯାଇଥିଲେ । ସିନ୍ଧୁନଦୀର ପଶ୍ଚିମବର୍ତ୍ତୀ ପ୍ରଦେଶ ପାରସ୍ୟ ରାଜଭୁକ୍ତ ହୋଇଥିଲା ।

 

ହିନ୍ଦୁରାଜ୍ୟ :– ମୋଗଲ ସାମ୍ରାଜ୍ୟର ପତନରୁ ଅନେକ ହିନ୍ଦୁରାଜ୍ୟର ଉତ୍ପତ୍ତି ହେଲା । ଗୁର୍ଖାମାନେ ନେପାଳରେ ଏକ ରାଜ୍ୟ ସ୍ଥାପନ କଲେ । ଉତ୍ତରପଶ୍ଚିମରେ ଶିଖମାନେ ପରାକ୍ରମୀ ହୋଇ ପଞ୍ଜାବକୁ ଲୁଟ କରିବାକୁ ଲାଗିଲେ । ଭରତପୁରରେ ଜଠମାନେ ସ୍ୱାଧୀନ ରାଜ୍ୟ ସ୍ଥାପନ କଲେ । ରାଜପୁତନାର ରାଜାମାନେ ସ୍ୱାଧୀନ ହେଲେ । ଦକ୍ଷିଣାତ୍ୟରେ ମହୀଶୁରରେ ଏକ ହିନ୍ଦୁରାଜ୍ୟ ସ୍ଥାପିତ ହେଲା । ସେତାରା ଓ କୋଲାପୁରରେ ଶିବାଜିଙ୍କ ବଂଶଧରମାନେ ରାଜତ୍ୱ କରୁଥିଲେ । ମରହଟ୍ଟାମାନଙ୍କର ପାଞ୍ଚଗୋଟି ଦଳ ଭିନ୍ନ ଭିନ୍ନ ସ୍ଥାନରେ ସ୍ୱାଧୀନ ରାଜ୍ୟସ୍ଥାପନ କରିଥିଲେ–ନାଗପୁରରେ ଭୋଁସଲା, ଗୋୟାଲିଅରରେ ସିନ୍ଧୟା, ଇନ୍ଦୋରରେ ହୋଲକାର ଏବଂ ବରୋଦାରେ ଗାଇକୋବାଡ଼ ସ୍ୱାଧୀନ ରାଜ୍ୟ ସ୍ଥାପନ କରିଥିଲେ । ପୁନାଠାରେ ପେଶବାମାନେ ଅତ୍ୟନ୍ତ ପରାକ୍ରମୀ ହୋଇଥିଲେ । ଏମାନଙ୍କୁ ପଞ୍ଚ ମରହଟ୍ଟା ନେତୃଦଳ ବୋଲାଯାଏ ।

 

ମୁସଲମାନ ରାଜ୍ୟ :– ଦାକ୍ଷିଣାତ୍ୟରେ ନିଜାମଉଲ୍‌ମୁଲକ୍ ହାଇଦ୍ରାବାଦକୁ ରାଜଧାନୀ କରି ଏକ ସ୍ୱାଧୀନ ରାଜ୍ୟ ସ୍ଥାପନ କରିଥିଲେ । କର୍ଣ୍ଣାଟରେ ଆର୍କଟର ନବାବ ନାମକୁମାତ୍ର ନିଜାମଙ୍କ ଅଧୀନରେ ଥିଲେ ହେଁ ସର୍ବଦା ସ୍ୱାଧୀନ ହେବାଲାଗି ଚେଷ୍ଟା କରୁଥିଲେ । ଉତ୍ତରଭାରତରେ ସିନ୍ଧୁନଦୀର ପଶ୍ଚିମପାର୍ଶ୍ୱ ପାରସ୍ୟ ରାଜ୍ୟଭୁକ୍ତ ହୋଇଥିଲା । ଦିଲ୍ଲୀର ଉତ୍ତରରେ ରୋହିଲା ନାମକ ଏକ ଆଫଗାନ ଜାତି ପରାକ୍ରମୀ ହୋଇ ରୋହିଲାଖଣ୍ଡ ନାମକ ଏକ ଆଫଗାନରାଜ୍ୟ ସ୍ଥାପନ କରିଥିଲେ । ଅଯୋଧ୍ୟାର ନବାବ ସାବତ ଅଲି ଖାଁ ସ୍ୱାଧୀନ ହୋଇ ବସିଥିଲେ । ଆଲିବର୍ଦ୍ଦି ଖାଁ ବଙ୍ଗଳା, ବିହାର ଓ ଓଡିଶାରେ ସର୍ବୋସର୍ବା ହୋଇ ସ୍ୱାଧୀନ ହୋଇଥିଲେ (୧୭୪୦) ।

ମରହଟ୍ଟା ଜାତି :– ମୁସଲମାନମାନେ ଭାରତ ଆକ୍ରମଣ କରିବା ପୂର୍ବେ ଦାକ୍ଷିଣାତ୍ୟରେ ମହାରାଷ୍ଟ୍ର ନାମରେ ଏକ ପ୍ରଦେଶ ଥିଲା । ସେ ପ୍ରଦେଶର ରାଜା ହିନ୍ଦୁଥିଲେ, ଏବ ସ୍ୱାଧୀନଭାବରେ ଏହି ପ୍ରଦେଶକୁ ଶାସନ କରୁଥିଲେ । ଏହି ପ୍ରଦେଶର ଅଧିବାସୀମାନଙ୍କୁ ମରହଟ୍ଟା ଏବଂ ସେମାନଙ୍କ ନେତାଙ୍କୁ ସର୍ଦ୍ଦାର କହନ୍ତି ।

ପ୍ରାୟ ୧୬୩୪ରେ ସାହଜି ଭୋଁସଲା ନାମକ ଏକ ମରହଟ୍ଟା ସର୍ଦ୍ଦାର ବିଶେଷ ଖ୍ୟାତି ଲଭିଥିଲେ । ସେ ଅହାମଦନଗର ଓ ବିଜାପୁର ମୁସଲମାନରାଜାଙ୍କ ଅଧୀନରେ ରହି ମୋଗଲମାନଙ୍କ ସହିତ ଯୁଦ୍ଧ କରୁଥିଲେ । ଏଥିସକାଶେ ସେ ଅନେକ ଜାୟଗିର ପାଇଥିଲେ ଏବଂ ତାହାଙ୍କ ଅଧୀନରେ ଏକଦଳ ସୈନ୍ୟ ଥିଲା । ଶିବାଜି ଏହି ସାହଜିଙ୍କ ପୁତ୍ର । ସେ ୧୬୨୭ରେ ଜନ୍ମଗ୍ରହଣ କରିଥିଲେ । ଏହି ବିଖ୍ୟାତ ବ୍ୟକ୍ତିଙ୍କର ସବିଶେଷ ଜୀବନୀ ତୁମ୍ଭେମାନେ ପ୍ରଥମ ଭାଗରେ ପାଠ କରିଅଛି । ସେ ପଶ୍ଚିମଘାଟ ପର୍ବତ ସମୂହରେ ଦୁର୍ଗ ନିର୍ମାଣ କରି ବାସ କରୁଥିଲେ-। ଦାକ୍ଷିଣାତ୍ୟର ହିନ୍ଦୁ କୃଷକମାନଙ୍କ ଦ୍ୱାରା ତାଙ୍କ ସୈନ୍ୟଦଳ ଗଠିତ ହୋଇଥିଲା । ସେମାନେ ବର୍ଚ୍ଛାଧରି ସାନ ସାନ ଘୋଡ଼ାରେ ଚଢ଼ି ଯୁଦ୍ଧ କରୁଥିଲେ । ସେମାନେ ଏପରିଭାବରେ ଶିକ୍ଷିତ ହୋଇଥିଲେ ଯେ, ସଙ୍କେତ ପାଇଲାମାତ୍ରେ କାହୁଁ ଆସି ଏକତ୍ରିତ ହୋଇ ଯାଉଥିଲେ, ଏବଂ ପୁଣି ସଙ୍କେତ ପାଇଲାମାତ୍ରେ କେଉଁଆଡ଼େ ପଳାଇଯାଇ ପାରୁଥିଲେ । କେବଳ ଫସଲକଟା ସମୟ ଛାଡ଼ି ସେମାନେ ସବୁ ସମୟରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥାନ୍ତି । ସେଥିଲାଗି ଶିବାଜିଙ୍କ ଅଧୀନରେ ଅନେକ ସୈନ୍ୟ ଥିଲେହେଁ ସେମାନଙ୍କ ବ୍ୟୟ ନିର୍ବାହ ସକାଶ ଶିବାଜିଙ୍କ ହାତରୁ ପ୍ରାୟ କିଛି ବ୍ୟୟ ପଡ଼ୁ ନ ଥିଲା ।

ଶିବାଜିଙ୍କ ବଂଶ :– ଶିବାଜିଙ୍କ ଅନ୍ତେ ତାଙ୍କ ପୁତ୍ର ଶମ୍ଭୁଜି ରାଜା ହେଲେ ଏବଂ ୧୬୮୯ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ମୋଗଲ ଓ ପର୍ତ୍ତୁଗିଜମାନଙ୍କ ସଙ୍ଗେ ଯୁଦ୍ଧ କରି ସେ ତାଙ୍କ ଜୀବନ କଟାଇଥିଲେ । ୧୬୮୯ରେ ଅଉରଙ୍ଗଜେବ ତାଙ୍କୁ ଧରିନେଇ ତାଙ୍କର ଆଖି ଫୁଟାଇ ଦେଲେ ଏବଂ ତତ୍ପରେ ଜିଭ କାଟି ମାରିପକାଇଲେ । ତତ୍ପରେ ତାହାଙ୍କର ୬ ବର୍ଷର ପୁଅ ସାହୁ ଅଉରଙ୍ଗଜେବଙ୍କ ଦ୍ୱାରା ବନ୍ଦୀ ହୋଇଥିଲେ । ଅଉରଙ୍ଗଜେବଙ୍କ ମୃତ୍ୟୁପରେ ସାହୁ କାରାମୁକ୍ତ ହେଲେ ସତ୍ୟ, କିନ୍ତୁ ଅନେକଦିନ ମୋଗଲମାନଙ୍କ ଅଧୀନରେ ରହିଥିବାରୁ ତାଙ୍କର ରୀତି, ନୀତି ଅଧାମରହଟ୍ଟା ଅଧାମୋଗଲ ହୋଇଥିଲା । ସେ ରାଜ୍ୟଶାସନର ଭାର ଜଣେ ବ୍ରାହ୍ମଣମନ୍ତ୍ରୀ ବାଲାଜି ବିଶ୍ୱନାଥ ଉପରେ ଅର୍ପଣ କରି ଘରେ ବସି କାଳଯାପନ କରିଥିଲେ । ବାଲାଜି ବିଶ୍ୱନାଥ ପେଶବା ଉପାଧି ଧାରଣ କରି ରାଜ୍ୟ ଶାସନ କରୁଥିଲେ । କ୍ରମେ ଏହି ପଦ ପୁରୁଷାନୁକ୍ରମିକ ହୋଇଥିଲା । ଅବଶେଷରେ ପେଶବାମାନଙ୍କର କ୍ଷମତା ମରହଟ୍ଟା ରାଜାମାନଙ୍କଠାରୁ ବଳି ପଡ଼ିଥିଲା । ଶିବାଜିଙ୍କ ବଂଶଧରମାନେ କେବଳ ସେତାରା ଓ କୋଲାପୁରଠାରେ ରାଜତ୍ୱ କରୁଥିଲେ ।

ପେଶବା ବଂଶ :– ୧୭୧୮ ଖ୍ରୀ: ଅ:ରେ ପ୍ରଥମ ପେଶବା ବାଲାଜି ବଶ୍ୱନାଥ ତତ୍‌କାଳୀନ ଦିଲ୍ଲୀ ସମ୍ରାଟଙ୍କ ଉପରେ ପ୍ରଭୂତ କ୍ଷମତା ଲାଭକରି ଦାକ୍ଷିଣାତ୍ୟରୁ ଚୌଥ ଅର୍ଥାତ୍ ରାଜସ୍ୱର ଏକଚତୁର୍ଥାଂଶ ଆଦାୟ କରିବାର କ୍ଷମତା ପାଇଥିଲେ । ମରହଟ୍ଟାମାନେ ପୁନା ଓ ସେତାରାର ଚତୁର୍ଦ୍ଦିଗସ୍ଥ ସ୍ଥାନସମୂହ ଅଧିକାର କରିଥିଲେ । ଦ୍ୱିତୀୟ ପେଶବା ବାଜିରାଓ (୧୭୨୮-୪୦) ଦାକ୍ଷିଣାତ୍ୟରେ ନିଜ ରାଜ୍ୟବିସ୍ତାର କରିଥିଲେ । ୧୫ ବର୍ଷ ମଧ୍ୟରେ ସେ ଦିଲ୍ଲୀ ସମ୍ରାଟଙ୍କଠାରୁ ମାଲବ ଓ ନର୍ମଦାଠାରୁ ଚମ୍ବଲ ପର୍ଯ୍ୟନ୍ତ ସମସ୍ତ ସ୍ଥାନ ଛଡ଼ାଇ ନେଇଥିଲେ । ୧୭୩୯ରେ ସେ ପର୍ତ୍ତୁଗିଜମାନଙ୍କଠାରୁ ବେସିନ ନଗର ବଳପୂର୍ବକ ନେଇଯାଇଥିଲେ । ତୃତୀୟ ପେଶବା ବାଲାଜି ବାଜିରାଓ ମରହଟ୍ଟାମାନଙ୍କର କ୍ଷମତା ମୋଗଲସାମ୍ରାଜ୍ୟର କେନ୍ଦ୍ରସ୍ଥଳ ପର୍ଯ୍ୟନ୍ତ ବିସ୍ତାର କରିଥିଲେ । ଦାକ୍ଷିଣାତ୍ୟରେ ନିଜାମଙ୍କ ରାଜ୍ୟର କେତେକାଂଶ ଜୟକରି ନିଜ ରାଜ୍ୟ ବଢ଼ାଇଥିଲେ । ଏ ସମୟରେ ମରହଟ୍ଟାମାନଙ୍କର ଦୁଇଗୋଟି ପ୍ରଧାନ ଦଳ ଥିଲା–ଗୋଟିଏ ଦଳ ପୁନାଠାରେ, ଆଉ ଗୋଟିଏ ଦଳ ନାଗପୁରଠାରେ । ନାଗପୁର ଦଳକୁ ଭୋଁସ୍‌ଲା ଦଳ କୁହାଯାଉଥିଲା । ନାଗପୁରର ଭୋଁସ୍‍ଲାଦଳ ୧୭୪୧-୪୨ରେ ବଙ୍ଗଳା ଆକ୍ରମଣ କରି ବଙ୍ଗଳା-ଶାସନକର୍ତ୍ତା ଆଲିବର୍ଦ୍ଦି ଖାଁଙ୍କ ଦ୍ୱାରା ପରାଜିତ ହୋଇଥିଲେ । ୧୭୪୩ରେ ଭୋଁସ୍‌ଲା ଦଳର ସର୍ଦ୍ଦାର ରଘୁଜି ଭୋଁସ୍‌ଲା ନିଜେ ବଙ୍ଗଳା ଆକ୍ରମଣ କରି ଲୁଟି କରିଥିଲେ । ୧୭୫୧ରେ ଏହି ମରହଟ୍ଟାଦଳ ବଙ୍ଗଳାରୁ ଚୌଥ ଆଦାୟ କଲେ, ଓ ଓଡ଼ିଶାକୁ ଆଲିବର୍ଦ୍ଦି ଖାଁଙ୍କଠାରୁ ପାଇଥିଲେ ।

ପୁନାର ମରହଟ୍ଟାଦଳ ପଞ୍ଜାବ ପର୍ଯ୍ୟନ୍ତ ଲୁଟି କରିବାକୁ ଆରମ୍ଭ କରିଥିଲେ । ପଞ୍ଜାବପ୍ରଦେଶ ସେ ସମୟରେ ଆଫଗାନିସ୍ଥାନର ରାଜା ଅହମଦଶାହ ଦୁରାଣିଙ୍କ ଅଧୀନରେ ଥିଲା-। ସେ ରାଗାନ୍ୱିତ ହୋଇ ମରହଟ୍ଟାମାନଙ୍କୁ ଦମନ କରିବା ସକାଶେ ଆୟୋଜନ କଲେ । ୧୭୬୧ରେ ପାନିପଥଠାରେ ଗୋଟିଏ ଘୋରଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ମରହଟ୍ଟାମାନଙ୍କର କ୍ଷମତା ଏକାବେଳକେ ଚୂର୍ଣ୍ଣୀଭୂତ ହୋଇଯାଇଥିଲା ।

ବାଲାଜି ବାଜିରାଓଙ୍କ ଅନ୍ତେ ମଧୁରାଓ ୧୭୬୧ରେ ପେଶବା ହେଲେ । ତାଙ୍କ ଅନ୍ତେ ତାଙ୍କ ସାନ ଭାଇ ନାରାୟଣ ରାଓ ୧୭୭୨ରେ ପେଶବା ହୋଇଥିଲେ, କିନ୍ତୁ ଅଳ୍ପଦିନ ପରେ ସେ ନିହତ ହେଲେ ।

Image

 

ମୋଗଲ ସମ୍ରାଜ୍ୟ ସ୍ଥାପନଠାରୁ ଇଂରେଜଶାସନ ସ୍ଥାପନ ପର୍ଯ୍ୟନ୍ତ
ସାମାଜିକ ଅବସ୍ଥା

 

ବାବରଙ୍କ ସିଂହାସନ-ଆରୋହଣଠାରୁ ଇଂରେଜମାନଙ୍କର ରାଜ୍ୟ ସ୍ଥାପନ ପର୍ଯ୍ୟନ୍ତ ପ୍ରାୟ ସାର୍ଦ୍ଧଦୁଇଶତବର୍ଷ ଅତୀତ ହୋଇଥିଲା । ଏହି ସମୟ ମଧ୍ୟରେ ଭାରତର ରାଜନୈତିକ ଅବସ୍ଥାରେ ଯେପରି ଘୋର ପରିବର୍ତ୍ତନ ଘଟିଥିଲା, ସାମାଜିକ ଅବସ୍ଥାରେ ମଧ୍ୟ ସେହିଦିନ ଘୋର ବିପର୍ଯ୍ୟୟ ଘଟିଥିଲା । ମାତ୍ର ଆକବର ବାଦସାହାଙ୍କ ସାମ୍ୟନୀତି ଓ ଉଦାରଭାବ ହେତୁରୁ ଏହି ପରିବର୍ତ୍ତନକୁ ଲୋକେ ବୁଝିପାରି ନ ଥିଲେ । ଯେବେ ଆଉ ଜଣ କେତେ ସମ୍ରାଟ୍ ଆକବରଙ୍କ ପରି ରାଜ୍ୟଶାସନ କରିଥାନ୍ତେ ତେବେ ହିନ୍ଦୁ ଓ ମୁସଲମାନ ଏହି ଦୁଇଜାତି ମିଳିଯାଇ ଏହି ଭାରତୀୟ ମହାଜାତିରେ ପରିଣତ ହୋଇପାରିବାର ଆଶା ଥିଲା । କିନ୍ତୁ ବିଧାତାଙ୍କର ବିଧାନ ଅନ୍ୟପ୍ରକାର । ଅଉରଙ୍ଗଜେବଙ୍କ ବୈଷମ୍ୟନୀତି ଏବଂ ନୀଚଭାବ ଆକବରଙ୍କର ଏହି ମହତ୍ କର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଓଲଟାଇ ପକାଇଥିଲା । ତଦ୍ଦ୍ୱାରା ହିନ୍ଦୁ ଓ ମୁସଲମାନମାନଙ୍କର ପରସ୍ପର ପ୍ରତି ଘୃଣା ଓ ଶତ୍ରୁତା ଆରମ୍ଭ ହେଲା ଏବଂ ମିତ୍ରତା ଏକାବେଳକେ ଲୋପ ପାଇଲା ।

 

ଶାସନପ୍ରଣାଳୀ :– ଆକବର ରାଜ୍ୟଶସନ-ପ୍ରଣାଳୀରେ ବିଶେଷ ଉନ୍ନତି କରିଯାଇଥିଲେ । ପ୍ରତ୍ୟେକ ପ୍ରଦେଶ ଗୋଟିଏ ସୁବାଦାର କିମ୍ବା ନବାବଙ୍କ ଅଧୀନରେ ରହିଥିଲା । ସୁବାଦାରଙ୍କ ଅଧୀନରେ ଅନେକ କର୍ମଚାରୀ ରହୁଥିଲେ; ଦେବାନ ଏମାନଙ୍କ ମଧ୍ୟରେ ପ୍ରଧାନ । ଦେବାନ ରାଜସ୍ୱ ଆଦାୟ କରୁଥିଲେ, ଏବଂ ରାଜସ୍ୱମ୍ବନ୍ଧୀୟ ସମସ୍ତ ମକଦ୍ଦମା ନିଷ୍ପତ୍ତି କରୁଥିଲେ । ସୁବାଦାର ସୈନ୍ୟ ପରିଚାଳନ କରୁଥିଲେ ଏବଂ ଫୌଜଦାରୀ ମାମଲା ବୁଝୁଥିଲେ । ଯେତେଦିନ ପର୍ଯ୍ୟନ୍ତ ସୁବାଦାର ଓ ଦେବାନମାନେ ନିୟମିତରୂପେ ରାଜସ୍ୱ ଦାଖଲ କରି ସମ୍ରାଟଙ୍କ ପ୍ରାଧାନ୍ୟ ସ୍ୱୀକାର କରୁଥିଲେ, ସେତେଦିନ ପର୍ଯ୍ୟନ୍ତ ସମ୍ରାଟ ସେମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁ ନ ଥିଲେ; ଏବଂ ସେମାନେ ରାଜାପରି ଦେଶ ଶାସନ କରୁଥିଲେ । ସୁବାଦାର ପଦ ପୁରୁଷାନୁକ୍ରମିକ ହୋଇଯାଇଥିଲା ।

 

ଜାୟଗିରଦାର ଓ ଜମିଦାର :-ଭାରତର ହିନ୍ଦୁ ରାଜାମାନେ ଧର୍ମ ଓ ଦାତବ୍ୟ କାର୍ଯ୍ୟରେ ଭୂମି ଦାନ କରୁଥିଲେ । ଆଉ ମଧ୍ୟ ଗୁଣୀ କର୍ମଚାରୀମାନଙ୍କର ପ୍ରତିପୋଷଣ ନିମନ୍ତେ ଜମି ଖଞ୍ଜିଦେଉଥିଲେ । ଏହି ପ୍ରଥା ଅତି ପୁରାକାଳରୁ ଚଳିଆସୁଥିଲା । ମୁସଲମାନ ଶାସନ ସମୟରେ ଗୁଣୀ କର୍ମଚାରୀମାନଙ୍କୁ ଦିଆଯାଉଥିବା ଜମିକୁ ଜାୟଗିର କୁହାଯାଉଥିଲା । ଏହିସବୁ ଜାୟଗିର ପୁରୁଷାନୁକ୍ରମିକ ହୋଇଥିଲା । ଜାୟଗିରଦାରମାନେ ସେମାନଙ୍କର ଜାୟଗିରରୁ ରାଜାଙ୍କ ନ୍ୟାଯ୍ୟ ପ୍ରାପ୍ୟ ତାଙ୍କୁ ଦେଇ ଆଉ ସମସ୍ତ ରାଜସ୍ୱ ଭୋଗ କରୁଥିଲେ । ମୁସଲମାନ ସମ୍ରାଟମାନେ ସେନାପତିମାନଙ୍କୁ ବେତନ ପରିବର୍ତ୍ତରେ ଜାୟଗିର ଦେଉଥିଲେ । ଏହାର ଫଳ ଏହାହିଁ ହୋଇଥିଲା ଯେ, ସମ୍ରାଟଙ୍କ ଖାସ ଜମି କ୍ରମଶଃ ହ୍ରାସ ଲଭିଥିଲା ଏବଂ ରାଜାଙ୍କ ହସ୍ତରୁ ରାଜସ୍ୱ ଆଦାୟ କର୍ମ୍ମ କ୍ରମେ କମିଯାଇଥିଲା । ଆକବର ଏହି ପ୍ରଥାରହିତ କରି କର୍ମଚାରୀମାନଙ୍କୁ ବେତନ ଦେଇଥିଲେ । ମାତ୍ର ତାହାଙ୍କର ଉତ୍ତରାଧିକାରୀମାନେ ଏହି ପ୍ରଥା ଚଲାଇ ପାରି ନ ଥିଲେ ଏବଂ ଜାୟଗିରଦାରମାନଙ୍କ ସଂଖ୍ୟା କ୍ରମଶଃ ବଢ଼ିଥିଲା ।

 

ଏହାଛଡ଼ା ଜମିଦାର ବୋଲି ଥୋକେ ଲୋକ ଥିଲେ । ଏମାନେ ପୁରୁଷାନୁକ୍ରମେ ପ୍ରଜାମାନଙ୍କଠାରୁ କର ଆଦାୟ କରି ସ୍ୱୀୟ ପ୍ରାପ୍ୟ ରଖି ଅବଶିଷ୍ଟ ଅଂଶକୁ ସୁବାଦାରଙ୍କ ହାତରେ ସମ୍ରାଟଙ୍କୁ ଦେଉଥିଲେ । ଯେଉଁ ରାଜାମାନେ ସାକ୍ଷାତ ଭାବରେ ସମ୍ରାଟଙ୍କୁ କର ଦେଉଥିଲେ ସେମାନଙ୍କୁ ସୁଦ୍ଧା ମୁସଲମାନମାନେ ଜମିଦାର ବୋଲି ଡାକୁଥିଲେ ।

 

ଜାୟଗିରଦାର ଓ ଜମିଦାରମାନେ ନିଜ ଅଧିକୃତ ସ୍ଥାନମାନଙ୍କରେ ସମ୍ପୂର୍ଣ କ୍ଷମତା ଚଳାଉଥିଲେ । ସେମାନେ ଶାନ୍ତି ରକ୍ଷା କରୁଥିଲେ ଏବଂ ମକଦ୍ଦମାମାନ ଶୁଣି ନିଷ୍ପତ୍ତି କରୁଥିଲେ । ସେମାନେ ଆପଣା ଆପଣା ମଧ୍ୟରେ ଯୁଦ୍ଧ କରିପାରୁଥିଲେ ଏବଂ ପରାକ୍ରାନ୍ତ ହେଲେ ଜଣେ ଅନ୍ୟଜଣକର ସ୍ଥାନ ଅଧିକାର କରୁଥିଲା ।

 

ଐତିହାସିକ ସାହିତ୍ୟର ଉନ୍ନତି :– ମୁସଲମାନମାନେ ଏ ଦେଶକୁ ଆସିଲାଦିନରୁ ଏ ଦେଶରେ ଇତିହାସ ଲେଖିବାର ରୀତି ଚଳିଲା । ଏହି ପ୍ରଥା ହିନ୍ଦୁମାନଙ୍କ ମଧ୍ୟରେ ଆଦୌ ନ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁସଲମାନମାନେ ଅନେକ ଇତିହାସ ଲେଖିଯାଇଅଛନ୍ତି । ଆହୁରି ମଧ୍ୟ କେତେକ ମୋଗଲସମ୍ରାଟ୍ ନିଜ ନିଜ ଶାସନର ବିବରଣ ରଖିଯାଇଅଛନ୍ତି । ଫେରିସ୍ତା, ଆବୁଲଫାଜୁଲ, ଖାଫିଖାଁ ପ୍ରଭୃତି ବିଖ୍ୟାତ ଇତିହାସ ଲେଖକମାନେ ମୁସଲମାନ । ଫେରିସ୍ତା ଆକବରଙ୍କ ରାଜତ୍ୱ ପର୍ଯ୍ୟନ୍ତ ହିନ୍ଦୁସ୍ଥାନର ଇତିହାସ ଲେଖିଯାଇଅଛନ୍ତି । ଆବୁଲଫାଜଲ ତାଙ୍କର ଆକବରନାମା ଓ ଆଇନଆକବରିରେ ଆକବରଙ୍କ ଜୀବନଚରିତ ଓ ତାହାଙ୍କ ଶାସନ ବିଷୟ ଲେଖିଅଛନ୍ତି । ଆଉରଙ୍ଗଜେବଙ୍କ ସମୟରେ ଖାଫିଖାଁ ସେ ସମୟର ଇତିହାସ ଲେଖିଅଛନ୍ତି । ମିର ଗୋଲାମହୁସେନ ଖାଁ ତାଙ୍କ ସିୟାରଭଲ୍ ମୃତାଖେରିନ୍ ନାମକ ଗ୍ରନ୍ଥରେ ମୋଗଲସାମ୍ରାଜ୍ୟର ପତନଠାରୁ ଇଂରେଜ ରାଜ୍ୟସ୍ଥାପନ ପର୍ଯ୍ୟନ୍ତ ଇତିହାସ ଲେଖିଯାଇଅଛନ୍ତି ।

 

ପ୍ରାଦେଶିକ ଭାଷାର ଉନ୍ନତି :– ପୂର୍ବେ କୁହାଯାଇଅଛି ଯେ ୧୫ ଶ ଏବଂ ୧୬ଶ ଶତାବ୍ଦୀରେ କେତେକ ଧର୍ମ୍ମପ୍ରଚାରକ ଜନ୍ମଗ୍ରହଣ କରି ଲୋକ କଥିତ ଭାଷାର ଉନ୍ନତି କରିଥିଲେ । ମୋଗଲ ରାଜତ୍ୱ ସମୟରେ ଏହି ପ୍ରାଦେଶିକ ଭାଷାମାନଙ୍କର ଆହୁରି ଉନ୍ନତି ହୋଇଥିଲା । ଏ ସମୟରେ କୃତ୍ତିବାସ, ମୁକୁନ୍ଦରାମ, କାଶୀଦାସ ଏବଂ ଭାରତଚନ୍ଦ୍ର ପ୍ରଭୂତି କବିମାନେ କବିତାମାନେ ଲେଖି ବଙ୍ଗଭାଷାର ବିଶେଷ ଉନ୍ନତି କରିଥିଲେ । ଏମାନଙ୍କ ପରି ଟୁକାରାମ ମହାରାଷ୍ଟୀୟ ଭାଷାର ଏବଂ ତୁଳସୀଦାସ ହିନ୍ଦୀଭାଷାର ଉନ୍ନତି କରିଥିଲେ । ଦୀନକୃଷ୍ଣ ଦାସ, ବଳରାମ ଦାସ ଏବଂ ଉପେନ୍ଦ୍ର ଭଞ୍ଜ ପ୍ରଭୃତି କବିମାନେ ଏହି ସମୟରେ ଲୋକ । ସେମାନଙ୍କ ଲିଖିତ କବିତାମାନଙ୍କ ଦ୍ୱାରା ଓଡ଼ିଆ ଭାଷାର ବିଶେଷ ଉନ୍ନତି ସାଧିତ ହୋଇଥିଲା ।

 

ଶିଳ୍ପୋନ୍ନତି :– ମୁସଲମାନମାନେ ଏ ଦେଶରେ ଶିଳ୍ପର ବିଶେଷ ଉନ୍ନତି କରିଥିଲେ । ସାହାଜାହାନଙ୍କ ନିର୍ମିତ ତାଜମହଲ, ଜୂମାମସ୍‍ଜିଦ୍‍, ଦେବାନି ଖାସ ଜଗଦ୍‌ ବିଖ୍ୟାତ ଶିଳ୍ପକୀର୍ତ୍ତି ଅଟେ । ଏହି ସମୟରେ ସଙ୍ଗୀତବିଦ୍ୟାର ମଧ୍ୟ ଉନ୍ନତି ହୋଇଥିଲା ।

Image

 

ବ୍ରିଟିଶ ରାଜତ୍ୱ

ଭାରତରେ ଇଉରୋପୀୟମାନଙ୍କର ପ୍ରଥମ ସମାଗମ
ଉତ୍ତମାଶା-ଅନ୍ତରୀପର ଆବିଷ୍କାର

 

ଆଲେକଜାଣ୍ଡାର ଭାରତକୁ ଆସିବାଦିନୁଁ ଭାରତର ବିବରଣ ଇଉରୋପରେ କ୍ରମଶଃ ପ୍ରଚାରିତ ହେଉଥିଲା । ସେହିଦିନଠାରୁ ପର୍ତ୍ତୁଗିଜ ନାବିକ ଭୋସ୍କୋଡ଼ାଗାମାଙ୍କ ଆଗମନ ପର୍ଯ୍ୟନ୍ତ ଇଉରୋପର ଅଧିବାସୀମାନେ ଏସିଆ ଓ ପୂର୍ବଦେଶମାନଙ୍କ ସଙ୍ଗେ ପ୍ରତ୍ୟକ୍ଷ ଭାବରେ ବାଣିଜ୍ୟ କରି ପାରୁ ନ ଥିଲେ । ଆରବୀୟମାନେ ଅତ୍ୟନ୍ତ କ୍ଷମତାଶାଳୀ ଥିବାରୁ କେବଳ ସେହିମାନେହିଁ ଜଳପଥରେ ଭାରତବର୍ଷ ଓ ତାହାର ନିକଟବର୍ତ୍ତୀ ଦ୍ୱୀପସମୂହରେ ବାଣିଜ୍ୟ କରୁଥିଲେ । ଏମାନେ ଭାରତ ଓ ତନ୍ନିକଟବର୍ତ୍ତୀ ଦ୍ୱୀପସମୂହରେ ଶାଲ,ରେଶମୀ ଲୁଗା, ମସଲା, ସୁନା ଓ ରୂପାର ଅଳଙ୍କାର ଓ ହାତିଦାନ୍ତର କାରୁକାର୍ଯ୍ୟ ପ୍ରଭୃତି ନେଇ ଅଧିକ ମୂଲ୍ୟରେ ଇତାଲିର ଜେନୋଆ ଏବଂ ଭିନିସ୍‍ବାସୀମାନଙ୍କୁ ବିକ୍ରୟ କରୁଥିଲେ । ଶେଷୋକ୍ତ ସ୍ଥାନର ଅଧିବାସୀମାନେ ଏହି ଦ୍ରବ୍ୟସବୁ ଅତ୍ୟଧିକ ମୂଲ୍ୟରେ ଫ୍ରାନ୍‍ସ, ସ୍ପେନ, ଇଂଲଣ୍ଡ ପ୍ରଭୃତି ସ୍ଥାନରେ ବିକ୍ରୟ କରୁଥିଲେ । ଆରବୀୟମାନଙ୍କର ଏହି ଏକାଧିପତ୍ୟ ବାଣିଜ୍ୟ ଉଠାଇଦେବାଲାଗି ଇଉରୋପର ପଶ୍ଚିମାଞ୍ଚଳବାସୀମାନେ ଦୃଢ଼ପ୍ରତିଜ୍ଞ ହୋଇଥିଲେ । କିନ୍ତୁ ଭୂମଧ୍ୟସାଗର ଏବଂ ଲୋହିତସାଗର ବ୍ୟତୀତ ଆଉ କୌଣସି ବାଟଦେଇ ଭାରତକୁ ଆସିବାର ଉପାୟ ନ ଥିଲା । ଭୂମଧ୍ୟସାଗରରେ ଇତାଲିର ଜେନୋ ଅଧିବାସୀମାନେ ଅତ୍ୟନ୍ତ ପ୍ରବଳ ଥିଲେ ଏବଂ ଲୋହିତସାଗର ଆରବୀୟମାନଙ୍କର ଅଧୀନ ଥିବାରୁ ଇଉରୋପୀୟମାନେ ଅନ୍ୟବାଟ ଦେଇ ଭାରତକୁ ଆସିବାଲାଗି ଚେଷ୍ଟା କରୁଥିଲେ ।

 

ଇଉରୋପବାସୀମାନେ ଉତ୍ତରପଶ୍ଚିମ ସମୁଦ୍ରବାଟ ଦେଇ ଭାରତକୁ ଜଳପଥରେ ଆସିବାଲାଗି ଅନେକ ଥର ଚେଷ୍ଟା କରିଥିଲେ ଏବଂ ସଫଳ ହୋଇଥିଲେ । ୧୫ଶ ଶତାବ୍ଦୀରେ ଇଉରୋପର ଅଧିବାସୀମାନେ ଜଳ ପଥରେ ଜାହାଜ ଚଳାଇବା ବିଷୟରେ ଅତ୍ୟନ୍ତ ନିପୁଣ ଥିଲେ-। ତେଣୁ ଖ୍ରୀ: ଅବ୍ଦରେ ସ୍ପେନ ଦେଶର ରାଜା ପଶ୍ଚିମ ସାଗରଦେଇ ଭାରତକୁ ଆସିବାଲାଗି କଲମ୍ବସ୍‌ଙ୍କୁ ପଠାଇଥିଲେ; କିନ୍ତୁ ସେ ଭାରତକୁ ଆସି ନ ପାରି ଆମେରିକା ମହାଦେଶ ଆବିଷ୍କାର କଲେ । ଏହାର ୬ ବର୍ଷପରେ ୧୪୯୮ ଅବ୍ଦରେ ପର୍ତ୍ତୁଗାଲବାସୀ ଭାସ୍କୋଡ଼ାଗାମା ନାମକ ଏକ ବ୍ୟକ୍ତି ପୂର୍ବ ବାଟେ ଭାରତକୁ ଆସିବାଲାଗି ଲିସ୍‌ବନରୁ ବାହାରିଥିଲେ ଏବଂ କୃତକାର୍ଯ୍ୟ ମଧ୍ୟ ହୋଇଥିଲେ । ସେ ସମୁଦ୍ରପଥରେ ଆଫ୍ରିକାର ଦକ୍ଷିଣସ୍ଥିତ ଅନ୍ତରୀପକୁ ବେଷ୍ଟନ କରି ୧୪୯୮ ଖ୍ରୀ: ଅ: ମଇ ମାସର ୨୦ ତାରିଖରେ ଭାରତର ପଶ୍ଚିମ ଉପକୂଳରେ ଥିବା କାଲିକଟ ନଗରରେ ପହୁଞ୍ଚିଥିଲେ । ଭାରତକୁ ଆସିବାର ଆଶା ପୂର୍ଣ୍ଣ ହେବାରୁ ଆଫ୍ରିକାର ଦକ୍ଷିଣବର୍ତ୍ତୀ ଅନ୍ତରୀପର ନାମ ଉତ୍ତମାଶା ଅନ୍ତରୀପ ଦିଆଯାଇଥିଲା । ଭାରତକୁ ଆସିବାଲାଗି ଭୋସ୍କୋଡ଼ାଗାମାଙ୍କୁ ପ୍ରାୟ ୧୧ ମାସ ଲାଗିଥିଲା । ଏହାଙ୍କର ଭାରତପ୍ରବେଶକୁ ଇଉରୋପୀୟମାନଙ୍କର ଭାରତରେ ପ୍ରଥମ ସମାଗମ କୁହାଯାଏ । ଏହି ବ୍ୟକ୍ତି ଉତ୍ତମାଶା ଅନ୍ତରୀପର ଆବିଷ୍କାରକ । ଏପର୍ଯ୍ୟନ୍ତ ଇଉରୋପବାସୀମାନେ ଉତ୍ତମାଶା ଅନ୍ତରୀପଦେଇ ଭାରତକୁ ବାଟ ଥିବାର ଜାଣି ନ ଥିଲେ । ଏହି ଅନ୍ତରୀପ ଆବିଷ୍କାର କରିବାଦିନୁଁ ଇଉରୋପୀୟ ଜାତିମାନଙ୍କ ମଧ୍ୟରୁ କେବଳ ପର୍ତ୍ତୁଗିଜମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ଭାରତ ସଙ୍ଗେ ପ୍ରତ୍ୟକ୍ଷଭାବରେ ବାଣିଜ୍ୟ କରିଥିଲେ ।

 

ଓଲନ୍ଦାଜମାନଙ୍କ ଆଗମନ :– ଇଉରୋପର ହଲାଣ୍ଡ ଦେଶବାସୀମାନଙ୍କୁ ଓଲନ୍ଦାଜ କହନ୍ତି । ସର୍ବପ୍ରଥମେ ଏମାନେ ପର୍ତ୍ତୁଗିଜମାନଙ୍କ ଏକାଧିପତ୍ୟ ବାଣିଜ୍ୟ ଧ୍ୱଂସ କରିବାଲାଗି କୃତସଂକଳ୍ପ ହୋଇଥିଲେ । ଏମାନେ ପ୍ରଥମେ ଇଉରୋପ ଓ ଏସିଆର ଉତ୍ତରରେ ଥିବା ସମୁଦ୍ର ଦେଇ ଭାରତକୁ ଆସିବାଲାଗି ଚେଷ୍ଟା କରିଥିଲେ । ଏହି ଦେଶର ଉଇଲିୟମ୍ ବାରନେଟସ୍ ନାମକ ଏକ ବ୍ୟକ୍ତି ଏହିବାଟେ ଆସିବାଲାଗି ତିନି ଥର ଚେଷ୍ଟା କରି ଶେଷଥର ମୃତ୍ୟୁମୁଖରେ ପଡ଼ିଥିଲେ । ୧୫୯୬ ଖ୍ରୀ: ଅବ୍ଦରେ ସେହି ଦେଶର କର୍ଣ୍ଣେଲିୟସ ହୁଟମାନ୍ ନାମକ ଏକ ବ୍ୟକ୍ତି ଉତ୍ତମାଶା ଦେଇ ସୁମାତ୍ରା ଏବଂ ଜାଭାଦ୍ୱୀପରେ ପହୁଞ୍ଚିଥିଲେ । ତତ୍‌ପରେ ଏସିଆମହାଦେଶ ଓ ଦ୍ୱୀପମାନଙ୍କ ସଙ୍ଗେ ବାଣିଜ୍ୟ କରିବାଲାଗି ହଲାଣ୍ଡର କେତେଗୁଡ଼ିଏ ବଣିକଦଳ ବା କମ୍ପାନି ସ୍ଥାପିତ ହୋଇଥିଲା । ୧୬୦୨ରେ ଓଲନ୍ଦାଜ ଗବର୍ଣ୍ଣମେଣ୍ଟ ଏମାନଙ୍କୁ ଏକତ୍ରିତ କରି ‘‘ଓଲନ୍ଦାଜ ଇଷ୍ଟ ଇଣ୍ଡିଆ କମ୍ପାନୀ’’ ନାମ ଦେଇଥିଲେ । ୧୬୧୯ରେ ଏମାନେ ଜାଭାଦ୍ୱୀପରେ ବାଟେଭିୟା ନାମକ ଏକ ନଗର ସ୍ଥାପନ କରି ତାହାକୁ ପୂର୍ବଦେଶରେ ସେମାନଙ୍କ ଅଧିକୃତ ସ୍ଥାନସମୂହର ରାଜଧାନୀ କରିଥିଲେ ।

 

ସପ୍ତଦଶ ଶତାବ୍ଦୀରେ ଓଲନ୍ଦାଜମାନେ ପୃଥିବୀରେ ସାମୁଦ୍ରିକ କ୍ଷମତାରେ ସର୍ବଶ୍ରେଷ୍ଠ ହୋଇଥିଲେ । ୧୬୨୩ରେ ସେମାନେ ଆମ୍‌ବୋୟନା ନାମକ ଦ୍ୱୀପରେ ଇଂରେଜମାନଙ୍କୁ ନିର୍ଦ୍ଦୟଭାବରେ ହତ୍ୟା କରିଥିଲେ । ସେମାନେ ମଧ୍ୟ କ୍ରମେ କ୍ରମେ ପର୍ତ୍ତୁଗିଜମାନଙ୍କୁ ଭାରତୀୟ ଦ୍ୱୀପପୁଞ୍ଜରୁ ତଡ଼ି ଦେଇଥିଲେ ଏବଂ ୧୬୩୫ରେ ଫରମୋଜା ଓ ୧୬୪୦ରେ ମଲକାଦ୍ୱୀପପୁଞ୍ଜ ଅଧିକାର କରିଥିଲେ ।

 

ଇଂରେଜ ଆଗମନ :– ଇଂଲଣ୍ଡର ଅଧିବାସୀମାନଙ୍କୁ ଇଂରେଜ ବୋଲାଯାଏ । ସେମାନେ ବି ପ୍ରଥମେ ଉତ୍ତରମଶ୍ଚିମବାଟ ଦେଇ ଉତ୍ତର ମହାସମୁଦ୍ର ପାରିହୋଇ ଭାରତକୁ ଆସିବାଲାଗି ଚେଷ୍ଟା କରିଥିଲେ । ୧୪୯୬ରେ ସପ୍ତମ ହେନେରୀ ଜନ୍ କାବଟ୍‍ ଓ ତାଙ୍କର ତିନି ପୁତ୍ରଙ୍କୁ ୨ ଗୋଟି ଜାହାଜ ଦେଇ ଭାରତକୁ ଆସିବାଲାଗି ଉତ୍ତରପଶ୍ଚିମ ବାଟ ଆବିଷ୍କାର କରିବାକୁ ପଠାଇଥିଲେ । ସେମାନେ ତହିଁରେ ଅକୃତକାର୍ଯ୍ୟ ହୋଇ ଆମେରିକାର ନିଉଫାଉଣ୍ଡଲାଣ୍ଡଦ୍ୱୀପ ଆବିଷ୍କାର କରି ଫେରି ଯାଇଥିଲେ । ୧୫୫୩ରେ ସର ହିଉ ଇଉଲୋବି ଉତ୍ତରପୂର୍ବବାଟ ଦେଇ ଉତ୍ତମ ମହାସମୁଦ୍ର ପାରିହୋଇ ଭାରତକୁ ଆସିବାର ଚେଷ୍ଟା କରି ମୃତ୍ୟୁମୁଖରେ ପଡ଼ିଥିଲେ । ତତ୍‌ପରେ ୧୫୭୭ ଠାରୁ ୧୬୧୬ ପର୍ଯ୍ୟନ୍ତ ପ୍ରବିଶର୍, ଡେଭିସ୍, ହଡସନ୍ ଏବଂ ବେପିନ୍‍ ନାମକ ବ୍ୟକ୍ତିମାନେ ଉତ୍ତରପଶ୍ଚିମ ବାଟ ଆବିଷ୍କାର କରିବାଲାଗି ଚେଷ୍ଟା କରି ଅକୃତକାର୍ଯ୍ୟ ହୋଇଥିଲେ । ହଲାଣ୍ଡବାସୀ କର୍ଣ୍ଣେଲିୟସ ହୁଟମାନ୍ ୧୫୯୭ରେ ଉତ୍ତମାଶଅନ୍ତରୀପ ବେଷ୍ଟନ କରି ଭାରତ-ଆଗମନର ପଥ ଆବିଷ୍କାର କରିବାକୁ ଇଂଲଣ୍ଡରେ ‘‘ଈଷ୍ଟ ଇଣ୍ଡିଆ କମ୍ପାନୀ’’ ନାମକ ଏକ କମ୍ପାନି ଗଠିତ ହେଲା । ଏହା କିପରି ଗଠିତ ହେଲା ପରେ କୁହାଯିବ । ଭାରତ ଓ ଭାରତୀୟ ଦ୍ୱୀପପୁଞ୍ଜରେ ପ୍ରତ୍ୟକ୍ଷଭାବରେ ବାଣିଜ୍ୟ କରିବା ଏହି କମ୍ପାନୀର ଉଦ୍ଦେଶ୍ୟ ଥିଲା । କାପ୍ତାନ୍ ଲଙ୍କାଷ୍ଟର୍ ଏହି ଦଳର ନେତା ହୋଇ ଏଚିନର ରାଜାଙ୍କ ସଙ୍ଗେ ମିତ୍ରତା ସ୍ଥାପନ କରି ଜାଭାଦ୍ୱୀପର ବାଣ୍ଟାମ ନଗରରେ ଏକ ବାଣିଜ୍ୟାଳୟ ବସାଇଲେ । ପରବର୍ଷ ଏମାନେ ସୁମାତ୍ରା, ମଲକ୍ଲାସ, ବାନ୍ଦା, ଆମ୍ୱୋୟାନା ଓ ବାଣ୍ଟମ୍‌ରୁ ଜାହାଜରେ ମରିଚ ଓ ମସଲା ନେଇଥିଲେ । ଭାରତରେ ପ୍ରବେଶ କରିବାଲାଗି ପର୍ତ୍ତୁଗିଜମାନେ ଇଂରେଜମାନଙ୍କୁ ବିଶେଷ ବାଧା ଦେଇଥିଲେ । ୧୬୧୧ରେ ସର୍ ହେନେରି ମିଡ଼ିଲ୍‌ଟନ୍ ନାମକ ଏକ ଇଂରେଜ, ପର୍ତ୍ତୁଗିଜମାନେ ବାଧା ଦେଲେ ସୁଦ୍ଧା, ଏକ ଜାହାଜ ମାଲ କାମ୍ୱେ ଉପକୁଳରୁ ଘେନିଯାଇଥିଲେ । ୧୬୧୫ରେ ତାପ୍ତିନଦୀ-ମୁହାଣର ନିକଟବର୍ତ୍ତୀ ସ୍ୱାଲି ନାମକ ସ୍ଥାନରେ ଏକ ଜଳଯୁଦ୍ଧ ହୋଇଥିଲା । କପ୍ତାନ୍ ବେଷ୍ଟ ପର୍ତ୍ତୁଗିଜମାନଙ୍କୁ ପରାସ୍ତ କରିଥିଲେ । ସେହି ବର୍ଷ ଇଂରେଜ ରାଜଦୂତ ସର ଟମାସ୍‌ରୋ ଇଂଲଣ୍ଡରୁ ଆସି ଭାରତରେ ବାଣିଜ୍ୟ କରିବା ସକାଶେ ବାଦସାହ ଜାହାଙ୍ଗିରଙ୍କ ଠାରୁ ଅନୁମତି ନେଇଥିଲେ ।

 

ଆମ୍ବୋୟାନାର ହତ୍ୟା :– ପୂର୍ବଦେଶ ସହିତ ବାଣିଜ୍ୟରେ ଓଲନ୍ଦାଜମାନେ ଇଂରେଜମାନଙ୍କ ସଙ୍ଗେ ଭାରୀ ଶତ୍ରୁତା କରିଥିଲେ । ଓଲନ୍ଦାଜମାନେ ୧୬୨୩ ଫେବୃଆରି ମାସରେ ଇଂରେଜ କପ୍ତାନ୍ ଟାବାରସନଙ୍କ ସହ ୯ ଜଣ ଇଂରେଜ, ୯ ଜଣ ଜାପାନୀ ଆଉ ଏକ ଜଣ ପର୍ତ୍ତୁଗିଜଙ୍କୁ ଆମ୍ବୋୟାନାଠାରେ ନିର୍ଦ୍ଦୟଭାବରେ ହତ୍ୟା କରିଥିଲେ । ଇଂରେଜରାଜ ତହିଁରେ ବିରକ୍ତ ହୋଇ ଓଲନ୍ଦାଜ ଗବର୍ଣ୍ଣମେଣ୍ଟଙ୍କୁ ଲେଖିଥିଲେ । ଓଲନ୍ଦାଜମାନେ ଅବଶେଷରେ ହତ ବ୍ୟକ୍ତିମାନଙ୍କର ଉତ୍ତରାଧିକାରୀମାନଙ୍କୁ କ୍ଷତିପୂରଣ ହେବା ସକାଶେ ୩୬୧୫ ପାଉଣ୍ଡ ଦେଇଥିଲେ-। ଏହି ସମୟଠାରୁ ଇଂରେଜମାନେ ଭାରତୀୟ ଦ୍ୱୀପପୁଞ୍ଜ ସଙ୍ଗେ ବାଣିଜ୍ୟ କରିବାକୁ ମନ ନ ବଳାଇ ଭାରତବର୍ଷ ସଙ୍ଗେ ବାଣିଜ୍ୟ କଲେ ।

 

ଅନ୍ୟାନ୍ୟ ଇଉରୋପୀୟମାନଙ୍କର ଆଗମନ :– ଫ୍ରାନ୍ସର ଅଧିବାସୀ ଫରାସିମାନେ ୧୬୦୪ରେ ଏକ କମ୍ପାନି ଗଠନ କରି ଭାରତକୁ ବାଣିଜ୍ୟ କରିବା ସକାଶେ ଆସିଥିଲେ । ୧୬୧୨ରେ ଡେନମାର୍କର ଅଧିବାସୀ ଦିନାମାରମାନେ ମଧ୍ୟ ବାଣିଜ୍ୟ ସକାଶେ ଭାରତକୁ ଆସିଥିଲେ । ୧୭୯୫ରେ ସ୍କଟଲାଣ୍ଡବାସୀମାନେ ଏକ କମ୍ପାନି ଗଠନ କରିଥିଲେ । କିନ୍ତୁ କମ୍ପାନି ଗଠିତ ନ ହେଉଣୁ ତାହାର ଅସ୍ତିତ୍ୱ ଲୋପ ପାଇଥିଲା । ତତ୍‌ପରେ ସ୍ପେନ, ଅଷ୍ଟ୍ରିୟା, ସ୍ୱିଡ଼େନ ଓ ପ୍ରୁସିଆର ଅଧିବାସୀମାନେ ଭାରତୀୟ ଦ୍ୱୀପୁପଞ୍ଜରେ ବାଣିଜ୍ୟ କରିବା ସକାଶେ ଆସିଥିଲେ । କିନ୍ତୁ ଏମାନେ କୌଣସି ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରିନାହାନ୍ତି ।

 

ଇଉରୋପୀୟ ଜାତିମାନଙ୍କର ଏ ଦେଶରେ କାର୍ଯ୍ୟକଳାପ ବର୍ଣ୍ଣନା କରିବାପୂର୍ବରୁ କି ହେତୁରୁ ଇଂଲଣ୍ଡରେ ଈଷ୍ଟ ଇଣ୍ଡିଆ କମ୍ପାନି ଗଠିତ ହୋଇଥିଲା ତାହାହିଁ ତଳେ ବର୍ଣ୍ଣିତ ହେଲା :–

 

ପୂର୍ବକାଳରେ ଓଲନ୍ଦାଜମାନେ ଭାରତବର୍ଷୀୟ ମସଲାସବୁ ଇଂଲଣ୍ଡରେ ବିକ୍ରୟ କରୁଥିଲେ । ୧୫୯୯ ଖ୍ରୀଷ୍ଟାବ୍ଦରେ ସେମାନେ ଗୋଲମରିଚର ଦର ବଢ଼ାଇ ଦେଇଥିଲେ । ପୂର୍ବେ ଯେଉଁ ମରିଚର ଦର ପାଉଣ୍ଡକୁ ୩ ଶିଲିଙ୍ଗ୍‌ ଥିଲା, ବର୍ତ୍ତମାନ ତାହା ୭ ଶିଲିଙ୍ଗ୍‌ ବା ୮ ଶିଲିଙ୍ଗ୍‌ ମୂଲ୍ୟରେ ବିକ୍ରୀତ ହେଲା । ପାଉଣ୍ଡକ ବାଲେଶ୍ୱରୀ ଅଧସେର ଓଜନ, ଏକ ଶିଲିଙ୍ଗର ମୂଲ୍ୟ ସେତେବେଳେ ପ୍ରାୟ ଟ ୦୯ ଥିଲା । ତହୁଁ ଲଣ୍ଡନ ସହରରେ ଚହଳ ପଡ଼ିଗଲା । ଓଲନ୍ଦାଜମାନଙ୍କର ଭାରତବର୍ଷୀୟ ବାଣିଜ୍ୟରେ ଏକାଧିପତ୍ୟ ଉଠାଇଦେବା ନିମନ୍ତେ ଗୋଟିଏ କମ୍ପାନି ଗଠନ କରିବାର ପ୍ରସ୍ତାବ ହେଲା ।

 

ଉପରୋକ୍ତ ମସିହାର ସେପ୍ଟେମ୍ୱର ମାସ ୨୨ ତାରିଖରେ ଲଣ୍ଡନର ବଣିକମାନେ ଲର୍ଡ ମେୟରଙ୍କୁ ସଭାପତି କରି ଫାଉଣ୍ଡରସ୍‌ ହଲରେ ଏକ ସଭା କଲେ । ପ୍ରତ୍ୟକ୍ଷଭାବରେ ବାଣିଜ୍ୟ କରିବା ଲାଗି ଏକ କମ୍ପାନି ଗଠନ କରିବା ବିଷୟ ଏହି ସଭାରେ ସ୍ଥିରୀକୃତ ହେଲା । ଇଂଲଣ୍ଡର ଅନୁମତି ନେବାପାଇଁ ସର୍‌ ଜନ୍‌ ମିଲ୍‌ଡେନ୍‌ହଲଙ୍କୁ କନଷ୍ଟାଣ୍ଟିନୋପଲ ବାଟେ ଭାରତକୁ ପଠାଇଥିଲେ । ୧୬୦୦ ମସିହା ଡିସେମ୍ୱର ୩୧ ତାରିଖରେ କମ୍ପାନି ରାଜସନନ୍ଦ ପାଇଲେ ଏବଂ ଏହି କମ୍ପାନୀର ନାମ ଦିଆଗଲା, ‘‘ଲଣ୍ଡନ କମ୍ପାନୀ’’ ଏହି କମ୍ପାନିର ୧୨୫ ଜଣ ଅଂଶିଦାର ଏବଂ ୭୦,୦୦୦ ପାଉଣ୍ଡ ମୂଳଧନ ଥିଲା । ୧୬୧୨ରେ ଏହାର ମୂଳଧନ ୪୦୦,୦୦୦ ପାଉଣ୍ଡ ହେଲା । ୧୬୩୫ରେ ‘ଆସାଡ଼ା ବଣିକ୍‌ ସମାଜ’ ବୋଲି ଆଉ ଗୋଟିଏ କମ୍ପାନି ସ୍ଥାପିତ ହେଲା, କିନ୍ତୁ ଏହା ୧୬୫୦ରେ ଲଣ୍ଡନ କମ୍ପାନି ସହ ମିଶିଯାଇଥିଲା । ୧୬୫୫ରେ କେତେଜଣ ବଣିକ ଭାରତସହ ବାଣିଜ୍ୟ କରିବା ସକାଶେ କ୍ରମବେଲଙ୍କ ପାଖରୁ ସନନ୍ଦ ନେଇ ଏକ କମ୍ପାନୀ ଗଠନ କଲେ । କିନ୍ତୁ ଦୁଇବର୍ଷ ପରେ ତାହା ଲଣ୍ଡନ କମ୍ପାନୀ ସହ ମିଶିଗଲା । ୧୬୯୮ରେ ୨୦ଲକ୍ଷ ପାଉଣ୍ଡ ମୂଳଧନରେ ଆଉ ଏକ କମ୍ପାନି ଗଠିତ ହେଲା । ଏମାନେ ପୂର୍ବ କମ୍ପାନି ସହ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କଲେ । ଲର୍ଡ ଗଡ଼ଲ୍‌ଫିନ୍‌ ଏହି ପ୍ରତିଦ୍ୱନ୍ଦ୍ୱିତାକୁ ଆପୋଷରେ ଭାଙ୍ଗି ଦେଇଥିଲେ । ୧୭୦୯ରେ ଲଣ୍ଡନ କମ୍ପାନିସହ ଏହି କମ୍ପାନି ମିଶିଗଲା । ନୂତନ କମ୍ପାନିର ନାମ ହେଲା ‘‘ଭାରତ ଓ ଭାରତୀୟ ଦ୍ୱୀପପୁଞ୍ଜ ସହ ବାଣିଜ୍ୟ କରିବା ସକାଶେ ଲଣ୍ଡନର ବଣିକ୍‌ ସମୂହର ସମ୍ମିଳିତ କମ୍ପାନି-।’’

Image

 

ଭାରତର ଇଉରୋପୀୟମାନଙ୍କର ପ୍ରାଥମିକ ଉପନିବେଶ
ପର୍ତ୍ତୁଗିଜ, ଓଲନ୍ଦାଜ, ଫରାସି, ଇଂରେଜ ଓ ଦିନାମାର

 

ପୂର୍ବେ କୁହାଯାଇଅଛି ଯେ, ଭାସ୍କୋଡ଼ାଗାମା ୧୪୯୮ ମସିହା ମଇମାସ ତା୨୦ରିଖରେ କାଲିକଟ୍‌ ରାଜ୍ୟରେ ପହଞ୍ଚିଥିଲେ । କାଲିକଟର ରାଜା ଜାମୋରିନ ଅତି ସମାଦରସହ ତାହାକୁ ଗ୍ରହଣ କରିଥିଲେ । ଆରବୀୟମାନେ ଏହାଙ୍କର ଅନିଷ୍ଟସାଧନ କରିବାଲାଗି ଚେଷ୍ଟା କରିଥିଲେ; କିନ୍ତୁ ସେମାନେ ଜାମୋରିନଙ୍କ ଲାଗି କିଛି କରିପାରି ନ ଥିଲେ । ଭାସ୍କୋଡ଼ାଗାମା ୬ ମାସ କାଲିକଟରେ ରହି ଜାମୋରିନଙ୍କଠାରୁ ପର୍ତ୍ତୁଗାଲର ରାଜାଙ୍କ ପାଖକୁ ଖଣ୍ଡିଏ ଭାଷା ନେଇଗଲେ । ଭାଷାର ମର୍ମ୍ମ ଏହି ‘‘ଆପଣଙ୍କ ଦେଶର ଭାସ୍କୋଡ଼ାଗାମା ଆମ୍ଭ ରାଜ୍ୟକୁ ଆସିବାରୁ ଆମ୍ଭେ ଅତ୍ୟନ୍ତ ସନ୍ତୁଷ୍ଟ ହେଲୁଁ । ଆମ୍ଭ ଦେଶରେ ପ୍ରଚୁର ପରିମାଣରେ ଲବଙ୍ଗ, ଦାରୁଚିନି, ଅଦା, ମରିଚ ଏବଂ ବହୁମୂଲ୍ୟ ପ୍ରସ୍ତର ଅଛି । ଆମ୍ଭେ ଆପଣଙ୍କ ଦେଶରୁ କେବଳ ସୁନା, ରୂପା, ପ୍ରବାଳ ପାଇବାର ଆଶାକରୁଁ ।’’

 

୧୫୦୨ରେ ପର୍ତ୍ତୁଗାଲର ରାଜା ରୋମାନ କାଥଲିକ୍‌ ଖ୍ରୀଷ୍ଟାନମାନଙ୍କର ପ୍ରଧାନ ଧର୍ମ୍ମଯାଜକ ରୋମନଗରର ପୋପାଙ୍କଠାରୁ ପୂର୍ବଦେଶରେ ବାଣିଜ୍ୟ କରିବା ସକାଶେ ଅନୁମତି ପାଇଥିଲେ । ସେ ଭାସ୍କୋଡ଼ାଗାମାଙ୍କୁ ୨୦ଖଣ୍ଡ ଜାହାଜ ଓ କେତେକ ସୈନ୍ୟ ଦେଇ ଦ୍ୱିତୀୟଥର ଭାରତକୁ ପଠାଇଲେ । ସେ କୋଚିନ ଓ କାନାନୋର ରାଜଦ୍ୱୟଙ୍କ ସାହାଯ୍ୟରେ ଜାମୋରିନଙ୍କୁ ପରାସ୍ତ କଲେ । ଅଳ୍ପଦିନ ମଧ୍ୟରେ ପର୍ତ୍ତୁଗିଜମାନେ ଭାରତରେ କ୍ଷମତାଶାଳୀ ହୋଇଉଠିଲେ । ତତ୍‌ପରେ ୧୫୦୫ରେ ଆଲମିଡ଼ା ନାମକ ଏକ ବ୍ୟକ୍ତି ୨୨ ଖଣ୍ଡ ଜାହାଜ ଓ ୧୫୦୦ ସୈନ୍ୟ ଘେନି ପ୍ରଥମ ପର୍ତ୍ତୁଗିଜ ଶାସନକର୍ତ୍ତା ହୋଇ ଭାରତକୁ ଆସିଲେ । ୧୫୦୯ରେ ଆଲବୁକାର୍କ ନାମକ ଆଉ ଏକ ବ୍ୟକ୍ତି ଶାସନକର୍ତ୍ତା ହୋଇ ଆସିଥିଲେ । ସେ କାଲିକଟ୍‌ ଆକ୍ରମଣ କରି ଅକୃତକାର୍ଯ୍ୟ ହୋଇ ଗୋଆ ଅଧିକାର କରିଥିଲେ । ତତ୍‌ପରେ ସିଂହଳଦ୍ୱୀପ ବେଷ୍ଟନ କରି ଭାରତୀୟ ଦୀପପୁଞ୍ଜର ମଲକ୍କା ଅଧିକାର କରି ଶ୍ୟାମ ଓ ଭାରତୀୟ ଦୀପପୁଞ୍ଜରେ ବାଣିଜ୍ୟ ବିସ୍ତାର କରିଥିଲେ । ସେ ୧୫୧୫ରେ ଗୋଆ ନଗରୀରେ ପ୍ରାଣତ୍ୟାଗ କରିଥିଲେ । ୧୫୨୪ରେ ଭାସ୍କୋଡ଼ାଗାମା ତୃତୀୟଥର ଭାରତକୁ ଆସି କୋଚିନରେ ପ୍ରାଣତ୍ୟାଗ କଲେ ।

 

୧୫୦୦ ଠାରୁ ୧୬୦୦ ପର୍ଯ୍ୟନ୍ତ ପର୍ତ୍ତୁଗିଜମାନେ ପୂର୍ବଦେଶୀୟ ବାଣିଜ୍ୟରେ ଏକାଧିପତ୍ୟ ଲାଭ କରିଥିଲେ । କିନ୍ତୁ ସେମାନଙ୍କ ପରାକ୍ରମ କମିଯିବାରୁ ଏବଂ ସେମାନେ ବାଣିଜ୍ୟ କରୁଥିବା ସ୍ଥାନମାନଙ୍କରେ ଅତ୍ୟନ୍ତ ଅତ୍ୟାଚାର କରୁଥିବାରୁ ରାଜ୍ୟ ସ୍ଥାପନ କରି ପାରି ନ ଥିଲେ । ୧୫୮୦ ଖ୍ରୀ:ଅ:ରେ ପର୍ତ୍ତୁଗାଲରାଜ୍ୟ ସ୍ପେନର ଅଧୀନ ହେଲା ଓ ପର୍ତ୍ତୁଗିଜମାନଙ୍କର କ୍ଷମତା ହ୍ରାସ ଲଭିଲା । କିନ୍ତୁ ୧୬୪୦ରେ ପର୍ତ୍ତୁଗାଲ ପୁନଶ୍ଚ ସ୍ୱାଧୀନତା ଲାଭ କରିଥିଲା । ଏଥିମଧ୍ୟରେ ଓଲନ୍ଦାଜ ଓ ଇଂରାଜମାନେ ଭାରତରେ ବାଣିଜ୍ୟ ବିସ୍ତାର କରିଥିବାରୁ ପର୍ତ୍ତୁଗିଜମାନେ ଆଉ ଉନ୍ନତି କରି ପାରି ନ ଥିଲେ । ବର୍ତ୍ତମାନ ସୁଦ୍ଧା ଭାରତର ପଶ୍ଚିମ ଉପକୂଳରେ ଗୋଆ, ଦାମନ ଓ ଡିଉ ଏହି କେତେଗୋଟି ସ୍ଥାନ ଏମାନଙ୍କର ଅଧୀନରେ ଅଛି ।

 

ଓଲନ୍ଦାଜ ଉପନିବେଶ-ସ୍ଥାପନ :– ପୂର୍ବ ଗଳ୍ପରେ କୁହାଯାଇଅଛି ଯେ, ଓଲନ୍ଦାଜମାନେ ସପ୍ତଦଶ ଶତାବ୍ଦୀରେ ଭାରତୀୟ ଦ୍ୱୀପପୁଞ୍ଜରେ ପ୍ରଧାନ୍ୟ ଲାଭ କରିଥିଲେ । ସେମାନେ ଫରମୋଜା ଓ ମଲକ୍ଲାସ୍‌ ଅଧିକାର କରି ୧୬୪୭ରେ ଭାରତର ଦକ୍ଷିଣପୂର୍ବ ଉପକୂଳସ୍ଥିତ..... ନାମକ ସ୍ଥାନରେ ବାଣିଜ୍ୟ ଆରମ୍ଭ କଲେ । ୧୬୫୨ରେ ସେମାନେ ମାନ୍ଦ୍ରାଜ ଉପକୂଳସ୍ଥିତ ପାଇକଲୁ ନାମକ ସ୍ଥାନରେ ପ୍ରଥମ ବିଦ୍ୟାଳୟ ସ୍ଥାପନ କରିଥିଲେ । ୧୬୫୮ରେ ସେମାନେ ପର୍ତ୍ତୁଗୀଜ ମାନଙ୍କଠାରୁ ସିଂହଳଦ୍ୱୀପସ୍ଥ ଜଫନାପଟମ୍‌ ନାମକ ସ୍ଥାନ ଅଧିକାର କଲେ । ୧୬୬୪ରେ ସେମାନେ ମାଲବାର ଉପକୂଳସ୍ଥ ସମସ୍ତ ପର୍ତ୍ତୁଗିଜ ଉପନିବେଶମାନ ଅଧିକାର କରିନେଲେ ।

 

ଓଲନ୍ଦାଜମାନେ ପର୍ତ୍ତୁଗିଜମାନଙ୍କ ପରି ଅତ୍ୟାଚାରୀ ଥିବାରୁ ଭାରତରେ ରାଜ୍ୟ ସ୍ଥାପନ କରି ପାରି ନ ଥିଲେ । ଇଂରେଜମାନେ ଓ ଓଲନ୍ଦାଜ ପ୍ରାଧାନ୍ୟ ଲୋପ କରିଥିଲେ । ୧୭୫୮ରେ ଇଂରେଜବୀର କ୍ଲାଇବ ଏମାନଙ୍କଠାରୁ ଚିନ୍‌ସୁରା ନଗର ଛଡ଼ାଇ ନେଇଥିଲେ । ୧୭୯୩ ଠାରୁ ୧୮୧୫ ମଧ୍ୟରେ ଇଂରେଜମାନେ ଓଲନ୍ଦାଜମାନଙ୍କଠାରୁ ଭାରତୀୟ ଦ୍ୱୀପପୁଞ୍ଜସ୍ଥ ସମସ୍ତ ଉପନିବେଶମାନ ଅଧିକାର କରିନେଇଥିଲେ । କିନ୍ତୁ ଇଂରେଜମାନେ ୧୮୧୬ରେ ସେମାନଙ୍କୁ ଜାଭା ଫେରେଇ ଦେଇଥିଲେ ଏବଂ ମଲକ୍ଲାଦ୍ୱୀପ ନେଇ ସୁମାତ୍ରାଦ୍ୱୀପ ଦେଇଥିଲେ । ବର୍ତ୍ତମାନ ଭାରତରେ ଓଲନ୍ଦାଜମାନଙ୍କର ଅଧିକୃତ ସ୍ଥାନ ଆଉ ନାହିଁ ।

 

ଇଂରେଜମାନଙ୍କର ମାନ୍ଦ୍ରାଜ ଉପକୂଳରେ ଉପନିବେଶ-ସ୍ଥାପନ :– ପୂର୍ବ ଗଳ୍ପରେ କୁହାହୋଇଅଛି ଯେ, ଆମ୍ବୋୟାନାର ହତ୍ୟା-ଦିନଠାରୁ ଇଂରେଜମାନେ ଭାରତରେ ବାଣିଜ୍ୟ କରିବା ସକାଶେ ଚେଷ୍ଟା କରୁଥିଲେ । ସେମାନେ ୧୬୩୨ରେ ଗୋଲକୁଣ୍ଡାର ସୁଲତାନଙ୍କ ପାଖରୁ ସନନ୍ଦ ନେଇ ମସଲିପଟମରେ ଗୋଟିଏ ବିଣିଜ୍ୟାଳୟ ସ୍ଥାପନ କରିଥିଲେ । ଏଥିପୂର୍ବରୁ ସେମାନେ ଆର୍‍ମଗାଁଓ ନାମକ ସ୍ଥାନରେ ଗୋଟିଏ ବାଣିଜ୍ୟାଳୟ ସ୍ଥାପନ କରିଥିଲେ । ଅବଶେଷରେ ୧୬୩୯ରେ ଆରମାଗାଁଓର ଇଂରେଜ ସର୍ଦ୍ଦାର ଫ୍ରାନସିସ୍‌ ଡେ ସାହେବ ଚନ୍ଦ୍ରଗିରି ରାଜାଙ୍କଠାରୁ ମାଦ୍ରାସାପଟମ୍‌ ବା ଚିନାପଟମ୍‌ ନାମକ ଏକ ସ୍ଥାନ ଖରିଦ କରି ନେଇଥିଲେ । ଏଠାରେ ସେ ସେଣ୍ଟଜର୍ଜ ନାମକ ଦୁର୍ଗ ନିର୍ମାଣ କରି ମାନ୍ଦ୍ରାଜ ନଗର ସ୍ଥାପନ କରିଥିଲେ । ଭାରତରେ ଏହି ନଗର ହିଁ ଇଂରେଜମାନଙ୍କର ପ୍ରଥମ ଅଧିକୃତ ସ୍ଥାନ ।

 

ବମ୍ୱେଇ ଉପକୂଳରେ ଇଂରେଜ ଉପନିବେଶ ସ୍ଥାପନ :– ଇଂରେଜମାନେ ସ୍ୱାଲି ଯୁଦ୍ଧରେ ପର୍ତ୍ତୁଗିଜମାନଙ୍କୁ ପରାସ୍ତ କରି ପ୍ରଥମ ୧୬୧୫ରେ ସୁରାଟ ନଗରରେ ବିଦ୍ୟାଳୟ ସ୍ଥାପନ କଲେ । ୧୬୬୧ରେ ଇଂଲଣ୍ଡରାଜ ଦ୍ୱିତୀୟ ଚାର୍ଲସ ପର୍ତ୍ତୁଗିଜ ରାଜକନ୍ୟା କାଥାରିନ୍‌ଙ୍କୁ ବିବାହକରି ଯୌତୁକସ୍ୱରୂପ ବମ୍ବେଇ ନଗର ପାଇଥିଲେ । ୧୬୬୮ରେ ଦ୍ୱିତୀୟ ଚାର୍ଲସ ବାର୍ଷିକ ୧୦ ପାଉଣ୍ଡ ଖଜଣାରେ ବମ୍ବେଇନଗର ଇଂରେଜ କମ୍ପାନିକୁ ଦେଇଥିଲେ । ବମ୍ବେଇନଗର ସେ ସମୟରେ ଗୋଟିଏ ସାମାନ୍ୟ ଗ୍ରାମମାତ୍ର ଥିଲା; କିନ୍ତୁ ୧୬୬୩ରେ ଯେତେବେଳେ ମରହଟ୍ଟାମାନେ ସୁରଟନଗରକୁ ଲୁଣ୍ଠନକଲେ ସେତେବେଳେ ଇଂରେଜମାନେ ବମ୍ବେଇନଗରରେ ବସତି କରି ତାହାର ଶ୍ରୀବୁଦ୍ଧି ସାଧନ କରିଥିଲେ ।

 

ବଙ୍ଗଳାରେ ଇଂରେଜ ଉପନିବେଶ ସ୍ଥାପନ :– ୧୬୩୪ ଖ୍ରୀ:ଅ: ପର୍ଯ୍ୟନ୍ତ ଇଂରେଜମାନେ ବଙ୍ଗଳାରେ ବାଣିଜ୍ୟକୋଠି ସ୍ଥାପନ କରି ପାରି ନ ଥିଲେ । ସେହି ବର୍ଷ ମୋଗଲସମ୍ରାଟ୍‌ ସେମାନଙ୍କୁ ବଙ୍ଗଦେଶରେ ବାଣିଜ୍ୟ କରିବାପାଇଁ ଅନୁମତି ଦେଲେ । ସେମାନେ ପ୍ରଥମେ ଓଡ଼ିଶାର ପିପିଲି ନାମକ ସ୍ଥାନରେ ବାଣିଜ୍ୟ ଆରମ୍ଭ କଲେ । ୧୬୪୦ରେ ସେମାନେ ହୁଗୁଳିଠାରେ ଏବଂ ୧୬୪୨ରେ ବାଲେଶ୍ୱରରେ ବାଣିଜ୍ୟକୋଠି ସ୍ଥାପନ କରିବାକୁ ଅଧିକାର ପାଇଥିଲେ । ୧୬୪୫ରେ ବ୍ରାଉଟନ୍‌ ନାମକ ଏକ ଇଂରେଜ ଡାକ୍ତର ସାହାଜାହାନଙ୍କ କନ୍ୟାକୁ ଆରୋଗ୍ୟ କରିବାରୁ ପୁରସ୍କାର ସ୍ୱରୂପ ସମସ୍ତ ବଙ୍ଗଳାରେ ବାଣିଜ୍ୟ କରିବାର ଅଧିକାର ଇଂରେଜ କମ୍ପାନି ସକାଶେ ପ୍ରାପ୍ତ ହୋଇଥିଲେ । ୧୬୮୧ରେ ବଙ୍ଗଳାର ଇଂରେଜ କୋଠିମାନ ମାନ୍ଦ୍ରାଜଠାରୁ ବିଚ୍ଛିନ୍ନ ହୋଇ ଜଣେ ଶାସନକର୍ତ୍ତାଙ୍କ ଅଧୀନରେ ରହିଲା । ୧୬୮୬ରେ ବଙ୍ଗଳାର ନବାବ ସାୟସ୍ତା ଖାଁ ଇଂରେଜମାନଙ୍କର ବଙ୍ଗଳାରେ ଥିବା ସମସ୍ତ ବାଣିଜ୍ୟକୋଠି ସେମାନଙ୍କଠାରୁ ଛଡ଼ାଇ ନେଇଥିଲେ । ହୁଗୁଳିର ଇଂରେଜମାନେ ଜବ୍‌ ଚାର୍ଣ୍ଣକଙ୍କ ଅଧୀନରେ ହୁଗୁଳିଠାରୁ ୨୬ ମାଇଲ ତଳେ ସୂତାନଟୀ ନାମକ ସ୍ଥାନରେ ବାସ କରିଥିଲେ । ଏହିଠାରେ ସେମାନେ ଫୋର୍ଟଉଇଲିୟମ୍‌ ନାମକ ଦୁର୍ଗର ନିର୍ମାଣ ଆରମ୍ଭ କଲେ । ୧୭୦୦ ଅବ୍ଦରେ ସେଠାରେ ଇଂରେଜମାନେ ଅଉରଙ୍ଗଜେବଙ୍କ ପୁତ୍ତ୍ର ଅଜିମଙ୍କଠାରୁ ସୂତାନଟୀ, କଲିକତା ଓ ଗୋବିନ୍ଦପୁର ନାମକ ତିନିଗୋଟି ଗ୍ରାମ କ୍ରୟ କଲେ । ଏହି ତିନିଗୋଟି ଗ୍ରାମ ମିଶି ବର୍ତ୍ତମାନର କଲିକତାନଗରୀ ଗଠିତ ହୋଇଅଛି ।

 

ଫରାସି ଓ ଦିନାମାରମାନଙ୍କ ଉପନିବେଶସ୍ଥାପନ :– ଫରାସିମାନେ ୧୬୬୪ରେ ସୁରଟରେ, ୧୬୭୪ରେ ପଣ୍ଡିଚେରୀରେ ଏବଂ ୧୬୮୮ରେ ଚନ୍ଦନନଗରରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ । ପଣ୍ଡିଚେରୀରେ ସେମାନଙ୍କର ଭାରତୀୟ ଉପନିବେଶମାନଙ୍କ ମଦ୍ୟରେ ପ୍ରଧାନ ସ୍ଥାନ ହୋଇଥିଲା । ସେମାନେ କ୍ରମଶଃ ଅତ୍ୟନ୍ତ ପରାକ୍ରମଶାଳୀ ହୋଇଥିଲେ । ଇଂରେଜମାନଙ୍କ ସହିତ ଏମାନଙ୍କର ଯୁଦ୍ଧବିଗ୍ରହ ବିଷୟ ପରେ କୁହାଯିବ ।

 

ଶ୍ରୀରାମପୁର ଦିନାମାରମାନଙ୍କ ପ୍ରଧାନ ଅଧିକୃତ ସ୍ଥାନ ଥିଲା । ୧୮୪୫ରେ ଇଂରେଜମାନେ ଏହାକୁ ସେମାନଙ୍କଠାରୁ ଖରିଦ କରିଥିଲେ । ବର୍ତ୍ତମାନ ଦିନାମାରମାନଙ୍କ ଅଧିକୃତ ସ୍ଥାନ ଭାରତରେ ଆଉ ନାହିଁ ।

Image

 

ଇଂରେଜ ଓ ଫରାସିମାନଙ୍କ ମଧ୍ୟରେ ସମର
କ୍ଲାଇବ ଓ ଡିଉପ୍ଳେ

 

ଇଂରାଜ ଓ ଫରାସୀମାନଙ୍କ ମଧ୍ୟରେ ସମର ବିଷୟ ବର୍ଣ୍ଣନା କରିବାପୂର୍ବେ ସେ ସମୟରେ ଦାକ୍ଷିଣାତ୍ୟର ଅବସ୍ଥା କିପରି ଥିଲା ତାହା କହିବା ଉଚିତ ।

 

ପୂର୍ବ ଅଧ୍ୟାୟରେ କୁହାଯାଇଅଛି ଯେ, ଇଂରେଜମାନେ ୧୬୩୯ ଖ୍ର:ଅ:ରେ ମାନ୍ଦ୍ରାଜନଗର ସ୍ଥାପନ କରିଥିଲେ, ଆଉ ଫରାସିମାନେ ୧୬୭୪ ଖ୍ରୀ:ଅ:ରେ ମାନ୍ଦ୍ରାଜଠାରୁ ୧୦୦ ମାଇଲ ଦକ୍ଷିଣରେ ପଣ୍ଡିଚେରୀ ନଗରରେ ଉପନିବେଶ ସ୍ଥାପନ କରିଥିଲେ । ଏ ସମୟରେ ପର୍ତ୍ତୁଗିଜ, ଓଲନ୍ଦାଜ ଓ ଦିନାମାରମାନଙ୍କର କ୍ଷମତା ଏକାବେଳକେ ହ୍ରାସ ଲଭିଥିଲା । କେବଳ ଇଂରେଜ ଓ ଫରାସିମାନେ ଭାରତୀୟ ବାଣିଜ୍ୟରେ ଏକାଧିପତ୍ୟ ଲାଭ କରିଥିଲେ । ଇଂରେଜମାନେ ମାନ୍ଦ୍ରାଜ, ବମ୍ୱେର ଓ କଲିକତା ପ୍ରାପ୍ତ ହେବାରୁ ସେମାନଙ୍କର ବାଣିଜ୍ୟର ଶ୍ରୀବୃଦ୍ଧି ହୋଇଥିଲା । ଫରାସୀମାନେ ମଧ୍ୟ ମାନ୍ଦ୍ରାଜ, ବମ୍ବେଇ ଓ ବଙ୍ଗଳାରେ ଉପନିବେଶ ସ୍ଥାପନ କରିଥିଲେ । ପଣ୍ଡିଚେରୀ ଫରାସି-ଉପନିବେଶମାନଙ୍କର କେନ୍ଦ୍ରସ୍ଥଳ ଥିଲା । ଇଂରେଜ ଓ ଫରାସି ଅନେକ ବର୍ଷ ପର୍ଯ୍ୟନ୍ତ ଶାନ୍ତି ଭାବରେ ବାଣିଜ୍ୟ କରିଥିଲେ । ୧୭୪୧ ଖ୍ରୀ:ଅ:ରେ ଡିଉପ୍ଲେ ନାମକ ଜଣେ ଦୂରଦର୍ଶୀ, ଦକ୍ଷ ଫରାସି ଶାସନକର୍ତ୍ତା ଭାରତକୁ ଅଇଲେ ।

 

୧୭୦୭ ଖ୍ରୀ:ଅ:ପରେ ଦାକ୍ଷିଣାତ୍ୟରେ ଅବସ୍ଥା :– ୧୭୦୭ରେ ଅଉରଙ୍ଗଜେବଙ୍କ ମୃତ୍ୟୁ ହେଲା । ତତ୍‌ପରେ ଦାକ୍ଷିଣାତ୍ୟ-ସ୍ୱାଧୀନ ହେବାକୁ ଲାଗିଲା । ହାଇଦ୍ରାବାଦରେ ନିଜାମ ଉଲ୍‌ମୁଲକ୍‌ ଗୋଟିଏ ସ୍ୱାଧୀନ ରାଜ୍ୟ ସ୍ଥାପନ କଲେ । କର୍ଣ୍ଣାଟପ୍ରଦେଶ ନିଜାମଙ୍କ ପ୍ରତିନିଧିଦ୍ୱାରା ଶାସିତ ହେଉଥିଲେ । ସେ ନବାବ ନାମରେ ଅଭିହିତ ଥିଲେ । କ୍ରମେ ସେ ସ୍ୱାଧୀନ ହୋଇଥିଲେ । ତ୍ରିଞ୍ଚାନପଲ୍ଲୀ, ତାଞ୍ଜୋର ଓ ମହୀଶୁରରେ ତିନିଗୋଟି ହିନ୍ଦୁରାଜ୍ୟ ସ୍ଥାପିତ ହୋଇଥିଲା । ଦିଲ୍ଲୀସମ୍ରାଟଙ୍କ କ୍ଷମତା ହ୍ରାସ ହେବାକୁ ଇଂରେଜ ଓ ଫରାସିମାନେ ପ୍ରାଧାନ୍ୟ ସ୍ଥାପନ ଲାଗି ଚେଷ୍ଟା କରୁଥିଲେ ।

 

ପ୍ରଥମ କର୍ଣ୍ଣାଟସମର, ୧୭୪୬-୪୮ :– ଦାକ୍ଷିଣାତ୍ୟର ଅବସ୍ଥା ଯେତେବେଳେ ଏହିପରି ଥିଲା ସେତେବେଳେ ଇଉରୋପରେ ଇଂରେଜ ଓ ଫରାସି ମଧ୍ୟରେ ଘୋର ଯୁଦ୍ଧ ଆରମ୍ଭ ହେଲା । ଡିଉପ୍ଲେ ସେ ସମୟରେ ଭାରତବର୍ଷରେ ଫରାସିଶାସନକର୍ତ୍ତା ଥିଲେ, ଏବଂ କ୍ଲାଇବି ମାନ୍ଦ୍ରାଜରେ ସାମାନ୍ୟ କିରାନି ଥିଲେ । ୧୭୪୬ରେ ଲାବର୍ଦୋ ନାମକ ଏକ ଫରାସିସେନାପତି କେତେକ ରଣତରୀ ନେଇ ମାନ୍ଦ୍ରାଜଉପକୂଳରେ ଉପସ୍ଥିତ ହେଲେ । ମାନ୍ଦ୍ରାଜ ଅଧିକୃତ ହେଲା । କ୍ଲାଇବ ଓ ଆଉ କେତେକ ଇଂରେଜ ସେଣ୍ଟ ଡେବିଡ଼୍‌ ଦୁର୍ଗରେ ଆଶ୍ରୟ ଗ୍ରହଣ କଲେ । କର୍ଣ୍ଣାଟକ ନବାବ ଦଶହଜାର ସୈନ୍ୟ ଘେନି ମାନ୍ଦ୍ରାଜରୁ ଫରାସିମାନଙ୍କୁ ତଡ଼ିଦେବାଲାଗି ଯାଇଥିଲେ, କିନ୍ତୁ ଅକୃତକାର୍ଯ୍ୟ ହେଲେ । ୧୭୪୧ରେ ବନ୍‌କାବେନ୍‌ ଇଂଲଣ୍ଡରୁ ଆସି ଜଳପଥରେ, ଏବଂ ମେଜର ଲରେନ୍ସ ସ୍ଥଳପଥରେ ପଣ୍ଡିଚେରୀ ଆକ୍ରମଣ କଲେ । କିନ୍ତୁ ସେମାନଙ୍କର ସମସ୍ତ ଚେଷ୍ଟା ନିଷ୍ଫଳ ହେଲା । ସେହି ବର୍ଷ ଇଉରୋପରେ ଉଭୟ ଜାତି ମଧ୍ୟରେ ସନ୍ଧି ସ୍ଥାପିତ ହେବାରୁ ଫରାସିମାନେ ଇଂରେଜମାନଙ୍କୁ ମାନ୍ଦ୍ରାଜ ଫେରାଇ ଦେଇଥିଲେ ।

 

ଦ୍ୱିତୀୟ କର୍ଣ୍ଣାଟସମର :– ପ୍ରଥମ କର୍ଣ୍ଣାଟସମରରେ ଡିଉପ୍ଲେ ଜୟୀ ହେବାରୁ ତାଙ୍କର ରାଜ୍ୟ ସ୍ଥାପନ କରିବାର ଆଶା ବଳବତୀ ହୋଇଥିଲା । ଆଶା ପୂର୍ଣ୍ଣ କରିବାର ସୁବିଧା ମଧ୍ୟ ମିଳିଗଲା । ୧୭୪୮ରେ ହାଇଦ୍ରାବାଦର ନିଜାମ ଉଲ୍‌ମୁଲକ୍‌ ମରିଯିବାରୁ ଦାକ୍ଷିଣାତ୍ୟରେ ସୁବାଦରୀ ପାଇଁ ନାଜିରଜଙ୍ଗ ଓ ତାଙ୍କ ପୁତୁରା ମଜଫରଜଙ୍ଗ ପ୍ରତିଦ୍ୱନ୍ଦ୍ୱୀ ହେଲେ । ଏହି ସମୟରେ ପୂର୍ବବର୍ତ୍ତୀ ନବାବଙ୍କର ଏକ ଜାମାତା ଚାନ୍ଦାସାହେବ ଆର୍କଟର ନବାବ ପଦପାଇଁ ଦାବୀ କରିଥିଲେ-। ମଜଫରଜଙ୍ଗ ଓ ଚାନ୍ଦାସାହେବ ଡିଉପ୍ଲେ୍‌ଙ୍କ ସାହାଯ୍ୟପ୍ରାର୍ଥୀ ହେଲେ । ମଜଫର, ଚାନ୍ଦାସାହେବ ଏବଂ ଫରାସିମାନେ ମିଳିତ ହୋଇ କର୍ଣ୍ଣାଟର ବୃଦ୍ଧ ନବାବ ଅନବାରଉଦ୍ଦିନଙ୍କୁ ଗୋଟିଏ ଯୁଦ୍ଧରେ ପରାସ୍ତ କରି ହତ୍ୟା କଲେ । ମଜଫର ଆପଣକୁ ଦାକ୍ଷିଣାତ୍ୟର ସୁବାଦାର ବୋଲି ଘୋଷଣା କଲେ, ଏବଂ ଚାନ୍ଦାସାହେବଙ୍କୁ କର୍ଣ୍ଣାଟକ ନବାବ କଲେ । ଅନବାରଉଦ୍ଦିନଙ୍କ ପୁତ୍ର ମହମ୍ମଦଅଲ୍ଲୀ ଏବଂ ନାଜିରଜଙ୍ଗ ଇଂରେଜମାନଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ଇଂରେଜମାନେ ସାହାଯ୍ୟ ଦେବାରୁ ଚାନ୍ଦାସାହେବ ଓ ମଜଫରଜଙ୍ଗ ପରାଜିତ ହେଲେ । ମଜଫର ବନ୍ଦୀ ହେଲେ । ନାଜିରଜଙ୍ଗ ନିଜକୁ ଦାକ୍ଷିଣାତ୍ୟର ସୁବାଦାର ବୋଲି ଘୋଷଣା କରି ମହମ୍ମଦଅଲ୍ଲୀଙ୍କୁ କର୍ଣ୍ଣାଟର ନବାବ କଲେ । କିନ୍ତୁ ନାଜିରଜଙ୍ଗ ଅଳ୍ପଦିନ ପରେ ନିହତ ହେବାରୁ ଫରାସିମାନେ ମଜଫରଜଙ୍ଗଙ୍କୁ ମୁକ୍ତି ଦେଇ ନିଜାମ କଲେ ଏବଂ ଚାନ୍ଦାସାହେବଙ୍କ କର୍ଣ୍ଣାଟର ନବାବ କଲେ । ମାତ୍ର ମଜଫରଜଙ୍ଗ ତହିଁରେ ଅଳ୍ପଦିନପରେ ନିହତ ହେବାରୁ ଫରାସିମାନେ ତାଙ୍କର ଖୁଡ଼ୁତା ସଲାବହଜଙ୍ଗକୁ ନିଜାମ କରିଥିଲେ; ଏହିରୂପେ ଫରାସିମାନେ ଦାକ୍ଷିଣାତ୍ୟରେ ନିଜ କ୍ଷମତା ବଜାୟ ରଖିଥିଲେ ।

 

ଇଂରେଜମାନେ ଦେଖିଲେ ଯେ ଦାକ୍ଷିଣାତ୍ୟରେ ସେମାନଙ୍କର ସମସ୍ତ ଆଶାଭରସା ଲୁପ୍ତ ହେଲା । ସେମାନଙ୍କର ଆଶ୍ରିତ ମହମ୍ମଦଅଲୀ କର୍ଣ୍ଣାଟ ରାଜଧାନୀ ଆର୍କଟରୁ ତାଡ଼ିତ ହୋଇ ତ୍ରିଞ୍ଚନାପଲ୍ଲୀରେ ଅବରୋଧ କଲେ । ଏହି ସଙ୍କଟ ସମୟରେ କ୍ଲାଇବ ନାମକ ଏକ ବ୍ୟକ୍ତି ଇଂରେଜମାନଙ୍କର ମାନରକ୍ଷା କରିଥିଲେ । ସେ ସେତେବେଳେ ସାମାନ୍ୟ କିରାନି ଥିଲେ । ସେ କିରାନିଗିରି ଛାଡ଼ିଦେଇ ଅସ୍ତ୍ରଧାରଣ କରିବାଲାଗି ପ୍ରସ୍ତାବ କଲେ । ପ୍ରସ୍ତାବ ଗ୍ରାହ୍ୟ ହେଲା । ୧୭୫୧ରେ କ୍ଲାଇବ କେବଳ ୫୦୦ ସୈନ୍ୟ ନେଇ ବୃଷ୍ଟି ଓ ବଜ୍ରପାତ ମଧ୍ୟଦେଇ ଆର୍କଟଦୁର୍ଗ ଅଧିକାର କଲେ । ଏହା ଶୁଣି ଚାନ୍ଦାସାହେବ ଦଶହଜାର ସୈନ୍ୟ ପଠାଇଥିଲେ । କିନ୍ତୁ କ୍ଲାଇବ ଅତ୍ୟନ୍ତ ସାହସ ସହିତ ୫୦ ଦିନ ପର୍ଯ୍ୟନ୍ତ ଦୁର୍ଗରକ୍ଷା କରି ଚାନ୍ଦାସାହେବଙ୍କ ସୈନ୍ୟମାନଙ୍କୁ ତଡ଼ିଦେଲେ । ଏହାପରେ କ୍ଲାଇବ ଆଉ ନୂତନ ଇଂରେଜ ଓ ମରହଟ୍ଟା ସୈନ୍ୟସହ ମିଳିତ ହୋଇ ଦୁଇଥର ଚାନ୍ଦାସାହେବଙ୍କୁ ପରାସ୍ତ କଲେ । ତ୍ରିଞ୍ଚନାପଲ୍ଲୀ ଅବରୋଧକାରୀମାନେ ନିଜେ କ୍ଲାଇବଙ୍କ ସୈନ୍ୟଦ୍ୱାରା ଅବରୁଦ୍ଧ ହେଲେ ଏବଂ ପରେ ଆତ୍ମସମର୍ପଣ କଲେ । ଇଂରେଜମାନଙ୍କର ସୁଖ୍ୟାତି ଚାରିଆଡ଼େ ବିସ୍ତୃତ ହେଲା । ମହମ୍ମଦ ଅର୍କଟ ଗଦିରେ ପୁନର୍ବାର ବସିଲେ । ଏହିରୂପେ ଫରାସିମାନେ କର୍ଣ୍ଣାଟରେ ପ୍ରାୟ ସମସ୍ତ କ୍ଷମତା ହରାଇଥିଲେ ।

 

ଡିଉପ୍ଲେ ଫରାସିମାନଙ୍କର ଖ୍ୟାତି ପୁନରୁଦ୍ଧାର କରିବାଲାଗି ଯଥାସାଧ୍ୟ ଚେଷ୍ଟା କରିଥିଲେ, କିନ୍ତୁ ଫରାସି-ଗବର୍ଣ୍ଣମେଣ୍ଟ ତାଙ୍କ ପ୍ରତି ଅସନ୍ତୁଷ୍ଟ ହୋଇ ତାଙ୍କୁ ୧୭୫୪ରେ ଡାକି ପଠାଇଲେ । ସେ ନିରାଶହୃଦୟରେ ନିଜ ଦେଶକୁ ଫେରିଗଲେ ଏବଂ ଜୀବନର ଅବିଶିଷ୍ଟାଂଶ ଦେଶ-ହିତ-ସାଧନରେ କଟାଇଥିଲେ ।

 

ତୃତୀୟ କର୍ଣ୍ଣାଟସମର :– ୧୭୫୮ରେ ଫରାସିମାନେ ଆଉଥିରେ ସେମାନଙ୍କର ଭାଗ୍ୟ ପରୀକ୍ଷା କରିବା ସକାଶେ ଚେଷ୍ଟା କରିଥିଲେ । ଏହି ସମୟରେ ଲାଲି ନାମକ ଏକ ବ୍ୟକ୍ତି ଫରାସି ଶାସନକର୍ତ୍ତା ହୋଇ କେତେଖଣ୍ଡ ରଣତରୀସହ ଭାରତରେ ଉପସ୍ଥିତ ହୋଇଥିଲେ । ସେ ଇଂରେଜମାନଙ୍କର ସେଣ୍ଟଡେବିଡ଼୍‌ ଦୁର୍ଗ ଅଧିକାର କରି ଉତ୍ତର ସରକାରର ଆଉ ଜଣେ ଫରାସି ସେନାପତି ବୁସିଙ୍କୁ ମାନ୍ଦ୍ରାଜ ଆକ୍ରମଣ କରିବାଲାଗି ଆଦେଶ ଦେଲେ । ଲାଲି ମାନ୍ଦ୍ରାଜ ଅବରୋଧ କଲେ । ୨ ମାସ ଅବରୋଧରେ ସୁଦ୍ଧା ଇଂରେଜମାନେ ଆତ୍ମସମର୍ପଣ କଲେ ନାହିଁ । ୧୭୫୯ରେ ବିଲାତରୁ କେତେଖଣ୍ଡ ରଣତରୀ ଆସିବାରୁ ଲାଲି ଅବରୋଧ ତ୍ୟାଗ କଲେ । ସେ ଇଂରେଜମାନଙ୍କୁ ପରାସ୍ତ କରିବା ପାଇଁ ନାନାପ୍ରକାର ଚେଷ୍ଟା କରିଥିଲେ । ୧୭୬୦ରେ ସର୍‌ ଆୟିରିକୁଟ୍‌ ନାମକ ଏକ ଇଂରେଜ ସେନାପତି ବାଣ୍ଡିବାସ୍‌ ଯୁଦ୍ଧରେ ଲାଲିଙ୍କୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରି ପଣ୍ଡିଚେରୀ ଅବରୋଧ କଲେ । ଫରାସିମାନେ ଅନାହାର ପୀଡ଼ିତ ହୋଇ ପରବର୍ଷ ଇଂରେଜମାନଙ୍କୁ ପଣ୍ଡିଚେରୀ ଅର୍ପଣ କଲେ । ତତ୍‌ପରେ ସନ୍ଧି ହେବାରୁ ଫରାସିମାନେ ପଣ୍ଡିଚେରୀ ପୁନଃ ପ୍ରାପ୍ତ ହେଲେ । ଫରାସିମାନଙ୍କର କ୍ଷମତା ଏକାବେଳକେ ଚୁର୍ଣ୍ଣୀଭୂତ ହେଲା । ସେମାନଙ୍କର ଭାରତରେ ରାଜ୍ୟସ୍ଥାପନର ଆଶା ଏହିଠାରୁ ଲୋପ ପାଇଲା ।

Image

 

ପଲାସି ଯୁଦ୍ଧ-କ୍ଲାଇବ

 

୧୭୦୭ ଠାରୁ ୧୭୫୭ ପର୍ଯ୍ୟନ୍ତ ବଙ୍ଗ-ଶାସନକର୍ତ୍ତାମାନଙ୍କ ବିବରଣ-ଅଉରଙ୍ଗଜେବଙ୍କ ମୃତ୍ୟୁ ସମୟରେ ମୁର୍ଶିଦକୁଲି ଖାଁ ନାମକ ଏକ ବ୍ୟକ୍ତି ବଙ୍ଗଳାର ନବାବ ଥିଲେ । ସେ ପ୍ରଥମେ ବ୍ରାହ୍ମଣ ଥିଲେ, କିନ୍ତୁ ପରେ ମୁସଲମାନ ହେଲେ । ସେ ଢାକାରୁ ମୁର୍ଶିଦାବାଦକୁ ରାଜଧାନୀ ଉଠାଇ ଆଣିଥିଲେ । ମୁର୍ଶିଦାବାଦ ନିକଟବର୍ତ୍ତୀ କାସିମ ବଜାରରେ ଇଂରେଜ, ଫରାସି ଓ ଦିନାମାରମାନଙ୍କ ବାଣିଜ୍ୟ କୋଠି ଥିଲା । କଲିକତା ଇଂରେଜମାନଙ୍କର, ଚନ୍ଦନନଗର ଫରାସି ମାନଙ୍କର ଓ ଚିନ୍‌ସୂରା ଦିନାମାରମାନଙ୍କର ବାଣିଜ୍ୟର କେନ୍ଦ୍ରସ୍ଥଳ ଥିଲା । ମୁର୍ଶିଦକୁଲିଖାଁ ୨୧ ବର୍ଷ ସୁଖଶାନ୍ତିରେ ବଙ୍ଗଦେଶ ଶାସନ କରି ପ୍ରାଣତ୍ୟାଗ କଲେ । ତାଙ୍କ ଅନ୍ତେ ତାଙ୍କ ପୁଅ ଓ ତତ୍‌ପରେ ତାଙ୍କ ନାତି ବଙ୍ଗଦେଶର ଶାସନକର୍ତ୍ତା ହେଲେ । ୧୭୪୦ରେ ଆଲିବର୍ଦ୍ଦି ଖାଁ ନାମକ ଏକ ବ୍ୟକ୍ତି ବଙ୍ଗଳାର ନବାବଗଦି ଅଧିକାର କଲେ । ଏହାଙ୍କ ଅମଳରେ ମରହଟ୍ଟାମାନେ ବଙ୍ଗଦେଶ ଲୁଣ୍ଠନ କରିବାରୁ କଲିକତାବାସୀମାନେ ନବାବଙ୍କୁ ଅନୁମତି ନେଇ ୧୭୫୨ରେ ଏକ ଖାଲ ଖୋଳିଥିଲେ-। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ମରହଟ୍ଟାଖାଲ କୁହାଯାଏ ।

 

ଆଲିବର୍ଦ୍ଦି ଖାଁ ୧୭୫୬ରେ ପ୍ରାଣତ୍ୟାଗ କଲେ । ତାଙ୍କର ନାତି ସୁରାଜଉଦ୍ଦୌଲା ତାଙ୍କ ଅନ୍ତେ ନବାବ ହେଲେ । ସେତେବେଳେ ତାଙ୍କର ବୟସ ୧୮ ବର୍ଷ ମାତ୍ର ହୋଇଥିଲା । ସୁରାଜ ଅଳ୍ପ ବୟସରେ ନବାବ ହେବାରୁ ଅତ୍ୟନ୍ତ ଗର୍ବିତ ହୋଇଉଠିଲେ । ତାଙ୍କର ସ୍ୱଭାବ ଅତ୍ୟନ୍ତ ଚଞ୍ଚଳ ଥିଲା । ଏହି ସମୟରେ ଢାକାର ଶାସନକର୍ତ୍ତା ରାଜବଲ୍ଲଭଙ୍କ ପୁତ୍ର କୃଷ୍ଣଦାସ ବହୁଧନ ସଞ୍ଚୟ କରିଥିଲେ । ସେ ନବାବଙ୍କ ଭୟରେ କଲିକତାକୁ ପଳାଇଆସି ଇଂରେଜମାନଙ୍କର ଆଶ୍ରୟ ନେଲେ-। ସୁରାଜ କୃଷ୍ଣଦାସଙ୍କୁ ଫେରାଇଦେବାଲାଗି କଲିକତାର ଇଂରେଜମାନଙ୍କୁ ଆଦେଶ ଦେଲେ । ଇଂରେଜମାନେ ଶରଣାର୍ଥୀକୁ ଅର୍ପଣ କରିବା ଲାଗି ଅସମ୍ମତି ପ୍ରକାଶ କଲେ । ଏଣୁ ସୁରାଜ ରାଗନ୍ୱିତ ହୋଇ ଅନେକ ସୈନ୍ୟ ଘେନି କଲିକତା ଆକ୍ରମଣ କଲେ । ଅନେକ ଇଂରେଜ ନଦୀବାଟେ ପଳାଇଗଲେ । ଅବଶିଷ୍ଟ ୧୪୬ ଜଣ ଆତ୍ମସମର୍ପଣ କରିଥିଲେ । ନବାବ ସେମାନଙ୍କୁ ଛାଡ଼ିଦେବାଲାଗି ଅଙ୍ଗୀକାର କରିଥିଲେ । କିନ୍ତୁ କଥିତ ଅଛି ଯେ ତାଙ୍କର କର୍ମଚାରୀମାନେ ସେମାନଙ୍କୁ ସେହି ରାତ୍ରିରେ ଫୋର୍ଟ ଉଇଲିୟମ୍‌ ଦୁର୍ଗର ଏକ ଅପ୍ରଶସ୍ତ କୋଠରିରେ ନବାବଙ୍କ ଅଜ୍ଞାତସାରରେ ବନ୍ଦ କରି ରଖିଥିଲେ । ଏହି କୋଠରି ୧୮ ଫୁଟ ଦୀର୍ଘ ଏବଂ ଏଥିରେ କେବଳ ଦୁଇଗୋଟି ଝରକା ଥିଲା । ତତ୍‌ପରଦିନ ଦେଖାଗଲା ଯେ ପୂର୍ବୋକ୍ତ ବନ୍ଦୀମାନଙ୍କ ମଧ୍ୟରୁ କେବଳ ୨୩ ଜଣ ଜୀବିତ ଅଛନ୍ତି-। ଏହାକୁ ‘‘ଅନ୍ଧକୂପହତ୍ୟା’’ କହନ୍ତି-। ଏହା ୧୭୫୭ରେ ଘଟିଥିଲା ।

 

ଏହି ଶୋଚନୀୟ ବାର୍ତ୍ତା ମାନ୍ଦ୍ରାଜରେ ପହୁଞ୍ଚିଲାକ୍ଷଣି ଇଂରେଜମାନେ ତତ୍‌କ୍ଷଣାତ୍‌ କ୍ଲାଇବଙ୍କୁ ସୈନ୍ୟସହ ସ୍ଥଳପଥରେ ଆଉ ବାଟ୍‌ସନ୍‌ଙ୍କୁ ଜଳପଥରେ କଲିକତାକୁ ପଠାଇଲେ । ସେମାନେ ଡିସେମ୍ବର ମାସରେ କଲିକତାରେ ପହୁଞ୍ଚି ୧୭୫୭ ର ପ୍ରଥମ ଭାଗରେ କଲିକତା ଅଧିକାର କଲେ । ସୁରାଜ ସନ୍ଧି ସ୍ଥାପନ କଲେ ଏବଂ କ୍ଷତିପୂରଣ ପାଇଁ ଅନେକ ଟଙ୍କା ଦେଲେ ।

 

ପଲାସି ଯୁଦ୍ଧ :– ନବାବ ଓ ଇଂରେଜ ମଧ୍ୟରେ ଏହି ସନ୍ଧି ଅନେକ ଦିନ ପର୍ଯ୍ୟନ୍ତ ରହି ନ ଥିଲା । ନବାବ ଇଂରେଜଙ୍କୁ ଓ ସ୍ୱଦେଶର ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଅସନ୍ତୁଷ୍ଟ କରାଇଥିଲେ । ସୁରାଜଉଦ୍ଦୌଲାଙ୍କ ସେନାପତି ମିରକାଫରଙ୍କୁ ବଙ୍ଗର ସିଂହାସନ ଦେବାଲାଗି ଗୋଟିଏ ଷଡ଼ଯନ୍ତ୍ର ହୋଇଥିଲା । କ୍ଲାଇବ ଏହି ଷଡ଼ଯନ୍ତ୍ରରେ ଯୋଗ ଦେଇଥିଲେ । ନବାବ ପଲାସିକ୍ଷେତ୍ରରେ ବହୁସଂଖ୍ୟକ ସୈନ୍ୟ ଏକତ୍ର କରିଥିଲେ । କ୍ଲାଇବ ଅଳ୍ପ ସୈନ୍ୟ ଘେନି ସେଠାରେ ଉପସ୍ଥିତ ହେଲେ-। ୧୭୫୭ ଖ୍ରୀ:ଅ: ଜୁନ୍ ମାସ ୨୩ ତାରିଖରେ ଯୁଦ୍ଧ ହେଲା । ସୁରାଜଙ୍କ ବିଶ୍ୱସ୍ତ ସେନାପତି ମୀର୍‌ମଦନ୍‌ ହତ ହେବାରୁ ସୁରାଜ ଯୁଦ୍ଧକ୍ଷେତ୍ର ପରିତ୍ୟାଗ କଲେ । ତାଙ୍କର ସୈନ୍ୟମାନେ ଇତସ୍ତତଃ ହେଲେ । ଏଣୁ କ୍ଲାଇବ ଅକ୍ଲେଶରେ ଜୟୀ ହେଲେ । ମିରଜାଫର ଏତେବେଳଯାଏ କୌଣସି ପକ୍ଷ ଗ୍ରହଣ କରି ନ ଥିଲେ । ବର୍ତ୍ତମାନ ସେ କ୍ଲାଇବଙ୍କ ସଙ୍ଗେ ଯୋଗ ଦେଲେ । କ୍ଲାଇବ ତାଙ୍କୁ ବଙ୍ଗଳାର ନବାବ ବୋଲି ଘୋଷଣା କଲେ । ସୁରାଜ କେତେକ ଦିନପରେ ଧୃତ ହୋଇ ମିରଜାଫରଙ୍କ ପୁତ୍ରଦ୍ୱାରା ନିହତ ହେଲେ । ଏହିଦିନଠାରୁ ଇଂରେଜମାନଙ୍କର କ୍ଷମତା ବଙ୍ଗଳାରେ ଦୃଢ଼ୀଭୂତ ହେଲା-

Image

 

ବଙ୍ଗ, ବିହାର ଓ ଓଡ଼ିଶାର ଦେବାନି
ମିରକାସିମ ଓ ଦ୍ୱିଶାସନପ୍ରଣାଳୀ

 

ପୂର୍ବ ଗଳ୍ପରେ କୁହାଯାଇଅଛି ଯେ ପଲାସିଯୁଦ୍ଧ ୧୭୫୭ ର ଜୁନ ମାସ ୨୩ ତାରିଖରେ ହୋଇଥିଲା । ଏହି ଦିନକୁ ଭାରତରେ ବ୍ରିଟିଶ ସମ୍ରାଜ୍ୟସ୍ଥାପନର ପ୍ରଥମ ଦିନ ବୋଲି ଜ୍ଞାନ କରିବାକୁ ହେବ । କ୍ଲାଇବ ଦିଲ୍ଲୀ ସମ୍ରାଟଙ୍କ ପାଖରୁ ଆଦେଶ ଆଣି ମିରଜାଫରଙ୍କୁ ବଙ୍ଗାଳାର ନବାବ କଲେ । କମ୍ପାନି ଓ କମ୍ପାନିର କର୍ମ୍ମଚାରୀମାନେ ମିରଜାଫରଙ୍କ ପାଖକୁ ପ୍ରଚରୁ ଟଙ୍କା ନେଇଥିଲେ । କଥିତ ଅଛି ମୋଟରେ ସେମାନେ ୨୬୯୭୭୫୦୦ ଟଙ୍କା ଦାବୀ କରିଥିଲେ । କିନ୍ତୁ ରାଜକୋଷରେ ଏତେ ଟଙ୍କା ନ ଥିବାରୁ ସେମାନେ ଏହି ଟଙ୍କାର ଅର୍ଦ୍ଧମାତ୍ର ପାଇଥିଲେ । ୧୭୫୭ରେ କମ୍ପାନି ନବାବଙ୍କଠାରୁ କଲିକତାର ଚତୁଃପାର୍ଶ୍ୱବର୍ତ୍ତୀ ସ୍ଥାନମାନଙ୍କର ଜମିଦାରୀ ସ୍ୱତ୍ୱ ପାଇଥିଲେ । ଏହା ବର୍ତ୍ତମାନ ଚବିଶପ୍ରଗଣା ନାମରେ ଅଭିହିତ ।

 

୧୭୫୮ରେ ଈଷ୍ଟଇଣ୍ଡିଆ କମ୍ପାନିର ଡିରେକ୍ଟରମାନେ କ୍ଲାଇବଙ୍କୁ ବଙ୍ଗଦେଶସ୍ଥ କମ୍ପାନିଙ୍କ ଉପନିବେଶମାନଙ୍କର ବିରୁଦ୍ଧାଚରଣ କରିଥିଲେ–ଦକ୍ଷିଣରେ ଫରାସିମାନେ, ଆଉ ଉତ୍ତର ପଶ୍ଚିମରେ ସମ୍ରାଟ ସାହ ଆଲମ । ଫରାସିମାନଙ୍କର କ୍ଷମତା କିରୂପେ ଚୂର୍ଣ୍ଣୀଭୂତ ହେଲା ତାହା ପୂର୍ବବର୍ତ୍ତୀ ଗଳ୍ପରେ ବର୍ଣ୍ଣିତ ହୋଇଅଛି । ବର୍ତ୍ତମାନ ତାହା କହିବା ଅନାବଶ୍ୟକ । ସମ୍ରାଟ ସାହଆଲମ୍‌ ଆଫଗାନ ଓ ମରହଟ୍ଟା ସୈନ୍ୟ ଘେନି ଏବଂ ଅଯୋଧ୍ୟାନବାବଙ୍କ ସହ ମିଳିତ ହୋଇ ବଙ୍ଗଳା ଆଡ଼କୁ ଅଗ୍ରସର ହେଲେ । କ୍ଲାଇବ ୪୫୦ ଇଉରୋପୀୟ ସୈନ୍ୟ ଓ ୨୫୦୦ ସିପାହୀ ସୈନ୍ୟ ଘେନି ଯାତ୍ରା କରି ସମ୍ରାଟଙ୍କୁ ସମ୍ପୂର୍ଣ୍ଣରୂପେ ପରାସ୍ତ କଲେ ।

 

୧୭୭୦ରେ କ୍ଲାଇବ ବିଲାତ ଯାତ୍ରା କଲେ ଏବଂ ୧୭୬୪ ପର୍ଯ୍ୟନ୍ତ ସେଠାରେ ଥିଲେ-। ଏହି ଚାରିବର୍ଷ ମଧ୍ୟରେ ବଙ୍ଗଳାରେ ପୁଣି ଗୋଳମାଳ ହେଲା । କମ୍ପାନିର କର୍ମ୍ମଚାରୀମାନେ ଧନଲାଳସାରେ ୧୭୬୧ରେ ମିରଜାଫରଙ୍କୁ ପଦଚ୍ୟୁତ କରି ତାଙ୍କର ଜାମାତା ମିରକାସିମଙ୍କୁ ନବାବ କଲେ । ପୁରସ୍କାରସ୍ୱରୁପ କମ୍ପାନି ବର୍ଦ୍ଧମାନ, ମେଦିନୀପୁର ଓ ତଟଗ୍ରାମ ପ୍ରାପ୍ତ ହେଲେ ଓ କମ୍ପାନିର କର୍ମ୍ଭଚାରୀମାନେ ପ୍ରଚୁର ଟଙ୍କା ପାଇଥିଲେ । ମିରକାସିମ ନବାବ ହୋଇ ସ୍ୱାଧୀନ ହେବାକୁ ଚେଷ୍ଟା କଲେ । ସେ ମୁର୍ଶିଦାବାଦରୁ ମୁଙ୍ଗେରକୁ ରାଜଧାନୀ ଉଠାଇନେଇଥିଲେ ଏବଂ ସ୍ୱସୈନ୍ୟମାନଙ୍କୁ ପାଶ୍ଚାତ୍ୟ ପ୍ରଣାଳୀରେ ଶିକ୍ଷିତ କରାଇଥିଲେ । ଏହି ସମୟରେ କମ୍ପାନିର କର୍ମ୍ମଚାରୀମାନେ ବିନାଶୁଳ୍କରେ ବାଣିଜ୍ୟ କରୁଥିଲେ । ଏଥିରେ ନାନାପ୍ରକାର ଗୋଳମାଳ ଜନ୍ମିଲା । ମିରକାସିମ ଏ ବିଷୟରେ କଲିକତାର ବଣିକସଭାପାଖରେ ଗୁହାରି କଲେ; କିନ୍ତୁ କେହି ଶୁଣିଲେ ନାହିଁ । ମିରକାସିମ ରାଗାନ୍ୱିତ ହୋଇ ଯୁଦ୍ଧ ଆରମ୍ଭ କଲେ । ଉଦୟନାଳ ଯୁଦ୍ଧରେ ମେଜର ଆଡ଼ାମସ୍‌ ଦ୍ୱାରା ପରାଜିତ ହୋଇ ମିରକାସିମ ଅଯୋଧ୍ୟାର ନବାବଙ୍କର ଆଶ୍ରୟ ନେଲେ । ଏଠାରେ ସେ ଅଯୋଧ୍ୟାର ନବାବ ଓ ମୋଗଲସମ୍ରାଟ ସାହଆଲମଙ୍କ ସହ ମିଳିତ ହୋଇ ପାଟନା ଆକ୍ରମଣ କଲେ । ୧୭୬୪ରେ ମେଜର ମନ୍‌ରୋ ଏମାନଙ୍କୁ ବକ୍‌ସାର ଯୁଦ୍ଧରେ ସମ୍ପୂର୍ଣ୍ଣରୂପେ ପରାସ୍ତ କରିବାରୁ କାସିମଙ୍କର ଆଶା ଭରସା ଏକାବେଳକେ ଲୋପ ପାଇଲା । ଅଯୋଧ୍ୟା ଇଂରେଜମାନଙ୍କର ପଦାନତ ହେଲା ।

 

୧୭୬୫ରେ କମ୍ପାନିଙ୍କ ଡିରେକ୍ଟରମାନେ କ୍ଲାଇବଙ୍କୁ ଦ୍ୱିତୀୟ ଥର ଗବର୍ଣ୍ଣର କରି ବଙ୍ଗଳାକୁ ପଠାଇଲେ । ସେ ଯୁଦ୍ଧ ଓ ରାଜସ୍ୱ ସମ୍ବନ୍ଧୀୟ ସମସ୍ତ କ୍ଷମତା ନେଇ କଲିକତାରେ ଉପସ୍ଥିତ ହେଲେ ।

 

କଲିକତାରେ ଉପସ୍ଥିତ ହୋଇ କ୍ଲାଇବ ଏଲାହାବାଦକୁ ଗଲେ । ସେ ଯୁଦ୍ଧର ବ୍ୟୟ ଲାଗି ୫୦ ଲକ୍ଷ ଟଙ୍କା ଗ୍ରହଣ କରି ଅଯୋଧ୍ୟାକୁ ନବାବ ଭଜୀରଙ୍କୁ ଫେରାଇଦେଲେ । ଏଲାହାବାଦ ଓ କୋରା ପ୍ରଦେଶଦ୍ୱୟ ସମ୍ରାଟ୍‌ ସାହଆଲମଙ୍କୁ ଛାଡ଼ିଦେଇ ତାଙ୍କଠାରୁ ଉତ୍ତର ସରକାରର ଦଖଲନାମା ଏବଂ ବଙ୍ଗ, ବିହାର ଓ ଓଡ଼ିଶାର ଦେବନି ଅର୍ଥାତ୍‌ ରାଜସ୍ୱ ଆଦାୟର କ୍ଷମତା ନେଲେ । ବଙ୍ଗଳାର ନବାବ ଇଂରେଜମାନଙ୍କଠାରୁ ବାର୍ଷିକ ୬୦ ଲକ୍ଷ ଟଙ୍କା ପେନସନ ପ୍ରାପ୍ତ ହୋଇ ବିଚାର କାର୍ଯ୍ୟର ଭାର ପ୍ରାପ୍ତ ହେଲେ । ଏହିପରି କରାଯିବାଦ୍ୱାରା ଏକ ରାଜ୍ୟରେ ଦୁଇପ୍ରକାର ଶାସନ ଚଳିଲା-କମ୍ପାନି ହେଲେ ଦେବାନ ଓ ନବାବ ହେଲେ ନାଜିମ୍‍ ବା ମାଜିଷ୍ଟ୍ରେଟ ।

 

ତତ୍‌ପରେ କ୍ଲାଇବ କମ୍ପାନିର କର୍ମ୍ମଚାରୀମାନଙ୍କର ବେତନ ବଢ଼ାଇଦେଇ ସେମାନଙ୍କ ଗୁପ୍ତ ବାଣିଜ୍ୟ ବନ୍ଦ କଲେ। କର୍ମ୍ମଚାରୀମାନେ ଆପତ୍ତି କଲେ ହେଁ କିଛି ଫଳ ହେଲା ନାହିଁ ।

 

କ୍ଲାଇବ ୧୭୬୭ରେ ଭାରତ ତ୍ୟାଗ କଲେ । ୧୭୬୭ ରୁ ୧୭୭୨ ପର୍ଯ୍ୟନ୍ତ ବଙ୍ଗଳାରେ କିଛି ବିଶେଷ ଘଟନା ଘଟି ନ ଥିଲା । ୧୭୭୦ରେ ବଙ୍ଗଳାରେ ଗୋଟିଏ ଭୟାନକ ଦୁର୍ଭିକ୍ଷ ହୋଇଥିଲା । ଏଥରେ ବଙ୍ଗଳାର ପ୍ରାୟ ଏକତୃତୀୟାଂଶ ଲୋକ ମୃତ୍ୟୁମୁଖରେ ପତିତ ହୋଇଥିଲେ । କ୍ଲାଇବ-ପ୍ରବର୍ତ୍ତିତ ଦ୍ୱିଶାସନ-ପ୍ରଣାଳୀ (ଅର୍ଥାତ୍‌ ଇଂରେଜମାନେ ଖଜଣା ଆଦାୟ କରିବେ ଏବଂ ନବାବ ବିଚାରକାର୍ଯ୍ୟ କରିବେ ) ସୁବିଧାଜନକ ହୋଇ ନ ଥିଲା । ନାନାପ୍ରକାର ବିଶୃଙ୍ଖଳା ଉପସ୍ଥିତ ହେଲା । ଅବଶେଷରେ କମ୍ପାନିର ଡିରେକ୍ଟରମାନେ ବାରେନ ହେଷ୍ଟିଙ୍ଗଙ୍କୁ ବଙ୍ଗଳାର ଗଭର୍ଣ୍ଣର ପଦରେ ନିଯୁକ୍ତ କରି ଆମୂଳ ଶାସନସଂସ୍କାରର କ୍ଷମତା ଦେଲେ ।

Image

 

ଗବର୍ଣ୍ଣର ଜେନେରାଲଗଣ

ବାରେନ୍‌ ହେଷ୍ଟିଙ୍ଗ୍‌–ରାଜସ୍ୱ ଓ ବିଚାର ବିଭାଗର

Unknown

ସଂସ୍କାର–ରେଗୁଲେଟିଙ୍ଗ୍‌ଆକ୍ଟ

 

ବାରେନ୍‌ ହେଷ୍ଟିଙ୍ଗ୍‌ସ୍‌ ଗବର୍ଣ୍ଣର ହୋଇ ପ୍ରଥମେ ଖଜଣା କିପରି ଉତ୍ତମ ରୂପେ ଆଦାୟ ହେବ ସେ ବିଷୟରେ ଚେଷ୍ଟା କଲେ । ଏଥିପୂର୍ବେ ଦେଶୀୟ କର୍ମଚାରୀମାନେ ଖଜଣା ଆଦାୟ କରୁଥିଲେ । ସେମାନେ ତାହା ଆଦାୟ କରିବା ସକାଶେ ପ୍ରଜାମାନଙ୍କୁ ଅତ୍ୟନ୍ତ କଷ୍ଟ ଦେଉଥିଲେ; ଆଉ ମଧ୍ୟ ସୁଚାରୁରୂପେ ଖଜଣା ଆଦାୟ କରି ପାରୁ ନ ଥିଲେ । ବାରେନ୍‌ ହେଷ୍ଟିଙ୍ଗ୍‌ସ୍ ବଙ୍ଗଳାକୁ ୧୪ ଓ ବିହାରକୁ ୪ ଜିଲ୍ଲାରେ ବିଭକ୍ତ କରି ପ୍ରତ୍ୟେକ ଜିଲ୍ଲାରେ ଖଜଣା ଆଦାୟ ସକାଶେ ଇଉରୋପୀୟ କଲେକ୍ଟର ରଖିଲେ । ସେ ପାଟନା ଓ ମୁର୍ଶିଦାବାଦରୁ ପ୍ରଧାନ ରାଜସ୍ୱ କାର୍ଯ୍ୟାଳୟମାନ କଲିକତାକୁ ଉଠାଇ ଆଣିଥିଲେ ଏବଂ ତାହାକୁ ପ୍ରଧାନ ପ୍ରଧାନ ଇଂରେଜ କର୍ମ୍ମଚାରୀମାନଙ୍କ ଦ୍ୱାରା ଗଠିତ ଏକ ରାଜସ୍ୱ ସମିତିର ଅଧୀନରେ ରଖିଥିଲେ । ଜମିଦାରମାନଙ୍କ ସହିତ ନୂଆ ବନ୍ଦୋବସ୍ତ କରାହୋଇଥିଲା । ଯେଉଁ ଜମିଦାରମାନେ ନ୍ୟାୟସଙ୍ଗତ କରି ଦେବାକୁ ସ୍ୱୀକାର କଲେ ସେମାନେ ନିଜ ନିଜ ଜମିଦାରୀ ଦଖଲରେ ରଖିଲେ । ଯେଉଁମାନେ ଏପରି ଦେବାକୁ ଅସ୍ୱୀକାର କଲେ ସେମାନଙ୍କୁ କିଛି କିଛି ବାର୍ଷିକ ଭତ୍ତା ଦିଆଯାଇ ସେମାନଙ୍କର ଜମିଦାରୀ ଅନ୍ୟ ଲୋକମାନଙ୍କୁ ଦିଆଗଲା ।

 

ପ୍ରତ୍ୟେକ ଜିଲ୍ଲାରେ କଲେକ୍ଟରଙ୍କ ଅଧୀନରେ ଗୋଟିଏ ଦେବାନି ଅଦାଲତ ଓ ଗୋଟିଏ ଫୌଜଦାରି ଅଦାଲତ ସ୍ଥାପିତ ହେଲା । ଦେବାନମାନେ ଖଜଣା ସମ୍ବନ୍ଧୀୟ ବିଚାରଭାର ଆଉ କାଜିମାନେ ଫୌଜଦାରି ଅଦାଲତର ବିଚାରଭାର ପ୍ରାପ୍ତ ହେଲେ । ଆପୀଲ ଶୁଣିବାଲାଗି କଲିକତାରେ ସଦର ଦେବାନି ଓ ସଦର ନିଜାମତ୍ ନାମକ ଦୁଇଗୋଟି ପ୍ରଧାନ ବିଚାରାଳୟ ସ୍ଥାପିତ ହେଲା ।

 

ରାଜସ୍ୱ-ସଂସ୍କାର–ହେଷ୍ଟିଙ୍ଗ୍‌ସ୍‌ କମ୍ପାନିଙ୍କର ରାଜକୋଷ ପୂର୍ଣ୍ଣ କରିବା । ସକାଶେ ବଙ୍ଗନବାବଙ୍କର ଅଧେ ବୃତ୍ତ କାଟିଦେଲେ । ଏଥିରେ ବାର୍ଷିକ ୧୬ ଲକ୍ଷ ଟଙ୍କା ଲାଭ ହେଲା । କ୍ଲାଇବ ସାହ ଆଲମଙ୍କୁ ବଙ୍ଗ, ବିହାର ଓ ଓଡ଼ିଶାର ଦେବାନ ସକାଶେ ବାର୍ଷିକ ୨୫ ଲକ୍ଷ ଟଙ୍କା ଦେଉଥିଲେ । ସାହ ଆଲମ ଦିଲ୍ଲୀ ସିଂହାସନ ପାଇବା ଆଶାରେ ମରହଟ୍ଟାମାନଙ୍କର ଶରଣାତଗତ ହେଲେ । ଏଣୁ ହଷ୍ଟିଙ୍ଗ୍‌ସ୍‌ ତାଙ୍କ ବୃତ୍ତି ରହିତ କରିଦେଲେ । କ୍ଲାଇବ ସାହ ଆଲମଙ୍କୁ ଏଲାହାବାଦ ଓ କୋରା ପ୍ରଦେଶଦ୍ୱୟ ଦେଇଥିଲେ । ସାହ ଆଲମ୍‌ ମରହଟ୍ଟାମାନଙ୍କର ଶରଣାଗତ ହେବାରୁ ଏଲାହାବାଦ ଓ କୋରା ମରହଟ୍ଟାମାନଙ୍କର ହସ୍ତଗତ ହେଲା । ତେଣୁ ହେଷ୍ଟିଙ୍ଗସ୍‌ ଏହା ନ୍ୟାୟ ସଙ୍ଗତ ନୁହେଁ ବୋଲି ଘୋଷଣା କରି ଉପଯୁକ୍ତ ମୂଲ୍ୟ ନେଇ ଉପରୋକ୍ତ ଦୁଇ ପ୍ରଦେଶ ଅଯୋଧ୍ୟାନବାବଙ୍କୁ ବିକ୍ରୟ କରିଦେଲେ । ୧୭୭୪ରେ ଅଯୋଧ୍ୟାନବାବଙ୍କୁ ରୋହିଲାଜାତି ବିରୁଦ୍ଧେ ସାହାଯ୍ୟ ଦେବାରୁ ଇଂରେଜମାନେ ଅନେକ ଟଙ୍କା ପ୍ରାପ୍ତ ହୋଇଥିଲେ ।

 

ରେଗୁଲେଟିଙ୍ଗ୍ଆକ୍ଟ–ଇତିମଧ୍ୟରେ ଶାସନ ସମ୍ବନ୍ଧୀୟ ନାନାବିଶୃଙ୍ଖଳା ପାର୍ଲିମେଣ୍ଟ ମହାସଭା ଶୁଣି ପାରିଥିଲେ । ତୃତୀୟ ଜଜଙ୍କ ମନ୍ତ୍ରୀ ଲର୍ଡ ନଥ ୧୭୭୩ରୁ ଭବିଷ୍ୟତକୁ କମ୍ପାନି କିପରି କାର୍ଯ୍ୟ କରିବେ ସେ ସମ୍ବନ୍ଧରେ ଗୋଟିଏ ଆଇନ ପ୍ରଣୟନ କରିଥିଲେ । ଏହାକୁରେଗୁଲେଟିଙ୍ଗ ଆକ୍ଟ କହନ୍ତି । ତାହାର ପ୍ରଧାନ ନିୟମମାନ ଏହି :–

 

୧.

ବଙ୍ଗର ଗବର୍ଣ୍ଣର ଭାରତବର୍ଷର ଗବର୍ଣ୍ଣର ଜେନେରେଲ ହେବେ । ଆଉ ମାନ୍ଦ୍ରାଜ ଓ ବମ୍ବେଇ ପ୍ରେସିଡେନ୍ସି ଏହାଙ୍କ ଅଧୀନରେ ରହିବ ।

୨.

ଗବର୍ଣ୍ଣର ଜେନେରେଲଙ୍କ ସଭାରେ ଚାରିଜଣ ମନ୍ତ୍ରୀ ରହିବେ ।

୩.

କଲିକତାରେ ସୁପ୍ରୀମ କୋର୍ଟ ନାମକ ଏକ ବିଚାରଳୟ ସ୍ଥାପିତ ହେବ । ସେଥିରେ ଜଣେ ପ୍ରଧାନ ବିଚାରପତି ଓ ତିନିଜଣ ଅଧିସ୍ତନ ଜର୍ଜ ରହିବେ । ଏମାନେ କମ୍ପାନିର କର୍ମଚାରୀମାନଙ୍କର ବିଚାର କରିବେ ।

 

ଏହି ଆଇନ ଅନୁସାରେ ୱରେନ୍ ହେଷ୍ଟିଙ୍ଗସ୍ ଭାରତର ପ୍ରଥମ ଗବର୍ଣ୍ଣର ଜେନେରାଲ ହେଲେ । କର୍ଣ୍ଣେଲ ମନ୍‌ସମ୍‍, ଜେନେରାଲ କ୍ଳେଭରିଙ୍ଗ, ସର୍ ଫିଲିପ ଫ୍ରାନ୍‌ସିସ୍ ଆଉ ରିଚାର୍ଡ଼ ବାରବେଲ ଗବର୍ଣ୍ଣର ଜେନେରାଲଙ୍କ ସଭାର ମନ୍ତ୍ରୀ ହେଲେ । ସର୍ ଇଲାଇଜା ଇମ୍ପେ ସୁପ୍ରୀମକୋର୍ଟର ପ୍ରଧାନ ବିଚାରପତି ହେଲେ । ୧୭୭୪ରେ ଏହି ଆଇନ ଅନୁସାରେ କାର୍ଯ୍ୟ ଆରମ୍ଭ ହେଲା ।

 

ବର୍ତ୍ତମାନ ଶାସନରେ ଆଉ ଗୋଟିଏ ଗୋଳମାଳ ଉପସ୍ଥିତ ହେଲା । ବଡ଼ କିଏ ? ଗବର୍ଣ୍ଣର ଜେନେରାଲ ଓ ମନ୍ତ୍ରୀମାନେ, ନା ସୁପ୍ରିମକୋଟ ? ୱରେନ୍‌ହେଷ୍ଟିଙ୍ଗ୍‌ସ କୌଣସି କାର୍ଯ୍ୟ କରିବାକୁ ଗଲେ ମନ୍ତ୍ରୀମାନେ ଏକମତ ହୋଇ ବାଧା ଦେବାକୁ ଲାଗିଲେ ଏବଂ ସୁପ୍ରୀମକୋର୍ଟ କମ୍ପାନିର କର୍ମ୍ମଚାରୀମାନଙ୍କ ଦୋଷ ବିଚାର କରିବାର କ୍ଷମତା ପାଇଥିବାରୁ ଗବର୍ଣ୍ଣର ଜେନେରାଲ ଏବଂ ତାଙ୍କ ସଭାର ସମାଲୋଚନା କରିବାକୁ ଲାଗିଲେ । ଗବର୍ଣ୍ଣର ଜେନେରାଲଙ୍କ ସଭାରେ ମଧ୍ୟ ଦୁଇଦଳ ଗଠିତ ହୋଇଥିଲା । ପ୍ରଥମ ଦଳରେ ୱରେନ୍‌ହେଷ୍ଟିଙ୍ଗ୍‌ସ୍ ଓ ୱରବେଲ, ଦ୍ୱିତୀୟ ଦଳରେ ଫାନ୍‌ସିସ୍, କ୍ଳେଭରିଙ୍ଗ୍ ଓ ମନ୍‌ସମ୍ । ଫ୍ରାନ୍‌ସିସ୍ ହେଷ୍ଟିଙ୍ଗସଙ୍କର ପରମ ଶତ୍ରୁ ଥିବାରୁ ହେଷ୍ଟିଙ୍ଗ୍‍ସଙ୍କର ସମସ୍ତ କାର୍ଯ୍ୟରେ ବାଧା ଦେଉଥିଲେ ।

 

ମନ୍ତ୍ରିସଭାର ଅଯୋଧ୍ୟା ନବାବଙ୍କ ସହିତ ନୂତନ ବନ୍ଦୋବସ୍ତ :– ୧୭୭୫ରେ ଅଯୋଧ୍ୟା ନବାବଙ୍କର ମୃତ୍ୟୁ ହେଲା । ମନ୍ତ୍ରିସଭାରେ ଫ୍ରାନ୍‌ସିସ୍‌ଙ୍କ ଦଳ ନୂତନ ନବାବଙ୍କ ସଙ୍ଗେ ନୂତନ ବନ୍ଦୋବସ୍ତ କରି ବନାରସପ୍ରଦେଶ ନେବାକୁ ବସିଲେ । ହେଷ୍ଟିଙ୍ଗ୍‌ସ୍ ଏଥିରେ ବାଧା ଦେଲେ, କିନ୍ତୁ ଅକୃତକାର୍ଯ୍ୟ ହେଲେ । ମୃତ ନବାବ ଅନେକ ଧନ ସମ୍ପତ୍ତି ରଖିଯାଇଥିଲେ । ହ୍ୱେଷ୍ଟିଙ୍ଗ୍‌ସଙ୍କ ଅମତରେ ମନ୍ତ୍ରୀସଭା ନବାବଙ୍କ ମାତ ଓ ପତ୍ନୀମାନଙ୍କର ଉକ୍ତ ସମ୍ପତ୍ତି ପ୍ରତି ଦାବୀ ସ୍ୱୀକାର କଲେ । ଏଣୁ ନୂତନ ନବାବ କମ୍ପାନିଙ୍କ ୠଣ ପରିଶୋଧ କରି ପାରିଲେ ନାହିଁ ।

 

ନନ୍ଦକୁମାରଙ୍କ ଫାସି :–ହେଷ୍ଟିଙ୍ଗ୍‌ସଙ୍କର ଅନେକ ଶତ୍ରୁ ଥିଲେ । ମନ୍ତ୍ରୀ ସଭାରେ ଏପରି ଦୁଇ ଦଳ ହେବା ଦେଖି ହେଷ୍ଟିଙ୍ଗ୍‌ସଙ୍କ ବିରୁଦ୍ଧେ ଅନେକ ଲୋକ ଅଭିଯୋଗ କଲେ । ମହାରାଜ ନନ୍ଦକୁମାର ହେଷ୍ଟିଙ୍ଗ୍‌ସଙ୍କ ବିରୁଦ୍ଧେ ଉତ୍କୋଚ ଗ୍ରହଣର ଅଭିଯୋଗ ଆଣିଥିଲେ । ସେ ତାହା ସପ୍ରଣାମ କରିବାର ଉଦ୍ୟୋଗ କରିବାକୁ ହେଷ୍ଟିଙ୍ଗ୍‌ସ ତାହାଙ୍କ ନାମରେ ସୁପ୍ରିମକୋର୍ଟରେ ଅଭିଯୋଗ କରାଇଲେ ଯେ ସେ ଗୋଟିଏ ଦଲିଲ ଜାଲ୍ କରିଅଛନ୍ତି । ଏହି ଅପରାଧ ପ୍ରମାଣିତ ହେବାରୁ ନନ୍ଦକୁମାରଙ୍କର ପ୍ରାଣଦଣ୍ଡ ହେଲା । ଏହାର ଫଳ ଏହି ହେଲା ଯେ ଆଉ କେହି ହେଷ୍ଟିଙ୍ଗ୍‍ସଙ୍କ ବିରୁଦ୍ଧେ ଅଭିଯୋଗ କରିବାକୁ ସାହାସୀ ହେଲେ ନାହିଁ । ୧୭୭୭ରେ ମନ୍‌ସମଙ୍କ ମୃତ୍ୟୁ ହେବାରୁ ମନ୍ତ୍ରୀସଭାରେ ହେଷ୍ଟିଙ୍ଗ୍‌ସଙ୍କ କ୍ଷମତା ବଢ଼ିଗଲା ।

 

ପ୍ରଥମ ମରହଟ୍ଟାସମର-ଚତୁର୍ଥ ପେଶବା ମଧୁରାଓ ୧୭୭୨ରେ ମରିଯିବାରୁ ତାହାଙ୍କର ଭ୍ରାତା ନାରାୟଣ ରାଓ ପେଶବା ହେଲେ । ନାରାୟଣ ଅଳ୍ପଦିନ ପରେ ହତ ହେବାରୁ ତାହାଙ୍କ ଖୁଡ଼ୁତା ରାଘୋବା ପେଶବା ପଦ ନେଲେ । କିନ୍ତୁ ମୃତ ନାରାୟଣ ରାଓଙ୍କ ଅନ୍ତଃସତ୍ତ୍ୱା ପତ୍ନୀ ଗୋଟିଏ ପୁତ୍ର ପ୍ରସବ କଲେ । ନାନାଫର୍ଣ୍ଣାବିସ୍ ଆଉ ଅନ୍ୟାନ୍ୟ ମରହଟ୍ଟାସର୍ଦ୍ଦାରମାନେ ଉକ୍ତ ଶିଶୁକୁ ପେଶବା କରି ତାହାଙ୍କ ପକ୍ଷ ଗ୍ରହଣ କଲେ । ରାଘୋବା ବମ୍ବାଇରେ ଇଂରେଜମାନଙ୍କର ଆଶ୍ରୟ ନେଲେ । ସୁରାଟରେ ଏକ ସନ୍ଧି ହେଲା । ରାଘୋବା ବମ୍ବେଇ ନିକଟସ୍ଥ ସାଲସେଟ ଓ ବେସିନ ନାମକ ଦୁଇଗୋଟି ଦ୍ୱୀପ ଇଂରେଜମାନଙ୍କୁ ଦେବାକୁ ସ୍ୱୀକାର କଲେ । ଏହି ସନ୍ଧିରେ ହେଷ୍ଟିଙ୍ଗସଙ୍କର ସମ୍ମତି ନ ଥିଲା । କିନ୍ତୁ ଯୁଦ୍ଧ ହେବାରୁ ସେ ବାଧ୍ୟ ହୋଇ ବଙ୍ଗଳାରୁ ସୈନ୍ୟ ପଠାଇଲେ । ଏହି ଯୁଦ୍ଧ ୧୭୮୨ରେ ଶେଷ ହେଲା । ସାଇବାଇ ନାମକ ସ୍ଥାନରେ ସନ୍ଧି ହେଲା । ଇଂରେଜମାନେ ଯେତେ ସ୍ଥାନ ଅଧିକାର କରିଥିଲେ ତାହାକୁ ସେମାନେ ମରହଟ୍ଟାମାନଙ୍କୁ ଫେରାଇଦେଲେ, କେବଳ ସାଲସେଟ, ଏଲିଫାଣ୍ଟା ଓ ଆଉ କେତେଗୋଟି ସାନ ଦ୍ୱୀପ ନିଜ ଦଖଲରେ ରଖିଲେ । ନାରାୟଣ ରାଓଙ୍କ ପୁତ୍ର ମଧୁରା ଓ ନାରାୟଣ ପେଶବା ହେଲେ । ରାଘୋବା ପେନ୍‌ସନ୍ ପାଇଲେ ।

 

ପ୍ରଥମ ମହୀଶୁରଯୁଦ୍ଧ, ୧୭୮୦-୧୭୮୪ :– ହାଇଦରଙ୍କ ସନ୍ଧି ଅନୁସାରେ ଇଂରେଜମାନେ ତାଙ୍କୁ ଯୁଦ୍ଧ ସମୟରେ ସାହାଯ୍ୟ ଦେବାକୁ ସ୍ୱୀକାର କରିଥିଲେ । କିନ୍ତୁ ମରହଟ୍ଟାମାନେ ଯେତେବେଳେ ମହୀଶୁର ଆକ୍ରମଣ କଲେ ସେବେବେଳେ ଇଂରେଜମାନେ ତାଙ୍କୁ ସାହାଯ୍ୟ ଦେଲେ ନାହିଁ । ଇଂରେଜମାନଙ୍କ ମରହଟ୍ଟାସମରରେ ବ୍ୟାପୃତ ଥିବାର ଦେଖି ହାଇଦର ଅନେକ ସୈନ୍ୟ ଘେନି ମାନ୍ଦ୍ରାଜ ଆକ୍ରମଣ କଲେ । ସେ କ୍ରମଶଃ ଇଂରେଜମାନଙ୍କର ଅନେକ ଦୁର୍ଗ ଦଖଲ କରି କର୍ଣ୍ଣେଲ ବେଲିଙ୍କ ଅଧୀନସ୍ଥ ଇଂରେଜ ସୈନ୍ୟଙ୍କୁ ପରାଜିତ ଓ ବେଲିଙ୍କୁ ବନ୍ଦୀ କଲେ । ହେଷ୍ଟିଙ୍ଗ୍‌ସ୍ ଏହା ଶୁଣି ସାର୍ ଆୟାର କୁଟ୍‌ଙ୍କୁ ପଠାଇଥିଲେ । କୁଟି ଅନେକଥର ହାଇଦରଙ୍କୁ ପରାସ୍ତ କରିଥିଲେ । ୧୭୮୨ରେ ହାଇଦରଙ୍କ ମୃତ୍ୟୁ ହେବାରୁ ତାଙ୍କ ପୁତ୍ର ଟିପୁ ଯୁଦ୍ଧ ଚଳାଇଥିଲେ । ୧୭୮୪ରେ ଯୁଦ୍ଧ ହେବାରୁ ଯୁଦ୍ଧପୂର୍ବରେ ଯାହାର ଯେପରି ଅଧିକାର ଥିଲା ତାହା ହିଁ ରହିଲା ।

 

ଚୈତସିଂହ - ହେଷ୍ଟିଙ୍ଗସ୍ ଏହିପରି ଯୁଦ୍ଧରେ ପ୍ରବୃତ୍ତ ହେବାରୁ କମ୍ପାନିଙ୍କର ଅନେକ ଟଙ୍କା ଖର୍ଚ୍ଚ ହେଲା । ବନାରସର ରାଜା ଚୈତସିଂହ ଇଂରେଜ ଅଧୀବେଶନରେ ରହି ଅତ୍ୟନ୍ତ ଧନବାନ୍ ହୋଇଥିଲେ । ହେଷ୍ଟିଙ୍ଗ୍‌ସ୍ ଯୁଦ୍ଧବ୍ୟୟ ସକାଶେ ଚୈତସିଂହଙ୍କୁ ବେଶି କର ଦେବାକୁ କହିଲେ । କିନ୍ତୁ ସେ ନ ଦେବାରୁ ହେଷ୍ଟିଙ୍ଗ୍‌ସ୍ ତାଙ୍କୁ ବନ୍ଦୀ କଲେ । ସେ କୌଣସି ପ୍ରକାରେ ମୁକ୍ତିଲଭି ବିଦ୍ରୋହୀ ହେଲେ; କିନ୍ତୁ ପରାଜିତ ହୋଇ ପଳାୟନ କଲେ । ଇଂରେଜମାନେ ତାହାଙ୍କ ବଂଶୀୟ ଆଉ ଜଣକୁ ବାରାଣସୀର ରାଜା କଲେ ।

 

ଅଯୋଧ୍ୟାର ବେଗମ୍ :– ଅଯୋଧ୍ୟାନବାବ ଇଂରେଜମାନଙ୍କଠାରୁ ଅନେକ ଟଙ୍କା ଧାରିଥିଲେ । ତାଙ୍କ ପିତାଙ୍କ ମୃତ୍ୟୁପରେ ମୃତ ନବାବଙ୍କ ମାତା ଓ ପତ୍ନୀ ସମସ୍ତ ସମ୍ପତ୍ତି ନେଇଯାଇଥିଲେ । ବର୍ତ୍ତମାନ ହେଷ୍ଟିଙ୍ଗ୍‌ସ୍ ଟଙ୍କା ମାଗିବାରୁ ନୂତନ ନବାବ ତାହା ଦେବାକୁ ନିଜ ଅସାମର୍ଥ୍ୟ ପ୍ରକାଶ କଲେ । ତହୁଁ ବେଗମମାନେ ଚୈତସିଂହଙ୍କୁ ସାହାଯ୍ୟ କରିଥିବାର ଅଭିଯୋଗ କରି ହେଷ୍ଟିଙ୍ଗ୍‌ସ୍ ସେମାନଙ୍କଠାରୁ ୭୫ ଲକ୍ଷ ଟଙ୍କା ଆଦାୟ କରିଥିଲେ ।

 

ପିଟ୍‌ସାହେବଙ୍କର ଭାରତ ସମ୍ବନ୍ଧୀୟ ଆଇନର :– ହେଷ୍ଟିଙ୍ଗସଙ୍କ ଶାସନକାଳର ଶେଷଭାଗରେ ଭାରତଶାସନ ପ୍ରତି ବିଲାତର ଲୋକମାନଙ୍କ ଦୃଷ୍ଟି ଅଧିକତର ଆକୃଷ୍ଟ ହୋଇଥିଲା-। ବିଲାତର ଲୋକେ ଇଚ୍ଛାକଲେ ଯେ, ଏଣିକି ଭାରତର ଶାସନକର୍ତ୍ତା ତାଙ୍କର କାର୍ଯ୍ୟଭାର କେବଳ କମ୍ପାନିଙ୍କ ପାଖରେ ଦାୟୀ ନ ରହି ବିଲାତ ଗବର୍ଣ୍ଣମେଣ୍ଟ ପାଖରେ ମଧ୍ୟ ଦାୟୀ ହେବେ । ତେଣୁ ୧୭୮୩ରେ ଫକସ୍ ସାହେବ ଏକ ଆଇନର ପାଣ୍ଡୁଲିପି ପ୍ରସ୍ତୁତ କରି ପାର୍ଲାମେଣ୍ଟର କମିସନ୍ ସଭାରେ ଆଗତ କଲେ । ମାତ୍ର ଲର୍ଡ଼ମାନେ ଏଥିରେ ସମ୍ମତି ପ୍ରଦାନ କଲେ ନାହିଁ ।

୧୭୮୪ ଖ୍ରୀ: ଅ:ରେ ପ୍ରଧାନ ରାଜମନ୍ତ୍ରୀ ପିଟ୍‌ସାହେବ ଭାରତର ଶାସନସଂସ୍କାର ନିମନ୍ତେ ଏକ ଆଇନର ପାଣ୍ଡୁଲିପି ପ୍ରସ୍ତୁତ କରି ପାର୍ଲାମେଣ୍ଟରେ ଉପସ୍ଥାପିତ କଲେ । ଏହାକୁ ପାର୍ଲାମେଣ୍ଟ ମଞ୍ଜୁର କରିବାରୁ ଭାରତକୁ ଶାସନ କରିବାଲାଗି ବିଲାତର ମନ୍ତ୍ରୀ ସମାଜର କେତେକ ସଭ୍ୟଙ୍କୁ ଘେନି ଗୋଟିଏ ସଭା ଗଠିତ ହେଲା । ଏହି ସଭାର ସଭାପତି ଭାରତ ରାଜ୍ୟର ସେକ୍ରେଟେରୀ ସ୍ୱରୂପ କାର୍ଯ୍ୟ କଲେ । ଭାରତଶାସନର ଭାର ନାମମାତ୍ର କମ୍ପାନିଙ୍କ ହସ୍ତରେ ରହିଲେ ହେଁ ପ୍ରକୃତରେ ଏହି ସଭା ଉପରେ ତାହା ନ୍ୟସ୍ତ ହୋଇଥିଲା । ଏହିରୂପେ ଭାରତଶାସନ ବ୍ରିଟିଶ୍ ଗବର୍ଣ୍ଣମେଣ୍ଟର ଏକ ଅଙ୍ଗ ହୋଇଥିଲା ।

କଲିକତା ମାନ୍ଦ୍ରାସା-ସ୍ଥାପନ–ଏହି ବିଦ୍ୟାଳୟ ବାରେନ୍ ହେଷ୍ଟିଙ୍ଗ୍‌ସଙ୍କର ଗୋଟିଏ ପ୍ରଧାନ କୀର୍ତ୍ତି । ୧୭୮୧ ଅବ୍ଦରେ ହେଷ୍ଟିଙ୍ଗ୍‌ସ୍ ଦେଖିଲେ ଯେ ସେ ସମୟର ବିଚାରାଳୟମାନଙ୍କରେ ପ୍ରଚଳିତ ମୁସଲମାନୀ ଆଇନ ଉତ୍ତମରୂପେ ଜାଣିଥିବା ଲୋକ ଅଧିକ ନାହାନ୍ତି । ତହୁଁ ସେ ଆରାବୀ ଭାଷା, ସାହିତ୍ୟ ଏବଂ ଆଇନ ଶିକ୍ଷାଦେବା ଉଦ୍ଦେଶ୍ୟରେ ଏହି ବିଦ୍ୟାଳୟ ସ୍ଥାପନ କରିଥିଲେ । ଏହାର ବ୍ୟୟନିର୍ବାହାର୍ଥେ ପ୍ରଥମେ ଖଣ୍ଡିଏ ଜମିଦାରୀ ଖଞ୍ଜା ଯାଇଥିଲା । ୧୮୧୯ ଅବ୍ଦରେ ଗବର୍ଣ୍ଣମେଣ୍ଟ ଏହି ଜମିଦାରୀଖଣ୍ଡିକ ନେଇ ବାର୍ଷିକ ଟ ୩୦୦୦୦ ସରକାରୀ ତହବିଲରୁ ଦେବାର ବନ୍ଦୋବସ୍ତ କରିଥିଲେ । ଅଧୁନା ଏହି ବିଦ୍ୟାଳୟରେ ଆରାବୀ ଓ ଫାର୍ସୀ ଭାଷାର ସାହିତ୍ୟ, ଅଳଙ୍କାର ଓ ମୁସଲମାନୀ ଆଇନ ଶିକ୍ଷା ଦିଆଯାଏ ।

ଏସିଆଟିକ୍ ଓ ସୋସାଇଟୀର ସ୍ଥାପନ :– ୧୭୮୫ ଖ୍ରୀ: ଅ:ରେ ସୁପ୍ରିମକୋର୍ଟର ତତ୍‌କାଳୀନ ଜଜ୍ ସର୍ ବିଲିୟାମ୍ ଜୋନସ୍ ଏସିଆଟିକ୍ ସୋସାଇଟି ନାମକ ଗୋଟିଏ ସମାଜ କଲିକତାରେ ସ୍ଥାପନ କରିଥିଲେ । ହେଷ୍ଟିଙ୍ଗ୍‌ସଙ୍କର ଏହି ସମାଜସ୍ଥାପନ ପ୍ରତି ବିଶେଷ ଯତ୍ନ ଏବଂ ସହାନୁଭୂତି ଥିଲା । ଏହି ସମାଜ ଆଜିଯାଏ ବିଦ୍ୟମାନ ଅଛି । ଭାରତୀୟ ପୁରାତନ ଗ୍ରନ୍ଥମାନଙ୍କର ପୁନରୁଦ୍ଧାର ଏହାର ପ୍ରଧାନ କାର୍ଯ୍ୟ । ପୂର୍ବକାଳୀନ ସଭ୍ୟତା, ରୀତି, ନୀତି ପ୍ରତି ସର୍ବସାଧାରଣର ଦୃଷ୍ଟି ଆକର୍ଷଣ କରିବା, ବିଶେଷତଃ ପାଶ୍ଚାତ୍ୟଦେଶୀୟ ପଣ୍ଡିତମାନଙ୍କର ଏ ଦେଶୀୟ ସାହିତ୍ୟ ପ୍ରତି ଅନୁରାଗ ଜାତ କରାଇବା ଏହାର ପ୍ରଧାନ ଲକ୍ଷ୍ୟ ।

 

ହେଷ୍ଟିଙ୍ଗ୍‍ସଙ୍କର ବିଲାତ ପ୍ରତ୍ୟାବର୍ତ୍ତନ ଏବଂ ସେଠାରେ ତାହାଙ୍କ ପ୍ରତି ଅଭିଯୋଗ-୧୭୮୫ ଖ୍ରୀ: ଅ:ରେ ହେଷ୍ଟିଙ୍ଗ୍‌ସ ବିଲାତକୁ ଫେରିଗଲେ । ସର୍ ଫିଲିପ୍ ଫ୍ରାନ୍‌ସିସ ଭାରତରେ ଥିଲାବେଳେ ହେଷ୍ଟିଙ୍ଗ୍‌ସଙ୍କର ଶତ୍ରୁ ହୋଇଥିଲେ । ବିଲାତରେ ସୁଦ୍ଧା ତାହାଙ୍କର ଏହି ଶତ୍ରୁତା ତିରୋହିତ ହୋଇ ନ ଥିଲା । ପାର୍ଲିମେଣ୍ଟ ସଭାରେ ବର୍କ ପ୍ରମୁଖ ଅନେକ ବ୍ୟକ୍ତି ତାହାଙ୍କ ବିରୁଦ୍ଧେ ଅନେକ ଅଭିଯୋଗ ଆଣିଥିଲେ । ଭାରତ ଶାସନ କଲାବେଳେ ହେଷ୍ଟିଙ୍ଗ୍‌ସ ଯେ ସମସ୍ତ ଅତ୍ୟାଚାର କରିଥିଲେ ତାହାହିଁ ଏହି ଅଭିଯୋଗର ବିଷୟ ଥିଲା । ୭ ବର୍ଷ ବିଚାରପରେ ହେଷ୍ଟିଙ୍ଗ୍‌ସ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ ହେଲେ । ମାତ୍ର ମକଦ୍ଦମା ଚଳାଇବାରେ ସେ ସର୍ବସ୍ୱାନ୍ତ ହୋଇଥିଲେ । ତହୁଁ କମ୍ପାନି ଦୟା କରି ତାହାଙ୍କୁ କିଛି କିଛି ଅର୍ଥ ସାହାଯ୍ୟ ଦେଇଥିଲେ । ଅତି ଦରିଦ୍ରାବସ୍ଥାରେ ତାହାଙ୍କର ମୃତ୍ୟୁ ଘଟିଥିଲା ।

Image

 

ଲର୍ଡ଼ କର୍ଣ୍ଣୱାଲିସ୍‌ଙ୍କର ଶାସନ ସଂସ୍କାର–

ଚିରସ୍ଥାୟୀ ବନ୍ଦୋବସ୍ତ ଏବଂ ସରଜନ୍ ଶୋର

 

୧୭୮୬ରେ ଲର୍ଡ଼ କର୍ଣ୍ଣୱାଲିସ୍ ଗବର୍ଣ୍ଣର ଜେନାରାଲ ହୋଇ ଭାରତକୁ ଆସିଥିଲେ । ହେଷ୍ଟିଙ୍ଗ୍‌ସଙ୍କ ଭାରତତ୍ୟାଗ କରିବା ସମୟରୁ କର୍ଣ୍ଣୱାଲିସ୍‌ଙ୍କ ଭାରତ ଆଗମନ ପର୍ଯ୍ୟନ୍ତ କମ୍ପାନିଙ୍କର ଜଣଣେ କର୍ମ୍ମଚାରୀ ସରଜନ୍ ମାକ୍‌ଫରସନ୍ ୨୦ମାସ ପର୍ଯ୍ୟନ୍ତ ଏକଟିଙ୍ଗ୍ ଗବର୍ଣ୍ଣର ଜେନେରାଲ ହୋଇଥିଲେ । ଶାସନସଂସ୍କାର, ବଙ୍ଗର ଚିରସ୍ଥାୟୀ ବନ୍ଦୋବସ୍ତ ଏବଂ ଦ୍ୱିତୀୟ ମହୀଶୁର ଯୁଦ୍ଧ କର୍ଣ୍ଣୱାଲିସ୍‌ଙ୍କ ଅମଳର ପ୍ରଧାନ ଘଟନା ।

 

ଶାସନ ସଂସ୍କାର–କର୍ଣ୍ଣୱାଲିସ୍‌ କମ୍ପାନିର କର୍ମ୍ମଚାରୀମାନଙ୍କର ଅନ୍ୟାୟ ଉପାୟରେ ଅର୍ଥୋପାର୍ଜ୍ଜନର ପଥ ବନ୍ଦ କରିଦେଇଥିଲେ । ସେ ଉକ୍ତ କର୍ମ୍ମଚାରୀମାନଙ୍କର ବେତନ ବୃଦ୍ଧି କରିଥିଲେ । ପ୍ରତି ଜିଲ୍ଲାର କଲେକ୍ଟରଙ୍କ ହାତରେ କେବଳ ଖଜଣା ଆଦାୟ କରିବାର ଭାର ଦିଆଯାଇଥିଲା । ଦେବାନି ଓ ଫୌଜଦାରି ମକଦ୍ଦମା ବିଚାର କରିବାଲାଗି ଜଣେ ଜଣେ ଇଂରେଜ ଜଜ୍ ନିଯୁକ୍ତି ହୋଇଥିଲେ । ଜିଲ୍ଲା ଜଜ୍‌ମାନେ ଯେଉଁ ମକଦ୍ଦମାମାନ ନିଷ୍ପତ୍ତି କରୁଥିଲେ ତାହାର ଅପୀଲ ଶୁଣିବା ସକାଶ କଲିକତା, ମୁର୍ଶିଦାବାଦ, ତାଜା ଓ ପାଟନା ଏହି ଚାରି ସ୍ଥାନରେ ଗୋଟିଏ ଗୋଟିଏ ଉଚ୍ଚ ବିଚାରାଳୟ ସ୍ଥାପନ କରାଯାଇଥିଲା । ଏମାନଙ୍କ ନିଷ୍ପତ୍ତିରେ କେହି ଅସନ୍ତୁଷ୍ଟ ହେଲେ ସେ ସଦର ନିଜାମତ୍ ଅଦାଲତରେ ଅପୀଲ କରିପାରୁଥିଲେ ।

 

ବଙ୍ଗଦେଶର ଚିରସ୍ଥାୟୀ ବନ୍ଦୋବସ୍ତ–ହେଷ୍ଟିଙ୍ଗ୍‍ସଙ୍କ ସମୟରେ ରାଜସ୍ୱର ଅନାଦାୟ ହେତୁରୁ ପ୍ରତିବର୍ଷ ନିଲାମଦ୍ୱାରା ଅନେକ ଜମିଦାରୀ ବିକ୍ରୟ କରାଯାଉଥିଲା । ନୂତନ ଖରିଦ୍‌ଦାରମାନେ ଅତ୍ୟନ୍ତ ନିଷ୍ଠୁରଭାବରେ ପ୍ରଜାମାନଙ୍କଠାରୁ ଖଜଣା ଆଦାୟ କରୁଥିଲେ । ତଥାପି ସେମାନେ କମ୍ପାନିଙ୍କ ନିର୍ଦ୍ଦିଷ୍ଟ ରାଜସ୍ୱ ଅଦାୟକରି ଦେଇ ପାରୁ ନ ଥିଲେ । ଏଣୁ କମ୍ପାନିଙ୍କର ଅତ୍ୟନ୍ତ କ୍ଷତି ହେଉଥିଲା । ପ୍ରତିବର୍ଷ ରାଜସ୍ୱର ପରିମାଣ ମଧ୍ୟ ବଦଳୁଥିଲା । ଏହି ସବୁ ଅନିଷ୍ଟ ନିବାରଣ କରିବା ପାଇଁ କର୍ଣ୍ଣବଲିସ୍ ୧୭୯୧ରେ ଜମିଦାରମାନଙ୍କ ସହିତ ୧୦ ବର୍ଷ ସ୍ଥାୟୀ ଖଜଣାର ବନ୍ଦୋବସ୍ତ କଲେ । ଏ ପ୍ରକାର ବନ୍ଦୋବସ୍ତ ଲାଭଜନକ ହେବାର ଦେଖି ସେ ୧୭୯୩ରେ ସେହି ବନ୍ଦୋବସ୍ତକୁ ଚିରସ୍ଥାୟୀ କଲେ । ଏହାଦ୍ୱାରା ଜମିଦାରମାନଙ୍କର ସୁବିଧା ହେଲା, କିନ୍ତୁ ପ୍ରଜାମାନଙ୍କର କିଛି ସୁବିଧା ହେଲା ନାହିଁ । ଜମିଦାରମାନେ ନିର୍ଦ୍ଦିଷ୍ଟ ରାଜସ୍ୱ କମ୍ପାନିଙ୍କୁ ଦେଲେ, କିନ୍ତୁ ସେମାନେ ଇଚ୍ଛାନୁସାରେ ପ୍ରଜାମାନଙ୍କ ଉପରେ କର ବଢ଼ାଇଲେ ।

 

ଦ୍ୱିତୀୟ ମହୀଶୁର ସମର–୧୭୯୦ରେ ମହୀଶୁରପତି ଟିପୁ ସୁଲତାନ ଇଂରେଜମାନଙ୍କ ମିତ୍ର ରାଜ୍ୟ ତ୍ରିବାଙ୍କୋଡ଼ ଆକ୍ରମଣ କଲେ । ଇଂରେଜମାନେ ତ୍ରିବାଙ୍କୋଡ଼ ରାଜାଙ୍କ ପକ୍ଷ ନେଇ ଯୁଦ୍ଧ ଘୋଷଣା କଲେ । ନିଜାମ ଓ ମରହଟ୍ଟାମାନେ ଇଂରେଜମାନଙ୍କୁ ସାହାଯ୍ୟ ଦେଇଥିଲେ । ଏହି ସମୟ ତିନି ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ୧୭୯୨ରେ ଶ୍ରୀରଙ୍ଗ ପତ୍ତନରେ ଏକ ସନ୍ଧି ହେଲା । ଟିପୁ ଯୁଦ୍ଧବ୍ୟୟ ସକାଶେ ତିନିକୋଟି ଟଙ୍କା ଦେଲେ, ଆଉ ନିଜ ରାଜ୍ୟରୁ ଅଧେ ଛାଡ଼ି ଦେଲେ । ନିଜାମ ଓ ମରହଟ୍ଟାମାନେ ଏହି ରାଜ୍ୟକୁ ସମାନ ଅଂଶରେ ବାଣ୍ଟିନେଲେ ।

 

କର୍ଣ୍ଣୱାଲିସ୍‌ ୧୭୯୩ରେ ଭାରତ ତ୍ୟାଗ କଲେ । ସର ଜନ୍‌ଶୋର ୧୭୯୩ ରୁ ୧୭୯୮ ପର୍ଯ୍ୟନ୍ତ ଗବର୍ଣ୍ଣର ଜେନେରାଲ ହେଲେ । ଏ ଜଣେ କମ୍ପାନିର ଦକ୍ଷ କର୍ମଚାରୀ ଥିଲେ । ଏ କୌଣସି ପକ୍ଷ ଅବଲମ୍ବନ ନ କରିବାର ନୀତି ଅନୁସରଣ କରିଥିଲେ । ଏହାର ଫଳ ଏହି ହେଲା ଯେ ନିଜାମ ମରହଟ୍ଟାମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣରୂପେ ପରାଜିତ ହୋଇ ସେମାନଙ୍କୁ ତାହାଙ୍କ ରାଜ୍ୟର ଅଧେ ଦେବାକୁ ବାଧ୍ୟ ହୋଇଥିଲେ ।

 

ମାର୍କୁଇସ ଅବ୍ ୱେଲେସ୍‌ଲି ପରସ୍ପର ସାହାଯ୍ୟକୃତ ସନ୍ଧି–ମହୀଶୁରସମର ଓ ମରହଟ୍ଟାସମର । ବେଲେସଲି ୧୭୯୮ରେ ଶାସନଭାର ଗ୍ରହଣ କରିଥିଲେ । ଇଂରେଜ ରାଜ୍ୟ ଭାରତର ସର୍ବତ୍ର ସ୍ଥାପିତ ହେବ, ଇଂରେଜ ଶକ୍ତି ଅକ୍ଷୁର୍ଣ୍ଣ ଓ ଅପ୍ରତିହତ ରହିବ ଏବଂ ଭାରତର ରାଜାମାନେ ଇଂରେଜ ସାମ୍ରାଜ୍ୟର ସମ୍ପୂର୍ଣ୍ଣ ଅଧୀନ ରହିବେ, ଏଗୁଡ଼ିକ ତାହାଙ୍କୁ ଭାରତ ପକ୍ଷରେ ମଙ୍ଗଳଜନକ ବୋଲି ବୋଧ ହୋଇଥିଲା ।

 

ଫରାସି ପ୍ରଧାନ୍ୟ :– ଏହି ସମୟରେ ଫରାସି ସୈନ୍ୟାଧ୍ୟକ୍ଷମାନେ ନିଜାମଙ୍କ ବେତନଭୋଗୀ ହୋଇ ହାଇଦ୍ରାବାଦର ସୈନ୍ୟସଂସ୍ଥାର କରୁଥିଲେ । ସିନ୍ଧିୟା ଫରାସିସୈନ୍ୟମାନଙ୍କୁ ନିଜ ସୈନ୍ୟଦଳରେ ନିଯୁକ୍ତ କରିଥିଲେ । ମହୀଶୁରର ଟିପୁସୁଲତାନ ଫରାସିମାନଙ୍କ ସଙ୍ଗେ ମିଳିତ ହୋଇଥିଲେ । ବେଲେସଲି ଭାରତକୁ ଆସି ଉପରୋକ୍ତ ତିନି ରାଜ୍ୟରେ ଏପ୍ରକାର ଫରାସିପ୍ରାଧାନ୍ୟ ଅବଲୋକନ କରିଥିଲେ । ଏହି ସମୟରେ ଫ୍ରାନ୍ସରେ ସାଧାରଣତନ୍ତ୍ର ଶାସନପ୍ରଣାଳୀ ସ୍ଥାପିତ ହେବାରୁ ଟିପୁ ଆପଣାକୁ ଉକ୍ତ ସାଧାରଣତନ୍ତ୍ର ସମିତିର ଜନୈକ ସଭ୍ୟ ବୋଲି ଘୋଷଣା କଲେ । ଆହୁରି ମଧ୍ୟ ନେପୋଲିୟନ ଏହି ସମୟରେ ମିସରରେ ଥାଇ ଭାରତ-ଆକ୍ରମଣର କଳ୍ପନା କରୁଥିଲେ ।

 

ଲର୍ଡ଼ ୱେଲେସ୍‌ଲିଙ୍କ ପୂର୍ବେ ଭାରତ :– କ୍ଲାଇବଙ୍କ ଅସ୍ତ୍ରବଳ ଓ ହେଷ୍ଟିଙ୍ଗ୍‍ସଙ୍କ ରାଜନୀତିରେ ଇଂରେଜମାନେ ବଙ୍ଗପ୍ରଦେଶର ଏକମାତ୍ର ଅଧୀଶ୍ୱର ହୋଇଥିଲେ । ଅଯୋଧ୍ୟାର ନବାବ ଇଂରେଜମାନଙ୍କର ଅଧୀନରେ ଥିଲେ । ଦିଲ୍ଲୀର ସମ୍ରାଟଙ୍କ କ୍ଷମତା ସମ୍ପୂର୍ଣ୍ଣ ହ୍ରାସ ଲଭିଥିଲା-। ଟିପୁସୁଲତାନ, ନିଜାମ, ପେଶବା ବାଜିରାଓ ସିନ୍ଧୟା, ହୋଲକାର ଏବଂ ନାଗପୁରର ମରହଟ୍ଟାମାନେ କ୍ଷମତାପନ୍ନ ହୋଇଥିଲେ । ୱେଲେସ୍‌ଲି ଏମାନଙ୍କ କ୍ଷମତା ଚୂର୍ଣ୍ଣକରି ଇଂରେଜମାନଙ୍କର ଏକାଧିପତ୍ୟ ସ୍ଥାପନଲାଗି ସଙ୍କଳ୍ପ କଲେ ।

 

‘‘ପରସ୍ପର-ସାହାଯ୍ୟାକୃତ ସନ୍ଧି’’ :– ୱେଲେସ୍‌ଲି ‘‘ପରସ୍ପର-ସାହାଯ୍ୟକୃତ ସନ୍ଧି’’ ନାମକ ଏକ ରାଜନୀତି ଅନୁସରଣ କଲେ । ଏଥିର ସର୍ତ୍ତ ଏହି :– ଦେଶୀୟ ରାଜାମାନେ ସେମାନଙ୍କର ରାଜନୈତିକ ସ୍ୱାଧୀନତା ଇଂରେଜ କମ୍ପାନୀଙ୍କ ହସ୍ତରେ ଅର୍ପଣ କରିବେ ଏବଂ କମ୍ପାନୀ ସେମାନଙ୍କୁ ବିଦେଶୀୟ ଆକ୍ରମଣରୁ ରକ୍ଷା କରିବେ । ଦେଶୀୟ ରାଜାମାନେ କମ୍ପାନିଙ୍କ ବିନାନୁମତିରେ ଅନ୍ୟ କୌଣସି ଇଉରୋପୀୟ ଜାତିର ସାହାଯ୍ୟ ଗ୍ରହଣ କରିବେ ନାହିଁ, କିମ୍ବା ଭାରତର କୌଣସି ରାଜାଙ୍କ ସଙ୍ଗେ ଯୁଦ୍ଧରେ ପ୍ରବୃତ୍ତ ହେବେ ନାହିଁ । ବଡ଼ ବଡ଼ ରାଜାମାନେ ସେମାନଙ୍କ ରାଜ୍ୟରେ ଇଂରେଜ ସେନାପତିଦ୍ୱାରା ଚାଳିତ ଏକ ଏକ ଦଳ ସୈନ୍ୟ ରଖିବେ ଏବଂ ସୈନ୍ୟ ପ୍ରତିପୋଷଣର ବ୍ୟୟନିର୍ବାହ ନିମନ୍ତେ କମ୍ପାନିଙ୍କୁ କେତେକ ରାଜ୍ୟ ଦେବେ ।

 

ନିଜାମଙ୍କ ସହ ସନ୍ଧି - ୧୭୯୮ରେ ନିଜାମ ସମସ୍ତଙ୍କ ମଧ୍ୟରେ ଅତି ଦୂର୍ବଳ ଥିବାରୁ ୱେଲେସ୍‌ଲି ପ୍ରଥମେ ତାହାଙ୍କ ସଙ୍ଗେ ସନ୍ଧି କଲେ । ଉକ୍ତ ସନ୍ଧି ଅନୁସାରେ ନିଜାମ ଫରାସି ସୈନ୍ୟ ଓ ସେନାପତି ପରିବର୍ତ୍ତେ ଇଂରେଜ ସୈନ୍ୟ ଓ ସେନାପତି ରଖିଲେ ।

 

ତୃତୀୟ ମହୀଶୁରସମର ୧୭୯୯ :– ଟିପୁ ସୁଲତାନ ପ୍ରକାଶ୍ୟଭାବରେ ଫରାସିମାନଙ୍କ ସଙ୍ଗେ ଚକ୍ରାନ୍ତ କରିବାକୁ ୱେଲେସ୍‌ଲି ତାଙ୍କ ସଙ୍ଗେ ପରସ୍ପର-ସାହାଯ୍ୟକୃତ ସନ୍ଧି ସ୍ଥାପନ କରିବାର ପ୍ରସ୍ତାବ କଲେ । ମାତ୍ର ଟିପୁ ତାହା ଅଗ୍ରାହ୍ୟ କଲେ । ଟିପୁଙ୍କ ବିରୁଦ୍ଧେ ଯୁଦ୍ଧଘୋଷଣା ହେଲା । ଓ୍ୱଲେସଲି ସ୍ୱୟଂ ମାନ୍ଦ୍ରାଜ ଯାଇ ଯୁଦ୍ଧ ଚଳାଇଥିଲେ । ନିଜାମ ଓ ମରହଟ୍ଟାମାନେ ଇଂରେଜମାନଙ୍କୁ ସାହାଯ୍ୟ ଦେଲେ । ଟିପୁ ଦୁଇଗୋଟି ଯୁଦ୍ଧରେ ପରାଜିତ ହୋଇ ଶ୍ରୀରଙ୍ଗପତ୍ତନରେ ଆଶ୍ରୟ ନେଲେ-। ଇଂରେଜ ସୈନ୍ୟ ଶ୍ରୀରଙ୍ଗପତ୍ତନ ଅବରୋଧ କଲେ । ଟିପୁ ଅତ୍ୟନ୍ତ ବୀରତ୍ୱ ସହ ଯୁଦ୍ଧ କରି ନିହତ ହେଲେ । ୱେଲେସ୍‌ଲି ମହୀଶୁରର ମଧ୍ୟାଂଶ ହାୟଦରଅଲୀଙ୍କ ଦ୍ୱାରା ପଦଚ୍ୟୁତ ହିନ୍ଦୁରାଜାଙ୍କର ଏକ ବଂଶଧରକୁ ପ୍ରଦାନ କଲେ । ଅବଶିଷ୍ଟ ରାଜ୍ୟ ଇଂରେଜ, ନିଜାମ ଓ ମରହଟ୍ଟାମାନେ ବାଣ୍ଟିନେଲେ । ଟିପୁଙ୍କ ପୁତ୍ରମାନେ ଉପଯୁକ୍ତ ବୃତ୍ତି ପାଇ ପ୍ରଥମେ ବେଲୋର, ତତ୍‌ପରେ କଲିକତାରେ ବାସ କଲେ ।

 

ଦ୍ୱିତୀୟ ମରହଟ୍ଟାସମରର ପୂର୍ବେ ମରହଟ୍ଟାମାନଙ୍କର ଅବସ୍ଥା :– ମରହଟ୍ଟାମାନେ ଟିପୁଙ୍କ ବିରୁଦ୍ଧେ ଇଂରେଜମାନଙ୍କୁ ସାହାଯ୍ୟ ଦେଇଥିଲେହେଁ ଇଂରେଜମାନଙ୍କ ପ୍ରତି ସେମାନଙ୍କର ମିତ୍ରଭାବ ନ ଥିଲା । ୧୭୯୫ରେ ରାଘବାଙ୍କ ପୁତ୍ର ବାଜିରାଓ, ମଧୁରାଓନାରାୟଣଙ୍କ ପରେ ପେଶବା ହେଲେ । କିନ୍ତୁ ନାନାଫରନାବିସ୍ ସେ ସମୟରେ ମରହଟ୍ଟାମାନଙ୍କର ସମସ୍ତ ରାଜନୈତିକ କାର୍ଯ୍ୟ ଚଳାଉଥିଲେ । ସେ ମରହଟ୍ଟାରାଜ୍ୟରେ ପରସ୍ପର ସାହାଯ୍ୟକୃତ ସନ୍ଧି ପ୍ରବର୍ତ୍ତନ କରିବାରେ ବାଧା ଦେଲେ । ଏହି ସମୟରେ ମରହଟ୍ଟାଜାତି ବିଧ୍ୱସ୍ତ ହେବାର ସମସ୍ତ ଚିହ୍ନ ଦେଖାଯାଇଥିଲା; ଆପଣା ଆପଣା ମଧ୍ୟରେ କଳହ ଓ ଈର୍ଷା ଜାତ ହୋଇଥିଲା । ପ୍ରତ୍ୟେକ ମରହଟ୍ଟାଦଳ ବିଶେଷତଃ ସିନ୍ଧୁଅ ଓ ହୋଲକାର ଅନ୍ୟାନ୍ୟ ମରହଟ୍ଟାମାନଙ୍କୁ ଦମନ କରିବାଲାଗି ଚେଷ୍ଟା କରୁଥିଲେ । ଯେତେଦିନ ପର୍ଯ୍ୟନ୍ତ ନାନାଫର୍ଣ୍ଣାବିସ୍ ଜୀବିତ ଥିଲେ, ସେ ଯେକୌଣସି ପ୍ରକାରେ ବିଭିନ୍ନ ପ୍ରକୃତିର ମରହଟ୍ଟା ଦଳମାନଙ୍କୁ ଏକମତରେ ଚଳାଉଥିଲେ । କିନ୍ତୁ ତାହାଙ୍କର ମୃତ୍ୟୁ ସଙ୍ଗେ ସଙ୍ଗେ ସେସବୁ ତିରୋହିତ ହେଲା । ଏପରି ସମୟରେ ସମସ୍ତେ ମରହଟ୍ଟା ଦଳମାନଙ୍କୁ ଘେନି କାର୍ଯ୍ୟ କରିବା ବ୍ୟକ୍ତି ନିତାନ୍ତ ଆବଶ୍ୟକ; ମାତ୍ର ପେଶବା ବାଜିରାଓଙ୍କର ସେପରି ଦକ୍ଷତା ଓ ଯୋଗ୍ୟତା ନ ଥିଲା । ଭୟାନକ ଗୋଳମାଳ ଆରମ୍ଭ ହେଲା । ସିନ୍ଧୟା ଅତ୍ୟନ୍ତ ପରାକ୍ରମୀ ହୋଇ ପେଶବାଙ୍କୁ ଅପଣା ଆୟତ୍ତରେ ରଖିଥିଲେ । କିନ୍ତୁ ସନ୍ଧିୟା ଓ ପେଶବାଙ୍କର ଯୁକ୍ତ-ସୈନ୍ୟଦଳକୁ ହୋଲକାର ପରାସ୍ତ କରି ଆଉ ଏକ ଜଣଙ୍କୁ ପେଶବା ବୋଲି ଘୋଷଣା କଲେ ।

 

ଦ୍ୱିତୀୟ ମରହଟ୍ଟାସମର :– ପେଶବା ଦ୍ୱିତୀୟ ବାଜିରାଓ ହୋଲକାରଙ୍କ ଦ୍ୱାରା ପରାଜିତ ହୋଇ ଇଂରେଜମାନଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ବେସିନରେ ୧୮୦୨ରେ ଗୋଟିଏ ସନ୍ଧି ହେଲା । ଇଂରେଜମାନେ ବାଜିରାଓଙ୍କୁ ପେଶବାପଦ ଦେବାଲାଗି ଅଙ୍ଗୀକାର କଲେ । ବାଜିରାଓ ଯୁଦ୍ଧବ୍ୟୟ ସକାଶେ ଇଂରେଜମାନଙ୍କୁ ନିଜରାଜ୍ୟର କେତେକ ଅଂଶ ଦେଲେ ଏବଂ ଅନ୍ୟାନ୍ୟ ରାଜାମାନଙ୍କ ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖିବେ ନାହିଁ ବୋଲି ଅଙ୍ଗୀକାର କଲେ । ପେଶବାଙ୍କ ଏହି କାର୍ଯ୍ୟରେ ସିନ୍ଧୟା ଓ ନାଗପୁରର ଭୋଁସ୍‌ଲା ଅତ୍ୟନ୍ତ ରାଗାନ୍ୱିତ ହେଲେ । ବାଜିରାଓ ମଧ୍ୟ ଅନୁତାପ କରି ସେମାନଙ୍କର ସାହାଯ୍ୟ ଲୋଡ଼ିଲେ । ଦ୍ୱିତୀୟ ମରହଟ୍ଟାସମର ଆରମ୍ଭ ହେଲା । ଇଂରେଜମାନଙ୍କର ସର ଅର୍ଥର ବେଲେସିଲି (ଡିଉଜ ଅବ ବେଲିଙ୍ଗ୍‍ଟନ) ଓ ଜେନେରାଲ୍‍ ଲୋକ ସେନାପତି ଥିଲେ । ଦାକ୍ଷିଣାତ୍ୟରେ ସର୍ ଅର୍ଥର ଏବଂ ଉତ୍ତର ଭାରତରେ ଲେକ୍‍ ଯୁଦ୍ଧ ଚଳାଇଥିଲେ । ୧୮୦୩ ସିତମ୍ବର ମାସରେ ସାର୍ ଅର୍ଥର ସିନ୍ଧିୟାଙ୍କ ସୈନ୍ୟମାନଙ୍କୁ ଅସାଇ ଯୁଦ୍ଧରେ ପରାସ୍ତ କଲେ । ନଭେମ୍ୱର ମାସରେ ସେ ସିନ୍ଧୟା ଓ ଭୋଁସଲାଙ୍କର ଯୁକ୍ତସୈନ୍ୟମାନଙ୍କୁ ଆରଗମ ଯୁଦ୍ଧରେ ସମ୍ପୂର୍ଣ୍ଣରୂପେ ପରାଜିତ ଓ ବିଧ୍ୱସ୍ତ କରିଥିଲେ । ଇତ୍ୟବସରେ ଲେକ୍ ସାହେବ ଦିଲ୍ଲୀ ଓ ଆଗ୍ରା ଦଖଇ କରି ସିନ୍ଧିୟାଙ୍କ ଫରାସି ସୈନ୍ୟମାନଙ୍କୁ ଲାସାବାଈ ଯୁଦ୍ଧରେ ବିଧ୍ୱସ୍ତ କଲେ । ପରାଜିତ ମରହଟ୍ଟା ସର୍ଦ୍ଦାରମାନେ ଇଂରେଜମାନଙ୍କ ସହ ସନ୍ଧି ସ୍ଥାପନ କଲେ । ଭୋଁସ୍‌ଲା ଇଂରେଜମାନଙ୍କୁ ଓଡ଼ିଶା ଓ ପଶ୍ଚିମବରାର, ଏବଂ ସିନ୍ଧିୟା ସେମାନଙ୍କୁ ଗଙ୍ଗା ଓ ଯମୁନା ନଦୀର ମଧ୍ୟବର୍ତ୍ତୀ ଦୋଆବ ଏବଂ ରାଜପୁତାନା ଓ ଦକ୍ଷିଣାତ୍ୟର ଅନେକଗୁଡ଼ିଏ ଅଧିକୃତ ସ୍ଥାନ ଦେଇ ମୁକ୍ତି ଲଭିଥିଲେ ।

 

ହୋଲକାରଙ୍କ ସହ ଯୁଦ୍ଧ :– ହୋଲକାର ଅତ୍ୟନ୍ତ ପରାକ୍ରମୀ ହୋଇ ରାଜପୁତାନାରେ ଇଂରେଜମାନଙ୍କ ମିତ୍ରରାଜ୍ୟ ଲୁଣ୍ଠନ କରି ଇଂରେଜମାନଙ୍କୁ ଚୌଥ ମାଗିବାରୁ ଓ୍ୱଲେସୁଲି ତାହାଙ୍କ ବିରୁଦ୍ଧେ ଯୁଦ୍ଧ ଘୋଷଣା କଲେ (୧୮୦୪) । ପ୍ରଥମେ ଇଂରେଜମାନେ ପରାଜିତ ହୋଇଥିଲେ । କର୍ଣ୍ଣେଲ ମନ୍‌ସମଙ୍କ ଅଧୀନରେ ଯୁଦ୍ଧ କରୁଥିବା ଇଂରେଜ ସୈନ୍ୟ ସମ୍ପୂର୍ଣ୍ଣରୂପେ ଧ୍ୱଂସ ପାଇଥିଲେ । ପରେ ଜେନେରାଲ ଲେକ୍ ହୋଲକାରଙ୍କୁ ଦିଘ୍ ଓ ଫରକ୍କାବାଦରେ ପରାସ୍ତ କଲେ । ହୋଲ୍‍କାର ଭରତପୁର ରାଜାଙ୍କ ଦୁର୍ଗରେ ଆଶ୍ରୟ ନେଲେ । ଲେକ୍ ଅନେକ ଚେଷ୍ଟା କରି ଭରତପୁର ଅଧିକାର କରି ପାରିଲେ ନାହିଁ । କିନ୍ତୁ ସନ୍ଧି ହେବାରୁ ହୋଲ୍‍କାର ଭରତପୁର ତ୍ୟାଗ କଲେ ।

 

ୱେଲେସ୍‌ଲିଙ୍କ ଅମଳରେ କମ୍ପାନିଙ୍କ ଶକ୍ତି ଓ ରାଜ୍ୟ ବୃଦ୍ଧି :– ମହୀଶୁରର କ୍ଷମତା ଚୂର୍ଣ୍ଣ ହୋଇଥିଲା, ଏବଂ ରାଜ୍ୟ ସଂକୀର୍ଣ୍ଣ ହୋଇ ଇଂରେଜମାନଙ୍କ ଦ୍ୱାରା ନିଯୁକ୍ତ ଏକ ରାଜାଙ୍କ ହସ୍ତରେ ନ୍ୟସ୍ତ ହୋଇଥିଲା । ନିଜାମ, ଗାଇକୋବାଡ଼ ଏବଂ ରାଜପୁତ ରାଜାମାନେ ଇଂରେଜମାନଙ୍କର ଅଧୀନସ୍ଥ ରାଜା ହୋଇ ରହିଥିଲେ । ପେଶବା ମଧ୍ୟ ଇଂରେଜମାନଙ୍କର ପ୍ରାଧାନ୍ୟ ସ୍ୱୀକାର କରିଥିଲେ । ଭୋଁସ୍‌ଲା, ସିନ୍ଧୟା ଏବଂ ହୋଲକାରଙ୍କ କ୍ଷମତା ହ୍ରାସ ଲଭିଥିଲା । ୧୮୦୦ରେ ତାଞ୍ଜୋର ରାଜ୍ୟରେ ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀ ସିଂହାସନ ଦାବି କରିବାକୁ ୱେଲେସ୍‌ଲି ଏହି ରାଜ୍ୟକୁ ନିଜ ଶାସନରେ ଆଣିଥିଲେ । କର୍ଣ୍ଣାଟର ନବାବ ଟିପୁଙ୍କ ସଙ୍ଗେ ଷଡ଼ଯନ୍ତ୍ର କରିଥିବାରୁ ତାହାଙ୍କ ରାଜ୍ୟ ଇଂରେଜ ରାଜ୍ୟଭୁକ୍ତ ହୋଇଥିଲା । ଅଯୋଧ୍ୟାର ନବାବ ଅତ୍ୟନ୍ତ ଅତ୍ୟାଚାରୀ ହେବାରୁ ପ୍ରଜାମାନେ ତାଙ୍କ ପ୍ରତି ଅସନ୍ତୁଷ୍ଟ ହେଲେ ଏବଂ ତାଙ୍କ ସୈନ୍ୟମାନେ ମରହଟ୍ଟାମାନଙ୍କ ଆକ୍ରମଣରୁ ଅଯୋଧ୍ୟାକୁ ରକ୍ଷାକରି ପାରିଲେ ନାହିଁ । ତେଣୁ ୱେଲେସ୍‌ଲି ନବାବଙ୍କୁ ଈଂରେଜ ସୈନ୍ୟ ରଖିବାକୁ କହିଲେ; ଏବଂ ସୈନ୍ୟବ୍ୟୟନିର୍ବାହାର୍ଥ ନବାବ ଇଂରେଜମାନଙ୍କୁ କୋରା, ଏଲାହାବାଦ ଏବଂ ରୋହିଲାଖଣ୍ଡ ପ୍ରଦେଶମାନେ ଦେଲେ । ଏହିପରି ଇଂରେଜକ୍ଷମତା ଭାରତର ଚାରିଆଡ଼େ ବିସ୍ତୃତ ହୋଇଥିଲା ।

 

ୱେଲେସ୍‌ଲି ସବୁବେଳେ ଯୁଦ୍ଧରେ ବ୍ୟାପୃତ ରହିବାକୁ କମ୍ପାନିଙ୍କର ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲା । କମ୍ପାନୀର ଡିରେକ୍ଟରମାନେ ଏହାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଏହାଙ୍କୁ ଡକାଇ ନେଇଥିଲେ (୧୮୦୫) ।

 

ଲର୍ଡ଼ କର୍ଣ୍ଣୱାଲିସ୍‌ :– ଡିରେକ୍ଟରମାନେ ୧୮୦୫ରେ ଦେଶୀୟ ରାଜାମାନଙ୍କ ସଙ୍ଗେ ସନ୍ଧି କରିବା ସକାଶେ ଲର୍ଡ଼ କର୍ଣ୍ଣୱାଲିସ୍‌ଙ୍କୁ ପୁନର୍ବାର ଭାରତକୁ ପଠାଇଥିଲେ । ମାତ୍ର ସେ ଭାରତକୁ ଆସି ଦୁଇମାସ ଉତ୍ତାରୁ ଗାଜିପୁରରେ ପ୍ରାଣତ୍ୟାଗ କଲେ ।

 

ସର୍ ଜର୍ଜବାର୍ଲୋ :– ଏ ଜଣେ କମ୍ପାନିଙ୍କ କର୍ମ୍ମଚାରୀଥିଲେ ଏବଂ ୧୮୦୫ରେ ଭାରତର ଶାସନଭାର ନେଲେ । ଡିରେକ୍ଟରମାନଙ୍କ ଉପଦେଶ ଅନୁସାରେ ହୋଲକାର ଏବଂ ସିନ୍ଧୟାଙ୍କ ସଙ୍ଗେ ସନ୍ଧି କରିଥିଲେ । ସେହି ସନ୍ଧିଦ୍ୱାରା ମରହଟ୍ଟାମାନଙ୍କ କ୍ଷମତା ଅକ୍ଷୁର୍ଣ୍ଣ ରହିବାରୁ ସେମାନେ ରାଜପୁତାନାରେ ଅତ୍ୟାଚାର ଆରମ୍ଭ କଲେ । ଏହାଙ୍କ ସମୟରେ ମାନ୍ଦ୍ରାଜର ଅନ୍ତର୍ଗତ ବେଲୋ ନଗରର ସିପାହୀମାନେ ବିଦ୍ରୋହୀ ହୋଇଥିଲେ, କିନ୍ତୁ ଏହା ଶୀଘ୍ର ନିବାରିତ ହୋଇଥିଲା (୧୮୦୬) ।

 

ଲର୍ଡ଼ ମିଣ୍ଟୋ :– ଲର୍ଡ଼ ମିଣ୍ଟୋ ୧୮୦୭ରେ ଭାରତର ଶାସନଭାର ନେଲେ । ମିଣ୍ଟୋ କୌଣସି ଯୁଦ୍ଧରେ ପ୍ରବୃତ୍ତ ନ ହୋଇ ଶାନ୍ତି ସ୍ଥାପନରେ ମନୋଯୋଗୀ ହୋଇଥିଲେ । ଏହି ସମୟରେ ଇଉରୋପରେ ଇଂରେଜ ଓ ଫରାସିମାନଙ୍କର ଯୁଦ୍ଧ ହେଲା । ଫରାସିମାନେ ଏସିଆବାସୀ ଅନ୍ୟ ରାଜାଙ୍କ ସାହାଯ୍ୟ ଘେନି କାଳେ ଭାରତ ଆକ୍ରମଣ କରି ପାରନ୍ତି ଏହି ଭୟରେ ମିଣ୍ଟୋ ପଞ୍ଜାବପତି ରଣଜିତ୍‌ସିଂହ, କାବୁଲ୍‍ର ଅମୀର, ଓ ପାରସ୍ୟରାଜାଙ୍କ ସଙ୍ଗେ ସନ୍ଧି କଲେ । ମେଟକାଫ୍ ସାହେବଙ୍କୁ ରଣଜିତ୍ ସିଂହଙ୍କ ପାଖକୁ, ଏଲ୍‌ପିନ୍‌ଷ୍ଟୋନ୍ ସାହେବଙ୍କୁ କାବୁଲର ଅମୀରଙ୍କ ପାଖକୁ, ଏବଂ ମାଲକମ୍ ସାହେବଙ୍କୁ ପାରସ୍ୟରାଜାଙ୍କ ପାଖକୁ ପଠାଯାଇଥିଲା ।

 

୧୮୧୩ରେ କମ୍ପାନିଙ୍କ ମନନ୍ଦ ଶେଷ ହେବାରୁ ପୁନରାୟ ଆଉ ୨୦ ବର୍ଷ ସକାଶେ ସନନ୍ଦ ମିଳିଥିଲା । ୧୮୧୩ରେ ମିଣ୍ଟେଙ୍କ କାର୍ଯ୍ୟକାଳ ଶେଷ ହେଲା ।

Image

 

ଲର୍ଡ଼ ହେଷ୍ଟିଙ୍ଗ୍‌ସ୍–ନେପାଳ ଓ ମରହଟ୍ଟାମାନଙ୍କ ସହ ସମର

 

ଲର୍ଡ଼ ହେଷ୍ଟିଙ୍ଗ୍‌ସ୍ ୧୮୧୩ରେ ଭାରତର ଶାସନଭାର ଗ୍ରହଣ କଲେ । ନେପାଳସମର, ପିଣ୍ଡାରିଯୁଦ୍ଧ ଓ ମରହଟ୍ଟାସମର ଏହାଙ୍କ ଅମଳର ପ୍ରଧାନ ଘଟନା ଅଟେ ।

 

ନେପାଳସମର ୧୮୧୪-୧୮୧୬ :– ନେପାଳବାସୀ ଗୁର୍ଖାମାନେ ଆପଣାକୁ ରାଜପୁତଜାତୀୟ ବୋଲି ପରିଚୟ ଦିଅନ୍ତି । ଗୁର୍ଖାମାନେ ଏଥିପୂର୍ବ ଦୁଇ ଗବର୍ଣ୍ଣର ଜେନେରାଲଙ୍କ ସମୟରୁ ଇଂରେଜରାଜ୍ୟରେ ପ୍ରବେଶ କରି ଉପଦ୍ରବ କରୁଥିଲେ । ଇଂରେଜମାନେ ନେପାଳରାଜାଙ୍କୁ ଅନୁରୋଧ କରି ଗୁର୍ଖାମାନଙ୍କୁ ନିବର୍ତ୍ତାଇ ପାରି ନ ଥିଲେ । ତହୁଁ ହେଷ୍ଟିଙ୍ଗ୍‌ସ ସେମାନଙ୍କୁ ଦମନ କରିବା ସକାଶେ ସୈନ୍ୟ ପ୍ରେରଣ କଲେ । ଜେନେରାଲ ଅକ୍ଟରଲୋନି କୁମାୟନ ପ୍ରଦେଶ ଏବଂ ଯମୁନା ଓ ଶତଦ୍ରୂର ମଧ୍ୟବର୍ତ୍ତୀ ପ୍ରଦେଶ ଅଧିକାର କରିବାକୁ ନେପାଳରାଜା ସନ୍ଧି କଲେ । ୧୮୧୫ରେ ସନ୍ଧି ଭଗ୍ନ ହେବାରୁ ପୁନରାୟ ଯୁଦ୍ଧାରମ୍ଭ ହେଲା । ଅକ୍ଟରଲୋନି ପାଟନାରୁ ଯାତ୍ରା କରି ନେପାଳ ରାଜଧାନୀ କାଠମଣ୍ଡୁର ନିକଟବର୍ତ୍ତୀ ହେବାକୁ ନେପାଳରାଜା ସନ୍ଧି କଲେ । ଏହି ସନ୍ଧି ଅନୁସାରେ ନେପାଳର ରାଜା ନିଜରାଜ୍ୟର କେତେକ ଅଂଶ ଇଂରେଜମାନଙ୍କୁ ଦେଲେ । ସିମଲା, ନୈନିତାଲ ଏବଂ ମସୌରି ଏହି ପ୍ରଦେଶମାନଙ୍କରେ ବିଦ୍ୟମାନ ।

 

ପିଣ୍ଡାରିଯୁଦ୍ଧ ୧୮୧୭ :– ପିଣ୍ଡାରିମାନେ ଲୁଣ୍ଠନକାରୀ ଜାତି ଥିଲେ । ମଧ୍ୟଭାରତର ବିସ୍ତୃତ ଅରଣ୍ୟ-ପ୍ରଦେଶମାନଙ୍କରେ ଏମାନେ ବାସ କରୁଥିଲେ । ଆଫଗାନ, ଜାଠ ଓ ମରହଟ୍ଟାମାନଙ୍କ ଦ୍ୱାରା ପିଣ୍ଡାରିମାନଙ୍କର ଦଳ ଗଠିତ ହୋଇଥିଲା । ସେମାନେ କେତେବେଳେ ଶତ ସଂଖ୍ୟାରେ କେତେବେଳେ ଅବା ସହସ୍ର ସଂଖ୍ୟାରେ ଦଳବଦ୍ଧ ହୋଇ ଗ୍ରାମ ଓ ନଗରମାନ ଲୁଣ୍ଠନ କରୁଥିଲେ । ଅମିର ଖାଁ, କରିମ ଓ ଚିଟୁ ଏହି ତିନି ଜଣ ପିଣ୍ଡାରି ସର୍ଦ୍ଦାରମାନଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରସିଦ୍ଧ ଥିଲେ । ହେଷ୍ଟିଙ୍ଗ୍‌ସ୍‌ଙ୍କ ସମୟରେ ଏମାନଙ୍କ ଉପଦ୍ରବ ଅତ୍ୟନ୍ତ ଅଧିକ ହେବାରୁ ଏମାନଙ୍କୁ ଦମନ କରିବା ସକାଶେ ହେଷ୍ଟିଙ୍ଗ୍‌ସ୍ ବହୁସଂଖ୍ୟକ ସୈନ୍ୟ ପ୍ରେରଣ କରିଥିଲେ । ଯୁଦ୍ଧରେ ଅନେକ ପିଣ୍ଡାରି ନିହତ ହେଲେ । ଅବଶିଷ୍ଟ ଦସ୍ୟୁମାନେ ସ୍ୱବୃତ୍ତି ପରିତ୍ୟାଗ କରି କୃଷି କାର୍ଯ୍ୟରେ ପ୍ରବୃତ୍ତ ହେଲେ । ଅମିର ଖାଁ ଟଙ୍କାର ନବାବୀ ପ୍ରାପ୍ତ ହୋଇ ଦସ୍ୟୁ ବ୍ୟବସାୟ ତ୍ୟାଗ କଲେ । କରିମ ଆତ୍ମସମର୍ପଣ କଲେ ଏବଂ ଚିଟ ପଳାୟନ କରି ବନ ମଧ୍ୟରେ ବ୍ୟାଘ୍ରକର୍ତ୍ତୁକ ନିହତ ହେଲେ-

 

ତୃତୀୟ ବା ଶେଷ ମରହଟ୍ଟା ସମର :– ଯେଉଁ ବର୍ଷ ପିଣ୍ଡାରିମାନଙ୍କର କ୍ଷମତା ଚୂର୍ଣ୍ଣ ହେଲା ସେହି ବର୍ଷ ପେଶିବା ଭୋଁସଲା ଓ ହୋଲକାର ଇଂରେଜମାନଙ୍କ ବିରୁଦ୍ଧେ ଅସ୍ତ୍ରଧାରଣ କଲେ । ପେଶବା ବାଜିରାଓ ବେସିନ ସନ୍ଧିରେ ଅସନ୍ତୁଷ୍ଟ ହୋଇ ସ୍ୱାଧୀନତା ଲାଭ କରିବାକୁ ଚେଷ୍ଟା କରୁଥିଲେ । ଲର୍ଡ଼ ହେଷ୍ଟିଙ୍ଗ୍‌ସ୍ ୧୮୧୭ରେ ଆଉ ଗୋଟିଏ ନୂଆ ସନ୍ଧି କରିବାକୁ ବାଧ୍ୟ କରାଇ ପେଶବାଙ୍କ କ୍ଷମତା ଆହୁରି ହ୍ରାସ କରାଇଲେ । ଏଥିରେ ରାଗାନ୍ୱିତ ହୋଇ ବାଜିରାଓ ଯୁଦ୍ଧଘୋଷଣା କଲେ । ସେ ଇଂରେଜରେସିଡେଣ୍ଟଙ୍କ ଭବନକୁ ଲୁଣ୍ଠନ କଲେ କିନ୍ତୁ ପରାଜିତ ହୋଇ ଆତ୍ମସମର୍ପଣ କଲେ (୧୮୧୮) । ନାଗପୁରର ରାଜା ଅପ୍ପା ସାହେବ ସୀତାବଲଦିରେ ଇଂରେଜମାନଙ୍କୁ ଆକ୍ରମଣ କରି ନିଜେ ପରାସ୍ତ ହୋଇ ପଳାଇଗଲେ । ହୋଲକାରଙ୍କ ସୈନ୍ୟମାନେ ମେହିଦ୍‌ପୁରରେ ସମ୍ପୂର୍ଣ୍ଣରୂପେ ପରାସ୍ତ ହେଲେ (୧୮୧୭) ।

 

ଏହି ରୂପେ ଦୁଇ ମାସ ମଧ୍ୟରେ ମରହଟ୍ଟାମାନଙ୍କର କ୍ଷମତା ବିଲୁପ୍ତ ହେଲା । ଇଂରେଜମାନେ ପେଶବାଙ୍କଠାରୁ ସମସ୍ତ ରାଜ୍ୟ ଛଡ଼ାଇନେଇ ଶିବାଜିବଂଶୀୟ ଜଣେ ରାଜାଙ୍କୁ ଏକ କ୍ଷୁଦ୍ର ପ୍ରଦେଶ ପ୍ରଦାନ କଲେ । ବାଜିରାଓ ଆଠଲକ୍ଷ ଟଙ୍କା ବୃତ୍ତି ନେଇ କାନପୁରର ନିକଟବର୍ତ୍ତୀ ବିଥୁରରେ ବାସ କଲେ । ଇଂରେଜମାନେ ରାଘବାଙ୍କ ଏକ ପୌତ୍ରକୁ ନାଗପୁରର ସିଂହାସନ ଦେଲେ । ହୋଲକାର ପରସ୍ପର ସାହାଯ୍ୟକୃତ ସନ୍ଧିରେ ଆବଦ୍ଧ ହୋଇ, ସୈନ୍ୟବ୍ୟୟନିର୍ବାହ ସକାଶେ ଖାନ୍ଦେଣ ପ୍ରଦେଶକୁ ଇଂରେଜମାନଙ୍କୁ ଅର୍ପଣ କଲେ ।

 

ୱେଲେସ୍‌ଲି ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ ହେଷ୍ଟିଙ୍ଗ୍‌ସ୍ ସେହି କାର୍ଯ୍ୟ ସମାପନ କଲେ ଏବଂ ଇଂରେଜକମ୍ପାନୀ ଭାରତର ସର୍ବେସର୍ବା ହେଲେ । ୧୮୨୩ରେ ହେଷ୍ଟିଙ୍ଗ୍‌ସ୍ ଭାରତ ପରିତ୍ୟାଗ କରିଥିଲେ ।

Image

 

ଲର୍ଡ଼ ଆମହର୍ଷ୍ଟ–ପ୍ରଥମ ବ୍ରହ୍ମସମର

 

ଲର୍ଡ଼ ଆମହର୍ଷ୍ଟ ୧୮୨୩ରେ ଭାରତକୁ ଆସିଥିଲେ ହେଷ୍ଟଙ୍ଗ୍‌ସ୍ ଯିବାଦିନରୁ ଆମହର୍ଷ୍ଟଙ୍କ ଆସିବା ପର୍ଯ୍ୟନ୍ତ ଆଡାମ୍ ସାହେବ ଏକ୍‌ଟିଙ୍ଗ୍ ଗବର୍ଣ୍ଣର ଜେନେରାଲ ହୋଇଥିଲେ ।

 

ପ୍ରଥମ ବ୍ରହ୍ମସମର :– ୧୮ଶ ଶତାବ୍ଦୀର ମଧ୍ୟଭାଗରେ ଆଲମ୍ପୋରା ନାମକ ଏକ ବ୍ୟକ୍ତି ପେଗୁରୁ ଆସି ଆଭା ନଗରରେ ଏକ ରାଜ୍ୟ ସ୍ଥାପନ କରିଥିଲେ । ସେ ସମସ୍ତ ବ୍ରହ୍ମଦେଶ ବଶୀଭୂତ କରି ସ୍ୱାଧୀନରାଜ୍ୟ ଆସାମ ଚାକରଣାନନ୍ତର ଇଂରେଜରାଜ୍ୟରେ ଉପଦ୍ରବ ଆରମ୍ଭ କରିବାକୁ ଲାଗିଲେ । ଇଂରେଜମାନେ ଯେତେ ପ୍ରତିବାଦ କଲେ ସେ ତାହା ଶୁଣିଲେ ନାହିଁ । ଲର୍ଡ଼ ଆମହର୍ଷ୍ଟ ବାଧ୍ୟ ହୋଇ ଯୁଦ୍ଧ ଘୋଷଣା କଲେ । ୧୮୦୪ ରୁ ୧୮୨୬ ପର୍ଯ୍ୟନ୍ତ ଏହି ସମର ଚାଲିଥିଲା । ଅବଶେଷରେ ବ୍ରହ୍ମରାଜ ସନ୍ଧି କଲେ । ଜେନ୍ଦାବୁ ନଗରରେ ଏକ ସନ୍ଧି ହୋଇଥିଲା । ବ୍ରହ୍ମରାଜ ଇଂରେଜମାନଙ୍କୁ ଆସାମ, ଆରାକାନ୍ ଏବଂ ଟେନାସେରିମ୍ ଏବଂ ଯୁଦ୍ଧବ୍ୟୟ ସକାଶେ ଏକକୋଟି ଟଙ୍କା ଦେଇଥିଲେ ।

 

ଭାରତପୁର-ଅଧିକାର–୧୮୨୫ରେ ଭରତପୁର ରାଜାଙ୍କର ମୃତ୍ୟୁ ହେଲା । ତାହାଙ୍କର ଶିଶୁପୁତ୍ରଙ୍କୁ ଇଂରେଜମାନେ ରାଜା ବୋଲି ସ୍ୱୀକାର କଲେ । କିନ୍ତୁ ତାଙ୍କର ଖୁଡ଼ୁତ ପୁଅ ଭାଇ ତାଙ୍କୁ ପଦଚ୍ୟୁତ କରି ନିଜେ ସିଂହାସନ ଅଧିକାର କଲେ । ତେଣୁ ଲର୍ଡ଼ କମ୍ବରମିୟର ୧୮୨୭ରେ ଭରତପୁର ଦୁର୍ଗ ଅବରୋଧ କରି ଅଧିକାର କରି ନେଲେ ଏବଂ ସେହି ଶିଶୁପୁତ୍ରଟିକୁ ସିଂହାସନରେ ବସାଇଲେ । ଭରତପୁରର ଦୁର୍ଗ ଅଜେୟ ବୋଲି ଏଥିପୁର୍ବେ ଲୋକଙ୍କର ଯେଉଁ ଧାରଣା ଥିଲା, ତାହା ଅଧୁନା ଦୂରୀଭୂତ ହେଲା ।

 

ଲର୍ଡ଼ ଆମହର୍ଷ୍ଟ ୧୮୨୮ ଭାରତ ତ୍ୟାଗ କଲେ । ଲର୍ଡ଼ ବେଣ୍ଟିକ୍ ଭାରତକୁ ଆସିବା ପର୍ଯ୍ୟନ୍ତ ବୋଲି ସାହେବ ଏକ୍‌ଟିଙ୍ଗ୍ ଗବର୍ଣ୍ଣରଜେନେରାଲ ହୋଇଥିଲେ ।

Image

 

ଲର୍ଡ ୱିଲିୟମ୍ ବେଣ୍ଟିକ୍–ତାହାଙ୍କର ସଂସ୍କାର–କମ୍ପାନିଙ୍କ ସନନ୍ଦାର

ନବୀକରଣ–ସର୍ ମେଟ୍‌କାଫ୍

 

ଲର୍ଡବିଲିୟମ୍ ବେଣ୍ଟିକ୍ ୧୮୨୮ରେ ଭାରତର ଶାସନଭାର ଗ୍ରହଣ କଲେ । ଏହାଙ୍କ ଅମଳରେ ଯୁଦ୍ଧ ନ ଥିଲା । ପ୍ରଜାମାନଙ୍କର ଶୁଭଲାଗି ନାନାପ୍ରକାର ସଦନୁଷ୍ଠାନ ହୋଇଥିଲା ।

 

କାଚାର, କୁର୍ଗ ଓ ମହୀଶୁର ରାଜ୍ୟ :– ଏହାଙ୍କ ସମୟରେ କେବଳ ଏହି ତିନିଗୋଟି ରାଜ୍ୟ ଇଂରେଜ ରାଜ୍ୟଭୁକ୍ତ ହୋଇଥିଲା । କାଚାର ରାଜ୍ୟର ଲୋକେ ନିଜ ଇଚ୍ଛାରେ ଇଂରେଜ ମାନଙ୍କର ଶାସନାଧୀନରେ ଆସିଥିଲେ (୧୮୭୨) । କୁର୍ଗରାଜା ତାଙ୍କର ପ୍ରଜାମାନଙ୍କ ଉପରେ ଅତ୍ୟନ୍ତ ଅତ୍ୟାଚାର କରିବାରୁ ଲର୍ଡ଼ ବେଣ୍ଟିକ୍‌ କୁର୍ଗକୁ ଇଂରେଜ ରାଜ୍ୟଭୁକ୍ତ କଲେ (୧୮୩୪) । ମହୀଶୁରରାଜ୍ୟ ମଧ୍ୟ ସେହି କାରଣରୁ ଇଂରେଜ ରାଜ୍ୟଭୁକ୍ତ ହୋଇଥିଲା (୧୮୩୨) ।

 

ସତୀଦାହ ପ୍ରଥା-ନିବାରଣ ଓ ଠଗଦମନ :– ଅନେକ କାଳରୁ ସତୀ ଦାହପ୍ରଥା ଭାରତବର୍ଷରେ ପ୍ରଚଳିତ ଥିଲା । ଲର୍ଡ଼ ବେଣ୍ଟିକ୍‌ ଏହି ପ୍ରଥା ରହିତ କରିଥିଲେ (୧୮୨୯) ।

 

ଠଗମାନେ ଭାରତରେ ଅତ୍ୟନ୍ତ ଅତ୍ୟାଚାର କରୁଥିଲେ । ଏମାନେ ଖଣ୍ଡିଏ ରୁମାଲ୍ ଦ୍ୱାରା ଲୋକମାନଙ୍କର ଶ୍ୱାସରୋଧ କରି ସେମାନଙ୍କୁ ମାରିପକାଇ ସେମାନଙ୍କର ସର୍ବସ୍ୱ ନେଇଯାଉଥିଲେ । ସେମାନେ କେତେବେଳେ ଦଳବଦ୍ଧ ହୋଇ, କେତେବେଳେ ଏକାକୀ, କେତେବେଳେ ବଣିକବେଶରେ, କେତେବେଳେ ଅବା ଯାତ୍ରୀ ବେଶରେ ଭ୍ରମଣ କରୁଥିଲେ । ସେମାନେ କାଳୀଙ୍କୁ ଉପାସନା କରୁଥିଲେ । କପ୍ତାନ୍‌ ସ୍ଲିମାନ୍‌ ଅନେକ କଷ୍ଟ ସହ୍ୟ କରି ଏହି ଠଗମାନଙ୍କୁ ନିର୍ମୂଳ କରିଥିଲେ ।

 

କନ୍ଧମାନଙ୍କର ହଳଦି କିଆରିରେ ନରବଳୀ ଦେବାପ୍ରଥା ଏହି ସମୟରେ ନିବାରିତ ହୋଇଥିଲା ।

 

କମ୍ପାନିଙ୍କ ସନନ୍ଦରେ ନବୀକରଣ–୧୮୩୩ରେ କମ୍ପାନିଙ୍କ ସନନ୍ଦର ମିୟାଦ ଶେଷ ହେବାରୁ କମ୍ପାନି ପୁଣି ୨୦ ବର୍ଷ ସକାଶେ ଭାରତବର୍ଷ ଶାସନ କରିବାର ଅନୁମତି ପାଇଥିଲେ । ଏହି ସମୟରେ ସମସ୍ତ ଭାରତ ସକାଶେ ଆଇନ ପ୍ରସ୍ତୁତ କରିବାର କ୍ଷମତା ଗବର୍ଣ୍ଣର ଜେନେରଲ୍‌ଙ୍କୁ ଦିଆହୋଇଥିଲା । ଏହି ସନନ୍ଦରେ କମ୍ପାନୀଙ୍କର ଭାରତବର୍ଷରେ ଏକଚାଟିଆ ବାଣିଜ୍ୟ ରହିତ ହୋଇଥିଲା ।

 

ଶାସନ-ସଂସ୍କାର :– ବେଣ୍ଟିକ୍‌ ଯୁଦ୍ଧ ଓ ଶାସନ ସମ୍ବନ୍ଧୀୟ ବ୍ୟୟର ସଙ୍କୋଚ କରିଥିଲେ । ସେ ଆଇନ ସମୂହର ପରିବର୍ତ୍ତନ ଏବଂ ଉତ୍ତର ପଶ୍ଚିମ ପ୍ରଦେଶରେ ରାଜସ୍ୱ ବନ୍ଦବୋସ୍ତ କରିଥିଲେ-। ସେ ପାର୍ସିଭାଷା ଉଠାଇଦେଇ ଦେଶୀୟ ଭାଷା ବିଚାର ବିଭାଗରେ ପ୍ରଚଳିତ କରାଇଥିଲେ ।

 

ଦେଶୀୟ ଲୋକେ ଉଚ୍ଚ ପଦର ଅଯୋଗ୍ୟ, ଏହି ବିଶ୍ୱାସରେ ସେମାନଙ୍କୁ ଏଥିପୂର୍ବେ ଉଚ୍ଚ କର୍ମ୍ମ ଦିଆଯାଉ ନ ଥିଲା । ବେଣ୍ଟିକ ଡେପୁଟିକଲେକ୍ଟର ଓ ସବ୍‌ଜଜ୍‌ ପଦମାନ ସୃଷ୍ଟି କରି ତହିଁରେ ଦେଶୀୟ ଲୋକଙ୍କୁ ନିଯୁକ୍ତ କଲେ । ଏହାଙ୍କ ସମୟରେ ଇଂରେଜ ଶିକ୍ଷାର ସୁବ୍ୟବସ୍ଥା ହୋଇଥିଲା । ୧୮୩୫ ଅବ୍ଦରେ ପାଶ୍ଚାତ୍ୟ ଧରଣର ଡାକ୍ତରି ଶିକ୍ଷା ଦେବାଲାଗି କଲିକକତାରେ ମେଡ଼ିକାଲ୍‌ କଲେଜ ସ୍ଥାପିତ ହୋଇଥିଲା । ୧୮୩୫ରେ ଲର୍ଡ଼ ବେଣ୍ଟିକ୍‌ ଭାରତ ତ୍ୟାଗ କରିଥିଲେ-

 

ସାର୍‌ ଚାର୍ଲସ ମେଟ୍‌କାଫ୍‍–ଲର୍ଡ଼ ଅକ୍‍ଲଣ୍ଡ ଆସିବା ପର୍ଯ୍ୟନ୍ତ ଏହି ମହାଶୟ ଗବର୍ଣ୍ଣରଜେନେରାଲ ହୋଇଥିଲେ। ଏହାଙ୍କ ସମୟରେ ମୁଦ୍ରାଯନ୍ତ୍ରକୁ ସ୍ୱାଧୀନତା ଦିଆଯାଇଥିଲା, ଅର୍ଥାତ୍‌ ଏ ଦେଶବାସୀମାନେ ନିଜ ମତାମତକୁ ନିର୍ଭୟ ଚିତ୍ତରେ ସମ୍ବାଦପତ୍ରରେ ପ୍ରକାଶ କରିବାର ଅଧିକାର ପାଇଥିଲେ ।

Image

 

ଲର୍ଡ଼ ଅକଲାଣ୍ଡ–ପ୍ରଥମ ଆଫଗାନ ସମର

ଲର୍ଡ଼ ଅକ୍‍ଲାଣ୍ଡ ୧୮୬୩ରେ ଭାରତକୁ ଆସିଥିଲେ

 

ପ୍ରଥମ ଆଫଗାନ ସମର । ଲର୍ଡ଼ମିଣ୍ଟୋ ଆଫଗାନରାଜ ସାହସୁଜାଙ୍କ ସଙ୍ଗେ ସଦ୍‌ଭାବ ସ୍ଥାପନ କରିଥିଲେ । ୧୮୨୬ରେ ଦୋସ୍ତମହମ୍ମଦ ସାହସୁଜାଙ୍କୁ ତଡ଼ିଦେଇ ନିଜେ ଅମୀର ହୋଇଥିଲେ । ସାହସୁଜା ଭାରତକୁ ପଳାଇଆସି ଇଂରେଜମାନଙ୍କର ଆଶ୍ରୟ ନେଇ ଲୁଧିଆନାରେ ବାସ କରୁଥିଲେ । ଅକ୍‌ଲାଣ୍ଡଙ୍କ ସମୟରେ ରୁଷୀୟମାନେ ପ୍ରବଳବେଗରେ ମଧ୍ୟ ଏସିଆକୁ ଅଗ୍ରସର ହେଲେ । କାଳେ ରୁଷୀୟମାନେ ଭାରତ ଆକ୍ରମଣ କରିବେ ଏହି ଭୟରେ ଅକ୍‍ଲାଣ୍ଡ ଦୋସ୍ତମହମ୍ମଦଙ୍କ ସଙ୍ଗେ ସଦ୍‌ଭାବ ରଖିବା ଲାଗି କାବୁଲକୁ ଦୂତ ପଠାଇଲେ । ଏହି ସମୟରେ ରୁଷୀୟ ଦୂତ କାବୁଲ୍‌ରେ ବାସ କରୁଥିଲେ । ଦୋସ୍ତମହମ୍ମଦ ଇଂରେଜ ଦୂତଙ୍କୁ କହିଲେ ଯେ, ପେଶବାର ପ୍ରାପ୍ତ ହେଲେ ଇଂରେଜମାନଙ୍କ ପ୍ରସ୍ତାବରେ ସମ୍ମତ ହୋଇ ପାରିବେ । ମାତ୍ର ପେଶବାର ରଣଜିତ୍‌ ସିଂହଙ୍କର ଅଧିକାରରେ ଥିବାରୁ ଅକଲାଣ୍ଡ ଏଥିରେ ସମ୍ମତ ହେଲେ ନାହିଁ । ଇଂରେଜ ଦୂତ ଅକୃତକାର୍ଯ୍ୟ ହୋଇ ଫେରିଆସିବାରୁ ଅକ୍‌ଲାଣ୍ଡ ସାହସୁଜାଙ୍କୁ କାବୁଲ ସିଂହାସନରେ ବସାଇବାକୁ ସଂକଳ୍ପ କଲେ । ଯୁଦ୍ଧଘୋଷଣା ହେଲା (୧୯୩୮) । ଦୋସ୍ତମହମ୍ମଦ ପରାଜିତ ହୋଇ କଲିକତାରେ ବନ୍ଦିଭାବରେ ବାସ କଲେ । ସାହସୁଜା ଆଫଗାନ ସିଂହାସନ ଆରୋହଣ କଲେ । ଏକଦଳ ଇଂରେଜ ସୈନ୍ୟ ଶାନ୍ତି ସ୍ଥାପନ କରିବା ଲାଗି କାବୁଲ୍‌ରେ ରହିଲେ ।

 

ଆଫଗାନବାସୀମାନେ ଏଥିରେ ଅସନ୍ତୁଷ୍ଟ ହୋଇ ୧୮୪୧ରେ ବିଦ୍ରୋହୀ ହେଲେ । ସେମାନେ କାବୁଲରେ ଇଂରେଜ ପ୍ରତିନିଧିଙ୍କୁ ହତ୍ୟା କଲେ । ଦୋସ୍ତମହମ୍ମଦଙ୍କ ପୁତ୍ର ଆକବର ଖାଁ ବିଦ୍ରୋହୀମାନଙ୍କର ନେତା ହେଲେ । ଇଂରେଜ ସେନାପତି ଅକବର୍‌ ଖାଁଙ୍କ ସଙ୍ଗେ ସନ୍ଧି ସ୍ଥାପନ କରି ଭାରତକୁ ଫେରିଆସିଲେ । ମାତ୍ର ଖାଇବାର ପଥରେ ୪ ସହସ୍ର ସୈନ୍ୟ ଏବଂ ୧୨ ସହସ୍ର ଅନ୍ୟାନ୍ୟ ଲୋକ କେହି ଶୀତରେ ବା କେହି ଆଫଗାନମାନଙ୍କ ଅସ୍ତ୍ର ଦ୍ୱାରା ନିହତ ହୋଇଥିଲେ । କେବଳ ଡାକ୍ତର ବ୍ରାଇଡ଼ନ୍‌ ଭାରତବର୍ଷରେ ଏହି ଦାରୁଣ ସମ୍ବାଦ ଦେବାଲାଗି ଜେଲାଲବାଦରେ ପହଞ୍ଚିଥିଲେ । ତଦନନ୍ତର ଲର୍ଡ଼ ଅକ୍‍ଲଣ୍ଡ ବିଲାତକୁ ଫେରିଯାଇଥିଲେ ।

Image

 

ଲର୍ଡ଼ ଏଲେନ୍‌ବରୋ–ସିନ୍ଧୁସମର

 

ଲର୍ଡ଼ ଏଲେନ୍‌ବରୋ ୧୮୦୨ରେ ଭାରତରେ ଉପସ୍ଥିତ ହୋଇ ଏକଦଳ ସୈନ୍ୟ ଆଫ୍‌ଗାନିସ୍ଥାନକୁ ପଠାଇଲେ । କାବୁଲ ଅଧିକୃତ ହେଲା ଏବଂ ଇଂରେଜବନ୍ଦୀମାନେ ମୁକ୍ତି ଲଭିଲେ-। ତତ୍‌ପରେ ଇଂରେଜସୈନ୍ୟମାନେ ଆଫଗାନିସ୍ଥାନରୁ ଫେରି ଆସିଲେ । ସାହସୁଜା ଇତିପୂର୍ବେ ବିଦ୍ରୋହୀମାନଙ୍କ କର୍ତ୍ତୁକ ନିହତ ହୋଇଥିବାରୁ ଦୋସ୍ତମହମ୍ମଦ ଅମୀର ହେଲେ ।

 

ସିଦ୍ଧ ସମର ।- ସିନ୍ଧୁପ୍ରଦେଶର ଅମୀରମାନେ ଇଂରେଜଙ୍କର ଶତ୍ରୁମାନଙ୍କ ସହିତ ଯୋଗ ଦେଇଥିବା ଦୋଷରୁ ଏଲେନ୍‌ବରୋ ସେମାନଙ୍କ ବିରୁଦ୍ଧେ ଯୁଦ୍ଧଘୋଷଣା କଲେ । ସେମାନେ ୧୮୪୩ରେ ସର୍ ଚାର୍ଲସ୍‍ ନେପିୟରଙ୍କ ଦ୍ୱାରା ମିଅନି ଓ ହାଇଦ୍ରାବାଦରେ ପରାଜିତ ହୋଇଥିଲେ (୧୮୪୩) । ଫଳସ୍ୱରୁପ ସିନ୍ଧୁପ୍ରଦେଶ ବମ୍ବେଇ ପ୍ରେସିଡ଼େନ୍‌ସି ସହିତ ମିଳିତ ହେଲା ।

 

ଗୋୟାଲିୟର ଯୁଦ୍ଧ । ସିଦ୍ଧୟାରାଜ୍ୟରେ ଗୃହବିବାଦ ଲାଗିବାରୁ ଇଂରେଜମାନେ ଏକ ପକ୍ଷ ଅବଲମ୍ବନ କରି ଅନ୍ୟ ପକ୍ଷକୁ ମହାରାଜପୁର ଓ ପୁନିଆରରେ ପରାସ୍ତ କରିଥିଲେ । ଫଳସ୍ୱରୁପ ସିନ୍ଧୟାରାଜ୍ୟ ଇଂରେଜମାନଙ୍କର କରଦ ହେଲା ।

Image

 

୧ମ ଲର୍ଡ଼ ହାର୍ଡ଼ିଞ୍ଜ-ପ୍ରଥମ ଶିଖ ସମର

 

ଲର୍ଡ଼ ହାର୍ଡ଼ିଞ୍ଜ ୧୮୪୪ରେ ଭାରତର ଶାସନଭାର ଗ୍ରହଣ କଲେ । ଏ ଜଣେ ବହୁଦର୍ଶୀ ସୈନିକ ପୁରୁଷ ଥିଲେ । ଫରାସିମାନଙ୍କ ସହ ଯୁଦ୍ଧ କରିବାରେ ଏହାଙ୍କର ଗୋଟିଏ ହାତ କଟି ହୋଇ ଯାଇଥିଲା । ସେହି ହେତୁରୁ ଭାରତବାସୀମାନେ ଏହାକୁ ହାତକଟା ଲାଟ୍‌ କହୁଥିଲେ ।

 

ଶିଖ୍‌ଜାତି–ବାବାନାନକ ଶିଖ ଧର୍ମ୍ମର ସ୍ଥାପୟିତା ଅଟନ୍ତି । ୧୪୬୯ରେ ଲାହୋର ନିକଟବର୍ତ୍ତୀ ନାନାକୁଚା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ଜାତିରେ କ୍ଷତ୍ରିୟ ଥିଲେ । ହିନ୍ଦୁ ଓ ମୁସଲମାନମାନଙ୍କର ଅନେକ ଧର୍ମ୍ମଶାସ୍ତ୍ର ପାଠକରି ଓ ଭାରତବର୍ଷ ଏବଂ ଆରବର ଅନେକ ତୀର୍ଥ ବୁଲି ଅବଶେଷରେ ସେ ଏକ ନୁତନ ଧର୍ମ୍ମପ୍ରଚାର କରିଥିଲେ । ଏହି ଧର୍ମ୍ମକୁ ଶିଖଧର୍ମ୍ମ କହନ୍ତି । ଅନେକ ହିନ୍ଦୁ ଓ ମୁସଲମାନ ଏହି ଧର୍ମଗ୍ରହଣ କରିଥିଲେ । ଶିଖମାନେ ଏକେଶ୍ୱରବାଦୀ ଅଟନ୍ତି ସେମାନେ ଏକ ବୃହତ୍‌ ସମ୍ପ୍ରଦାୟରେ ପରିଣତ ହୋଇଥିଲେ । ଅଉରଙ୍ଗଜେବ ଓ ତାହାଙ୍କ ଉତ୍ତରାଧିକାରୀମାନଙ୍କର ଅତ୍ୟାଚାରରେ ପ୍ରପୀଡ଼ିତ ହୋଇ ଶିଖମାନେ ଧର୍ମ୍ମଶିକ୍ଷା ସଙ୍ଗେ ସଙ୍ଗେ ଅସ୍ତ୍ର ଶିକ୍ଷା ଆରମ୍ଭ କରିଥିଲେ । କ୍ରମେ ସେମାନେ ଅସ୍ତ୍ରବିଦ୍ୟାରେ ଦକ୍ଷ ହୋଇ ଉଠିଥିଲେ ।

 

ରଣଜିତ୍‌ ସିଂହ–ରଣଜିତ୍‌ ସିଂହ ଶିଖମାନଙ୍କୁ ଜାତୀୟ ଜୀବନ ପ୍ରଦାନ କରିଥିଲେ । ଏହାଙ୍କ ପୂର୍ବେ ଶିଖମାନେ ଏକ ଏକ ଜଣ ସର୍ଦ୍ଦାରଙ୍କ ଅଧୀନରେ ଥିଲେ । ୧୭୮୦ରେ ରଣଜିତ୍‌ ସିଂହ ଜନ୍ମ ଗ୍ରହଣ କରିଥିଲେ । ବାଲ୍ୟକାଳରେ ବସନ୍ତରୋଗରେ ତାହାଙ୍କର ବାମ ଚକ୍ଷୁ ନଷ୍ଟ ହୋଇଥିଲା । ରଣଜିତ୍‌ ସିଂହ ବିଦ୍ୟା ଶିକ୍ଷା କରି ନ ଥିଲେ । ୨୦ ବର୍ଷ ବୟସରେ ସେ କାବୁଲପତିଙ୍କ ଦ୍ୱାରା ଲାହୋରର ଶାସନକର୍ତ୍ତା ନିଯୁକ୍ତ ହୋଇଥିଲେ । ତତ୍‌ପରେ ସେ ନିଜ ବାହୁବଳରେ ସୁଲତାନଠାରୁ କାଶ୍ମୀରରେ ଉତ୍ତର ପର୍ଯ୍ୟନ୍ତ ଏବଂ ଶତଦ୍ରୁଠାରୁ ପେଶବାର ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲେ । ଲର୍ଡ଼ମିଣ୍ଟୋ ଏହାଙ୍କୁ ସଙ୍ଗେ ସନ୍ଧି ସ୍ଥାପନ କରିଥିଲେ । ରଣଜିତ୍ ରାଜନୀତି କୁଶଳ, ବୁଦ୍ଧିମାନ୍‍ ଓ ରଣପଣ୍ତିତ ଥିଲେ । ୧୮୩୯ରେ ରଣଜିତ୍ ପ୍ରାଣତ୍ୟାଗ କଲେ ।

 

ପ୍ରଥମ ଶିଖସମର–ରଣଜିତ୍‌ ସିଂହଙ୍କ ମୃତ୍ୟୁ ପରେ ଶିଖ ସୈନ୍ୟମାନେ ଦୁର୍ଦ୍ଦାନ୍ତ ହୋଇ ଉଠିଲେ । ନାବାଳକ ରାଜା ଦୁଲିପସିଂହ ଏମାନଙ୍କୁ ନିଜ ବଣରେ ରଖିପାରି ନ ଥିଲେ । ଶିଖ ସୈନ୍ୟମାନେ ୧୮୪୫ରେ ଶତଲେଜ ନଦୀ ପାରହୋଇ ଇଂରେଜ ରାଜ୍ୟ ଆକ୍ରମଣ କଲେ । ସର୍‌ ହିରଗଫ୍‌ ଇଂରେଜସୈନ୍ୟମାନଙ୍କର ନେତା ହୋଇ ଅଳ୍ପଦିନ ମଧ୍ୟରେ ମୁଦକି, ଫିରୋଜ୍‌ସାହ, ଅଲିବାଲ ଏବଂ ସେବ୍ରାଓରେ ୪ ଗୋଟି ଭିନ୍ନ ଭିନ୍ନ ଯୁଦ୍ଧ କରିଥିଲେ । ପ୍ରତ୍ୟେକ ଯୁଦ୍ଧରେ ଉଭୟପକ୍ଷର ଅନେକ ସୈନ୍ୟ ନଷ୍ଟ ହେଉଥିଲେ ସତ୍ୟ, କିନ୍ତୁ ଇଂରେଜମାନେ ଜିଣୁଥିଲେ ।

 

ଅବଶେଷରେ ସନ୍ଧି ହେଲା (୧୮୪୬) । ଦୁଲିପସିଂହ ରାଜା ବୋଲି ସ୍ୱୀକୃତ ହେଲେ । ଶିଖସୈନ୍ୟ ସଂଖ୍ୟ କମାଇ ଦିଆଗଲା ଆଉ ବେୟାଜ ଓ ଶତଲେଜର ମଧ୍ୟବର୍ତ୍ତୀ ସ୍ଥାନ କମ୍ପାନୀ ପାଇଲେ । ଇଂରେଜମାନେ ଯୁଦ୍ଧବ୍ୟୟ ସକାଶେ ୧.୫ କୋଟି ଟଙ୍କା ଦାବୀ କରିଥିଲେ । କିନ୍ତୁ ଦୁଲିପସିଂହଙ୍କ ପାଖରେ ଏତେ ଟଙ୍କା ନ ଥିଲା । ସେ ସେଥିଲାଗି କମ୍ପାନୀରୁ କାଶ୍ମୀର ଦେଲେ । ହାର୍ଡ଼ିଞ୍ଜ କାଶ୍ମୀରର ଶାସନକର୍ତ୍ତା ଗୋଲାବସିଂହଙ୍କଠାରୁ ୧ କୋଟି ଟଙ୍କା ନେଇ ଏହି ଦେଶ ତାଙ୍କୁ ବିକ୍ରୟ କରିଦେଇଥିଲେ ସେହି ସମୟଠାରୁ କାଶ୍ମୀର ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ହୋଇ ରହିଅଛି । ଲାହୋରରେ ଏକଦଳ ଇଂରେଜ ସୈନ୍ୟ ରଖାଯାଇଥିଲେ ।

 

ହାର୍ଡ଼ିଞ୍ଜଙ୍କ ଅମଳରେ ଭାରତରେରେଲୱେ ଓ ଟେଲିଗ୍ରାଫ ବସିଥିଲା । ଏବଂ ଇଂରେଜ ଶିକ୍ଷାଦେବାର ପ୍ରସ୍ତାବ ଚାଲିଥିଲା । ଦେଶୀୟ ରାଜାମାନଙ୍କ ରାଜ୍ୟରେ ସତୀଦାହ ପ୍ରଥା ରହିତ କରି ଏବଂ ଦେଶୀୟ ଲୋକମାନଙ୍କୁ ରାଜକାର୍ଯ୍ୟରେ ନିୟୋଗ ପ୍ରଭୃତି ଅନେକ ଲୋକହିତକର କାର୍ଯ୍ୟ କରି ହାର୍ଡ଼ିଞ୍ଜ ଏ ଦେଶରେ ଭକ୍ତିଭାଜନ ହୋଇଥିଲେ ।

Image

 

ଲର୍ଡ଼ ଡେଲହାଉସୀ–ଦ୍ୱିତୀୟ ଶିଖସମର–ଦ୍ୱିତୀୟ ବ୍ରହ୍ମସମର–
ସାମ୍ରାଜ୍ୟଲୁକ୍ତୀକରଣ ନୀତି

 

୧୮୪୮ରେ ହାର୍ଡ଼ିଞ୍ଜ ଭାରତ ପରିତ୍ୟାଗ କରିବାରୁ ଲର୍ଡ଼ ଡେଲହାଉସି ଗବର୍ଣ୍ଣରଜେନେରାଲ ହୋଇ ଆସିଲେ । ସେ ଶାସନଭାର ଗ୍ରହଣ କରିବାର ପ୍ରାୟ ଛ’ମାସ ମଧ୍ୟରେ ଶିଖମାନଙ୍କ ସହ ଯୁଦ୍ଧ ହେଲା ।

 

ଦ୍ୱିତୀୟ ଶିଖସମର । ଶିଖମାନେ ମନେ ମନେ ଇଂରେଜମାନଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ-। ଶିଖ ରାଜମାତା ଇଂରେଜଙ୍କ ବିରୁଦ୍ଧେ ଷଡ଼ଯନ୍ତ୍ର କରୁଥିଲେ । ମୁଲତାନର ମୂଲରାଜ ବିଦ୍ରୋହୀ ହୋଇ ଦୁଇଜଣ ଇଂରେଜ କର୍ମଚାରୀଙ୍କୁ ହତ୍ୟା କରିଥିଲେ । କର୍ମଚ୍ୟୁତ ଶିଖସୈନ୍ୟମାନେ ଏହି ବିଦ୍ରୋହରେ ଯୋଗ ଦେଲେ । ଯେତେବେଳେ ଇଂରେଜସୈନ୍ୟ ମୁଲତାନ ଅବୋରୋଧ କରୁଥିଲେ ସେହି ସମୟରେ ଶିଖ ରାଜମାତା ଶିଖ ସେନାପତି ସେରସିଂହଙ୍କୁ ବିଦ୍ରୋହୀମାନଙ୍କ ସହ ଯୋଗ ଦେବା ପାଇଁ ପଠାଇଲେ । ଚିଲିୟାନଭାଲଠାରେ ଶିଖସୈନ୍ୟ ଓ ଇଂରେଜ ସେନାପତି ଗଫ୍‌ ସାହେବଙ୍କ ମଧ୍ୟରେ ଗୋଟିଏ ଭୟାନକ ଯୁଦ୍ଧ ହୋଇଥିଲା । କେହି ପରାଜିତ ହୋଇ ନ ଥିଲେ । ଏହି ଯୁଦ୍ଧରେ ଇଂରେଜମାନଙ୍କର ବିଶେଷ କ୍ଷତି ହୋଇଥିଲା (୧୮୪୯) ଗୁଜରାଟର ଆଉ ଗୋଟିଏ ଯୁଦ୍ଧ ହେଲା । ଏହି ଯୁଦ୍ଧରେ ଲର୍ଡ଼ ଗଫ୍‌ ଶିଖସୈନ୍ୟମାନଙ୍କୁ ସମ୍ପର୍ଣ୍ଣରୂପେ ପରାସ୍ତ କରି ଧ୍ୱଂସ କଲେ ଫଳସ୍ୱରୁପ ୧୮୪୯ ମାର୍ଚ୍ଚ ୨୯ ତାରିଖରେ ଲର୍ଡ଼ ଡେଲହାଉସି ପଞ୍ଜାବ ପ୍ରଦେଶକୁ ଇଂରେଜ ରାଜ୍ୟଭୁକ୍ତ କଲେ । ମହାରାଜ ଦୁଲିପସିଂହଙ୍କୁ ବାର୍ଷିକ ପାଞ୍ଚଲକ୍ଷ ଟଙ୍କା ପେନସନ୍‌ ଦିଆଯାଇ ବିଲାତକୁ ନିଆଗଲା । ଶିଖ ସୈନ୍ୟମାନଙ୍କଠାରୁ ଅସ୍ତ୍ରସମୂହ କାଢ଼ି ନିଆଗଲା ।

 

ଦ୍ୱିତୀୟ ବ୍ରହ୍ମସମର :–ରେଙ୍ଗୁନରେ ଇଂରେଜ ବଣିକମାନଙ୍କ ଉପରେ ବ୍ରହ୍ମବାସୀମାନେ ଅତ୍ୟାଚାର କରିବାରୁ ଦ୍ୱିତୀୟ ବ୍ରହ୍ମଯୁଦ୍ଧ ହୋଇଥିଲା । ଅଳ୍ପକାଳ ଯୁଦ୍ଧପରେ ଇଂରେଜମାନେ ଜୟୀ ହୋଇ ପେଗୁପ୍ରଦେଶ ପାଇଥିଲେ (୧୮୫୨) ।

 

ଅନ୍ୟାନ୍ୟ ପ୍ରଦେଶାଧିକାର :– ୧୮୪୮ରେ ସେତାରାର ରାଜାଙ୍କ ମୃତ୍ୟୁ ହେଲା । ସେ ଗୋଟିଏ ଦତ୍ତକ ପୁତ୍ର ଗ୍ରହଣ କରିଥିଲେ । ଡେଲ୍‌ହାଉସି ଏହା ଅନୁମୋଦନ ନ କରି ୧୮୪୯ରେ ସେତାରାକୁ ଇଂରେଜ ରାଜ୍ୟଭୁକ୍ତ କଲେ । ଏହି କାରଣରୁ ମଧ୍ୟ ଝାନ୍‌ସି ଓ ନାଗପୁର ରାଜ୍ୟଦ୍ୱୟ ଇଂରେଜ ରାଜ୍ୟଭୁକ୍ତ ହୋଇଥିଲା (୧୮୫୩) । ୧୮୫୫ରେ ଅର୍କଟର ନବାବ ଓ ତାଞ୍ଜରାର ରାଜା ନିଃସନ୍ତାନ ହୋଇ ମୃତ ହେବାରୁ ସେମାନଙ୍କ ରାଜ୍ୟ ଇଂରେଜ ରାଜ୍ୟ ସାମିଲ ହୋଇଥିଲା । ନିଜାମ ନିଜ ରାଜ୍ୟରେ ଇଂରେଜ ସୈନ୍ୟ ରଖି ସେମାନଙ୍କ ବ୍ୟୟ ସକାଶେ କମ୍ପାନୀଙ୍କୁ ବାର୍ଷିକ କେତେକ ଟଙ୍କା ଦେଉଥିଲେ । କିନ୍ତୁ ସେ ନିୟମିତ ରୂପେ ଟଙ୍କା ଦାଖଲ କରି ନ ପାରିବାରୁ ବେରାର ପ୍ରଦେଶ ନିଜାମଠାରୁ ନିଆଯାଇଥିଲା (୧୮୫୩) । ଅଯୋଧ୍ୟାରେ ନବାବ ସ୍ୱରାଜ୍ୟ ଉତ୍ତମ ରୂପେ ଶାସନ କରି ନ ପାରିବାରୁ ଡେଲହାଉସି ଅଯୋଧ୍ୟା ପ୍ରଦେଶ କମ୍ପାନି ରାଜ୍ୟଭୁକ୍ତ କଲେ (୧୮୫୬) । ଅଯୋଧ୍ୟାର ନବାବ ବାର୍ଷିକ ତେରଲକ୍ଷ ଟଙ୍କା ବୃତ୍ତ ଘେନି କଲିକତାରେ ବାସ କଲେ । ୧୮୫୧ରେ ପେନ୍‌ସନ ପ୍ରାପ୍ତ ବାଜିରାଓଙ୍କ ମୃତ୍ୟୁ ହେବାରୁ ଡେଲ୍‌ହାଉସି ତାଙ୍କ ଦତ୍ତକ ପୁତ୍ର ନାନାସାହେବଙ୍କୁ ଆଉ ବୃତ୍ତି ଦେଲେ ନାହିଁ । ଓଡ଼ିଶାର ଅନୁଗୁଳ ଏହାଙ୍କ ଅମଳରେ ଖାସ୍‌ ହୋଇଥିଲା ।

 

କମ୍ପାନିଙ୍କ ସନନ୍ଦର ନବୀକରଣ–୧୮୫୩ରେ କମ୍ପାନିଙ୍କ ସନନ୍ଦର ମିୟାଦ ଶେଷ ହେବାରୁ ପୁନର୍ବାର ନୁଆ ସନନ୍ଦ ଦିଆଯାଇଥିଲା । ଏଥର ପୂର୍ବପରି ନିର୍ଦ୍ଦିଷ୍ଟ ସମୟଲାଗି ସନନ୍ଦ ଦିଆଯାଇ ନ ଥିଲା । ପାର୍ଲିଆମେଣ୍ଟ ଯେତେବେଳେ ଇଚ୍ଛା ସେତେବେଳେ ସନନ୍ଦ ରହିତ କରିପାରିବାର ଅଧିକାର ପାଇଥିଲେ । ଏହି ନୂଆ ବନ୍ଦୋବସ୍ତର ଫଳସ୍ୱରୁପ ବଙ୍ଗଳାରେ ଜଣେ ଲେଫ୍‌ଟେନାଣ୍ଟ ଗବର୍ଣ୍ଣର ନିଯୁକ୍ତ ହୋଇଥିଲେ ।

Image

 

ଲର୍ଡ଼ ଡେଲହାଉସି ୧୮୫୬ରେ ବିଲାତ ଯାତ୍ରା କଲେ

ଲର୍ଡ଼ ଡେଲହାଉସୀଙ୍କ ସମୟରେ ଦେଶର ବୈଷୟିକ
ଉନ୍ନତିରେଲବେ ଏବଂ ତାରଡାକ

 

ଭାରତବର୍ଷକୁ ଯେତେ ଶାସନକର୍ତ୍ତା ଆସିଥିଲେ ସେମାନଙ୍କ ମଧ୍ୟରେ ଡେଲ୍‌ହାଉସି ଜଣେ ପ୍ରଧାନ ଶାସନକର୍ତ୍ତା । ଲର୍ଡ଼ ବେଣ୍ଟିକ୍‍ଙ୍କ ପରି ଏହି ଲାଟ ମଧ୍ୟ ଦେଶର ବୈଷୟିକ ଓ ନୈତିକ ଉନ୍ନତି ବିଷୟରେ ମନୋଯୋଗ ଦେଇଥିଲେ; ଏବଂ କୃତକାର୍ଯ୍ୟ ମଧ୍ୟ ହୋଇଥିଲେ । ସେ ପ୍ରତ୍ୟେକ ବିଭାଗର କିଛି କିଛି ସଂସ୍କାର କରିଥିଲେ । ତାହାଙ୍କ ଉଦ୍ୟମରେ ଏ ଦେଶରେରେଲବେ ବିସ୍ତାରିତ ହୋଇଥିଲା; ଏବଂ ତାରଡାକ ମଧ୍ୟ ବସିଥିଲା । ତାହାଙ୍କ ଅମଳରେ ଦୁଇ ପଇସା ମାସୁଲରେ ଭାରତବର୍ଷର ସବୁ ସ୍ଥାନକୁ ଚିଠି ପଠାଯିବାର ସୁବିଧା କରାଯାଇଥିଲା । ସେ ପୂର୍ତ୍ତବିଭାଗ ସ୍ଥାପନ କରିଥିଲେ; ଏହି ବିଭାଗର କାର୍ଯ୍ୟାବଳୀଦ୍ୱାରା କୃଷି ଓ ବାଣିଜ୍ୟର ଶ୍ରୀବୃଦ୍ଧି ସାଧିତ ହୋଇଥିଲା ଓ ଗମନାଗମନର ବିଶେଷ ସୁବିଧା ହୋଇଥିଲା; ବଡ଼ ବଡ଼ ରାସ୍ତାମାନ ପ୍ରସ୍ତୁତ ହୋଇଥିଲା, ଏବଂ ବଡ଼ ବଡ଼ କେନାଲ ବା ଖାଲମାନ କୃଷିର ଉପକାରାର୍ଥ ଖୋଳା ଯାଇଥିଲା । ଗାଙ୍ଗେୟନାଳ ଏହି ଲାଟଙ୍କର କୀର୍ତ୍ତି ଅଟେ । ଏହି ଲାଟ୍‌ ମହୋଦୟ ଭାରତବାସୀମାନଙ୍କର ମାନସିକ ଓ ନୈତିକ ଉନ୍ନତି ବିଷୟରେ ଯତ୍ନଶୀଳ ଥିଲେ । ଭାରତବାସୀଙ୍କ ମଧ୍ୟରେ ଶିକ୍ଷାର ବିସ୍ତାରଲାଗି ସେ ବିଶେଷ ଚେଷ୍ଟା କରିଥିଲେ । ଏହାଙ୍କ ସଭାର ଆଇନସଚିବ ବେଥୁନସାହେବ ସ୍ତ୍ରୀଶିକ୍ଷାର ଉନ୍ନତି ନିମନ୍ତେ କଲିକତାରେ ଗୋଟିଏ ବାଳିକା ବିଦ୍ୟାଳୟ ସ୍ଥାପନ କରାଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ବିଦ୍ୟାଳୟ ବେଥୁନ କଲେଜ ନାମରେ ପରିଚିତ । ୧୮୫୪ରେ ଏହି ମହାତ୍ମାଙ୍କ ଉଦ୍ୟମରେ କଲିକତା, ମାନ୍ଦ୍ରାଜ ଓ ବମ୍ବେର ପ୍ରେସିଡ଼େନ୍ସିରେ ଏକ ଏକ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା । କଲିକତାର ପ୍ରେସିଡ଼େନ୍ସି କଲେଜ ମଧ୍ୟ ଏହାଙ୍କର କୀର୍ତ୍ତି ଅଟେ । ବେସରକାରୀ ସ୍କୁଲମାନଙ୍କୁ ସାହାଯ୍ୟ ଦେବା ପ୍ରଥା ଏହାଙ୍କ ସମୟରେ ପ୍ରଚଳିତ ହୋଇଥିଲା । ଏହିସବୁ ଦେଶହିତକର କାର୍ଯ୍ୟ କରିଥିବାରୁ ଡେଲ୍‌ହାଉସିଙ୍କ ନାମ ପ୍ରତ୍ୟେକ ଭାରତବାସୀଙ୍କ ହୃଦୟରେ ଆଜି ସୁଦ୍ଧା ଅଙ୍କିତ ହୋଇ ରହିଅଛି ।

Image

 

ଭାରତ ସାମ୍ରାଜ୍ୟ

ଲର୍ଡ଼ କାନିଙ୍ଗ–ସିପାହୀ-ବିଦ୍ରୋହ ଓ ମହାରାଣୀଙ୍କ ଘୋଷଣାପତ୍ର

 

ଲର୍ଡ଼ କାନିଙ୍ଗ୍‍ ୧୮୫୬ରେ ଗବର୍ଣ୍ଣରଜେନେରାଲ ହୋଇ ଭାରତକୁ ଆସିଥିଲେ । କାନିଙ୍ଗ୍‍ କଲିକତାକୁ ଆସିବା ସମୟରେ କହିଥିଲେ ‘‘ମୁଁ ଭାରତବର୍ଷରେ ଶାନ୍ତିର ଆଶା କରେ, ମାତ୍ର ଏହାର ନିର୍ମଳ ଆକାଶରେ ମନୁଷ୍ୟ-ମୁଷ୍ଟି-ପରିମିତ ଖଣ୍ଡିଏ ମେଘ ଉଦିତ ହୋଇଅଛି ଏବଂ ସେହି ମେଘ କ୍ରମେ ବୃଦ୍ଧି ପାଇ ଆମ୍ଭମାନଙ୍କର ସର୍ବନାଶ କରିପାରେ ।’’ ତାହାଙ୍କର ଏହି ଭବିଷ୍ୟତ୍‌ବାଣୀ ସଫଳ ହୋଇଥିଲା । ଏକବର୍ଷ ନ ଯାଉଣୁ ଏପରି ଗୋଟିଏ ଦୁର୍ଘଟନା ଆସି ଉପସ୍ଥିତ ହେଲା ଯେ ତାହା ପ୍ରକୃତରେ ଇଂରେଜ ରାଜ୍ୟକୁ ଟଳମଳ କରିଦେଇଥିଲା ।

 

ସିପାହୀବିଦ୍ରୋହର କାରଣ :– ବୋମ୍ବାଇର ସିପାହୀମାନେ ପୃଥିବୀର ଯେକୌଣସି ସ୍ଥାନକୁ ଯିବାଲାଗି ସ୍ୱୀକୃତ ଥିଲେ ଏବଂ ସେମାନେରେଜିମେଣ୍ଟରେ ଭୃତ୍ୟର କାର୍ଯ୍ୟ କରୁଥିଲେ । ବଙ୍ଗପ୍ରଦେଶର ସିପାହୀମାନେ ଭାରତବର୍ଷର ବାହାରକୁ ଯିବାଲାଗି ଇଚ୍ଛୁକ ନ ଥିଲେ, ଏବଂ ସେମାନେ ନିଜକୁ ଉଚ୍ଚବଂଶଜାତ ବୋଲି ମନେକରି ଭୃତ୍ୟର କାର୍ଯ୍ୟ କରୁ ନଥିଲେ । ଦ୍ୱିତୀୟ ବ୍ରହ୍ମଯୁଦ୍ଧରେ ବଙ୍ଗଦେଶର ଏକଦଳ ସିପାହୀ ବ୍ରହ୍ମଦେଶକୁ ଯିବାଲାଗି ଅସ୍ୱୀକାର କଲେ । ୧୮୫୬ରେ ସରକାର ବାହାଦୂର ଏକ ଆଇନ ଜାରି କଲେ । ତଦନୁସାରେ ଯେଉଁ ଲୋକ ଯେକୌଣସି ସ୍ଥାନକୁ ଯିବା ଲାଗି ଅସ୍ୱୀକାର କରିବ ସେ ସିପାହୀ ହୋଇପାରିବ ନାହିଁ । ଏଥିରେ ଲୋକମାନଙ୍କର ଏହି ଧାରଣା ହେଲା, ଯେ ଇଂରେଜମାନେ ଆଉ ଦେଶୀୟ ଲୋକମାନଙ୍କର ଜାତୀୟ ଗୌରବ ରଖିଦେବେ ନାହିଁ । ଯେତେବେଳେ ଚାରିଆଡ଼େରେଲବେ ଓ ତାରଡାକ ବିସ୍ତୃତ ହେଲା ଏବଂ ଶିକ୍ଷା ବିସ୍ତାରଲାଗି ବିଦ୍ୟାଳୟମାନ ବସିଲା, ସେତେବେଳେ ଲୋକେ ମନେ ଭାବିଲେ, ବୋଧହୁଏ କମ୍ପନ ଭାରତ ବର୍ଷକୁ ବିଲାତ କରି ପକାଇବ । ଲକ୍ଷ ଲକ୍ଷ ଲୋକଙ୍କ ମନରେ ଏହି ଧାରଣା ହେଲା ଯେ ଇଂରେଜମାନେ ଏ ଦେଶୀୟମାନଙ୍କୁ ଖ୍ରୀଷ୍ଟିୟାନ କରିଦେବେ । ରାଜ୍ୟଭ୍ରଷ୍ଟ ଓ ବୃତ୍ତିଚ୍ୟୁତ ରାଜବଂଶୀୟମାନେ ଲୋକମାନଙ୍କ ଉତ୍ତେଜିତ ବୃଦ୍ଧି କରିବାକୁ ଲାଗିଲେ । ସେମାନେ ବହୁଲୋକ ନିଯୁକ୍ତ କରି ଇଂରେଜ ପକ୍ଷୀୟ ସିପାହୀମାନଙ୍କୁ ଇଂରେଜମାନଙ୍କ ବିରୁଦ୍ଧେ ନାନା କଥା ଶୁଣାଇଲେ । ଏଥିରେ ଇଂରେଜଶାସନ ଉପରେ ସିପାହୀମାନଙ୍କର ବିଭାଗ କ୍ରମଶଃ ବୃଦ୍ଧି ପାଇଲା । ୧୮୫୭ / ୫୮ରେ ଯେତେବେଳେ ଜ୍ୟୋତିଷମାନେ ବର୍ଷର ଆରମ୍ଭରେ ନୂଆ ପାଞ୍ଜି ଶୁଣାନ୍ତି ସେତେବେଳେ ବର୍ଷର ଫଳାଫଳ ମଧ୍ୟରେ ଏହା ମଧ୍ୟ କହିବାକୁ ଲାଗିଲେ ଯେ, ପଲାସିଯୁଦ୍ଧ ଉତ୍ତାରୁ ଶଏବର୍ଷ ହେଲାଣି, କମ୍ପାନିର ରାଜ୍ୟ ଆଉ ରହିବ ନାହିଁ । କେତେକ ଲୋକ ଏହା ଶୁଣି ବିଶ୍ୱାସ କଲେ । ୧୮୫୭ରେ ରାଇଫ୍ଲ ନାମକ ଏକପ୍ରକାର ବନ୍ଧୁକ ସିପାହୀମାନଙ୍କର ବ୍ୟବହାର ସକାଶେ ବିଲାତରୁ ଅଣା ହୋଇଥିଲା । ତାହାର ଟୋଟାକୁ ଦାନ୍ତରେ କାଟିବାକୁ ପଡ଼ୁଥିଲା । ଲୋକେ କହିଲେ ଯେ ଟୋଟାରେ ଗୋରୁ ଓ ଘୁଷୁରିର ଚର୍ବି ବୋଳାହୋଇଥାଏ, ଏଣୁ ତାହା ହିନ୍ଦୁ ଓ ମୁସଲମାନମାନଙ୍କର ଅସ୍ପୃଶ୍ୟ । ହିନ୍ଦୁ ଓ ମୁସଲମାନ ଉଭୟଙ୍କର ଜାତି ଓ ଧର୍ମ୍ମନାଶ କରିବାଲାଗି ଟୋଟା ବ୍ୟବହୃତ ହେଉଅଛି । ଏଥିରେ ବିଶ୍ୱାସ କରି ସିପାହୀମାନେ ଅତ୍ୟନ୍ତ ଉତ୍ତେଜିତ ହେଲେ ।

 

ବିଦ୍ରୋହର ବିସ୍ତାର–ପ୍ରଥମେ ବଙ୍ଗଦେଶର ବାରକପୁର ଓ ବରହମପୁର ସିପାହୀମାନେ ଦାନ୍ତରେ ଟୋଟା କାଟିବାକୁ ଅସମ୍ମତ ହୋଇ ବିଦ୍ରୋହର ଚିହ୍ନ ଦେଖାଇଥିଲେ । ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନିଆଯାଇ ଚାକିରିରୁ ବରଖାସ୍ତ କରାଗଲା । ପ୍ରକୃତ ବିଦ୍ରୋହ ପ୍ରଥମେ ମିରଟ ସହରରେ ଆରମ୍ଭ ହୋଇଥିଲା । ୧୮୫୭ ମଇମାସ ୧୦ ତାରିଖରେ ମିରଟର ସିପାହୀମାନେ ବିଦ୍ରୋହୀ ହେଲେ । ଏମାନେ ଘର ପୋଡ଼ିଦେଲେ, ଯେଉଁଠାରେ ଇଂରେଜ ଦେଖିଲେ ସେଠାରେ ତାହାଙ୍କୁ ହତ୍ୟାକଲେ, ଏବଂ କ୍ରମେ ଦିଲ୍ଲୀଆଡ଼କୁ ଅଗ୍ରସର ହେଲେ । ସେମାନେ ଦିଲ୍ଲୀରେ ଉପସ୍ଥିତ ହେଲାକ୍ଷଣି ସେଠାର ସିପାହୀମାନେ ବିଦ୍ରୋହୀ ହେଲେ ଏବଂ ତତ୍‌କାଳୀନ ନାମମାତ୍ର ମୋଗଲସମ୍ରାଟ୍‌ ବାହାଦୁର ସାହଙ୍କୁ ଦିଲ୍ଲୀର ସମ୍ରାଟ ବୋଲି ଘୋଷଣା କଲେ । ତତ୍ପରେ ଉତ୍ତର ଭାରତବର୍ଷର ଯେତେ ସ୍ଥାନରେ ସିପାହୀ ଥିଲେ ସେତେ ସ୍ଥାନରେ ବିଦ୍ରୋହ ଲାଗିଲା । ପ୍ରତ୍ୟେକ ଷ୍ଟେସନରେ ସିପାହୀମାନେ ଇଂରେଜମାନଙ୍କୁ ହତ୍ୟା କରୁଥିଲେ ଓ ଖଜଣାଖାନା ଲୁଟିକରି ନେଇ ସେମାନଙ୍କର କେନ୍ଦ୍ରସ୍ଥଳୀ ଦିଲ୍ଲୀ କିମ୍ବା ଲକ୍ଷ୍ନୌକୁ ଅଗ୍ରସର ହେଉଥିଲେ ।

 

କାନପୁର ବିଦ୍ରୋହ - ଜୁନମାସ ୪ ତାରିଖରେ ଏହିଠାରେ ବିଦ୍ରୋହାରମ୍ଭ ହେଲା । ସିପାହୀମାନେ କେତେକ ଘର ପୋଡ଼ିଦେଇ ଦିଲ୍ଲୀ ଆଡ଼କୁ ଅଗ୍ରସର ହେଲେ । ବାଜିରାଓଙ୍କ ପୋଷ୍ୟପୁତ୍ର ନାନାସାହେବ ସେମାନଙ୍କୁ ଲେଉଟାଇଆଣି ସେମାନଙ୍କର ନେତା ହେଲେ । ବିଦ୍ରୋହୀମାନେ ନଗର ଲୁଣ୍ଠନ କରି ଇଂରେଜ ଦେଖିବାମାତ୍ରେ ହତ୍ୟା କଲେ ଏବଂ ତତ୍‌ପରେ କାନପୁରସ୍ଥ ଇଂରେଜ ଶିବିର ଅବରୋଧ କଲେ । ଶିବିରସ୍ଥ ଇଂରେଜମାନଙ୍କର ଅନ୍ନଜଳର ଅଭାବ ହେଲା । ଜୁନ୍‌ମାସ ୨୩ ତାରିଖରେ ନାନାସାହେବ ସେମାନଙ୍କୁ କହିପଠାଇଲେ ଅସ୍ତ୍ର ତ୍ୟାଗ କଲେ ତୁମ୍ଭମାନଙ୍କୁ ଏଲାହାବାଦ ଯିବାକୁ ଦିଆଯିବ । ଏଥିରେ ବିଶ୍ୱାସ କରି ଜୁନମାସ ତା ୨୭ ତାରିଖରେ ପ୍ରାୟ ୪୫୦ ଜଣ ଇଂରେଜ ଶିବିର ତ୍ୟାଗକରି ନୌକା ଆରୋହଣ କରିବା ମାତ୍ରେ, ସିପାହୀମାନେ ଗଙ୍ଗାର ଉଭୟ କୂଳରୁ ସେମାନଙ୍କ ଉପରେ ଗୁଳିବୃଷ୍ଟି କଲେ । ଅନେକ ଇଂରେଜ ହତ ହେଲେ । ନାନାସାହେବ ଅବଶିଷ୍ଟ ସ୍ତ୍ରୀ ଓ ବାଳକମାନଙ୍କୁ ବନ୍ଦୀ କରି ରଖିଲେ । ସେନାପତି ହାବେଲ୍‌କ୍‌ କାନପୁର ଆଡ଼କୁ ଆସୁଥିବାର ଶୁଣି ସେ ସେହି ସ୍ତ୍ରୀ, ବାଳକ ଓ ବାଳିକାମାନଙ୍କୁ ଅତି ନିଷ୍ଠୁର ଭାବରେ ହତ୍ୟାକରି ମୃତଦେହମାନ ଏକ କୂପମଧ୍ୟରେ ପକାଇଦେଇ ପଳାଇଲେ ।

 

ଅଯୋଧ୍ୟା, ରୋହିଲାଖଣ୍ଡ ଓ ମଧ୍ୟଭାରତରେ ବିଦ୍ରୋହ । ଲକ୍ଷ୍ମୌ-ନଗରର ସିପାହୀମାନେ ମେ ମାସ ୩ ତାରିଖରେ ବିଦ୍ରୋହୀ ହେଲେ । ବିଦ୍ରୋହ ଅତି ଶୀଘ୍ର ସମସ୍ତ ଅଯୋଧ୍ୟା ଓ ରୋହିଲାଖଣ୍ଡରେ ବ୍ୟାପିଗଲା । ବେଗମ୍‌ ଓ ଅନେକ ତାଲୁକ-ଦାର ଏହି ବିଦ୍ରୋହରେ ଯୋଗ ଦେଇଥିଲେ । ବିଦ୍ରୋହୀମାନେ ଲକ୍ଷ୍ମୌ ଅବରୋଧ କଲେ । ଜୁଲାଇମାସରେ ଅଯୋଧ୍ୟାର ଚୀଫ୍‌ କମିଶନର ସର୍‌ ହେନେରି ଲରେନ୍ସ୍‌ ବିଦ୍ରୋହୀମାନଙ୍କ ଦ୍ୱାରା ହତ ହୋଇଥିଲେ । ମଧ୍ୟଭାରତର ଝାନ୍‌ସିରେ ସିପାହୀମାନେ ବିଦ୍ରୋହୀ ହେବାରୁ ଝାନ୍‌ସିର ରାଣୀ ସେମାନଙ୍କର ନେତ୍ରୀ ହେଲେ ଏବଂ ଆପଣାର ରାଜ୍ୟ ସ୍ୱାଧୀନ ବୋଲି ଘୋଷଣା କଲେ ।

 

ବିଦ୍ରୋହ-ଦମନ–୧୮୫୭ ଜୁଲାଇ ମାସ ତା ୧୫ ତାରିଖରେ ନାନାସାହେବଙ୍କ ସୈନ୍ୟମାନେ ହାବେଲକଙ୍କ ଦ୍ୱାରା ସମ୍ପୂର୍ଣ୍ଣରୂପେ ପରାଜିତ ହେଲେ । ହାବେଲକ୍‌ କାନପୁରରେ ପହଞ୍ଚି ଦେଖିଲେ ଯେ ଦୁଇଦିନ ପୂର୍ବରୁ ନାନାସାହେବ ବନ୍ଦୀକୃତ ସ୍ତ୍ରୀ ଓ ବାଳକମାନଙ୍କୁ ହତ୍ୟାକରି ମୃତ ଦେହମାନ କୂପରେ ପକାଇଦେଇ ପଳାଇ ଯାଇଅଛନ୍ତି । ତିନିମାସ ଅବରୋଧ ପରେ ଦିଲ୍ଲୀନଗର ସେପ୍ଟେମ୍ବର ମାସରେ ପୁନରଧିକୃତ ହୋଇଥିଲା, କିନ୍ତୁ ଇଂରେଜ ସେନାପତି ନିକୋଲସନ୍‌ ନିହତ ହେଇଥିଲେ । ବୃଦ୍ଧ ମୋଗଲ ସମ୍ରାଟ ବନ୍ଦୀ ହେଲେ ଏବଂରେଙ୍ଗୁନକୁ ପଠା ଯାଇଥିଲେ । ତାଙ୍କର ଦୁଇ ପୁତ୍ର ଓ ଏକ ପୌତ୍ରଙ୍କୁ ଗୁଳିଦ୍ୱାରା ହତ୍ୟା କରାଯାଇଥିଲା । କିଛିଦିନ ପରେ ଜେନେରାଲ ହାବେଲକ୍‌ ଓ ବେଟ୍ରାସ ଲକ୍ଷ୍ନୌ ଆଡ଼କୁ ଅଗ୍ରସର ହେଲେ, କିନ୍ତୁ ଏମାନଙ୍କର ସୈନ୍ୟ ଅଳ୍ପ ଥିବାରୁ ଏମାନେ ନିଜେ ଅବରୁଦ୍ଧ ହେଲେ । ପରେ ସର୍ କଲିନ୍‌ କାମ୍ପବେଲ ଆସି ଏମାନଙ୍କୁ ଉଦ୍ଧାର କରିଥିଲେ (ନଭେମ୍ବର ୧୮୫୭) ।

 

୧୮୫୮ ମସିହାର ମଇମାସରେ କଲିନ୍‌ ବରେଲିନଗର ପୁନରଧିକାର କଲେ । ଅଯୋଧ୍ୟା ଓ ରୋହିଲାଖଣ୍ଡରେ ଶାନ୍ତି ସ୍ଥାପିତ ହେଲା । ଇତିମଧ୍ୟରେ ସର ହିଉ ରୋଜ୍‌ ମଧ୍ୟଭାରତରେ ଶାନ୍ତିସ୍ଥାପନ କରିଥିଲେ । ଝାନ୍‌ସିର ରାଣୀ ଓ ତାନ୍ତିଆଟୋପି ନାମକ ଜଣେ ମରହଟ୍ଟା ବ୍ରାହ୍ମଣ ଏହାଙ୍କ ସଙ୍ଗେ ଘୋର ଯୁଦ୍ଧ କରିଥିଲେ । ଝାନ୍‌ସିର ରାଣୀ ଯୁଦ୍ଧ କରୁ କରୁ ହତ ହୋଇଥିଲେ । (୧୮୫୮ ଜୁନ ତା୨ ରିଖ) ତାନ୍ତିଆ ପୁନଃ ପୁନଃ ପରାଜିତ ହୋଇ ପଳାଇଯାଇଥିଲେ । ୧୮୫୯ରେ ସେ ଧୃତ ହେବାରୁ ତାଙ୍କୁ ଫାସି ଦିଆଯାଇଥିଲା ।

Image

 

ଇଂରେଜରାଜ କର୍ତ୍ତୃକ ପ୍ରତ୍ୟକ୍ଷ ଭାବରେ ଭାରତଶାସନ ଏବଂ
ମହାରାଣୀଙ୍କ ଘୋଷଣାପତ୍ର

 

ଭାରତବର୍ଷର ଶାସନକାର୍ଯ୍ୟ ଉତ୍ତମ ରୂପେ ପରିଚାଳିତ ହେବା ଉଦ୍ଦେଶ୍ୟରେ ୧୮୫୮ ମସିହାରେ ପାର୍ଲିଆମେଣ୍ଟ ମହାସଭାରେ ଏକ ଆଇନ ପ୍ରଣୀତ ହେଲା । ଏହି ଆଇନ ଅନୁସାରେ ଇଂଲଣ୍ଡଶ୍ୱରୀ ମହାରାଣୀ ଭିକ୍ଟୋରିଆ କମ୍ପାନିଙ୍କ ହସ୍ତରୁ ଭାରତଶାସନର ଭାର ସ୍ୱୟଂ ଗ୍ରହଣ କରିଥିଲେ । ସେହିଦିନଠାରୁ ଭାରତବର୍ଷ ଇଂଲଣ୍ଡ ରାଜକର୍ତ୍ତାଙ୍କର ଏକ ପ୍ରଧାନ ମନ୍ତ୍ରୀଙ୍କ ସାହାଯ୍ୟରେ ଶାସିତ ହେଉଅଛି । ଏହି ମନ୍ତ୍ରୀଙ୍କୁ ଭାରତର ‘‘ସେକ୍ରେଟରୀ ଅବ୍‌ଷ୍ଟେଟ୍‌’’ ବୋଲାଯାଏ ଏହାଙ୍କ ସଭାକୁ ‘ଇଣ୍ଡିଆ କୌନସିଲ’ ବା ଭାରତସଭା କହନ୍ତି । ଏହି ଦିନଠାରୁ ଭାରତର ଗବର୍ଣ୍ଣରଜେନେରାଲ ‘‘ଭାଇସ୍‌ରୟ’’ ଅର୍ଥାତ୍‌ ରାଜପ୍ରତିନିଧି ଉପାଧି ପାଇଅଛନ୍ତି ।

 

ମହାରାଣୀଙ୍କ ଘୋଷଣାପତ୍ର–୧୮୫୮ ମସିହା ନଭେମ୍ୱର ମାସ ୧ ତାରିଖରେ ଏଲାହାବାଦ ନଗରରେ ଏକ ବୃହତ୍‌ ଦରବାର ହୋଇଥିଲା । ଲର୍ଡ଼ କାନିଙ୍ଗ ଏହି ଦରବାରରେ ମହାରାଣୀ ଭିକ୍ଟୋରିଆଙ୍କର ଭାରତବାସୀମାନଙ୍କ ନିକଟକୁ ପ୍ରେରିତ ଏକ ଘୋଷଣାପତ୍ର ପାଠ କରିଥିଲେ । ସେହି ଘୋଷଣାପତ୍ର ଭାରତବାସୀମାନଙ୍କର ପ୍ରଧାନ ସନନ୍ଦ । ତାହାର ସାରମର୍ମ୍ମ ନିମ୍ନରେ ଦିଆଗଲା :–

 

‘‘ମହାରାଣୀ ଭିକ୍ଟୋରିଆ ଆଜିଠାରୁ ଭାରତର ଶାସନଭାର ନିଜ ହାତରେ ଗ୍ରହଣ କଲେ-। ଆଜିଠାରୁ ଭାରତର ଲୋକେ ଗୁଣବାନ୍‌ ହେଲେ, ଜାତି ଧର୍ମ୍ମ ଓ ବର୍ଣ୍ଣ ନିର୍ବିଶେଷରେ ସରକାରୀ କାର୍ଯ୍ୟରେ ନିଯୁକ୍ତ ହୋଇପାରିବେ । କମ୍ପାନିଙ୍କ ଶାସନକାଳରେ ଯାହାଙ୍କ ସଙ୍ଗରେ ଯେପରି ସନ୍ଧି କିମ୍ବା ବନ୍ଦୋବସ୍ତ ହୋଇଅଛି ତାହା ସେହିପରି ରହିବ । ସରକାର ବାହାଦୁର ପ୍ରଜାଙ୍କ ଧର୍ମ୍ମରେ ହସ୍ତକ୍ଷେପ କରିବେ ନାହିଁ । ଭାରତର ପୁରାତନ ରୀତି, ନୀତି, ଆଚାର, ବ୍ୟବହାର ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବ । ନ୍ୟାୟ ବ୍ରିଟିଶ୍‌ଶାସନର ମୂଳମନ୍ତ୍ର ହେବ । ଦେଶୀୟ ରାଜାମାନେ ଅପତ୍ୟହୀନ ହେଲେ ପୋଷ୍ୟପୁତ୍ର ଗ୍ରହଣ କରିପାରିବେ ।’’

Image

 

ରାଜପ୍ରତିନିଧିମାନଙ୍କ ଅଧୀନରେ ଭାରତବର୍ଷ

 

ଲର୍ଡ଼ କାନିଙ୍ଗ୍‌–ପାର୍ଲିଆମେଣ୍ଟ ମହାସଭାର ଆଇନ ଅନୁସାରେ ‘‘ଲର୍ଡ଼ କାନିଙ୍ଗ ଭାରତର ପ୍ରଥମ ଭାଇସ୍‍ରୟ ହେଲେ (୧୮୫୮) । ସିପାହୀ ବିଦ୍ରୋହ ପରେ ଶାନ୍ତିସ୍ଥାପନ କରିବାଲାଗି ସେ ଦୋଷିମାନଙ୍କ ଉପରେ ଏତେ ଦୟା ପ୍ରକାଶ କରିଥିଲେ ଯେ, ତାହାଙ୍କୁ ଲୋକେ ‘‘ଦୟାଳୁ କାନିଙ୍ଗ୍‌’’ ଆଖ୍ୟା ଦେଇଥିଲେ । ବିଦ୍ରୋହ ଦମନ କରିବାରେ ସରକାରଙ୍କର ୪ କୋଟି ଟଙ୍କା ଋଣ ହୋଇପଡ଼ିଥିଲା । ଆଉ ସାମରିକ ବିଭାଗରେ ଏକ କୋଟି ଟଙ୍କା ଖରଚ ବଢ଼ିଥିଲା । ଏ ସମସ୍ତ ପୂରଣ କରିବା ସକାଶେ ବିଲାତରୁ ଜେମସ୍‌ ଉଇଲସନ୍‌ ନାମକ ରାଜସ୍ୱ ସଚିବ ଭାରତକୁ ଆସିଥିଲେ । ସେ ଲୋକଙ୍କର ଆୟ ଉପରେ କର ବସାଇଥିଲେ, ଆଉ କାଗଜର ନୋଟ ଚଳାଇଥିଲେ । ୧୮୬୦ରେ ଲର୍ଡ଼ ମେକଲେଙ୍କ ଦ୍ୱାରା ସଙ୍କଳିତ ଦଣ୍ଡବିଧି ଆଇନ ଜାରି ହୋଇଥିଲା । ୧୮୬୨ରେ ପ୍ରତ୍ୟେକ ପ୍ରେସିଡ଼େନ୍‌ସିରେ ସଦର ଅଦାଲତ ପରିବର୍ତ୍ତେ ହାଇକୋର୍ଟ ସ୍ଥାପିତ ହୋଇଥିଲା ।

 

ଲର୍ଡ଼ ଏଲଗିନ୍‌–୧୮୬୨ରେ ଲର୍ଡ଼ ଏଲ୍‌ଚିନ୍‌ ଭାରତକୁ ଭାଇସରୟ ହୋଇ ଆସିଥିଲେ-। କିନ୍ତୁ ଅଳ୍ପଦିନପରେ ସେ ଏଠାରେ ପ୍ରାଣତ୍ୟାଗ କଲେ (୧୮୬୩) । ନୂତନ ଭାଇସରୟ ଆସିବା ପର୍ଯ୍ୟନ୍ତ ସର୍‌ ବିଲିୟମ୍‌ ଡେନିସନ ଏକ୍‌ଟିଙ୍ଗ ଭାଇସ୍‌ରୟ ହୋଇଥିଲେ ।

 

ସର୍‌ ଜନ୍‌ ଲରେନ୍ସ–ଲରେନ୍ସ ୧୮୬୪ରେ ଭାରତକୁ ଆସିଥିଲେ । ସିପାହୀ ବିଦ୍ରୋହ ସମୟରେ ସେ ପଞ୍ଜାବର ଶାସନକର୍ତ୍ତା ଥିଲେ । ଏହାଙ୍କ ଶାସନଗୁଣରେ ଶିଖମାନେ ବିଦ୍ରୋହୀ ହୋଇ ନ ଥିଲେ । ଏହାଙ୍କ ସମୟରେ ଭୁଟାନ ଯୁଦ୍ଧ ହୋଇଥିଲା । ଇଂରେଜମାନେ ଦୋଆର ପ୍ରଦେଶକୁ ନିଜାରାଜ୍ୟରେ ଭୁକ୍ତ କରିଥିବାରୁ ଆଜି ପର୍ଯ୍ୟନ୍ତ ଭୁଟାନରାଜାଙ୍କୁ ବାର୍ଷିକ କର ଦେଉଥିଲେ । ଏପରି ବନ୍ଦୋବସ୍ତ ହେଲେ ସୁଦ୍ଧା ଭୁଟାନିମାନେ ଅନେକ ସମୟରେ ଏ ଦେଶକୁ ଆସି ଲୁଟି କରୁଥିଲେ । ଲରେନ୍ସ ସେମାନଙ୍କୁ ବାରଣ କରି ଅକୃତକାର୍ଯ୍ୟ ହେଲେ । ଏଣୁ ଯୁଦ୍ଧଘୋଷଣା ହେଲା । ଫଳସ୍ୱରୁପ ଦୋଆର ଇଂରେଜଦଖଲକୁ ଆସିଲା, ଇଂରେଜମାନଙ୍କର କର ଦେବା ବନ୍ଦ ହେଲା ।

 

୧୮୬୬ରେ ଓଡ଼ିଶାରେ ଗୋଟିଏ ଭୟାନକ ଦୁର୍ଭିକ୍ଷ ହୋଇଥିଲା । ଏହାକୁ ‘‘ନଅଙ୍କ’’ ଦୁର୍ଭିକ୍ଷ କହନ୍ତି । ଏଥିରେ ପ୍ରାୟ ୨୦ ଲକ୍ଷ ଲୋକ ମରିଥିଲେ ।

 

୧୮୬୩ରେ ଆଫଗାନ ଅମୀର ଦୋସ୍ତମହମ୍ମଦଙ୍କର ମୃତ୍ୟୁ ହେଲା । ଅମୀର ପଦ ଲାଗି ତାଙ୍କ ପୁତ୍ରମାନଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଅବଶେଷରେ ଶେରଆଲି ନାମକ ଦୋସ୍ତମହମ୍ମଦଙ୍କର ଏକ ପୁତ୍ର ଅମୀର ହେବାରୁ ଲରେନ୍ସ ତାହା ସ୍ୱୀକାର କଲେ । ୧୮୬୯ରେ ଲରେନ୍ସ ଭାରତ ତ୍ୟାଗ କଲେ ।

 

ଲର୍ଡ଼ ମେୟୋ–୧୮୬୯ରେ ସେ ଭାରତର ଭାଇସ୍‌ରୟ ହୋଇଥିଲେ । ଅମ୍ବାଲାରେ ଏକ ଦରବାର କରି ସେ ଅମୀର ଶେରଆଲିଙ୍କୁ ଅଭ୍ୟର୍ଥନାପୂର୍ବକ ତାହାଙ୍କୁ ଆଫଗାନିସ୍ଥାନର ଅମୀର ବୋଲି ସ୍ୱୀକାର କରିଥିଲେ ।

 

ଏହାଙ୍କ ସମୟରେ ମହାରାଣୀ ଭିକ୍ଟୋରିଆଙ୍କ ଦ୍ୱିତୀୟ ପୁତ୍ର ଡିଉକ ଅବ ଏଡ଼ିନବରା ଭାରତ ଦର୍ଶନ କରିବାକୁ ଆସିଥିଲେ (୧୮୬୯) । ୧୮୭୨ରେ ଲର୍ଡ଼ ମେୟୋରେଙ୍ଗୁନ ପରିଦର୍ଶନ କରିବାକୁ ଗଲେ । ଫେରିଆସିବା ସମୟରେ ଆଣ୍ଡାମାନ ଦ୍ୱୀପରେ ଏକ ମୁସଲମାନ ତାହାଙ୍କୁ ହତ୍ୟା କରିଥିଲା ।

 

ସେ କୃଷିବିଭାଗ ନାମରେ ଏକ ସରାକାରୀ ବିଭାଗ ସ୍ଥାପନ କରିଥିଲେ । ସଡ଼କ, କେନାଲ ଏବଂରେଲବେ ନିର୍ମାଣ କରି ପ୍ରଜାମାନଙ୍କର ଅନେକ ହିତକର କାର୍ଯ୍ୟ କରିଥିଲେ ।

 

ଲର୍ଡ଼ ନର୍ଥବ୍ରୁକ୍‌–ସେ ୧୮୭୨ରେ ଭାଇସରୟ ହୋଇଥିଲେ । ଏହାଙ୍କ ସମୟରେ ବଙ୍ଗଦେଶରେ ଏକ ଦୁର୍ଭିକ୍ଷ ହୋଇଥିଲା, କିନ୍ତୁ ରାଜକର୍ମ୍ମଚାରୀମାନଙ୍କ ଯତ୍ନରେ ଅଧିକ ଲୋକଙ୍କର ପ୍ରାଣ ବିନଷ୍ଟ ହୋଇ ନ ଥିଲା ।

 

୧୮୫୭ରେ ବରୋଦାର ଗାଇକୋବାଡ଼ ଇଂରେଜରେସିଡ଼େଣ୍ଟଙ୍କୁ ବିଷ ପ୍ରୟୋଗ କରିଥିବା ଅଭିଯୋଗରେ ଅଭିଯୁକ୍ତ ହୋଇ ସିଂହାସନଚ୍ୟୁତ ହୋଇଥିଲେ । ଇଂରେଜମାନେ ସେହି ବଂଶର ଆଉ ଏକ ଜଣଙ୍କୁ ସିଂହାସନ ପ୍ରଦାନ କଲେ ।

 

୧୮୭୫ ଖ୍ରୀଷ୍ଟାବ୍ଦରେ ଆମ୍ଭମାନଙ୍କର ସ୍ୱର୍ଗୀୟ ସମ୍ରାଟ ୭ମ ଏଡ଼ବାର୍ଡ଼ ତତ୍‌କାଳୀନ ପ୍ରିନ୍ସ ଅବ୍‌ବେଲସ୍‌, ଭାରତକୁ ଭ୍ରମଣ କରିବା ନିମନ୍ତେ ଆସିଥିଲେ ।

 

ଏହାଙ୍କ ସମୟରେ ଆସାମ ପ୍ରଦେଶ ବଙ୍ଗଦେଶରୁ ବିଚ୍ଛିନ୍ନ ହୋଇ ଏକ ଚିଫ୍‍କମିଶନରଙ୍କ ଅଧୀନରେ ରହିଥିଲା ।

 

ଲର୍ଡ଼ ଲିଟନ–ଲର୍ଡ଼ ଲିଟନ ୧୮୭୬ରେ ଭାରତର ଶାସନଭାର ଗ୍ରହଣ କଲେ । ୧୮୭୭ ଜାନୁଆରି ୧ ତାରିଖରେ ଲିଟନ୍‌ ଦିଲ୍ଲୀରେ ଏକ ବୃହତ୍‌ ଦରବାର କରିଥିଲେ । ଏହି ଦରବାରରେ ମହାରାଣୀ ଭିକ୍ଟୋରିଆ ଭାରତସାମ୍ରାଜ୍ୟର ସମ୍ରାଜୀ ଉପାଧି ଗ୍ରହଣ କରିଥିବାର ଘୋଷଣା କରାଯାଇଥିଲା ।

 

ଏହି ଦରବାର ସମୟରେ ଦାକ୍ଷିଣାତ୍ୟରେ ଭୟାନକ ଦୁର୍ଭିକ୍ଷ ଉପସ୍ଥିତ ହୋଇଥିଲା । ସରକାର ବାହାଦୂର ଦୁର୍ଭିକ୍ଷ ନିବାରଣ ପାଇଁ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟ କଲେ ସୁଦ୍ଧା ପ୍ରାୟ ୫୦ ଲକ୍ଷ ଲୋକ ନଷ୍ଟ ହୋଇଥିଲେ ।

 

ଦ୍ୱିତୀୟ ଆଫଗାନ୍‌ ସମର–ଅମୀର ଶେରଆଲି ରୁଷୀୟମାନଙ୍କ ସହ ଷଡ଼ଯନ୍ତ୍ର କରି ରୁଷୀୟ ଦୂତଙ୍କୁ ସମାଜରେ ଗ୍ରହଣ କରିଥିଲେ ଏବଂ ଇଂରେଜ ଦୂତଙ୍କୁ ଦେଶ ମଧ୍ୟରେ ପ୍ରବେଶ କରିବାକୁ ଦେଇ ନ ଥିଲେ । ତହୁଁ ଲିଟନ୍ ଶେରଆଲିଙ୍କ ବିରୁଦ୍ଧେ ଯୁଦ୍ଧ ଘୋଷଣା କଲେ । ୧୮୭୮ରେ ଶେରଆଲି ତୁର୍କିସ୍ଥାନକୁ ପଳାୟନ କଲେ ଏବଂ ଅଳ୍ପଦିନ ପରେ ସେଠାରେ ପ୍ରାଣତ୍ୟାଗ କଲେ । ଶେରଅଲିଙ୍କ ପୁତ୍ର ୟାକୁବ୍‌ ଖାଁ ଅମୀର ହୋଇ ଇଂରେଜମାନଙ୍କ ସାଙ୍ଗରେ ସନ୍ଧି କଲେ । ୟାକୁବ୍‌ ଖାଁ କାବୁଲରେ ଜଣେ ଇଂରେଜରେସିଡେଣ୍ଟ ରଖିବାକୁ ସମ୍ମତ ହେଲେ । କେତେକ ମାସପରେ କାବୁଲବାସୀମାନେ ଉକ୍ତରେସିଡେଣ୍ଟ ଓ ତାହାଙ୍କ କର୍ମ୍ମଚାରୀମାନଙ୍କୁ ହତ୍ୟାକଲେ । ପୁଣି ଯୁଦ୍ଧ ଆରମ୍ଭ ହେଲା । ୟାକୁବ୍‌ ଖାଁଙ୍କୁ ସିଂହାସନଚ୍ୟୁତ କରାଯାଇ ଭାରତକୁ ଅଣାହେଲା । ଇଂରେଜ ସେନାପତି ସର୍ ପ୍ରେଡ଼ରିକ୍‌ ରବର୍ଟସ୍ ଏକଦଳ ସୈନ୍ୟ ନେଇ କାବୁଲରେ ରହିଲେ । ଏହି ସମୟରେ ବିଲାତରେ ମନ୍ତ୍ରିଦଳର ପରିବର୍ତ୍ତନ ହେବାରୁ ଲିଟନ୍ ୧୮୮୦ରେ କାର୍ଯ୍ୟରୁ ଇସ୍ତଫା ଦେଲେ ।

 

ଏହାଙ୍କ ସମୟରେ ମୁଦ୍ରାଯନ୍ତ୍ର ସ୍ୱାଧୀନତା ହରାଇଥିଲା । ଅସ୍ତ୍ର ବ୍ୟବହାର ନିଷେଧ ବିଷୟକ ଆଇନ ପ୍ରଚଳିତ ହୋଇଥିଲା ।

 

ଲର୍ଡ଼ରିପନ୍ । ଲର୍ଡ଼ ରିପନ୍ ୧୮୮୦ରେ ଭାଇସ୍‌ରାୟ ହେଲେ ।

 

ୟାକୁବ୍‌ ଖାଁଙ୍କ ଭାଇ ୟାୟୁବ୍‌ ଖାଁ ଇଂରେଜମାନଙ୍କସହ ଶତ୍ରୁତାଚରଣ କରି ଏକଦଳ ଇଂରେଜ ସୈନ୍ୟଙ୍କୁ ପରାସ୍ତ କରିଥିଲେ । କିନ୍ତୁ ୧୮୮୦ ସେପ୍ଟେମ୍ବର ମାସରେ ସେ ଇଂରେଜ ସେନାପତି ଦ୍ୱାରା ପରାଜିତ ହୋଇ ପାରସ୍ୟକୁ ପଳାୟନ କଲେ । ଇଂରେଜମାନେ ଶେରଅଲିଙ୍କ ଜ୍ୟେଷ୍ଠ ଭ୍ରାତାଙ୍କୁ ଜ୍ୟେଷ୍ଠ ପୁତ୍ର ଅବ୍‌ଦୂର ରହମାନଙ୍କୁ ଆଫଗାନ୍‌ ସିଂହାସନରେ ବସାଇଥିଲେ (୧୮୮୦) । ୧୮୮୧ରେ ଇଂରେଜସୈନ୍ୟ ଆଫଗାନିସ୍ଥାନରୁ ଫେରି ଆସିଥିଲେ ।

 

୧୮୮୨ରେ ରିପନ୍ ମୁଦ୍ରାଘରକୁ ପୁନଶ୍ଚ ସ୍ୱାଧୀନତା ଦେଇଥିଲେ । ଭାରତବାସୀଙ୍କୁ ଏକପ୍ରକାର ଆତ୍ମଶାସନର ଭାର ଦେବାର ଆଲୋଚନା ମଧ୍ୟ ଏହାଙ୍କ ସମୟରେ ହୋଇଥିଲା । ଏହାଙ୍କ ସମୟରେ କଲିକତାରେ ଗୋଟିଏ ଆନ୍ତର୍ଜାତିକ ପ୍ରଦର୍ଶନୀ ହୋଇଥିଲା । ଲର୍ଡ଼ ରିପନ୍ ପ୍ରଜାମାନଙ୍କୁ ବଡ଼ ଭଲପାଉଥିଲେ ଏବଂ ସେମାନଙ୍କର ହିତଲାଗି ସର୍ବଦା ଚେଷ୍ଟା କରୁଥିଲେ ।

 

୧୮୮୪ରେ ସେ ବିଲାତକୁ ଗଲେ । ତାହାଙ୍କ ବିଲାତ ଗମନକାଳରେ ଭାରତବାସୀମାନେ ଗଭୀର ଶୋକ ପ୍ରକାଶ କରିଥିଲେ ।

 

ଲର୍ଡ଼ ଡଫରିନ୍–୧୮୮୪ରେ ଲର୍ଡ଼ ଡଫରିନ୍ ଶାସନଭାର ଗ୍ରହଣ କରିଥିଲେ । ଏହାଙ୍କ ସମୟରେ ଆତ୍ମଶାସନ ଆଇନ ଚାଲିଥିଲା ଅର୍ଥାତ୍ ବଡ଼ ବଡ଼ ନଗର ଏବଂ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ସଭା ସ୍ଥାପିତ ହୋଇ ତହିଁରେ ଦେଶୀୟ ଲୋକମାନେ ସଭ୍ୟ ହେଲେ । ସେହି ସବୁ ସଭା ହସ୍ତରେ ନଗର ଓ ଜିଲ୍ଲାର ସ୍ୱାସ୍ଥ୍ୟରକ୍ଷା ଏବଂ ପଥ ଓ ଘାଟର ନର୍ମାଣ-ଭାର ଦିଆଯାଇଥିଲା ।

 

୧୮୮୫ରେ ଡଫରିନ୍ ରାଓଲପିଣ୍ଡିରେ ଏକ ଦରବାର କରି ଅମୀର ଅବଦୁର ରହମାନ୍‌ଙ୍କୁ ସମ୍ବର୍ଦ୍ଧନା କରିଥିଲେ ।

 

ତୃତୀୟ ବ୍ରହ୍ମସମର–ବ୍ରହ୍ମରାଜ ଥିବ୍ ଇଂରେଜ ବଣିକମାନଙ୍କ ଉପରେ ଅତ୍ୟାଚାର କରିବାକୁ ଆରମ୍ଭ କଲେ । ସେ ବାରଣ ନ ମାନିବାରୁ ଡଫରିନ୍‌ ଯୁଦ୍ଧ ଘୋଷଣା କଲେ । ଇଂରେଜସୈନ୍ୟ ବ୍ରହ୍ମରାଜଧାନୀ ମାନ୍ଦାଲେରେ ପହୁଞ୍ଚିବାମାତ୍ର ଥିବ୍ ଆତ୍ମସମର୍ପଣ କଲେ । ଥିବ ବନ୍ଦୀ ହୋଇ ଭାରତକୁ ଆସିଲେ । ୧୮୮୬ ଜାନୁଆରି ୧ ତାରିଖରେ ବ୍ରହ୍ମଦେଶ ଭାରତ ସାମ୍ରାଜ୍ୟଭୁକ୍ତ ହେଲା ।

 

୧୮୮୭ରେ ଭାରତସମ୍ରାଜୀ ଭିକ୍ଟୋରିଆଙ୍କ ୫୦ ବର୍ଷ ରାଜତ୍ୱ ପୂର୍ଣ୍ଣ ହୋଇଥିବାରୁ ଜୁବିଲି ଉତ୍ସବ ହୋଇଥିଲା । ୧୮୮୮ରେ ଡଫରିନ୍ ବିଲାତଗମନ କରିଥିଲେ ।

 

ଲର୍ଡ଼ ଲାନ୍ସଡାଉନ–୧୮୮୮ ଡିସେମ୍ବର ମାସରେ ଲାନ୍ସଡାଉନ୍ ଭାରତ ଶାସନଭାର ଗ୍ରହଣ କରିଥିଲେ । ୧୮୯୧ରେ ମନିପୁର ରାଜ୍ୟରେ ଇଂରେଜରେସିଡେଣ୍ଟେ, ଆସାମର ଚୀଫକମିଶନର ପ୍ରଭୃତି କେତେକ ଇଂରେଜ କର୍ମ୍ମଚାରୀ ନିହତ ହେବାରୁ ଲାନ୍ସଡାଉନ୍ ମନିପୁର ରାଜାଙ୍କୁ ଦ୍ୱୀପାନ୍ତରିତ ଓ ତାହାଙ୍କ ଭ୍ରାତାଙ୍କୁ ପ୍ରାଣଦଣ୍ଡରେ ଦଣ୍ଡିତ କଲେ । ରାଜବଂଶର ଏକ ବାଳକ ମନିପୁରରେ ରାଜା ହେଲେ ।

 

ଲର୍ଡ଼ ଏଲ୍‌ଗିନ୍–୧୮୯୪ରେ ଏଲ୍‌ଗିନ୍ ଭାଇସ୍‌ରାୟ ହେଲେ । ଏ ଦ୍ୱିତୀୟ ଭାଇସ୍‌ରାୟ ଏଲ୍‌ଗିନ୍‌ଙ୍କ ପୁତ୍ର । ୧୮୯୬ରେ ଭାରତରେ ପ୍ଲେଗ ରୋଗ ଦେଖାଦେଲା । ପ୍ଲେଗ ଭାରତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାଇ ନାହିଁ । ଏହି ପ୍ଲେଗରେ ବହୁସଂଖ୍ୟକ ଲୋକ ନଷ୍ଟ ହୋଇଅଛନ୍ତି ଓ ହେଉଅଛନ୍ତି । ୧୮୯୭ରେ ଭାରତବ୍ୟାପୀ ଦୁର୍ଭିକ୍ଷ ହେଲା । ସେହି ଅବ୍ଦରେ ଗୋଟିଏ ବଡ଼ ଭୂମିକମ୍ପ ମଧ୍ୟ ହୋଇଥିଲା । ଏହି ଦୁଇ ଘଟନାରେ ବହୁସଂଖ୍ୟକ ଲୋକ ନଷ୍ଟ ହୋଇଥିଲେ ।

 

୧୮୯୭ରେ ମହାରାଣୀ ଭିକ୍ଟାରିଆଙ୍କ ୬୦ ବର୍ଷ ରାଜତ୍ୱ ଉପଲକ୍ଷେ ହୀରକଜୁବିଲି ଉତ୍ସବ ହୋଇଥିଲା ।

 

ସେହି ଅବ୍ଦରେ ଉତ୍ତରପଶ୍ଚିମ ସୀମାନ୍ତ ପ୍ରଦେଶରେ ଆଫ୍ରିକା ପ୍ରଭୃତି ଜାତିମାନେ ଉପଦ୍ରବ ଆରମ୍ଭ କରିବାରୁ ସେମାନଙ୍କ ବିରୁଦ୍ଧେ ସୈନ୍ୟ ପ୍ରେରଣ କରାଯାଇଥିଲା । ଏହି ଜାତିମାନେ ପରାଜିତ ହୋଇ ବଶ୍ୟତା ସ୍ୱୀକାର କରିଥିଲେ । ୧୮୯୯ରେ ଏଲ୍‌ଗିନ୍‌ ବିଲାତ ଗମନ କଲେ ।

 

ଲର୍ଡ଼ କର୍ଜ୍ଜନ–୧୮୯୯ରେ ସେ ଶାସନଭାର ଗ୍ରହଣ କରିଥିଲେ । ୧୯୦୧ ଜାନୁଆରି ୨୨ ତାରିଖରେ ରାଜରାଜେଶ୍ୱରୀ ଭିକ୍ଟୋରିଆ ୨୩ ବର୍ଷ ରାଜତ୍ୱ କରି ସ୍ୱର୍ଗାରୋହଣ କରିବାରୁ ତାହାଙ୍କ ଜ୍ୟେଷ୍ଠ ପୁତ୍ର ସପ୍ତମ ଏଡ଼ବାର୍ଡ଼ ନାମ ଧାରଣ କରି ଭାରତର ସମ୍ରାଟ୍ ହୋଇଥିଲେ । ଏଥିଲାଗି ଦିଲ୍ଲୀରେ ଏକ ଦରବାର ଓ ଭାରତରେ ଏକ ଉତ୍ସବ ହୋଇଥିଲା । ୧୯୦୫ରେ ଆମ୍ଭମାନଙ୍କ ବର୍ତ୍ତମାନ ସମ୍ରାଟ୍ ୫ମ ଜର୍ଜ (ତତ୍‌କାଳୀନ ପ୍ରିନ୍ସ ଅବ୍‌ ବେଲସ୍) ଭାରତ ଭ୍ରମଣ କରିବାଲାଗି ସସ୍ତ୍ରୀକ ଆଗମନ କରିଥିଲେ ।

 

ଏହି ଅବ୍ଦରେ ବଙ୍ଗଳାର ପୂର୍ବ ଅଂଶ ଆସାମସହିତ ଯୋଗକରାଯାଇ ପୂର୍ବବଙ୍ଗ ଓ ଆସାମ ଲାଗି ଆଉ ଗୋଟିଏ ନୂତନ ଲେଫ୍ଟେନେଣ୍ଟ ଗବର୍ଣ୍ଣର ପଦର ସୃଷ୍ଟି ହୋଇଥିଲା । ସମ୍ବଲପୁର ମଧ୍ୟପ୍ରଦେଶରୁ ବିଚ୍ଛିନ୍ନ ହୋଇ ଓଡ଼ିଶାସଙ୍ଗେ ମିଳିତ ହୋଇଥିଲା । ଲର୍ଡ଼ କର୍ଜ୍ଜନ ସମସ୍ତ ରାଜକୀୟ ବିଭାଗରେ ହସ୍ତକ୍ଷେପ କରି ସଂସ୍କାର କରିଥିଲେ । ତନ୍ମଧ୍ୟରେ ବିଶ୍ୱବିଦ୍ୟାଳୟମାନଙ୍କର ଆଇନ ସଂସ୍କାର ଏକତମ । ୧୯୦୫ ଖ୍ରୀ: ଅବ୍ଦରେ ଲର୍ଡ଼ କର୍ଜ୍ଜନ ବିଲାତକୁ ଫେରି ଯାଇଥିଲେ ।

 

୨ୟ ଲର୍ଡ଼ମିଣ୍ଟୋ–୧୯୦୫-୧୦ । ୧୯୦୫ ଅବ୍ଦରେ ଲର୍ଡ଼ ମିଣ୍ଟୋ ଭାରତର ଶାସନଭାର ଗ୍ରହଣ କରିଥିଲେ । ଦେଶମଧ୍ୟରେ ଶାନ୍ତି-ସ୍ଥାପନ ଏବଂ ବ୍ୟବସ୍ଥାପକ ସଭାମାନଙ୍କର ସଂସ୍କାର ଏହି ମହାତ୍ମାଙ୍କ ଶାସନକାଳର ପ୍ରଧାନ ଘଟନା ।

 

ବ୍ୟବସ୍ଥାପକ ସଭାମାନଙ୍କର ସଂସ୍କାର (୧୯୧୦)–ଏହି ସଂସ୍କାର ଲର୍ଡ଼ ମିଣ୍ଟୋଙ୍କ ରାଜତ୍ୱକାଳର ଗୋଟିଏ ପ୍ରଧାନ ଘଟନା । ଏତଦ୍ୱାରା ଭାରତବାସୀମାନଙ୍କ ସମୁଦାୟ ଭାରତବର୍ଷ ଏବଂ ତାହାର ବିଭିନ୍ନ ପ୍ରଦେଶମାନଙ୍କ ନିମନ୍ତେ ଆଇନ ଓ ବାର୍ଷିକ ଆୟବ୍ୟୟର ହିସାବ ପ୍ରସ୍ତୁତ କରିବାଲାଗି ପୂର୍ବ ଅପେକ୍ଷା ଅଧିକତର ଅଧିକାର ପ୍ରଦତ୍ତ ହୋଇଅଛି ।

 

ଯେଉଁମାନଙ୍କ ଲାଗି ଆଇନ ପ୍ରସ୍ତୁତ ହୁଏ ଏବଂ ଯେଉଁମାନଙ୍କ ପ୍ରଦତ୍ତ ରାଜସ୍ୱରୁ ଶାସନକାର୍ଯ୍ୟର ଖର୍ଚ୍ଚ ଚଳେ, ସେମାନଙ୍କର ମତାମତ ଗ୍ରହଣ ନ କରି ଆଇନ ଓ ଆୟବ୍ୟୟର ହିସାବ ପ୍ରସ୍ତୁତ କରିବା ନ୍ୟାୟସଙ୍ଗତ କୁହେ । ପ୍ରତ୍ୟେକ ପ୍ରଜାର ମତାମତ ଗ୍ରହଣ କରିବା ରାଜାଙ୍କ ପକ୍ଷରେ ସୁବିଧାଜନକ ନୁହେଁ । ସେହି ହେତୁରୁ ଇଂଲଣ୍ଡ ପ୍ରଭୃତି ସବୁ ସଭ୍ୟଦେଶରେ ବିଧି ଅଛି ଯେ ରାଜା କେତେଗୁଡ଼ିଏ ନିୟମ ବାନ୍ଧି ଦିଅନ୍ତି । ସେହି ନିୟମ ଅନୁସାରେ ବଡ଼ ବଡ଼ ନଗର ଓ ଜିଲ୍ଲାମାନଙ୍କର ପ୍ରଜାମାନେ କେତେଗୁଡ଼ିଏ ପ୍ରତିନିଧି ବାଛନ୍ତି । ସେହି ପ୍ରତିନିଧିମାନେ ରାଜାଙ୍କ ବ୍ୟବସ୍ଥାପକ ସଭାରେ ଆଇନ ଓ ବାର୍ଷିକ ଆୟବ୍ୟୟର ହିସାବ ପ୍ରସ୍ତୁତ ହେଲାବେଳେ ମତାମତ ଦିଅନ୍ତି । ଲର୍ଡ଼ ଲାନ୍ସଡାଉନ୍ ଯେତେବେଳେ ଭାଇସରାୟ ଥିଲେ ସେତେବେଳେ ୧୮୯୧ରେ ପ୍ରଜାମାନଙ୍କୁ ଏହି ଅଧିକାର କେତେକ ପରିମାଣରେ ଦିଆଯାଇଥିଲା ସତ୍ୟ, ମାତ୍ର ତାହା ସେତେ ସନ୍ତୋଷଜନକ ହୋଇ ନ ଥିଲା; ସବୁ ଶ୍ରେଣୀର ପ୍ରଜା ନିଜ ନିଜ ପ୍ରତିନିଧି ନିର୍ବାଚନ କରି ପାରୁ ନ ଥିଲେ । ଆହୁରି ମଧ୍ୟ ବ୍ୟବସ୍ଥାପକ ସଭାମାନଙ୍କରେ ପ୍ରଜା-ନିର୍ବାଚିତ ବେସରକାରୀ ସଭ୍ୟମାନଙ୍କ ସଂଖ୍ୟା ସରକାରୀ ସଭ୍ୟମାନଙ୍କ ସଂଖ୍ୟାଠାରୁ ଅଳ୍ପତର ଥିଲା । ସେହି ହେତୁରୁ ଆମ୍ଭମାନଙ୍କର ଭୂତପୂର୍ବ ସମ୍ରାଟ୍ ସପ୍ତମ ଏଡ଼ବାର୍ଡ଼ଙ୍କ ଆଦେଶାନୁସାରେ ତତ୍‌କାଳୀନ ଭାରତସଚିବ ଲର୍ଡ଼ ମର୍ଲେ ପାର୍ଲିଆମେଣ୍ଟରେ ୧୯୦୯ରେ ଭାରତୀୟ ବ୍ୟବସ୍ଥାପକ ସଭାସଂସ୍ଥାର ବିଷୟରେ ଏକ ଆଇନ ଉପସ୍ଥାପିତ କରାଇଥିଲେ । ତାହା ମଞ୍ଜୁର ହେବାରୁ ନିମ୍ନଲିଖିତ ସଂସ୍କାରମାନ ପ୍ରବର୍ତ୍ତିତ ହେଲା ।

 

ପ୍ରାଦେଶିକ ବ୍ୟବସ୍ଥାପକ ସଭାମାନଙ୍କରେ ବେସରକାରୀ ସଭ୍ୟମାନଙ୍କ ସଂଖ୍ୟା ସରକାରୀ ସଭ୍ୟମାନଙ୍କ ସଂଖ୍ୟାଠାରୁ ଅଧିକ କରାଗଲା । ବିଭିନ୍ନ ପ୍ରଦେଶର ବଡ଼ ବଡ଼ ଜମିଦାର ଏବଂ ମୁସଲମାନସମ୍ପ୍ରଦାୟ ନିଜ ନିଜ ପ୍ରତିନିଧି ନିର୍ବାଚନ କରିବାର କ୍ଷମତା ପାଇଲେ । ଜିଲ୍ଲା ବୋର୍ଡ଼ ଓ ମ୍ୟୁନିସ୍‌ପାଲିଟିର ବେସରକାରୀ ସଭ୍ୟମାନେ ଅଧିକ ସଂଖ୍ୟକ ପ୍ରତିନିଧି ନିର୍ବାଚନ କରିବାର କ୍ଷମତା ପାଇଲେ । ଯେବେ କେହି ସରକାରୀ କର୍ମ୍ମଚାରୀ ଜିଲ୍ଲା ବୋର୍ଡ଼ ଓ ମ୍ୟୁନିସ୍‌ପାଲଟିର ସଭ୍ୟ ଥାନ୍ତି । ସେମାନେ ବ୍ୟବସ୍ଥାପକ ସଭା ନିମନ୍ତେ ସଭ୍ୟନିର୍ବାଚନ ହେଲାବେଳେ ମତ ଦେଇ ନ ପାରିବାର ବିଧି ହେଲା । ବିଶ୍ୱବିଦ୍ୟାଳୟ ଏବଂ ବଣିକ୍ ସଭାମାନେ ମଧ୍ୟ ବ୍ୟବସ୍ଥାପକ ସଭା ନିମନ୍ତେ ନିଜ ନିଜ ସଭ୍ୟ-ନିର୍ବାଚନ କରିପାରିବାର କ୍ଷମତା ପାଇଲେ ।

 

ପୂର୍ବେ ଭାରତୀୟ ବ୍ୟବସ୍ଥାପକ ସଭାରେ ସଭାପତି ଭାଇସ୍‌ରାୟଙ୍କୁ ଘେନି ୨୪ ଜଣ ସଭ୍ୟ ଥିଲେ । ତନ୍ମଧ୍ୟରୁ ସରକାରୀ ସଭ୍ୟ ୧୭ ଜଣ, ବେସରକାରୀ ସଭ୍ୟ ୭ ଜଣ । ବର୍ତ୍ତମାନ ନିୟମ ହେଲା ଯେ ଭାଇସ୍‌ରାୟଙ୍କୁ ଘେନି ତହିଁରେ ୬୮ ଜଣ ସଭ୍ୟ ରହିବେ, ତନ୍ମଧ୍ୟରୁ ସରକାରୀ ସଭ୍ୟ ହେବେ ୩୬ ଜଣ ଏବଂ ବେସରକାରୀ ସଭ୍ୟ ହେବେ ୩୨ ଜଣ ।

 

ଏହିପରି ବିଭିନ୍ନ ସଂଖ୍ୟକ ସଭ୍ୟ ଘେନି ପ୍ରତ୍ୟେକ ପ୍ରଦେଶରେ ମଧ୍ୟ ଏକ ଏକ ବ୍ୟବସ୍ଥାପକ ସଭା ବସିଅଛି । ଏହି ପ୍ରତ୍ୟେକ ସଭାରେ ବେସରକାରୀ ସଭ୍ୟମାନଙ୍କ ସଂଖ୍ୟା ସରକାରୀ ସଭ୍ୟମାନଙ୍କ ସଂଖ୍ୟାଠାରୁ ଅଧିକ କରାଯାଇଥିଲା ।

 

ଉପରେ ଯାହା ଲେଖାଗଲା ତାହା ବ୍ୟବସ୍ଥାପକ ସଭାମାନଙ୍କର ଏକ ସଂସ୍କାରମାତ୍ର । ଏଥିରୁ ତୁମ୍ଭେମାନେ ଅନୁମାନ କରିପାରିବ ଯେ ଯୋଗ୍ୟତା ଦେଖାଇଲେ କାଳକ୍ରମେ ଭାରତୀୟ ବ୍ରିଟିଶ ପ୍ରଜାମାନେ ନିଜ ଦେଶ ଶାସନରେ ଆହୁରି ଅଧିକ କ୍ଷମତା ଲାଭ କରିପାରନ୍ତି । ଇଂରେଜ ଗବର୍ଣ୍ଣମେଣ୍ଟଙ୍କର ଏପ୍ରକାର ସୁବିଚାର ଲାଗି ଆମ୍ଭମାନଙ୍କର ସର୍ବଦା କୃତଜ୍ଞ ରହିବା ଉଚିତ ।

 

୧୯୧୦ ଖ୍ରୀଷ୍ଟାବ୍ଦର ମଇ ମାସ ୬ ତାରିଖରେ ସମ୍ରାଟ୍ ୭ମ ଏଡ଼ବାର୍ଡ଼ ପରଲୋକ ଗମନ କରିଥିଲେ । ତାହାଙ୍କ ମୃତ୍ୟୁରେ ଏକା ଭାରତବାସୀ କାହିଁକି, ଜଗଦ୍‌ବାସୀ ସମସ୍ତେ ଶୋକରେ ଅଧୀର ହୋଇଥିଲେ । ରାଜନୈତିକ ବ୍ୟାପାରରେ ତାହାଙ୍କର ବୁଦ୍ଧିମତ୍ତା ଏବଂ ସମାଜର ମଙ୍ଗଳସାଧନରେ ତାହାଙ୍କର ହୃଦୟବତ୍ତା, ଏହି ଦୁଇ ମହତ୍‍ଗୁଣ ଲାଗି ଆମ୍ଭମାନଙ୍କର ଭୂତପୂର୍ବ ସମ୍ରାଟ୍ ଜନସାଧାରଣରେ ଚିରସ୍ମରଣୀୟ ହୋଇ ରହିବେ ।

 

ପରପୃଷ୍ଠାରେ ଯେଉଁ ଛବି ଦୁଇଟି ଦେଖୁଅଛ ତାହା ଆମ୍ଭମାନଙ୍କର ବର୍ତ୍ତମାନ ସମ୍ରାଟ୍ ୫ମ ଜର୍ଜ ଓ ମହାରାଣୀ ମେରୀଙ୍କର ଛବି । ଶାସନ ଓ ପାଳନ ବିଷୟରେ ନବ ସମ୍ରାଟ୍ ଓ ସାମ୍ରାଜୀଙ୍କର ମହିମା ଲୋକବିଦିତ ଏବଂ ହୃଦୟବତ୍ତାଗୁଣରେ ଉଭୟେ ପ୍ରସିଦ୍ଧି ଲାଭ କରିଅଛନ୍ତି । ବର୍ତ୍ତମାନ ତୁମ୍ଭମାନଙ୍କର ରାଜଭକ୍ତି ଦୁହିଁଙ୍କ ନିକଟରେ ଅର୍ପଣ କର । ପଞ୍ଚମଜର୍ଜ ଭାରତ-ସମ୍ରାଟ୍ ହୋଇ ଯେଉଁ ଘୋଷଣାପତ୍ର ପ୍ରଚାର କରିଥିଲେ ତାହା ତାହାଙ୍କର ପିତା ଓ ପିତାମହୀ ଉଭୟଙ୍କ ଘୋଷଣାପତ୍ରର ଅନୁରୂପ । ସେ ସମ୍ରାଟ୍‌ ପଦବୀ ଗ୍ରହଣକରି ନିଜ ରାଜ୍ୟାଭିଷେକର ଘୋଷଣା ନିମନ୍ତେ ୧୯୧୨ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସ ୧୨ ତାରିଖରେ ଦିଲ୍ଲୀ ନଗରରେ ଯେଉଁ ଦରବାର କରିଥିଲେ ତାହା ଅଦ୍ୟାବିଧି ସମସ୍ତଙ୍କ ମନରେ ଜାଗରୂକ ଅଛି ଏବଂ ତହିଁରୁ ଭାରତବାସୀ ପ୍ରଜାମାନଙ୍କ ପ୍ରତି ତାହାଙ୍କର ଅସୀମ ଦୟା, ଦାକ୍ଷିଣ୍ୟ ଏବଂ ସହାନୁଭୂତି ପ୍ରକାଶ ପାଇଅଛି । ଭାରତବାସୀ ପ୍ରଜାମାନଙ୍କ ଶିକ୍ଷାବୃଦ୍ଧି ନିମନ୍ତେ ଆମ୍ଭମାନଙ୍କର ସମ୍ରାଟ ସର୍ବଦା ମୁକ୍ତହସ୍ତ । ଦିଲ୍ଲୀର ଦରବାରରେ ଯେଉଁ ଘୋଷଣା ହୋଇଥିଲା ତଦନୁସାରେ ଭାରତର ରାଜଧାନୀ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଥିଲା ଏବଂ ପୂର୍ବ ବଙ୍ଗ ପଶ୍ଚିମ ବଙ୍ଗ ସହିତ ମିଳିତ ହୋଇ ଜଣେ ଗବର୍ଣ୍ଣରଙ୍କ ଅଧୀନ କରାଯାଇଥିଲା । ଆସାମ ପ୍ରଦେଶ ଏକ ଚିଫ୍‍କମିଶନରଙ୍କ ଅଧୀନ ରହିଲା । ବିହାର ଏବଂ ଓଡ଼ିଶାକୁ ବଙ୍ଗପ୍ରଦେଶରୁ ବିଚ୍ଛିନ୍ନ କରାଯାଇ ଗୋଟିଏ ସ୍ୱତନ୍ତ ପ୍ରଦେଶ ଗଠନ କରାଗଲା ଏବଂ ତାହା ଜଣେ ଲେଫ୍ଟେନାଣ୍ଟ ଗବର୍ଣ୍ଣରଙ୍କ ଅଧୀନ ହେଲେ, ଏବଂ ପୁରାତନ ପାଟଳିପୁତ୍ର ବା ପାଟନା ଏହି ନୂତନ ପ୍ରଦେଶର ରାଜଧାନୀ ହେଲା ।

 

ଦ୍ୱିତୀୟ ଲର୍ଡ଼ ହାର୍ଡ଼ିଞ୍ଜ–ସେ ୧୯୧୦ ଖ୍ରୀଷ୍ଟାବ୍ଦରେ ଭାରତକୁ ରାଜପ୍ରତିନିଧି ହୋଇ ଆସିଥିଲେ । ତାହାଙ୍କ ଶାସନକାଳରେ ପୂର୍ବୋକ୍ତ ଦିଲ୍ଲୀର ଦରବାର ହୋଇଥିଲା । ଲର୍ଡ଼ ହାର୍ଡ଼ିଞ୍ଜ ଭାରତର ବୈଷୟିକ ଓ ସାମାଜିକ ଉନ୍ନତି ପ୍ରତି ବିଶେଷ ମନୋନିବେଶ କରିଥିଲେ । ଦକ୍ଷିଣ ଆଫ୍ରିକାରେ ଭାରତୀୟ ପ୍ରଜାମାନଙ୍କ ଉପରେ ସେ ସ୍ଥାନର ଗବର୍ଣ୍ଣମେଣ୍ଟ ଅନ୍ୟାୟ ବ୍ୟବହାର କରୁଥିବାର ସେ ତାହା ସହିତ କରିବାଲାଗି ବିଶେଷ ଯତ୍ନ କରିଥିଲେ । ସେ ଏହି ଦେଶର ରାଜପ୍ରତିନିଧି ଥିବାବେଳେ ଦିଲ୍ଲୀଠାରେ କେତେକ ଦୁଷ୍ଟଲୋକ ତାହାଙ୍କ ଉପରେ ବୋମା ଫୋପାଡ଼ି ତାହାଙ୍କୁ ବଧ କରିବାର ଚେଷ୍ଟା କରିଥିଲେ, ଈଶ୍ୱରଙ୍କ କୃପାରୁ ସେହି ଚେଷ୍ଟା ବିଫଳ ହୋଇଥିଲା । ତାହାଙ୍କର ସ୍ତ୍ରୀ ବିୟୋଗ ଓ ଯୁଦ୍ଧରେ ପୁତ୍ର ବିୟୋଗ ମଧ୍ୟ ଏହି ସମୟ ମଧ୍ୟରେ ଘଟିଥିଲା । ତଥାପି ସେ ତତ୍‌ପ୍ରତି ଭ୍ରୁକ୍ଷେପ ନ କରି ଅବିଚଳିତ ଚିତ୍ତରେ ଭାରତ ପ୍ରତି ସ୍ନେହପୂର୍ଣ୍ଣ ହୃଦୟରେ ଶାସନ କାର୍ଯ୍ୟ ଚଳାଇଥିଲେ । ଭାରତର ରାଜପ୍ରତିନିଧିମାନଙ୍କ ମଧ୍ୟ୍ୟରୁ ଦ୍ୱିତୀୟ ଲର୍ଡ଼ ହାର୍ଡ଼ିଞ୍ଜ ପ୍ରଥମେ ଓଡ଼ିଶାକୁ ଆଗମନ କରିଥିଲେ । ଓଡ଼ିଶାର ପ୍ରଜାମାନଙ୍କ ପ୍ରତି ତାହାଙ୍କ ଦୟାର ଏହା ଏକ ନିଦର୍ଶନ-

 

୧୯୧୪ ଖ୍ରୀଷ୍ଟାବ୍ଦ ଅଗଷ୍ଟମାସ ୪ ତାରିଖରେ ଇଉରୋପରେ ଏକ ଭୀଷଣ ମହାସମର ଆରମ୍ଭ ହୋଇଥିଲା । ତାହା ଅଦ୍ୟାବଧି ଚଳୁଅଛି । ଏଥିରେ ଜର୍ମ୍ମାନୀ ଅଷ୍ଟ୍ରିୟା ବୁଲଗେରିଆ ଏବଂ ତୁରଷ୍କ ଏହି ରାଜ୍ୟଗୁଡ଼ିକ ବ୍ରିଟେନ୍, ଫ୍ରାନ୍ସ, ରୁଷିଆ ଏବଂ ଇଟାଲୀର ଶତ୍ରୁ ହୋଇ ଯୁଦ୍ଧ ଚଳାଉ ଅଛନ୍ତି । ଆମେରିକା ଓ ପୃଥିବୀର ଅନ୍ୟାନ୍ୟ ଦେଶ ମଧ୍ୟ ଗ୍ରେଟ୍‌ବ୍ରିଟେନ୍ ପ୍ରଭୃତି ସମ୍ମିଳିତ ଶକ୍ତିମାନଙ୍କ ସଙ୍ଗେ ଯୋଗ ଦେଇଅଛନ୍ତି । ଏହି ସମରର ବିଷୟ ଇତିହାସରେ ଲେଖିବାକୁ ଅଦ୍ୟାବିଧି ସମୟ ହୋଇନାହିଁ ।

 

ଲର୍ଡ଼ ହାର୍ଡ଼ିଞ୍ଜ ୧୧୧୬ ଖ୍ରୀଷ୍ଟାବ୍ଦରେ ବିଲାତକୁ ଫେରି ଯାଇଥିଲେ । ଏବଂ ଲର୍ଡ଼ ଚେଲ୍‌ମର୍ସ ଫୋର୍ଡ଼ ତାହାଙ୍କ ପଦରେ ମନୋନୀତ ହୋଇ ଇଂଲଣ୍ଡରୁ ଏ ଦେଶକୁ ଆଗମନ କରିଥିଲେ ।

Image

 

ବ୍ରିଟନୀୟ ଶାସନରେ ଭାରତର ଶ୍ରୀବୃଦ୍ଧି

 

ତୁଳନା–ପଠାଣ ଓ ମୋଗଲମାନଙ୍କ ରାଜତ୍ୱ ଇଂରେଜ ରାଜତ୍ୱ ସଙ୍ଗେ ତୁଳନୀୟ ନୁହେଁ-। ସେମାନଙ୍କର ଶାସନକାର୍ଯ୍ୟରେ ଅନେକ ବିଶୃଙ୍ଖଳା ଥିଲା । ସେମାନଙ୍କ କର୍ମ୍ମଚାରୀମାନେ ଆଇନର ଅଧୀନ ନ ଥିଲେ । ଆଜିକାଲି ଯେପରି ଧନୀ, ନିର୍ଦ୍ଧନ, ରାଜା, ପ୍ରଜା, ଜମିଦାର, ରୟତ ସମସ୍ତଙ୍କ ପ୍ରତି ଏକ ଆଇନ ଓ ଏକ ବିଚାର, ସେମାନଙ୍କ ସମୟରେ ସେପରି ନ ଥିଲା । ଧନିମାନେ ଓ ବ୍ୟବସାୟୀମାନେ ରାଜକର୍ମଚାରୀଙ୍କୁ ଦସ୍ୟୁ ସଦୃଶ ଭୟକରି ନିଜ ନିଜ ଧନ ଗୋପନ କରି ରଖୁଥିଲେ । ମୁସଲମାନ୍‌ମାନଙ୍କ ସମୟରେ ଦେଶର ରାଜସ୍ୱ ସାଧାରଣ ହିତକର କାର୍ଯ୍ୟରେ ଯେତେ ଲାଗୁଥିଲା, ସମ୍ରାଟ୍, ନବାବ ପ୍ରଭୃତିଙ୍କ ବିଳାସରେ ତହିଁରୁ ବଳି ବ୍ୟୟିତ ହେଉଥିଲା-। ଶିକ୍ଷାବିସ୍ତାର ପ୍ରତି ମୁସଲମାନମାନଙ୍କର ଆଦୌ ଦୃଷ୍ଟି ନ ଥିଲା, ସେମାନଙ୍କ ରାଜତ୍ୱ ଆଜିଯାଏ ଥିଲେ ଭାରତ ଅଜ୍ଞାନ-ଅନ୍ଧକାରରେ ବୁଡ଼ି ରହିଥାନ୍ତା ।

 

ଇଂରେଜ-ଶାସନକାଳରେ ସତୀଦାହ, ଗଙ୍ଗାସାଗରରେ ସନ୍ତାନ ବିସର୍ଜନ, କନ୍ଦ ପ୍ରଭୃତି ଅସଭ୍ୟ ଜାତିମାନଙ୍କର ନର ବଳିଦାନ ଇତ୍ୟାଦି କୁ-ପ୍ରଥା ସବୁ ରହିତ ହୋଇଅଛି । ଚୋର ଡକାଏତ ପ୍ରଭୃତିଙ୍କର ଅତ୍ୟାଚାର ଆଉ ନାହିଁ । ଡାକ, ସଡ଼କ,ରେଳ, ଖାଲ, ତାରଡ଼ାକ ପ୍ରଭୃତିର ସୁବନ୍ଦୋବସ୍ତ ହେତୁରୁ ଯାତାୟାତ, ସମ୍ବାଦପ୍ରେରଣ ଏବଂ ବାଣିଜ୍ୟ ବିସ୍ତାରର ସଙ୍ଗେ ସଙ୍ଗେ ଲୋକେ ଅନ୍ୟାନ୍ୟ ବହୁବିଧ ସୁବିଧା ପାଇଅଛନ୍ତି । ବିଚାରାଳୟମାନଙ୍କରେ ନ୍ୟାୟ ବିଚାରଦ୍ୱାରା କେହି କାହାରି ଉପରେ ଅତ୍ୟାଚାର କରିପାରୁ ନାହିଁ । ବାଣିଜ୍ୟ ବାଧା ରହିତ ହୋଇ ଚାଲିବାରୁ ଦେଶର ଆର୍ଥିକ ଅବସ୍ଥାର ଉନ୍ନତି ହୋଇଅଛି । ବିଦ୍ୟାଳୟମାନଙ୍କର ସ୍ଥାପନଦ୍ୱାରା ସାଧାରଣ ଶିକ୍ଷା କ୍ରମଶଃ ବୃଦ୍ଧି ପାଉଅଛି । ସମସ୍ତେ ନିଜ ନିଜ ମନୋଗତ ଭାବ ସ୍ୱାଧୀନ ଭାବରେ ବ୍ୟକ୍ତ କରିପାରୁ ଅଛନ୍ତି । ମୁଦ୍ରାଯନ୍ତ୍ର ସ୍ୱାଧୀନତା ପାଇଥିବାରୁ ପ୍ରଜାମାନଙ୍କ ମନର ଭାବ ରାଜକର୍ମ୍ମଚାରୀମାନେ ସହଜେ ବୁଝିପାରୁ ଅଛନ୍ତି । ଚା, କାଫି, ସିଙ୍କୋନା ପ୍ରଭୃତି ଅନେକପ୍ରକାର ନୂତନ ବୃକ୍ଷଲତା ଓ କୃଷିର ଉପଯୁକ୍ତ ପଦାର୍ଥ ଏ ଦେଶକୁ ନୂତନ ଆମଦାନୀ କରାଯାଇଅଛି । କାଗଜ, ସୂତା ଓ ଲୁଗା ପ୍ରଭୃତି ପ୍ରସ୍ତୁତ କରିବା ନିମନ୍ତେ କଳ କାରଖାନା ସ୍ଥାପିତ ହେବାରୁ ଅନେକ ଲୁପ୍ତ ବ୍ୟବସାୟର ପୁନରୁଦ୍ଧାର ହୋଇଅଛି । ଜମିଦାରମାନେ ରୟତମାନଙ୍କ ଉପରେ ପୂର୍ବପରି ଅତ୍ୟାଚାର କରିପାରୁ ନାହାନ୍ତି । ସେମାନଙ୍କର ଗଡ଼, ସୈନ୍ୟ ଏବଂ ବିଚାରାଳୟ ପ୍ରଭୃତି ରାଜଚିହ୍ନ ଆଉ ନାହିଁ । ସ୍ଥୂଳତଃ ଭାରତ ଏପରି ଏକ ଅପୂର୍ବ ଶାନ୍ତି ଭୋଗ କରୁଅଛି ଯେ ସେ ବିଷୟ ଭାବିଲେ ପୁରାଣବର୍ଣ୍ଣିତ ‘ରାମରାଜ୍ୟ’ କଥା ମନେ ପଡ଼େ । ମୁସଲମାନ ବିଶେଷତଃ ମରହଟ୍ଟାମାନଙ୍କ ଅତ୍ୟାଚାରପରେ ଜଗଦୀଶ୍ୱର ଆମ୍ଭମାନଙ୍କୁ ଏକ ଅଖଣ୍ଡ ରାଜଛତ୍ରତଳେ ରଖି ଏହି ଯେଉଁ ନିରବଚ୍ଛିନ୍ନ ଶାନ୍ତି ପ୍ରଦାନ କରିଅଛନ୍ତି, ଯାହାଙ୍କ କୃପାବଳରୁ ଆମ୍ଭେମାନେ ବିଭିନ୍ନ ପ୍ରଦେଶରେ ବାସ କରୁଥିଲେହେଁ ଆପଣା ଆପଣାକୁ ଏକ ଭାରତୀୟ ମହାଜାତିର ଅନ୍ତର୍ଗତ ବୋଲି ମନେ କରୁଥାଇଁ ଏବଂ ଏକ ଅଦ୍ୱିତୀୟ ସାମ୍ରାଜ୍ୟର ଅଧିବାସୀ ବୋଲି ଆପଣାକୁ ଧନ୍ୟ ମଣୁଥାଇଁ ତାହାଙ୍କୁ ହିଁ ହୃଦୟର ଧନ୍ୟବାଦ ପ୍ରଦାନ କରିବା ଉଚିତ । ଯେଉଁ ସମ୍ରାଟଙ୍କ ଶାସନଦ୍ୱାରା ଆମ୍ଭେମାନେ ଏତେ ସୁଖଶାନ୍ତି ଭୋଗ କରୁଥାଇଁ, ଆସ ତାହାଙ୍କ ଦୀର୍ଘଜୀବନ ଲାଗି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା । ଆମ୍ଭମାନଙ୍କର ଈଶ୍ୱରଭକ୍ତି ରାଜଭକ୍ତି ଚିରକାଳ ଅଟଳ ରହୁ ।

 

ଭାରତରେ ଶାନ୍ତି–ଇଂରେଜ ଗବର୍ଣ୍ଣମେଣ୍ଟ ଆମ୍ଭମାନଙ୍କର ଯେତେ ପ୍ରକାର ମଙ୍ଗଳ ସାଧନ କରିଅଛନ୍ତି ତନ୍ମଧ୍ୟରେ ସ୍ଥାୟୀ ଶାନ୍ତିଦାନହିଁ ପ୍ରଧାନ । ଦୃଢ଼ ଶାସନବ୍ୟତୀତ ସ୍ଥାୟୀ ଶାନ୍ତି ସମ୍ଭବପର ନୁହେଁ ଏବଂ ସାମ୍ରାଜ୍ୟ ଅତ୍ୟନ୍ତ ପରାକ୍ରମଶାଳୀ ନ ହେଲେ ଦୃଢ଼ଶାସନ ଅସମ୍ଭବ । ବର୍ତ୍ତମାନ ଶାନ୍ତି ବିରାଜମାନ ହେବାରୁ ପୂର୍ବର ଅତ୍ୟାଚାରମାନ ସ୍ୱପ୍ନବତ୍ ପ୍ରତୀୟମାନ ହେଉଅଛି । ବିଦେଶୀୟ ରାଜାମାନେ ଇଂରେଜ ବାହାଦୂରଙ୍କୁ ଏପରି ମାନ୍ୟ ଓ ଭୟ କରନ୍ତି ଯେ ଆମ୍ଭମାନେ ମାମୁଦ, ତୈମୁର ଓ ନାଦୀରସାହ ପ୍ରଭୃତିଙ୍କ ପରି ଆକ୍ରମଣକାରୀ ଭାରତରେ ଆଉ କେବେହେଁ ଦେଖିବାର ସମ୍ଭାବନା ନାହିଁ । ପୂର୍ବକାଳର ଡକାଇତି ଓ ହତ୍ୟାକାଣ୍ଡ ଗଲାଣି । ଆମ୍ଭମାନଙ୍କର ଶରୀର ଓ ସମ୍ପତ୍ତି ବର୍ତ୍ତମାନ ସମ୍ପୂର୍ଣ୍ଣରୂପେ ନିରାପଦ । ଠଗ, ପିଣ୍ଡାରି, ବର୍ଗିମାନଙ୍କର ଦିନ ଗଲାଣି । ପାହାଡ଼ିଆ ଲୋକମାନଙ୍କର ଉତ୍ପାତ ଆଉ ଲେଶମାତ୍ର ନାହିଁ । ଯେଉଁ ବର୍ଗିମାନଙ୍କର କଥା କହି ପିତାମାତା ସନ୍ତାନମାନଙ୍କୁ ଡରାଉଥିଲେ ସେମାନଙ୍କର ଆଉ ଦେଖା ମିଳୁ ନାହିଁ ।

 

ଅନ୍ତର୍ବାଣିଜ୍ୟ ଓ ଶ୍ରମଜାତ ଦ୍ରବ୍ୟ । ଭାରତରେ ଶାନ୍ତି ସ୍ଥାପିତ ହେବାରୁ ଆନ୍ତର୍ବାଣିଜ୍ୟ ଓ ଶ୍ରମଜାତ ଦ୍ରବ୍ୟର ଉନ୍ନତି ବହୁପରିମାଣରେ ସାଧିତ ହୋଇଅଛି । ଇଉରୋପରୁ କଳପ୍ରସ୍ତୁତ ଦ୍ରବ୍ୟ ଆସିବାରୁ ଭରତର ହସ୍ତପ୍ରସ୍ତୁତ ଦ୍ରବ୍ୟର ଅବନତି ଘଟିଅଛି ସତ୍ୟ, ମାତ୍ର ଇଂରେଜମାନଙ୍କର ଉଦ୍ୟମ ଓ ମୂଳଧନ ଦ୍ୱାରା ଏ ଦେଶର ଯେଉଁ ଦ୍ରବ୍ୟସମୂହ କେବେହେଁ ମନୁଷ୍ୟ ବ୍ୟବହାରରେ ଲାଗି ନ ଥାନ୍ତା ତାହା ମନୁଷ୍ୟର ବ୍ୟବହାରରେ ଲାଗିଅଛି । ଏ ଦେଶର ପଥର କୋଇଲା ଇଂରେଜ ମୂଳଧନ ଓ ଉଦ୍ୟମ ବ୍ୟତୀତ କେବେହେଁ ମନୁଷ୍ୟର ବ୍ୟବହାରରେ ଲାଗି ନ ଥାନ୍ତା । ତୁମ୍ଭେମାନେ ଯେଉଁ ଝୋଟକଳ ଓ ଲୁଗାକଳ କଥା ଶୁଣ, ସେଗୁଡ଼ିକ କେବଳ ଇଂରେଜମାନଙ୍କ ଉଦ୍ୟମ ଓ ମୂଳଧନରେ ଏ ଦେଶରେ ସ୍ଥାପିତ ହୋଇଅଛି । ତଦ୍ଦ୍ୱାରା ଏ ଦେଶରେ ଲକ୍ଷ ଲକ୍ଷ ଲୋକ ପ୍ରତିପୋଷିତ ହେଉଅଛନ୍ତି । ଏକ ଚା ଫସଲ ଏ ଦେଶର ଅନେକ କୁଲିଙ୍କୁ ପୋଷୁଅଛି; ଇଂରେଜମାନେହିଁ ଏ ଦେଶରେ ଏହି ଫସଲର ପ୍ରବର୍ତ୍ତକ ।

 

ଇଂରେଜ ଅମଳରେରେଲ୍‍ ଓ ତାରଡ଼ାକ ଦ୍ୱାରା ଦେଶବିଦେଶକୁ ଯିବାଆସିବା ଓ ଖବରଦେବାର ଅତ୍ୟନ୍ତ ସୁବିଧା ହୋଇଥିବାରୁ ଆନ୍ତର୍ବାଣିଜ୍ୟ ଓ ଦେଶଜ ଦ୍ରବ୍ୟର ଉନ୍ନତି ବିଶେଷ ପରିମାଣରେ ସାଧିତ ହୋଇଅଛି । କଳଜାହାଜ ପ୍ରାୟ ସମସ୍ତ ସୁନାବ୍ୟ ନଦୀରେ ଯିବାଆସିବା କରୁଅଛି । ଏକପଇସିଆ ଡାକଟିକେଟ୍ ପ୍ରଚଳିତ ହେବାରୁ ଅତି ଗରିବ ଲୋକେ ସୁଦ୍ଧା ସେମାନଙ୍କ ଦୂରସ୍ଥିତ ବନ୍ଧୁ ଓ କୁଟୁମ୍ବମାନଙ୍କୁ ଖବର ଦେଇପାରୁଅଛନ୍ତି । ପ୍ରତ୍ୟେକ ବଡ଼ ଗ୍ରାମରେ ଡାକଘର ବସିଅଛି । ଭାରତରେ ଏପରି କୌଣସି ବଡ଼ ନଗର ନାହିଁ, ଯେଉଁଠାକୁରେଳ ନାହିଁ କି ତାରଡ଼ାକ ନାହିଁ । ଲକ୍ଷ ଲକ୍ଷ ସଡ଼କ ଓ ରାସ୍ତା ନିର୍ମିତ ହେଲାଣି, ଅନେକ ନାଳ ଖୋଳାଗଲାଣି, ତେଣୁ ଭାରତରେ ଆଉ ଏପରି ସ୍ଥାନ ନାହିଁ ଯେଉଁଠାକୁ ଲୋକେ ସହଜେ ଯାଇ ନ ପାରିବେ; କିମ୍ବା ଯେଉଁଠାରୁ ମାଲମସଲା ସହଜେ ଅନ୍ୟ ସ୍ଥାନକୁ ଆସି ନ ପାରିବ । ଏହାର ସୁଫଳ ଏହି ହୋଇଅଛି ଯେ ସାମ୍ରଜ୍ୟରେ କୌଣସି ସ୍ଥାନରେ ଉତ୍ପାତ ଆରମ୍ଭ ହେଲେ ଇଂରେଜସୈନ୍ୟ ତତ୍‌କ୍ଷଣାତ୍ ସେଠାକୁ ଯାଇ ତାହାର ଦମନ କରୁଅଛନ୍ତି । ଦୁର୍ଭିକ୍ଷ କିମ୍ବା କୌଣସି ଦୈବୀ ବିପଦ୍ ଉପସ୍ଥିତ ହେଲେ ତତ୍‌କ୍ଷଣାତ୍ ତାହାର ପ୍ରତିବିଧାନ ହୋଇପାରୁଅଛି । ଭାରତର ଭିନ୍ନ ଭିନ୍ନ ଜାତି ମିଳିତ ହୋଇ ଏକ ମହାଜାତିରେ ପରିଣତ ହେଉଅଛନ୍ତି । ଏହାହିଁ ଇଂରେଜସାମ୍ରାଜ୍ୟର ସର୍ବଶ୍ରେଷ୍ଠ ସୁଫଳ-। ପଠାଣ, ମୋଗଲ, ରାଜପୁତ, ମରହଟ୍ଟା, ଶିଖ, ପାର୍ସି, ବଙ୍ଗାଳି, ବିହାରୀ ଓ ଓଡ଼ିୟା ଆଜିକାଲି ବନ୍ଧୁ ଓ ପ୍ରତିବେଶୀ ପରି ପରସ୍ପରକୁ ଆଲିଙ୍ଗନ କରୁଅଛନ୍ତି ଏବଂ ଏକ ଅଖଣ୍ଡ ଛତ୍ରତଳେ ବାସ କରୁଥିବାରୁ ଆପଣା ଆପଣାକୁ ଗୌରବାନ୍ୱିତ ମଣୁଅଛନ୍ତି ।

 

ସ୍ୱାସ୍ଥ୍ୟ । ସ୍ୱାସ୍ଥ୍ୟ ଅମୂଲ୍ୟ ଧନ, ଏହା ଜାଣି ଇଂରେଜ ଗବର୍ଣ୍ଣମେଣ୍ଟ ଜନସାଧାରଣ ସ୍ୱାସ୍ଥ୍ୟ ସୁରକ୍ଷିତ ଓ ଉନ୍ନତି କରିବାଲାଗି ବିଶେଷ ଯତ୍ନବାନ୍ । ଅନେକ ବଡ଼ ବଡ଼ ସହରରେ ଜଳକଳ ବସିଅଛି । ରାସ୍ତା ଘାଟ ପରିଷ୍କାର କରାଯିବାର ଓ ବର୍ଷାକାଳ ବହିଯିବାର ସୁବନ୍ଦୋବସ୍ତ ହୋଇଅଛି । ଆଧୁନିକ ବିଜ୍ଞାନାନୁସାରେ ଚିକିତ୍ସାବିଦ୍ୟା ଶିକ୍ଷା ଦେବାଲାଗି ଭାରତର ନାନା ସ୍ଥାନରେ ମେଡ଼ିକାଲ କଲେଜ ଓ ସ୍କୁଲମାନ ସ୍ଥାପିତ ହୋଇଅଛି । ହାସ୍‌ପାତାଲ ଓ ଦାତବ୍ୟ ଚିକିତ୍ସାଳୟ ସ୍ଥାପିତ ହୋଇଥିବାରୁ ଗରିବଲୋକଙ୍କର ବିଶେଷ ଉପକାର ସାଧିତ ହେଉଅଛି ।

 

ଇଂରେଜିଭାଷା । -ଇଂରେଜ ଶାସନ ଭାରତୀୟ ଲୋକମାନଙ୍କର ଯେଉଁ ନୈତିକ ଓ ମାନସିକ ଉନ୍ନତି ସାଧନ କରିଅଛି, ତହିଁର ମୂଳକାରଣ ଇଂରେଜ-ଭାଷାଶିକ୍ଷା । ଇଂରେଜି ଭାଷା ଗୋଟିଏ ମହତୀ ଭାଷା । ଏହାଦ୍ୱାରା ଆମ୍ଭମାନେ ପାଶ୍ଚାତ୍ୟ ଦେଶର ଜ୍ଞାନଗରିମା ବୁଝି ପାରୁଅଛୁଁ ଏବଂ ଆମ୍ଭମାନଙ୍କର ସ୍ଥାନୀୟ ଭାଷାମାନ ଇଉରୋପ ଓ ଆମେରିକାର ମହତ୍ ଭାବମାନ ଗ୍ରହଣ କରି ଉନ୍ନତି ଲାଭ କରୁଅଛି । ଇଂରେଜ ଭାଷା ଶିକ୍ଷା କରି ଆଜି ଭାରତର ବିଭିନ୍ନ ଜାତିମାନେ ପରସ୍ପର ନିକଟରେ ମନୋଗତ ଭାବ ପ୍ରକାଶ କରିପାରୁଅଛନ୍ତି; ଏହିପରି ଏକ ସାଧାରଣ ବୋଧଗମ୍ୟ ଭାଷାର ସର୍ବତ୍ର ପ୍ରଚାରାଭାବରୁ ଆଜିଯାଏ ଏହା ସମ୍ଭବପର ହୋଇ ନ ଥିଲା ।

 

ଜନସାଧାରଣ ଶିକ୍ଷାଦାନ–ଜନସାଧାରଣଙ୍କୁ ଶିକ୍ଷା ଦାନ କରିବା ଇଂରେଜ ବାହାଦୂରଙ୍କର ଆଉ ଏକ ଅତି ମହତ୍ କାର୍ଯ୍ୟ । ସମସ୍ତେ ଜାତି-ଧର୍ମ୍ମ-ନିର୍ବିଶେଷରେ ପାଠ ପଢ଼ିବାଲାଗି କଲେଜ ଓ ସ୍କୁଲମାନ ଭାରତର ସର୍ବତ୍ର ସ୍ଥାପିତ ହୋଇଅଛି । ଗ୍ରାମେ ଗ୍ରାମେ ପ୍ରାଥମିକ ବିଦ୍ୟାଳୟମାନ ସ୍ଥାପିତ ହେଲାଣି । ଏହି ହେତୁରୁ ଯେଉଁମାନଙ୍କର ଶିକ୍ଷା ପ୍ରାପ୍ତ ହେବା କଠିନ ହେଉଥିଲା ସେମାନେ ସୁଦ୍ଧା କିଛି ନା କିଛି ଲେଖାପଢ଼ା ଶିଖିପାରୁଅଛନ୍ତି । ଇଂରେଜ ଗବର୍ଣ୍ଣମେଣ୍ଟ କେବଳ ଜନସାଧାରଣଙ୍କୁ ଶିକ୍ଷା ଦେଇ ନିଶ୍ଚିନ୍ତ ନାହାନ୍ତି, ଲୁପ୍ତ ହେଉଥିବା ପ୍ରାଚୀନ ଗ୍ରନ୍ଥମାନଙ୍କର ଉଦ୍ଧାର ସାଧନ କରୁଅଛନ୍ତି । ଏଥିଲାଗି ଏସିୟାଟିକ ସୋସାଇଟି ସଦୃଶ ସମାଜମାନ ସ୍ଥାପିତ ହୋଇଅଛି ଏବଂ ସଂସ୍କୃତ ଓ ପାର୍ସି ପ୍ରଭୃତି ମୃତଭାଷାର ଉନ୍ନତି ନିମନ୍ତେ ବଡ଼ ବଡ଼ ବିଦ୍ୟାଳୟମାନ ସ୍ଥାପିତ ହୋଇଅଛି ।

 

ମୁଦ୍ରାଯନ୍ତ୍ର–ଜନସାଧାରଣଙ୍କୁ ଶିକ୍ଷାଦେବା ସମ୍ବନ୍ଧରେ ଏକ ମୁଦ୍ରାଯନ୍ତ୍ର ଯେତେ ପରିମାଣେ ସାହାଯ୍ୟ କରିଅଛି, ଏପରି ଆଉ କୌଣସି ବୈଜ୍ଞାନିକ ଉଭାବନ କରିପାରି ନାହିଁ । ଏହାଦ୍ୱାରା ଗରିବ ଲୋକମାନେ ଅଳ୍ପ ମୂଲ୍ୟରେ ଏବଂ ଅନାୟାସରେ ପୁସ୍ତକମାନ ପ୍ରାପ୍ତ ହେଉଅଛନ୍ତି । ମୁଦ୍ରାଯନ୍ତ୍ର ଖବରକାଗଜ ପ୍ରଚଳନର ମୂଳ କାରଣ । ଆଜିକାଲି ଖବରକାଗଜ ଏ ଦେଶକୁ ଏକ ନୂତନ ଶକ୍ତି ଆଣିଅଛି । ଏହାଦ୍ୱାରା ଆମ୍ଭେମାନେ ରାଜନୀତି ଶିଖି ପାରୁଥାଇଁ, ଦେଶର ହାଲଚାଲ ଜାଣି ପାରୁଥାଇଁ, ସମାଜର ଅଭାବ ସରକାର ବାହାଦୂରଙ୍କୁ ଜଣାଇ ପାରୁଥାଇଁ ଏବଂ ଆମ୍ଭମାନଙ୍କର ନିଜ ନିଜ ଗୁହାରି ରାଜପୁରୁଷମାନଙ୍କ ନିକଟରେ ପ୍ରକାଶ କରି ପାରୁଥାଇଁ । ସୁପରିଚାଳିତ ସମ୍ବାଦପତ୍ରର କ୍ଷମତା ଅସୀମ ଏବଂ ସାଧାରଣ ଲୋକଙ୍କୁ ଶିକ୍ଷିତ କରାଇବା ବିଷୟରେ ଏହା ଏକ ଅମୋଘ ଉପାୟ । ଇଂରେଜ ରାଜତ୍ୱ-ପ୍ରସାଦରୁହିଁ ଆମ୍ଭେମାନେ ଏହି ଉପାଦେୟ ବସ୍ତୁଟି ଏ ଦେଶରେ ପାଇଥାଉ ।

Image

 

ଶାସନ ପ୍ରଣାଳୀ

 

ବ୍ରିଟନୀୟ ଭାରତ ସାମ୍ରାଜ୍ୟ ଶାସନାଥ କେତେଗୋଟି ପ୍ରଦେଶରେ ବିଭକ୍ତ ହୋଇଅଛି । ପ୍ରତ୍ୟେକ ପ୍ରଦେଶରେ ଏକ ଏକ ଶାସନକର୍ତ୍ତା ଅଛନ୍ତି । ଏମାନଙ୍କ ମଧ୍ୟରୁ କାହାରିକୁ ଗବର୍ଣ୍ଣର, କାହାକୁ ଲେଫ୍‌ଟେନାଣ୍ଟ ଗବର୍ଣ୍ଣର, କାହାକୁ ଅବା ଚିଫ୍‌କମିଶନର କୁହାଯାଏ । ଶାସିତ ପ୍ରଦେଶ ବଡ଼ ସାନ ହେବା ଭେଦରେ ଶାସନକର୍ତ୍ତାମାନଙ୍କର ଏପରି ନାମକରଣ ହୋଇଅଛି । ବମ୍ବାଇ ଓ ମାନ୍ଦ୍ରାଜର ଶାସନକର୍ତ୍ତାମାନେ ବିଲାତରୁ ୫ ବର୍ଷ ସକାଶେ ଆସନ୍ତି, ଏମାନଙ୍କୁ ଗବର୍ଣ୍ଣର କୁହାଯାଏ । ବିହାର ଓ ଓଡ଼ିଶା, ଉତ୍ତରପଶ୍ଚିମ ପ୍ରଦେଶ, ପଞ୍ଜାବ ଏବଂ ବ୍ରହ୍ମଦେଶର ଶାସନକର୍ତ୍ତାମାନଙ୍କୁ ଲେଫ୍‌ଟେନାଣ୍ଟ ଗବର୍ଣ୍ଣର ବୋଲାଯାଏ । ମଧ୍ୟପ୍ରଦେଶ, ଆସାମ, ବେରାର, କୁର୍ଗ, ଆଜମିର, ବ୍ରିଟିଶ ବେଲୁଚିସ୍ଥାନ, ଆଣ୍ଡମାନଦ୍ୱୀପପୁଞ୍ଜ ଆଉ ଉତ୍ତରପଶ୍ଚିମ ସୀମାନ୍ତ ପ୍ରଦେଶର ଶାସନକର୍ତ୍ତାମାନଙ୍କୁ ଚୀଫ୍ କମିଶନର ବୋଲାଯାଏ । ଏହିସବୁ ପ୍ରାଦେଶିକ ଶାସନକର୍ତ୍ତାମାନେ ଗବର୍ଣ୍ଣର ଜେନେରାଲ ଏବଂ ଭାଇସ୍‌ରାୟଙ୍କର ଅଧୀନ ଅଟନ୍ତି । ଭାଇସ୍‌ରାୟ ବିଲାତରୁ ୫ ବର୍ଷ ସକାଶ ଅଟନ୍ତି । ସେ ମଧ୍ୟ ଶାସନକାର୍ଯ୍ୟରେ ବିଲାତର ଭାରତ ସେକ୍ରେଟେରୀ ଓ ତାଙ୍କ ସଭାର ଅଧୀନ । ଭାରତ ସେକ୍ରେଟେରୀ ବ୍ରିଟିଶ ଗବର୍ଣ୍ଣମେଣ୍ଟଙ୍କ ଦ୍ୱାରା ନିଯୋଜିତ ପାର୍ଲିଆମେଣ୍ଟ ସଭାର ଏକ ସଭ୍ୟ ଏବଂ ସେ ତାଙ୍କର କାର୍ଯ୍ୟଲାଗି ପାର୍ଲିଆମେଣ୍ଟ ମହାସଭା ନିକଟରେ ଦାୟୀ; ଏଣୁ ଜାଣିବାକୁ ହେବ ଯେ ଭାରତଶାସନ ବ୍ରିଟିଶଶାସନର ଏକ ଅଙ୍ଗମାତ୍ର ।

 

ଭାରତସଭା ଓ ପ୍ରାଦେଶିକ ସଭା-ଭାଇସ୍‌ରାୟ ଓ ତାହାଙ୍କ ମନ୍ତ୍ରଣସଭାକୁ ଭାରତ ଗବର୍ଣ୍ଣମେଣ୍ଟ କୁହାଯାଏ । ଏହି ସଭାର ସଭ୍ୟମାନେ ରାଜସ୍ୱ, ସମର, ଆଇନ ପ୍ରଭୃତି ବିଭାଗର କର୍ତ୍ତା ଅଟନ୍ତି । ଏହାଛଡ଼ା ବ୍ୟବସ୍ଥାପକ ସଭା ବୋଲି ସମୁଦାୟ ଭାରତ ନିମନ୍ତେ ଆଉ ଏକ ସଭା ଅଛି । ଏହା ଭାରତ ଗବର୍ଣ୍ଣମେଣ୍ଟଙ୍କ ମନ୍ତ୍ରିସମୂହ ଓ କେତେକ ସରକାରୀ କର୍ମ୍ମଚାରୀ ଏବଂ ଦେଶୀୟ ଓ ଇଉରୋପୀୟ ସମାଜର ପ୍ରତିନିଧିସ୍ୱରୂପ କେତେକ ବେସରକାରୀ ସଭ୍ୟମାନଙ୍କ ଦ୍ୱାରା ଗଠିତ । ସମସ୍ତ ଭାରତବର୍ଷ ନିମନ୍ତେ ଆଇନ ପ୍ରସ୍ତୁତ କରିବା ଏହି ସଭାର କାର୍ଯ୍ୟ । ମାନ୍ଦ୍ରାଜ, ବମ୍ବେଇ, ପଞ୍ଜାବ, ଉତ୍ତରପଶ୍ଚିମ ପ୍ରଦେଶ, ବଙ୍ଗଳା, ମଧ୍ୟପ୍ରଦେଶ, ବ୍ରହ୍ମଦେଶ, ବିହାର ଓ ଓଡ଼ିଶା ଓ ଆସାମ ଲାଗି ମଧ୍ୟ ବ୍ୟବସ୍ଥାପକ ସଭାମାନ ଅଛି । ଏମାନେ ନିଜ ନିଜ ପ୍ରଦେଶ ସକାଶେ ଆଇନ ପ୍ରସ୍ତୁତ କରନ୍ତି । ଏହି ପ୍ରାଦେଶିକ ସଭାମାନଙ୍କ ଦ୍ୱାରା ପ୍ରଣୀତ ଆଇନସମୂହ ଚଳିବାଲାଗି ଭାରତ ଗବର୍ଣ୍ଣମେଣ୍ଟଙ୍କ ସମ୍ମତି ଆବଶ୍ୟକ ହୁଏ ।

 

କାର୍ଯ୍ୟକାରୀ ଓ ବିଚାରକ କର୍ମ୍ମଚାରୀଗଣ–ପ୍ରତ୍ୟେକ ପ୍ରଦେଶ କେତେଗୁଡ଼ିଏ ଡିଷ୍ଟ୍ରିକ୍ଟରେ ବିଭକ୍ତ । ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍‌ କଲେକ୍ଟର ଓ କୌଣସି କୌଣସି ସ୍ଥାନରେ ଡେପୁଟିକମିଶନର ଅଛନ୍ତି । ଏମାନେ ରାଜସ୍ୱ ଆଦାୟ କରନ୍ତି ଏବଂ ରାଜସ୍ୱ ଓ ଫୌଜଦାରୀ ସଂକ୍ରାନ୍ତ ସମସ୍ତ ମକଦ୍ଦମା ବୁଝନ୍ତି । ଏହାଛଡ଼ା ଏମାନେ ନିଜ ଡିଷ୍ଟ୍ରିକ୍ଟରେ ଥିବା ପୁଲିସ୍, ପୂର୍ତ୍ତବିଭାଗ, ମ୍ୟୁନିସପାଲିଟି, ଶିକ୍ଷା ଓ ସ୍ୱାସ୍ଥ୍ୟବିଭାଗର ତତ୍ତ୍ୱାବଧାରଣ କରନ୍ତି । ଏହିସବୁ ବିଭିନ୍ନ ପ୍ରକାର କାର୍ଯ୍ୟ ଲାଗି ଏମାନେ ଜଏଣ୍ଟ, ଆସିଷ୍ଟାଣ୍ଟ, ଡେପୁଟି ମାଜିଷ୍ଟ୍ରଟ୍‌ ପ୍ରଭୃତି ବଡ଼ ବଡ଼ କର୍ମ୍ମଚାରୀମାନଙ୍କଠାରୁ ଆରମ୍ଭ କରି ସାମାନ୍ୟ ଗ୍ରାମ୍ୟ ଚୌକିଦାର ପର୍ଯ୍ୟନ୍ତ ସମସ୍ତ କର୍ମ୍ମଚାରୀଙ୍କଠାରୁ ସାହାଯ୍ୟ ପ୍ରାପ୍ତ ହୁଅନ୍ତି । କେତେଗୁଡ଼ିଏ ଡିଷ୍ଟ୍ରିକ୍ଟ ମିଳି ଏକ ଏକ ଡିଭିଜନ ଗଠିତ ହୋଇଅଛି । ପ୍ରତ୍ୟେକ ଡିଭିଜନରେ ଜଣେ ଲେଖାଏଁ କମିଶନର ଅଛନ୍ତି । ଆମ୍ଭମାନଙ୍କର ଓଡ଼ିଶା ଏକ ଡିଭିଜନ । ଏଥିରେ ଜଣେ କମିଶନର ଅଛନ୍ତି । ସେ କଟକରେ ଥାନ୍ତି ।
 

ଓଡ଼ିଶା ବିଭାଗ ପାଞ୍ଚ ଜିଲ୍ଲାରେ ବିଭକ୍ତ, ଯଥା-କଟକ, ପୁରୀ, ବାଲେଶ୍ୱର, ଅନୁଗୁଳ ଓ ସମ୍ବଲପୁର । କଟକ, ପୁରୀ, ବାଲେଶ୍ୱରରେ ମାଜିଷ୍ଟ୍ରେଟ୍-କଲେକ୍ଟର ଏବଂ ସମ୍ବଲପୁର ଓ ଅନୁଗୁଳରେ ଡେପୁଟିକମିଶନର ଅଛନ୍ତି । ଏହାଛଡ଼ା ଓଡ଼ିଶା ପାଇଁ ଜଣେ ଡିଷ୍ଟ୍ରିକ୍ଟ୍ ଜଜ୍ ଅଛନ୍ତି ।

 

ଜଜ୍‌ ଆଉ ମାଜିଷ୍ଟ୍ରେଟ୍‍ମାନେ ବିଚାରକାର୍ଯ୍ୟରେ ହାଇକୋର୍ଟ ବା ଚିଫ୍‌କୋର୍ଟର ଅଧୀନ । ହାଇକୋର୍ଟ ଓ ଚିଫ୍‌କୋର୍ଟର ଅପୀଲ ବିଲାତର ପ୍ରିଭିକାଉନସିଲରେ ଶୁଣାଯାଏ । ଉକ୍ତ କାଉନସିଲର ନିଷ୍ପତ୍ତି ଚୂଡ଼ାନ୍ତ ଅଟେ ।

Image

 

ପରିଶିଷ୍ଟ

ଇଉରୋପୀୟ ମହାସମର

 

୧.

୧୯୧୪ ମସିହା ଅଗଷ୍ଟ ମାସରେ ଏହି ସମର ଆରମ୍ଭ ହୋଇଥିଲା । ଇଉରୋପରେ ଯେ ଗୋଟିଏ ମହାଯୁଦ୍ଧ ଘଟିବ, ଏହି ଜନରବ ଅନେକ ଦିନରୁ ଉଠିଥିଲା । ଜର୍ମାନୀ ବହୁକାଳରୁ ଇଉରୋପର କର୍ତ୍ତ୍ରୀ ଏବଂ ପୃଥିବୀରେ ଏକ ମହାଶକ୍ତି ହେବାର ଇଚ୍ଛା କରି ଯେଉଁମାନେ ଏଥିରେ ତାହାକୁ ବାଧା ଦେବେ ସେମାନଙ୍କର ବିନାଶସାଧନ ଲାଗି ସଂଙ୍କଳ୍ପ କରିଥିଲା । ତେଣୁ ଯେତେବେଳେ ଅଷ୍ଟ୍ରିଆ ଏବଂ ସର୍ବିଆ ମଧ୍ୟରେ ବିବାଦ ଉପସ୍ଥିତ ହେଲା, ଜର୍ମାନୀ ସେହି ବିବାଦରୁ ଆପଣାର ଚିରାଭିଳଷିତ ସମର ଘଟାଇବା ନିମନ୍ତେ ଦୃଢ଼ ପରିକର ହୋଇ ବସିଲା । ୧୮୭୨ ଖ୍ରୀଷ୍ଟାବ୍ଦରୁ ଅର୍ଥାତ୍ ଯେଉଁ ଦିନୁ ଜର୍ମାନୀ ଫ୍ରାନ୍ସକୁ ଜୟ କରି ତାହାଠାରୁ ଅଲାସ ଏବଂ ଲୋରେନ ପ୍ରଦେଶଦ୍ୱୟ ଛଡ଼ାଇ ନେଇଥିଲା ସେହି ଦିନୁଁ ସେ ଏହି ସମରର ଆୟୋଜନ କରି ଆସୁଥିଲା; ଅର୍ଥାତ୍ ଏହି ୪୨ ବର୍ଷବ୍ୟାପୀ କାଳ ମଧ୍ୟରେ ଜର୍ମାନ ଜାତି ଏକ ମହା ସାମରିକ ଜାତିରେ ପରିଣତ ହୋଇପାରିବା ଭଳି ଶିକ୍ଷା ଓ ଦୀକ୍ଷା ଲାଭ କରିଥିଲା । ଦେଶର ପୁରୁଷମାତ୍ରେ ସୈନ୍ୟଶ୍ରେଣୀରେ ଭୁକ୍ତ ହୋଇ କିଛିକାଳ ଯୁଦ୍ଧଶିକ୍ଷା କରିବେ, ଏହି ନିୟମ ସେ ଦେଶରେ ସେହିଦିନୁଁ ପ୍ରଚଳିତ ହୋଇଥିଲା । ଏହି ପ୍ରଥାକୁ କନ୍‌ସ୍କ୍ରିପ୍‌ଶନ୍‌ କହନ୍ତି । ଏ ପ୍ରକାର ନିୟମ-ପ୍ରବର୍ତ୍ତନର ଉଦ୍ଦେଶ୍ୟ ଏହି ଯେ, ଯେତେବେଳେ ଯୁଦ୍ଧ ଉପସ୍ଥିତ ହେବ ସେତେବେଳେ ପ୍ରତ୍ୟେକ ଜର୍ମାନ ପୁରୁଷ ସୈନିକକାର୍ଯ୍ୟ ଗ୍ରହଣ କରି ପାରିବ । ଏହିସବୁ କାରଣରୁ ଏହି ମହାସମରର ଆରମ୍ଭରେ ଜର୍ମାନୀ ଯେତେ ସୈନ୍ୟ ଯୁଦ୍ଧକୁ ପଠାଇ ପାରିଥିଲା ତହିଁର ସଂଖ୍ୟା ଇଉରୋପର ଯେ କୌଣସି ଦେଶର ସୈନ୍ୟସଂଖ୍ୟା ଅପେକ୍ଷା ଅଧିକ; ଏବଂ ଜର୍ମାନୀର ସୈନ୍ୟମାନେ ଅନ୍ୟ ଯେକୌଣସି ଦେଶର ସୈନ୍ୟମାନଙ୍କ ଅପେକ୍ଷା ଯୁଦ୍ଧବିଦ୍ୟାରେ ଅଧିକତର ଶିକ୍ଷିତ ଓ ସୁସଜ୍ଜିତ ।

 

 

୨.

ଏହି ସମୟରେ ବ୍ରିଟନୀୟ ସେନାର ଅଳ୍ପତାକୁ ଲକ୍ଷ୍ୟ କରି ଜର୍ମାନୀର ସମ୍ରାଟ୍‌ ତାହାକୁ ‘‘ଅତି ଉପେକ୍ଷଣୀୟ କ୍ଷୁଦ୍ର ସେନା’’ ଆଖ୍ୟା ପ୍ରଦାନ କରିଥିଲା । ମାତ୍ର ଶୀଘ୍ର ଏହି ଅବସ୍ଥାର ପରିବର୍ତ୍ତନ ଘଟିଥିଲା । ପ୍ରତ୍ୟହ ହଜାର ହଜାର ଲୋକ ସୈନ୍ୟଶ୍ରେଣୀରେ ଭୁକ୍ତ ହେବାକୁ ଲାଗିଲେ । ଖାଲି ବ୍ରିଟନୀୟ ଦ୍ୱୀପପୁଞ୍ଜର ଅଧିବାସୀ ନୁହନ୍ତି, ସମୁଦ୍ରର ଅପର ପାରରେ ଯେତେ ବ୍ରିଟନୀୟ ସାମ୍ରାଜ୍ୟଭୁକ୍ତ ରାଜ୍ୟ ଅଛି ସବୁ ରାଜ୍ୟରୁ ଅସଂଖ୍ୟ ଲୋକ ଇଚ୍ଛାପୂର୍ବକ ସୈନ୍ୟ ଶ୍ରେଣୀଭୁକ୍ତ ହୋଇଥିଲେ । ଭାରତବର୍ଷ ତାହାର ଶିଖ, ଗୁର୍ଖା, ରାଜପୁତ, ପଠାଣ ସୈନ୍ୟମାନଙ୍କୁ ବ୍ରିଟେନର ଶତ୍ରୁମାନଙ୍କ ବିରୁଦ୍ଧେ ସମ୍ମୁଖଭାଗରେ ଯୁଦ୍ଧ କରିବାକୁ ପଠାଇଲା । ସେହିପରି କାନାଡ଼ା, ଅଷ୍ଟ୍ରେଲିଆ ଏବଂ ନିଉଜିଲାଣ୍ଡ ମଧ୍ୟ ନିଜ ନିଜର ସୈନ୍ୟ ଯୁଦ୍ଧକୁ ପଠାଇଥିଲେ । କ୍ରମେ ସୈନ୍ୟସଂଖ୍ୟା ବୃଦ୍ଧି କରିବାର ଏତେ ପ୍ରୟୋଜନ ପଡ଼ିଲା ଯେ, ଯୁଦ୍ଧ-ଚାକରି-ଆଇନ ନାମରେ ଏକ ଆଇନ ବିଧିବଦ୍ଧ ହେଲା । ଏହି ଆଇନ ବଳରେ ଦେଶରେ ୧୮ ବର୍ଷରୁ ଅଧିକ ଓ ୪୧ ବର୍ଷରୁ ଊଣା ଯେତେ ପୁରୁଷ ଥିଲେ ସମସ୍ତେ ସୈନିକ ବିଭାଗରେ ଚାକିରି କରିବାକୁ ବାଧ୍ୟ ହୋଇଥିଲେ; ଏବଂ ସେହି ପୁରୁଷମାନେ ଯୁଦ୍ଧ ପୂର୍ବରୁ ଦେଶରେ ଯେଉଁ ଯେଉଁ କାର୍ଯ୍ୟ ନିର୍ବାହ କରୁଥିଲେ ତହିଁଲାଗି ସ୍ତ୍ରୀଲୋକମାନେ ନିଯୁକ୍ତ ହୋଇଥିଲେ । ଏକ ପକ୍ଷରେ ଜର୍ମାନୀ, ଅଷ୍ଟ୍ରିଆ, ତୁରସ୍କ ଏବଂ ବୁଲଗେରିଆ ଏକତ୍ର ମିଳି ଯୁଦ୍ଧ କରିଥିଲେ, ଏବଂ ସେମାନଙ୍କୁ ‘‘କୈନ୍ଦ୍ରିକ ଶକ୍ତିପୁଞ୍ଜ,’’ ଏହି ନାମ ଦିଆଯାଇଥିଲା । ଅନ୍ୟ ପକ୍ଷରେ ଫ୍ରାନ୍ସ, ରୁଷିଆ, ଇଟାଲୀ, ବେଲଜିଅମ୍‌, ସର୍ଭିଆ, ବ୍ରିଟେନ ଏବଂ ଉତ୍ତରରେ ରୋମାନିଆ ଓ ମଣ୍ଟିନିଗ୍ରୋ ଏକତ୍ର ମିଳି ଯୁଦ୍ଧ କରିଥିଲେ ଏବଂ ସେମାନଙ୍କୁ ‘‘ସମ୍ମିଳିତ ମିତ୍ରଶକ୍ତି ପୁଞ୍ଜ’’ ଏହି ନାମ ଦିଆଯାଇଥିଲା ।

 

 

୩.

ଜର୍ମାନୀ ସର୍ବପ୍ରଥମେ ଫ୍ରାନ୍ସ ଆକ୍ରମଣ କରି ପାରୀନଗରୀ ପର୍ଯ୍ୟନ୍ତ ଯିବାଲାଗି ଉଦ୍ୟମ କରିଥିଲା ଏବଂ ଏହି ଉଦ୍ଦେଶ୍ୟ ପୂରଣ କରିବା ଲାଗି ତାହାକୁ ବେଲଜିଅମ୍‌ ମଧ୍ୟଦେଇ ସୈନ୍ୟ ଚଳାଇବା ସହଜ ବୋଲି ବୋଧ ହୋଇଥିଲା । ମାତ୍ର ବେଲଜିଅମ୍‌ ମଧ୍ୟଦେଇ ଯୁଦ୍ଧଯାତ୍ରା କରିବାର ଅଧିକାର ଜର୍ମାନୀର ନ ଥିଲା । ଏଥିପୂର୍ବରୁ ସେ ଏକ ସନ୍ଧିରେ ପ୍ରତିଶ୍ରୁତ ହୋଇଥିଲା ଯେ, ସେ ଉକ୍ତ ଦେଶ ମଧ୍ୟଦେଇ ଏପ୍ରକାର ଯୁଦ୍ଧଯାତ୍ରା କେବେହେଁ କରିପାରିବ ନାହିଁ । ମାତ୍ର ସେ ତାହାର ପ୍ରତିଶ୍ରୁତି ନ ରଖି ସୈନ୍ୟ ଘେନି ବେଲଜିଅମର ସୀମାନ୍ତ ପ୍ରଦେଶ ପାର ହେଲା । ତେଣୁ ବେଲ୍‌ଜିଅମ୍‌ବାସୀମାନେ ଏହା ସହି ନ ପାରି ତାହାକୁ ବାଧା ଦେଲେ । ଏଥିରେ ବେଲଜିଅମର ରାଜା ସୈନ୍ୟାଧ୍ୟକ୍ଷର କାର୍ଯ୍ୟ କରିଥିଲେ । କିଛିକାଳ ଲାଗି ସେମାନେ ଜର୍ମାନୀର ଗତିରୋଧ କରିଥିଲେ ସତ୍ୟ, ମାତ୍ର ଏତେ କ୍ଷୁଦ୍ରସେନା କି ସୁବିଶାଳ ଜର୍ମାନ୍‌ସେନାର ଗତିରୋଧ କରିପାରେ ।

 

 

୪.

ଏଥିପୂର୍ବରୁ ବ୍ରିଟେନ ମଧ୍ୟ ପ୍ରତିଶ୍ରୁତ ହୋଇଥିଲା ଯେ, ସେ ବେଲଜିଅମକୁ ତାହାର ଆପତକାଳରେ ରକ୍ଷା କରିବ । ସେହି କାରଣରୁ ଜର୍ମାନୀ ତାହାର ଅଙ୍ଗୀକାର ରକ୍ଷା ନ କରି ଏହି କ୍ଷୁଦ୍ରଦେଶ ମଧ୍ୟରେ ସୈନ୍ୟ ପ୍ରବେଶ କରାଇବା ମାତ୍ରେ ବ୍ରିଟେନ ଆପଣାର ଅଙ୍ଗୀକାର ରକ୍ଷାର୍ଥ ଏହି ମହାଯୁଦ୍ଧରେ ପ୍ରବେଶ କଲା । ସର ଜନ୍‌ ଫ୍ରେଞ୍ଚଙ୍କ ସେନାନାୟକତ୍ୱରେ ବ୍ରିଟନୀୟ ସେନା ଇଙ୍ଗ୍‌ଲିଶ ଚାନେଲ ପାର ହୋଇ ଫରାସୀମାନଙ୍କୁ ସାହାଯ୍ୟ ଦେଇଥିଲେ । ବେଲଜିଅମର ସୀମାନ୍ତ ପ୍ରଦେଶରେ ମନ୍ସ ନାମକ ସ୍ଥାନରେ ଏକ ମହାଯୁଦ୍ଧ ହେଲା ଏବଂ ତହିଁରେ ବ୍ରିଟନୀୟ ସୈନ୍ୟମାନେ ପ୍ରାୟ ପରାସ୍ତ ହୋଇ ଯାଇଥିଲେ । ମାତ୍ର ଶେଷରେ ଜର୍ମାନମାନେ ବିତାଡ଼ିତ ହୋଇଥିଲେ । ତତ୍‌ପରେ ପାରୀନଗରୀର ଅଳ୍ପ ଦୂରବର୍ତ୍ତୀ ମାର୍ଣ୍ଣ ନାମକ ସ୍ଥାନରେ ଯୁଦ୍ଧ ହେଲା, ଏବଂ ଏଠାରେ ବ୍ରିଟନୀୟ ଓ ଫରାସୀ ସୈନ୍ୟମାନେ ଶତ୍ରୁକୁ ପରାସ୍ତ କରି ତାହାକୁ ତଡ଼ି ଦେଇଥିଲେ । ଅବଶେଷରେ ପାରୀଠାରୁ ପ୍ରାୟ ୬୦ ମାଇଲ ଦୂରତାରେ ଶତ୍ରୁମାନେ ରହି ସୁଦୃଢ଼ ପରିଖାମାନ ଖୋଳି ଯୁଦ୍ଧ କରିବାର ଯତ୍ନ କଲେ । ଏହି ପରିଖାମାନ ଉତ୍ତର-ଦକ୍ଷିଣଭାବରେ ବିସ୍ତୃତ, ଏବଂ ଏହା ଉତ୍ତରସାଗରଠାରୁ ସ୍ୱିଟ୍‌ଜରଲାଣ୍ଡ ପର୍ଯ୍ୟନ୍ତ ଫ୍ରାନ୍ସ ଓ ବେଲଜିଅମ୍‌ ଦେଶମାନଙ୍କ ମଧ୍ୟରେ ଖୋଦିତ ହୋଇଥିବାରୁ ଏହି ଯୁଦ୍ଧରେଖାର ଦୈର୍ଘ୍ୟ ସହଜେ ଅନୁମିତ ହୋଇପାରିବ । ଏହା ଦେଖି ଫରାସୀ, ବ୍ରିଟିଶ୍‌ ଏବଂ ବେଲ୍‌ଜିଆନ୍‌ମାନେ ସୁଦୀର୍ଘ ଖାତମାନ ଖୋଳିଥିଲେ । ତତ୍‌ପରେ ଏହି ଖାତମାନଙ୍କ ମଧ୍ୟରେ ରହି ଦୀର୍ଘକାଳ ଘୋର ସମର ଚଳିଥିଲା ଏବଂ ଏକ ପକ୍ଷ ଅନ୍ୟ ପକ୍ଷକୁ ଆକ୍ରମଣ କରି ଖାତମାନ ଅଧିକାର କରିବା, ଲୋକମାନଙ୍କୁ ମାରିବା କିମ୍ବା କଏଦ କରିବାରେ ନିଯୁକ୍ତ ରହିଥିଲେ ।

 

 

୫.

ମାତ୍ର ଫ୍ରାନ୍ସର ଯୁଦ୍ଧ ସମଗ୍ର ସମର ନୁହେ । ଆଲପ୍ସ ପ୍ରଦେଶରେ ଇତାଲୀୟମାନେ ଅଷ୍ଟ୍ରୀୟମାନଙ୍କ ସଙ୍ଗେ, ପୂର୍ବ ଇଉରୋପରେ ରୁସୀୟମାନେ ଜର୍ମାନ ଓ ଅଷ୍ଟ୍ରୀୟମାନଙ୍କ ସଙ୍ଗେ ଯୁଦ୍ଧ କରୁଥିଲେ । ଡାର୍ଡ଼ାନେଲିସରେ ବ୍ରିଟନୀୟ ଓ ଫରାସୀମାନେ ତୁରସ୍କୀୟମାନଙ୍କ ସଙ୍ଗେ ଯୁଦ୍ଧ କରି ଏହି ପ୍ରଣାଳୀ ବାଟେ ଯାଇ କନଷ୍ଟାଣ୍ଟିନୋପ୍ଲ ଅଧିକାର କରିବାର ଚେଷ୍ଟା କରିଥିଲେ । ତତ୍‌ପରେ ଜର୍ମାନ ଓ ଅଷ୍ଟ୍ରୀୟମାନେ ବୁଲ୍‌ଗେରୀୟମାନଙ୍କ ସାହାଯ୍ୟରେ କ୍ଷୁଦ୍ର ସର୍ବିଆ ରାଜ୍ୟକୁ ଆକ୍ରମଣ କରିଥିଲେ । ବ୍ରିଟିଶ୍‌ ଓ ଫ୍ରେଞ୍ଚ ସୈନ୍ୟମାନେ ସର୍ବୀୟମାନଙ୍କୁ ସାହାଯ୍ୟ କରିଥିଲେ । ମାତ୍ର ଶତ୍ରୁମାନେ ସର୍ବିଆକୁ ଏତେ ପ୍ରବଳ ଭାବରେ ଆକ୍ରମଣ କରିଥିଲେ ଯେ, ଫରାସୀ ଓ ବ୍ରିଟନୀୟ ସୈନ୍ୟମାନଙ୍କୁ ସାଲୋନିକା ନାମକ ଗ୍ରୀସୀୟ ବନ୍ଦରକୁ ପଳାୟନ କରିବାକୁ ପଡ଼ିଥିଲା । ଦକ୍ଷିଣ ଆଫ୍ରିକାରେ ମଧ୍ୟ ଜର୍ମାନମାନଙ୍କ ସଙ୍ଗେ ଯୁଦ୍ଧ ଲାଗିଥିଲା । ମାତ୍ର ସେନାପତି ବୋଥା ସେଠାରେ ଜର୍ମାନମାନଙ୍କୁ ଏଡ଼େ ସୁକୌଶଳରେ ଆକ୍ରମଣ କରିଥିଲେ ଯେ, ବିପକ୍ଷୀୟ ସୈନ୍ୟମାନେ ସମସ୍ତେ ପରାସ୍ତ ହୋଇ କାରାରୁଦ୍ଧ ହୋଇଥିଲେ ।

 

 

୬.

ସ୍ୱଭାବତଃ ଯୁଦ୍ଧମାତ୍ରକେ ଅତି ଭୟାନକ ଏବଂ ତହିଁରେ ଅନେକ କ୍ରୂର କାର୍ଯ୍ୟ କରିବାକୁ ପଡ଼େ । ମାତ୍ର ଏହି ସମରରେ ଜର୍ମାନମାନେ ନିତାନ୍ତ ଅସଭ୍ୟ ଓ ବର୍ବର ଜାତିପରି ବ୍ୟବହାର କରିଥିବାରୁ ତାହା ଅତିଶୟରେ କ୍ରୂର ଓ ଭୟାବହ ହୋଇ ପଡ଼ିଥିଲା । ବେଲଜିଅମବାସୀମାନେ ଜର୍ମାନ ସେନାର ଗତିରୋଧ କରିଥିବାରୁ ତହିଁର ପ୍ରତିଶୋଧ ନେବାଲାଗି ଜର୍ମାନମାନେ ଯେ ପ୍ରକାର କାର୍ଯ୍ୟମାନ କରିଥିଲେ ତାହା ପୃଥିବୀର ଯାବତୀୟ ଜାତିମାନଙ୍କୁ ଅତି ଘୃଣାଜନକ ଓ ବିରକ୍ତିକର ବୋଧ ହୋଇଥିଲା । ଜର୍ମାନମାନେ ବେଲଜିଅମବାସୀ ଆବାଳବୃଦ୍ଧବନିତା ସମସ୍ତଙ୍କୁ ଏକ ଏକ ଘରେ ଭର୍ତ୍ତି କରି ତହିଁରେ ନିଆଁ ଲଗାଇ ଦେଉଥିଲେ ଏବଂ ନଗର ଓ ଗ୍ରାମମାନଙ୍କୁ ସମୂଳେ ବିଧ୍ୱସ୍ତ କରି ଦେଇଥିଲେ । ସେମାନେ ବଡ଼ ବଡ଼ ବନ୍ଧୁକ ଫାଏର କରି ତହିଁର ଗୋଲାଦ୍ୱାରା ସୁଦୃଢ଼ ଗ୍ରୀଜାମାନ ଭାଙ୍ଗି ପକାଇଥିଲେ, ଏବଂ ତନ୍ମମଧ୍ୟରେ ଥିବା ଇଉରୋପ ଖଣ୍ଡରେ ବହୁଶତ ବର୍ଷରୁ ପ୍ରଶଂସିତ କଳାବିଦ୍ୟାର ପରାକାଷ୍ଠା ପ୍ରକାଶକ କାର୍ଯ୍ୟମାନ ଛାରଖାର ହୋଇଯାଇଥିଲା । ଲୋବେନ ନାମକ ଯେଉଁ ନଗର ବେଲଜିଅମ୍‌ ମଧ୍ୟରେ ଅତି ସୁନ୍ଦର ତାହା ଭସ୍ମୀଭୂତ ହୋଇଥିଲା । ଏହିସବୁ ସ୍ଥାନର ଅଧୀବାସୀମାନେ ପ୍ରାଣ ଘେନି ପଳାଇଥିଲେ, ଏବଂ ତନ୍ମଧ୍ୟରେ ଅନେକେ ବ୍ରିଟେନକୁ ପଳାଇଯାଇ ସମର ଶେଷ ହେବା ପର୍ଯ୍ୟନ୍ତ ସେଠାରେ ବାସ କରି ରହିଥିଲେ । ଯେତେବେଳେ ଜର୍ମାନମାନେ ଉତ୍ତର ଫ୍ରାନ୍ସରେ ଉପସ୍ଥିତ ହୋଇଥିଲେ ସେତେବେଳେ ସେଠାରେ ମଧ୍ୟ ସେହିପରି କ୍ରୂରକାର୍ଯ୍ୟମାନ ସଂଘଟିତ ହୋଇଥିଲା । ସ୍ଥୂଳତଃ ସେମାନଙ୍କର ସୈନ୍ୟମାନଙ୍କର ଗମନମାର୍ଗ ବିଧ୍ୱସ୍ତ ଗ୍ରାମନଗର ଓ ପାଶବିକ ଅତ୍ୟାଚାରରେ ପୂର୍ଣ୍ଣ ହୋଇଥିଲା । ଏବଂ ଏହାରି ଫଳରେ ସମଗ୍ର ପୃଥିବୀ ଭୟ, ଘୃଣା ଏବଂ ଅସନ୍ତୋଷରେ ପୂରିଯାଇଥିଲା ।

 

 

୭.

ଜର୍ମାନୀର ଏକ ପ୍ରଧାନ ଇଚ୍ଛା ଥିଲା ଯେ, ସେ ଇଂଲଣ୍ଡରେ ପ୍ରବେଶ କରିବ । ଫ୍ରାନ୍ସ୍‍ରେ ତାହାର ସୈନ୍ୟମାନେ ଅଦମ୍ୟ ଉତ୍ସାହରେ ଯୁଦ୍ଧ କରି, ବ୍ରିଟନୀୟ ସୈନ୍ୟଶ୍ରେଣୀ ଭଙ୍ଗ କରି କାଲେ ନଗରରେ ପହୁଞ୍ଚିବାକୁ ଚେଷ୍ଟା କରୁଥିଲେ, ମାତ୍ର ଏହି ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । କାଲେ ନଗରରେ ଜର୍ମ୍ମାନସୈନ୍ୟ ପହୁଞ୍ଚିଥିଲେ ସୁଦ୍ଧା ଜର୍ମ୍ମାନୀର ଉଦ୍ଦେଶ୍ୟ ସଫଳ ହୋଇ ନ ଥାନ୍ତା, କାରଣ ଇଂଲଣ୍ଡର ନୌବହର ଏପରି ଭାବରେ ସ୍ୱଦେଶକୁ ଜଗିରହିଥିଲେ ଯେ, ଜର୍ମ୍ମାନୀର ସୈନ୍ୟମାନେ ସେ ଦେଶରେ ଯେଉଁ ଯେଉଁ ମାର୍ଗରେ ପ୍ରବେଶଲାଭ କରିଥାନ୍ତେ ସେଗୁଡ଼ିକ ସମ୍ପୂର୍ଣ୍ଣ ରୁଦ୍ଧ ହୋଇଥିଲା । ଏପରି ଅବସ୍ଥାରେ ଜର୍ମ୍ମାନୀ ତାହାର ନୌବହରକୁ ଘେନି କିଛିହିଁ କରିପାରି ନ ଥାନ୍ତା । ମାତ୍ର ଜଟ୍‌ଲାଣ୍ଡର ଜଳଯୁଦ୍ଧରେ ଉକ୍ତ ନୌସେନା ସମ୍ପୂର୍ଣ୍ଣ ପରାଜିତ ହୋଇଥିଲା । ପାଣି ଭିତରେ ବୁଡ଼ି ଯେଉଁ ଜାହାଜ ଯାଏ ତାକୁ ବୁଡ଼ା ଜାହାଜ କହନ୍ତି । ଏହି ଜାହାଜମାନ ଟର୍ପେଡ଼ୋ ଅସ୍ତ୍ର ପେଷି ଅନ୍ୟାନ୍ୟ ଜାହାଜମାନଙ୍କୁ ନଷ୍ଟ କରେ । ଜର୍ମ୍ମାନୀ କହୁଥିଲା ଯେ, ସେ ତାହାର ବୁଡ଼ା ଜାହାଜ ପେଷି ଇଂଲଣ୍ଡର ସବୁ ଜାହାଜ ନଷ୍ଟ କରିଦେବ, ତାହା ହେଲେ ଇଂଲଣ୍ଡରେ କୌଣସି ପ୍ରକାର ଖାଦ୍ୟ ପ୍ରବେଶଲାଭ କରିପାରିବ ନାହିଁ । ଏହି ଉଦ୍ଦେଶ୍ୟରେ ଜର୍ମ୍ମାନୀ ତାହାର ଶତ ଶତ ବୁଡ଼ାଜାହାଜ ସମୁଦ୍ରରେ ଚଳାଉଥିଲା ଏବଂ ଚାରିଆଡ଼େ ସମୁଦ୍ର ଗର୍ଭରେ ମାଇନ ପକାଇ ବ୍ରିଟନୀୟ ଜାହାଜମାନ ଭାଙ୍ଗିବାକୁ ବସିଥିଲା । ବାସ୍ତବିକ ଏହି ଉପାୟ ଅବଲମ୍ବନ କରି ଜର୍ମ୍ମାନୀ ଭୟାନକ କାର୍ଯ୍ୟମାନ ସଂଘଟନ କରିଥିଲା । କି ବାଣିଜ୍ୟ ଜାହାଜ, କି ମାଛମରା ଜାହାଜ, କି ଯାତ୍ରୀ ଜାହାଜ, ଏପରିକିରେଡ଼୍‌କ୍ରସ ଜାହାଜ ସୁଦ୍ଧା, ଯାହାକି ହିତାହିତ ସୈନ୍ୟ ଏବଂ ଶୁଶ୍ରୂଷା-କାରିଣୀ ସ୍ତ୍ରୀମାନଙ୍କୁ ଘେନି ଯୁଦ୍ଧ ସ୍ଥଳମାନଙ୍କୁ ଯାଉଥିଲା, ସେମାନଙ୍କ ମଧ୍ୟରୁ କେହି ହେଲେ ବୁଡ଼ାଜାହାଜର ଉପଦ୍ରବରୁ ରକ୍ଷା ପାଉ ନ ଥିଲେ । ମୁହୂର୍ତ୍ତକ ଆଗରୁ କାହାରିକୁ କିଛି ହିଁ ନ ଜଣାଇ ଜର୍ମ୍ମାନୀ ଯେଉଁ ଜାହାଜକୁ ଦେଖେ ତାହାକୁ ବୁଡ଼ାଇ ଦେଉଥାଏ, ଏବଂ ତହିଁରେ ଥିବା ଲୋକମାନେ ସମୁଦ୍ରରେ ବୁଡ଼ି ଜୀବନ ହରାଉଥାନ୍ତି । ବ୍ରିଟନୀୟ ସମର ସଚିବ କିଚ୍‌ନର୍‌ ସାହେବ ଆୟାର୍‌ଲାଣ୍ଡ ନିକଟବର୍ତ୍ତୀ ସମୁଦ୍ରରେ ନିଜ ଅନୁଚର ଓ ସଙ୍ଗୀମାନଙ୍କସହ ଏହିପରି ଭାବରେ ଜୀବନ ହରାଇଥିଲେ । ବ୍ରିଟନୀୟ ନୌବହର ଏବଂ ନାବିକମାନେ ଏହି ଆପଦର ନିବାରଣ ଲାଗି ଯେପରି ସ୍ୱାର୍ଥତ୍ୟାଗ ଓ ବଦାନ୍ୟତା ଦେଖାଇଅଛନ୍ତି ତାହା ବର୍ଣ୍ଣନାତୀତ । କି ଦିନ, କି ରାତି, ସେମାନେ ସମୁଦ୍ରରେ ପହରା ଦେଇ ଗୋଟି ଗୋଟି କରି ଏହା ବୁଡ଼ା ଜାହାଜମାନ ଖୋଜି ନଷ୍ଟ କରୁଥାନ୍ତି, ଏବଂ ଜର୍ମାନମାନଙ୍କ ଚତୁରତାକୁ ଏଡ଼ାଇବା ଲାଗି ନାନା ପ୍ରକାର କୌଶଳ ଅବଲମ୍ବନ କରୁଥାନ୍ତି ।

 

 

୮.

ଆକାଶପଥରରେ ବରାବର ଆକ୍ରମଣ ଚାଲୁଥାଏ । ଜର୍ମାନୀର ଜେସ୍ପେଲିନ୍‌ ଏବଂ ଏରୋପ୍ଳେନ୍‌ (ଆକାଶବିମାନ) ମାନ ବ୍ରିଟେନ୍‌ ଉପରକୁ ଉଡ଼ିଆସି, ଗ୍ରାମ ଓ ନଗରମାନଙ୍କ ଉପରେ ବୋମା ନିକ୍ଷେପ କରି ଅନେକ ଅଟ୍ଟାଳିକା ଓ ଗୃହ ଭାଙ୍ଗୁଥିଲେ ଏବଂ ଅନେକ ଲୋକ ଓ ସମ୍ପତ୍ତି ନଷ୍ଟ କରିଥିଲେ । ଏହି ଆକାଶ-ଯୁଦ୍ଧମାନ ମହା ଭୟଙ୍କର, ଏବଂ ଅନେକ ଏରୋପ୍ଲେନ୍‌ ଏହି ସମରରେ ନିଯୁକ୍ତ ଥିଲେ ।

 

 

୯.

ସମରର ଦ୍ୱିତୀୟ ବର୍ଷରେ ଜର୍ମାନୀ ବିରୁଦ୍ଧରେ ବ୍ଲକେଡ଼୍‌ ଘୋଷଣା କରାଯାଇଥିଲା । ଏତଦ୍ଦ୍ୱାରା ଖାଦ୍ୟଦ୍ରବ୍ୟ ଏବଂ ଅନ୍ୟାନ୍ୟ ପ୍ରୟୋଜନୀୟ ପଦାର୍ଥମାନ ବିଦେଶରୁ ଜର୍ମାନୀରେ ଆମଦାନି ହେବାର ବନ୍ଦ କରାଯାଇଥିଲା । ଯୁଦ୍ଧ ଶୀଘ୍ର ବନ୍ଦ ହେବା ବିଷୟରେ ଏହି କାର୍ଯ୍ୟଟି ବହୁତ ସାହାଯ୍ୟ କରିଥିଲା, ନତୁବା ଯୁଦ୍ଧ ବହୁକାଳ ଲାଗି ରହିଥାନ୍ତା; କାରଣ ଯୁଦ୍ଧ ଚଳାଇବାଲାଗି ବନ୍ଧୁକ ଓ ବାରୁଦ ପ୍ରସ୍ତୁତ କରିବା ସକାଶେ ଯେଉଁ ସବୁ ଉପାଦାନ ଆବଶ୍ୟକ, ବ୍ଲକେଡ଼ ହେତୁରୁ ସେଗୁଡ଼ିକ ଜର୍ମାନୀ ଭିତରକୁ ଆଉ ଯାଇ ପାରିଲା ନାହିଁ । ଯୁଦ୍ଧ ଚଳୁଥିବା କାଳରେ ଇଉରୋପର ପ୍ରତ୍ୟେକ ଦେଶରେ ଖାଦ୍ୟଦ୍ରବ୍ୟର ଅଭାବ ବିଶେଷ ଭାବରେ ଘଟିଥିଲା, ଏମନ୍ତ କି ଅନେକ ଦେଶର ଗରିବ ଲୋକେ କିଛି ହିଁ ଖାଇବାକୁ ପାଇଲେ ନାହିଁ । ଟଙ୍କା ଦେଲେ ହେଁ ଯାହାର ଯେତେ ମାଂସ, ମଖନ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ କିଣିବାକୁ ଇଚ୍ଛା ସେ ତାହା ପାଇଲା ନାହିଁ । ପ୍ରତ୍ୟେକ ଖାଦ୍ୟ ପଡ଼ିକାଟ ହୋଇ ଦିଆଯାଉଥିଲା, ଅର୍ଥାତ୍‌ ପ୍ରତ୍ୟେକ ଲୋକକୁ ଯେଉଁ ଖାଦ୍ୟ ଯେତେ ପରିମାଣରେ କିଣିବାକୁ ଦେବାଲାଗି ସରକାର ନିରଖ ବାନ୍ଧିଥିଲେ ତହିଁରୁ ଅଧିକ ଖାଦ୍ୟ କେହି କିଣିବାକୁ ପାଉ ନ ଥିଲେ । ପଶୁମାନଙ୍କୁ ସୁଦ୍ଧା ନିରେଖବନ୍ଧାରେଟରେ ଖାଇବାଲାଗି ଖାଦ୍ୟ ଦିଆଯାଉଥିଲା ।

 

 

୧୦.

ସମରର ଚତୁର୍ଥ ବର୍ଷ ଆମେରିକା ସମ୍ମିଳିତ ମିତ୍ରଶକ୍ତିମାନଙ୍କ ସଙ୍ଗେ ଯୁଦ୍ଧରେ ଯୋଗ ଦେଇଥିଲା । ଆମେରିକାର ସୈନ୍ୟମାନେ ଇଉରୋପକୁ ଆସି ଯୁଦ୍ଧ କରିବାରୁ ଜର୍ମାନମାନେ ବିଶେଷ ବିପନ୍ନ ହେଲେ ଏବଂ ମିତ୍ରଶକ୍ତିର ସୈନ୍ୟମାନେ ଉତ୍ସାହିତ ହୋଇଥିଲେ । ସମରର ଶେଷ କେତେକ ମାସ ମଧ୍ୟରେ ଆମେରିକାର ସୈନ୍ୟମାନେ ମହତ ମହତ କାର୍ଯ୍ୟମାନ ସାଧନ କରିଥିଲେ ।

 

 

୧୧.

ସନ ୧୯୧୮ ସାଲ ମାର୍ଚ୍ଚମାସରେ ଇଂଲଣ୍ଡରେ ସମ୍ବାଦ ପହୁଞ୍ଚିଲା ଯେ, ଫ୍ରାନ୍ସରେ ଇଂରେଜ ସୈନ୍ୟର ସଂଖ୍ୟା ଅତିଅଳ୍ପ ଏବଂ ଜର୍ମାନ ସୈନ୍ୟର ସଂଖ୍ୟା ଅତି ଅଧିକ । ସେନାପତି ସର ଡଗ୍ଳାସହେଗ୍‌ ଯୁଦ୍ଧକ୍ଷେତ୍ରକୁ ଯେଉଁ ସମ୍ବାଦ ଦେଲେ ତହିଁରୁ ବୋଧ ହେଲା ପ୍ରାଣ ଯିବା ଯାଏ ଯୁଦ୍ଧ ନ କଲେ ଅନ୍ୟ କିଛି ଉପାୟ ନାହିଁ । କେତେକ କହିଲେ ଯୁଦ୍ଧ ସରିବ, ମାତ୍ର ସମ୍ମିଳିତ ଶକ୍ତିମାନେ ପରାସ୍ତ ହେବେ । ପ୍ରକୃତରେ ସମସ୍ତେ ବଡ଼ ଦୁଃଖିତ ହେଲେ । କିନ୍ତୁ ପ୍ରାଣ ଥିବା ଯାଏ ପ୍ରକୃତ ବ୍ରିଟେନବାସୀର ହୃଦୟ କି ସାହାସହୀନ ହୁଏ ? ସେମାନେ ଦୃଢ଼ଭାବରେ ଯୁଦ୍ଧ କରିବାକୁ ଲାଗିଲେ ।

 

 

 

ଫ୍ରାନ୍ସର ଯୁଦ୍ଧକ୍ଷେତ୍ରରେ ପ୍ରତ୍ୟେହ ହଜାର ହଜାର ବ୍ରିଟେନୀୟ ସୈନ୍ୟ ମୃତ୍ୟୁମୁଖରେ ପଡ଼ୁଥିଲେ । ଏହିପରି ଯୁଦ୍ଧ ଲାଗିଥାଏ । ଜର୍ମାନମାନେ ଆଉଥରେ ପାରୀନଗରୀକୁ ଅଗ୍ରସର ହେଲେ । ୧୯୧୮ ମସିହା ଜୁଲାଇ ମାସ ୧୯ ତାରିଖ ଦିନ ସେମାନେ ଏହି ଚେଷ୍ଟା କରିଥିଲେ । ଏହାହିଁ ସେମାନଙ୍କର ଶେଷ ଚେଷ୍ଟା । ସେମାନେ ରାଏମସ୍‌ ନଦୀର ଉଭୟପାର୍ଶ୍ୱ ଆକ୍ରମଣ କରି ମାର୍ଣ୍ଣ ପାର ହୋଇ ପାରୀନଗରୀର ଏତେ ନିକଟକୁ ଆସିଥିଲେ ଯେ, ଦେଢ଼ଘଣ୍ଟାକାଳ ମଟରଗାଡ଼ିରେ ଚଢ଼ିଗଲେ ଉକ୍ତ ନଗରୀରେ ପହୁଞ୍ଚି ପାରିଥାନ୍ତେ । ସେତେବେଳେ ସମ୍ମିଳିତ ମିତ୍ରଶକ୍ତିର ପ୍ରଧାନ ସେନାପତି ଜେନେରାଲ୍‌ ଫକ୍‌ ସେମାନଙ୍କର ଅଗ୍ରଗତି ଅବରୋଧ କରି ପଛକୁ ହଟାଇ ଦେଲେ । ଜର୍ମାନମାନେ ଆଗେ ଆଗେ ପଳାଉଥାନ୍ତି, ସମ୍ମିଳିତ ଶକ୍ତିର ସୈନ୍ୟମାନେ ସେମାନଙ୍କୁ ଅନୁଧାବନ କରି ଏକ ଖାତ ତତ୍‌ପରେ ଅନ୍ୟ ଖାତ ଅଧିକାର କରୁ କରୁ ଶେଷରେ ସେମାନଙ୍କ ଦେଶ-ସୀମାର ଅତି ନିକଟବର୍ତ୍ତୀ ହୋଇପଡ଼ିଥିଲେ । ସେତେବେଳେ ଜର୍ମାନମାନେ କିଛିକାଳ ଲାଗି ଯୁଦ୍ଧ ସ୍ଥଗିତ ରଖିବାକୁ ଚାହିଁଥିଲେ । ସେମାନେ ଦେଖିଲେ ସବୁ ହରାଇଅଛନ୍ତି, ଆଉ କିଛି ନାହିଁ । ୧୯୧୮ନଭେମ୍ବର ୧୧ ତାରିଖରେ ଶାନ୍ତିଶବ୍ଦ ଉଚ୍ଚାରିତ ହେଲା । ଏହା ପୃଥିବୀବାସୀ ସମସ୍ତଙ୍କୁ ମହାଆନନ୍ଦରେ ନିମଜ୍ଜିତ କରିଥିଲା । ସମସ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

 

 

୧୨.

୧୯୧୮ ନଭେମ୍ବର ଏବଂ ୧୯୧୯ ଜୁନ, ଏଥି ମଧ୍ୟରେ ପାରୀନଗରୀରେ ଏକ ମହା ସନ୍ଧିସଭାର ବୈଠକ ବସିଲା । ତହିଁରେ ପୃଥିବୀର ପ୍ରତ୍ୟେକ ଯୁଦ୍ଧବ୍ୟାପୃତ ଦେଶର ପ୍ରତିନିଧି ଯୋଗଦାନ କରିଥିଲେ । ଭାରତବର୍ଷ ପକ୍ଷରୁ ଷ୍ଟେଟ ସେକ୍ରେଟେରୀ ମଣ୍ଟେଗ୍ୟୁ ସାହେବ ଏବଂ ଲର୍ଡ଼ସିଂହ ଏଥିରେ ଯୋଗ ଦେଇଥିଲେ । ଆମେରିକାର ପ୍ରେସିଡ଼େଣ୍ଟ ଉଇଲ୍‌ସନ୍‌ସାହେବଙ୍କ ପରାମର୍ଶରେ ସନ୍ଧିସର୍ତ୍ତ ସ୍ଥିର ହୋଇଥିଲା । ସେମାନେ ଶାନ୍ତିର ସର୍ତ୍ତ ସ୍ଥିର କରିବା ଲାଗି ପ୍ରତ୍ୟେହ ମିଳିତ ହେଉଥାନ୍ତି । ପୃଥିବୀ ଯୁଦ୍ଧ ହେତୁରୁ ମହା କ୍ଲାନ୍ତ ହୋଇ ପଡ଼ିଥିବାରୁ ସମସ୍ତେ ଚାହୁଁଥିଲେ ଏପରି ଏକ ଶାନ୍ତି ସ୍ଥାପିତ ହେଉ, ଯାହା ପ୍ରକୃତ ଶାନ୍ତି ଏବଂ ଯଦ୍ୱାରା ପୃଥିବୀର ଜାତିମାନଙ୍କ ମଧ୍ୟରେ ଏକ ଦୃଢ଼ ବନ୍ଧନ ସଂସ୍ଥାପିତ ହେଉ-। ତାହାହିଁ ହେଲା । ଯେଉଁ ଜାତିମାନେ ଏହି ବନ୍ଧନରେ ଯୋଗ ଦେଲେ ସେମାନେ କ୍ଷୁଦ୍ରଜାତିମାନଙ୍କୁ ଆଶ୍ରୟ ଦେବା ଓ ସାହାଯ୍ୟ କରିବାର ଭାର ବହନ କଲେ । ବିଭିନ୍ନ ଜାତି ମଧ୍ୟରେ ବିବାଦ ହେଲେ ସେମାନେ ତାହାସବୁ ବୁଝି ଏପରିଭାବରେ ନିଷ୍ପତ୍ତି କରିଦେବାର ଭାର ନେଲେ, ଯେପରି କି ଆଉ ଯୁଦ୍ଧ ହେବ ନାହିଁ ।

 

 

 

ଏହି ମହାସମର ଆମ୍ଭମାନଙ୍କୁ ଅନେକ ଶିକ୍ଷା ଦେଇଅଛି । ଆମ୍ଭମାନଙ୍କ ମନରେ ଭବିଷ୍ୟତ ଲାଗି ନୂତନ ଭାବ ଓ ନୂତନ ନୂତନ ଆଶାର ସଞ୍ଚାର କରିଅଛି । ଜୀବନର ପ୍ରତ୍ୟେକ ବିଭାଗରେ ପରିର୍ତ୍ତନ ଘଟାଇଅଛି । ଯେଉଁ ଆକାଶ-ବିମାନମାନ ଯୁଦ୍ଧରେ ନିଯୁକ୍ତ ହୋଇଥିଲା ସେମାନେ ବର୍ତ୍ତମାନ ଦୂରବର୍ତ୍ତୀ ଦେଶମାନଙ୍କୁ ପରସ୍ପରର ନିକଟବର୍ତ୍ତୀ କରିବା ଲାଗି ବ୍ୟବହୃତ ହେଉଅଛି ।

 

 

 

ଅତି ଦ୍ରୁତଗାମୀ ବାଷ୍ପୀୟ ପୋତରେ ଯେଉଁ ଦେଶମାନଙ୍କୁ ଯିବାଲାଗି ଅନେକ ଦିନ ଲାଗୁଥିଲା ସେଠାକୁ ବର୍ତ୍ତମାନ ଏରୋପ୍ଲେନ୍‌ ସାହାଯ୍ୟରେ କେତେକ ଘଣ୍ଟା ମଧ୍ୟରେ ଯାଇହେବ । ଏହାର ଅର୍ଥ ଏହି ଯେ, ବିଭନ୍ନ ଦେଶର ଲୋକମାନେ ବର୍ତ୍ତମାନ ପରସ୍ପରର ଭାବ ସହଜେ ଓ ଶ୍ରୀଘ୍ର ବୁଝି ପାରିବେ ଏବଂ ଅଧିକ ମିଳିମିଶି କାର୍ଯ୍ୟ କରି ପାରିବେ ।

 

 

 

ତେଣୁ ନିକଟ ଭବିଷ୍ୟତରେ ଅନ୍ୟ ଦେଶର ଲୋକମାନଙ୍କୁ ବିଦେଶୀ ବୋଲି ନ ଭାବି ଆମ୍ଭେମାନେ ଭାଇ ବୋଲି ଭାବି ପାରିବା ଏବଂ ସମଗ୍ର ପୃଥିବୀ ଏକ ପ୍ରବଳ ଭ୍ରାତୃଭାବରେ ସମ୍ମିଳିତ ହେବ ।

Image